ଦେଶ ଏବଂ ରାଜ୍ୟ ରାଜନୀତିରୁ ଏହି ସମୟର ସବୁଠାରୁ ଆଲୋଚିତ ଏବଂ ସମ୍ବେଦନଶୀଳ ପ୍ରସଙ୍ଗ ସାମ୍ନାକୁ ଆସୁଛି। ସାଧାରଣତଃ ଜନକଲ୍ୟାଣକାରୀ ସରକାରଙ୍କଠାରୁ ଲୋକେ ଆଶା କରନ୍ତି ଯେ ସେମାନେ ସମାଜରୁ ନିଶା କାରବାର କମାଇବା ପାଇଁ ପଦକ୍ଷେପ ନେବେ।
କିନ୍ତୁ ବର୍ତ୍ତମାନ ପରିସ୍ଥିତି ଓଲଟା ଦେଖାଯାଉଛି। ମଦ ପାଇଁ ସରକାର ଏବେ ସମ୍ପୂର୍ଣ୍ଣ ଅନ୍ଧ ହୋଇଯାଇଥିବା ଭଳି ମନେହେଉଛି। ମଦ କାରବାର କମାଇବା ପରିବର୍ତ୍ତେ ବିଜେପି ସରକାର ଏବେ ବାଉଳା ହୋଇଯାଇଛନ୍ତି। ଏଥିପାଇଁ ଗତ ସପ୍ତାହରେ ରାଜ୍ୟରେ ମଦ ଦୋକାନ ବାଣ୍ଟିଲେ ସରକାର। ଆଉ ଆଶ୍ଚର୍ଯ୍ୟର ବିଷୟ ହେଉଛି, ମଦ ଦୋକାନ ବାଣ୍ଟିବା ପାଇଁ ସରକାରଙ୍କ ପ୍ରତିନିଧି ସାଜିଥିବା ଜିଲ୍ଲାପାଳମାନେ ଆଖିରେ ସତସତିକା ଅନ୍ଧପୁଟୁଳି ବାନ୍ଧିଦେଲେ। ସରକାର ଦୃଷ୍ଟିହୀନ ଅଭିନୟ କରି ପ୍ରାୟ ୧୪୦୦ରୁ ଅଧିକ ଠିପିବନ୍ଦ ମଦ ଦୋକାନ ବାଣ୍ଟିଥିବା କୁହାଯାଉଛି।
ଏବେ ବିରୋଧୀମାନେ ପଚାରୁଛନ୍ତି—
- ଏହା କ’ଣ ପାରଦର୍ଶିତାର ପ୍ରତୀକ ?
- ନା ସରକାରଙ୍କ “ଅନ୍ଧ ନୀତି”ର ଚିହ୍ନ ?
ସରକାରଙ୍କ ଏଭଳି ମଦଦୋକାନ ବଣ୍ଟାକୁ ରାଜ୍ୟର ସଚେତନ ମତଦାତାମାନେ ଆଦୌ ପସନ୍ଦ କରିନାହାନ୍ତି। ସରକାରଙ୍କ ଏହି ମଦ ଦୋକାନ ନୀତିକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। କିନ୍ତୁ ଦୁଃଖର ବିଷୟ ହେଉଛି, ରାଜ୍ୟ ସରକାରଙ୍କର ଏଥିପ୍ରତି ଆଦୌ ଖାତିର ନାହିଁ।
ତେବେ ଇତିହାସକୁ ଦେଖିଲେ ଜଣାପଡ଼େ ଯେ, ଅତୀତରେ ଅନେକ ରାଜ୍ୟ ସରକାର ଏହିଭଳି ମଦନୀତିକୁ ନେଇ ନିଜର କ୍ଷମତା ହରାଇଛନ୍ତି। ଭାରତୀୟ ରାଜନୀତିରେ ମଦ ନୀତି ବହୁଥର ନିର୍ବାଚନୀ ପରାଜୟର ଏକ ବଡ଼ କାରଣ ହୋଇଛି।
ଲୋକମାନଙ୍କ ମଧ୍ୟରେ ମଦ ବିକ୍ରି, ଦୁର୍ନୀତି, ମହିଳାଙ୍କ ବିରୋଧ, କିମ୍ବା ରାଜସ୍ୱ ପାଇଁ ଅତ୍ୟଧିକ ମଦ ନିର୍ଭରତା ନେଇ ଅସନ୍ତୋଷ ଥିଲେ ସରକାରମାନେ ଭୋଟରେ ତାହାର ଭୟଙ୍କର ପ୍ରଭାବ ଭୋଗିଛନ୍ତି। ଏହାର ସର୍ବପ୍ରଥମ ବଡ଼ ଉଦାହରଣ ହେଉଛି- ଆନ୍ଧ୍ର ପ୍ରଦେଶରେ ଏନ୍.ଟି. ରାମାରାଓ ଓ ପରେ ଚନ୍ଦ୍ରବାବୁ ନାଇଡୁ ସରକାର।
୧୯୯୦ ଦଶକରେ ଆନ୍ଧ୍ର ପ୍ରଦେଶରେ ମହିଳାମାନଙ୍କ “ମଦ ବିରୋଧୀ ଆନ୍ଦୋଳନ” ବହୁତ ଶକ୍ତିଶାଳୀ ହୋଇଥିଲା। ସେଠାକାର ଗ୍ରାମାଞ୍ଚଳର ମହିଳାମାନେ ସରକାରଙ୍କ ମଦନୀତି ବିରୋଧରେ ରାସ୍ତାକୁ ଓହ୍ଲାଇଥିଲେ, ଯାହାଦ୍ୱାରା ସମ୍ପୂର୍ଣ୍ଣ ନିର୍ବାଚନୀ ପରିବେଶ ପ୍ରଭାବିତ ହୋଇଥିଲା। ପରବର୍ତ୍ତୀ ସମୟରେ ମଦ ନୀତିର ପରିବର୍ତ୍ତନ ଏବଂ ଅତ୍ୟଧିକ ମଦ ଦୋକାନ ଲାଇସେନ୍ସ ଦେବା ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଥିଲା, ଯାହା ତେଲୁଗୁ ଦେଶମ ପାର୍ଟି ବା ଟିଡିପି ପାଇଁ ଏକ ବଡ଼ ରାଜନୈତିକ ଚାପ ସୃଷ୍ଟି କରିଥିଲା ଏବଂ ସେମାନଙ୍କୁ କ୍ଷତି ସହିବାକୁ ପଡ଼ିଥିଲା।
ଏହିଭଳି ସମାନ ପରିସ୍ଥିତି ତାମିଲନାଡୁରେ ମଧ୍ୟ ଦେଖିବାକୁ ମିଳିଛି। ତାମିଲନାଡୁରେ ସରକାରୀ ମଦ ଦୋକାନ ପ୍ରଣାଳୀ ‘ଟାସମାକ୍’ (TASMAC) ବିରୋଧରେ ବହୁଥର ବଡ଼ ବଡ଼ ଜନଆନ୍ଦୋଳନ ହୋଇଛି। ବିଶେଷକରି ଗ୍ରାମାଞ୍ଚଳ ଏବଂ ସେଠାକାର ମହିଳା ଭୋଟରମାନେ ଏହାକୁ ନିର୍ବାଚନରେ ଏକ ବଡ଼ ପ୍ରସଙ୍ଗ କରିଥିଲେ। ସେଠାକାର ଦୁଇ ପ୍ରମୁଖ ଦଳ- ଏଆଇଏଡିଏମକେ (AIADMK) ଏବଂ ଡିଏମକେ (DMK), ଏହି ଦୁଇ ଦଳକୁ ଭିନ୍ନ ଭିନ୍ନ ସମୟରେ “ରାଜସ୍ୱ ପାଇଁ ମଦ ଉପରେ ଅତ୍ୟଧିକ ନିର୍ଭରତା” ଯୋଗୁଁ ଜନସାଧାରଣଙ୍କ ତୀବ୍ର ଆକ୍ରୋଶ ସହିବାକୁ ପଡ଼ିଛି ଏବଂ ନିର୍ବାଚନରେ ଏହାର ପରିଣାମ ମଧ୍ୟ ଭୋଗିବାକୁ ପଡ଼ିଛି।
ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାରଙ୍କ ନୂଆ ମଦନୀତି ବିଷୟରେ ଆପଣ ସମସ୍ତେ ନିଶ୍ଚୟ ଜାଣିଥିବେ। ଏହି ନୂଆ ନୀତି ଉପରେ ଯେତେବେଳେ ବଡ଼ ଧରଣର ଦୁର୍ନୀତି ଅଭିଯୋଗ ଲାଗିଲା, ସେତେବେଳେ ସାରା ଦେଶରେ ଏକ ବଡ଼ ରାଜନୈତିକ ବିବାଦ ସୃଷ୍ଟି ହୋଇଥିଲା। ଏହି ପ୍ରସଙ୍ଗ ଯୋଗୁଁ ଦଳର ଶୀର୍ଷ ନେତାମାନଙ୍କୁ ଜେଲ୍ ଯିବାକୁ ପଡ଼ିଲା ଏବଂ ଦଳର ସ୍ୱଚ୍ଛ ଭାବମୂର୍ତ୍ତି ଉପରେ ବହୁତ ଖରାପ ପ୍ରଭାବ ପଡ଼ିଲା। ଯଦିଓ କେବଳ ଏହି ଏକମାତ୍ର କାରଣରୁ ସରକାର ଭାଙ୍ଗି ନ ଥିଲା, କିନ୍ତୁ ନିର୍ବାଚନରେ ସେମାନଙ୍କର ରାଜନୈତିକ କ୍ଷତି ଏବଂ ସମ୍ମାନ ହାନି ପ୍ରବଳ ମାତ୍ରାରେ ହୋଇଥିଲା।
ସେହିପରି ବିହାର ପ୍ରସଙ୍ଗ ମଧ୍ୟ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୨୦୧୬ ମସିହାରେ ବିହାରରେ ସମ୍ପୂର୍ଣ୍ଣ ମଦ ବନ୍ଦ କରିଥିଲେ। ଆରମ୍ଭରେ ମହିଳା ଭୋଟରମାନଙ୍କ ମଧ୍ୟରେ ଏହି ନିଷ୍ପତ୍ତି ବହୁତ ଲୋକପ୍ରିୟ ହୋଇଥିଲା ଏବଂ ସରକାରଙ୍କୁ ଏହାର ଫାଇଦା ମଧ୍ୟ ମିଳିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହି ନୀତି ଯୋଗୁଁ ବ୍ୟାପକ କଳାବଜାରି, ଅବୈଧ ମଦ ମୃତ୍ୟୁ ଏବଂ ପୋଲିସ ପ୍ରଶାସନର ଦୁର୍ନୀତି ସାମ୍ନାକୁ ଆସିଲା, ଯାହା ଯୋଗୁଁ ସରକାରଙ୍କୁ ଭାରି ସମାଲୋଚନା ସହିବାକୁ ପଡ଼ିଥିଲା। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ମଦନୀତିରେ ସାମାନ୍ୟ ଭୁଲ୍ ମଧ୍ୟ ସରକାରଙ୍କ ପାଇଁ ଏକ ବଡ଼ ରାଜନୈତିକ ସଙ୍କଟ ସୃଷ୍ଟି କରିପାରେ।
ଆମେ ଯଦି ପଞ୍ଜାବ ରାଜନୀତିକୁ ଦେଖିବା, ତେବେ ୨୦୧୭ ନିର୍ବାଚନ ପୂର୍ବରୁ ସେଠାକାର ଅକାଳୀ-ବିଜେପି ସରକାର ବିରୋଧରେ ବ୍ୟାପକ ଭାବେ “ମଦ ମାଫିଆ” ଏବଂ ନିଶା କାରବାରର ଅଭିଯୋଗ ଉଠିଥିଲା। ସେହି ସମୟରେ ଏହି ବିଷୟ ନିର୍ବାଚନୀ ପରିବେଶରେ ସବୁଠାରୁ ବଡ଼ ଉତ୍ପାଦକ ବା କାରଣ ସାଜିଥିଲା ଏବଂ ଜନସାଧାରଣଙ୍କ ତୀବ୍ର ଅସନ୍ତୋଷ ଯୋଗୁଁ ସେଠାରେ ସରକାର ସମ୍ପୂର୍ଣ୍ଣ ଭାବେ ପରାଜିତ ହୋଇଥିଲେ।
ଏହି ସମସ୍ତ ଐତିହାସିକ ଘଟଣାରୁ ଏକ ମୁଖ୍ୟ କଥା ସାମ୍ନାକୁ ଆସୁଛି। ଭାରତୀୟ ରାଜନୀତିରେ ମଦ ନୀତି ସାଧାରଣତଃ ୩ଟି ବଡ଼ ଦିଗ ମାଧ୍ୟମରେ ସରକାରଙ୍କୁ ସିଧାସଳଖ କ୍ଷତି ପହଞ୍ଚାଇଥାଏ—
1. ମହିଳା ଭୋଟରଙ୍କ ଅସନ୍ତୋଷ:———— ଯେଉଁ ସରକାର ମଦ ଦୋକାନ ବଢ଼ାନ୍ତି, ସେଠାରେ ମହିଳାମାନେ ସବୁଠାରୁ ଆଗେ ବିରୋଧ କରନ୍ତି, କାରଣ ଏହା ଦ୍ୱାରା ପରିବାର ନଷ୍ଟ ହୋଇଥାଏ।
2. ଦୁର୍ନୀତି କିମ୍ବା ମାଫିଆ ଅଭିଯୋଗ: ———-ମଦ ଲାଇସେନ୍ସ ବଣ୍ଟନରେ ସାମାନ୍ୟ ଅସ୍ୱଚ୍ଛତା ସରକାରଙ୍କ ସ୍ୱଚ୍ଛ ଭାବମୂର୍ତ୍ତିକୁ ସମ୍ପୂର୍ଣ୍ଣ ମାଟିରେ ମିଶାଇ ଦିଏ।
3. ରାଜସ୍ୱ ପାଇଁ ଅତ୍ୟଧିକ ମଦ ନିର୍ଭରତା: ———–କେବଳ ଟଙ୍କା ରୋଜଗାର ପାଇଁ ସମାଜକୁ ନିଶା ଅନ୍ଧକାର ଆଡ଼କୁ ଠେଲିଦେବା ନୀତିକୁ ସଚେତନ ନାଗରିକମାନେ କେବେ ଗ୍ରହଣ କରନ୍ତି ନାହିଁ।
ଏହି କାରଣରୁ ହିଁ ଅନେକ ରାଜ୍ୟରେ ମଦ ନୀତି ସିଧାସଳଖ କିମ୍ବା ପରୋକ୍ଷ ଭାବେ ସରକାରଙ୍କ ପତନର ଏକ ବଡ଼ କାରଣ ହୋଇଛି।
ବର୍ତ୍ତମାନ ଆମ ରାଜ୍ୟରେ ଯେଉଁଭଳି ଭାବେ ଜିଲ୍ଲାପାଳମାନଙ୍କୁ ଆଗରେ ରଖି ଆଖିରେ ଅନ୍ଧପୁଟୁଳି ବାନ୍ଧି ପ୍ରାୟ ୧୪୦୦ରୁ ଅଧିକ ମଦ ଦୋକାନ ବଣ୍ଟନ କରାଯାଇଛି, ତାହା ନିଶ୍ଚିତ ଭାବେ ଏକ ଚିନ୍ତାଜନକ ବିଷୟ। ସରକାର ଭାବୁଛନ୍ତି ଯେ ଏହା ଦ୍ୱାରା କେବଳ ରାଜସ୍ୱ ବଢ଼ିବ, କିନ୍ତୁ ସେମାନେ ଜନସାଧାରଣଙ୍କ ଭିତରେ ଧୀରେ ଧୀରେ ବଢ଼ୁଥିବା ଅସନ୍ତୋଷର ନିଆଁକୁ ଦେଖିପାରୁନାହାନ୍ତି। ଇତିହାସରୁ ଶିକ୍ଷା ନ ନେଲେ ଆଗାମୀ ଦିନରେ ଏହି ମଦନୀତି ସରକାରଙ୍କ ପାଇଁ ଏକ ବଡ଼ ରାଜନୈତିକ ଦୁଃସ୍ୱପ୍ନ ସାଜିପାରେ।
ଏବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି—
ଓଡ଼ିଶାରେ ମଦ ନୀତି ଆଗାମୀ ଦିନରେ ରାଜନୀତିକ ପ୍ରସଙ୍ଗ ହେବ କି ?
କାରଣ ଏବେ ଗ୍ରାମାଞ୍ଚଳରେ ଅନେକ ଲୋକ କହୁଛନ୍ତି—
- ରାସ୍ତା ନାହିଁ…
- ପାଣି ସମସ୍ୟା ଅଛି…
- ଚାକିରି ନାହିଁ…
କିନ୍ତୁ ମଦ ଦୋକାନ ସବୁଠି ମିଳୁଛି।
ବିଶେଷକରି ମହିଳା ଭୋଟରମାନଙ୍କ ମନରେ ଏହି ପ୍ରଶ୍ନ ଧୀରେ ଧୀରେ ବଢ଼ୁଛି।
ଯଦି ସରକାର ରାଜସ୍ୱ ପାଇଁ ଅତ୍ୟଧିକ ମଦ ନିର୍ଭର ହୋଇଯାଆନ୍ତି…
ତେବେ ଏହା ଆଗାମୀ ଦିନରେ ବଡ଼ ରାଜନୀତିକ ସମସ୍ୟା ହୋଇପାରେ।
AlsoRead; https://purvapaksa.com/indias-new-rocket-suryastra-pakistan-and-china-in-the-shadows/


