ଦିନ ଥିଲା ଯେତେବେଳେ ଓଡ଼ିଶା ରାଜନୀତିର ହୃଦସ୍ପନ୍ଦନ ବା heartbeat କୁହାଯାଉଥିଲା କଟକକୁ। କଟକ କେବଳ ଏକ ସହର ନୁହେଁ କେବଳ ଏକ ଜିଲ୍ଲା ନୁହେଁ ବରଂ ଏହା ଥିଲା ଓଡ଼ିଶାର ରାଜନୈତିକ କ୍ଷମତା କେନ୍ଦ୍ର । ଯେଉଁଠି ରାଜ୍ୟର ରାଜନୀତି ସମ୍ପର୍କୀତ ନିଷ୍ପତ୍ତି ହେଉଥିଲା ଯେଉଁଠି ଗୋଟିଏ ବୈଠକରୁ ସରକାରୀ ସମୀକରଣ ବଦଳି ଯାଉଥିଲା ଯେଉଁଠିର ନେତାଙ୍କୁ ଦେଖି ଭୁବନେଶ୍ୱରର ରାଜନୀତି ଦିଗ ନିର୍ଦ୍ଦେଶ ପାଉଥିଲା । ଆଉ ସେହି କଟକ ଆଜି ସମ୍ପୂର୍ଣ୍ଣ ବଦଳିଯାଇଛି ।

ବିଜେଡି ଯେଉଁ କଟକକୁ ନିଜର ଅଜେୟ ଦୁର୍ଗ ଭାବୁଥିଲା ସେହି ଗଡ଼ରେ ଆଜି ଶଙ୍ଖର ଶବ୍ଦ ଦୁର୍ବଳ ପଡ଼ିଯାଇଛି । ନେତାମାନେ ଦୂରେଇ ଯାଉଛନ୍ତି କର୍ମୀମାନେ ଦିଗହରା ହୋଇଯାଇଛନ୍ତି ଆଉ ଯେଉଁ ଦଳ କେବେ କଟକକୁ ନିୟନ୍ତ୍ରଣ କରୁଥିଲା, ସେହି ଦଳ ଆଜି ନିଜର ସାଂଗଠନିକ ଅସ୍ତିତ୍ୱକୁ ବଞ୍ଚାଇବା ପାଇଁ ସଂଘର୍ଷ କରୁଛି । ତେବେ ପ୍ରଶ୍ନ ହେଉଛି;କଟକରେ ବିଜେଡିର ଏହି ଅବସ୍ଥା କାହିଁକି ହେଲା?
କେଉଁଠୁ ଆରମ୍ଭ ହେଲା ଏହି ପତନ?
କାହିଁକି ଜଣଙ୍କ ପରେ ଜଣେ ପ୍ରଭାବଶାଳୀ ନେତା ଦଳଠାରୁ ଦୂରେଇ ଯାଉଛନ୍ତି ? ଆଉ ଏହି ସାଂଗଠନିକ ମହାସଙ୍କଟ ବିଜେଡିର ଭବିଷ୍ୟତ ପାଇଁ କେତେ ବଡ଼ ବିପଦ? କଟକର ରାଜନୈତିକ ଗୁରୁତ୍ୱ କ’ଣ ? କଟକ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ ?
କଟକ କେବଳ ଏକ ଜିଲ୍ଲା ନୁହେଁ । ଏହା ହେଉଛି ଓଡ଼ିଶା ରାଜନୀତିର ଭାବପ୍ରବଣ ପୁଞ୍ଜି ବା emotional capital। ବିଜେଡି ପାଇଁ ତ କଟକ ଥିଲା ଏକ ରାଜନୈତିକ ପ୍ରୟୋଗଶାଳା। ଏଠାରେ ଯିଏ ଶକ୍ତିଶାଳୀ…ସେ ରାଜ୍ୟ ରାଜନୀତିରେ ପ୍ରଭାବଶାଳୀ ।
ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ଶାସନକାଳରେ କଟକ ଜିଲ୍ଲା ବିଜେଡିକୁ ସବୁବେଳେ ରାଜନୈତିକ ଅମ୍ଳଜାନ ଦେଇଆସିଛି। ଯେତେ ବଡ଼ ଶାସନ ବିରୋଧୀ ହାୱା ଆସୁ ଯେତେ ବଡ଼ ରାଜନୈତିକ ଝଡ଼ ଆସୁ କଟକରେ ବିଜେଡି ସବୁବେଳେ ନିଜର ଦବଦବା ବଜାୟ ରଖିଥିଲା। କିନ୍ତୁ ୨୦୨୪ ନିର୍ବାଚନ ପରେ ସେହି ଚିତ୍ର ଧୀରେ ଧୀରେ ବଦଳିବା ଆରମ୍ଭ ହେଲା।

କଟକ ଜିଲ୍ଲାରେ ମୋଟ ୯ଟି ବିଧାନସଭା ଆସନ ରହିଛି । ଗତ ନିର୍ବାଚନରେ କଣ ଥିଲା ସ୍ଥିତି ? ଗତ ନିର୍ବାଚନରେ ରାଜ୍ୟରେ ବିଜେଡି ବିରୋଧରେ ପ୍ରବଳ ହାୱା ଥିଲେ ମଧ୍ୟ କଟକରେ ବିଜେଡି ସର୍ବାଧିକ ୪ଟି ଆସନ ଜିତିଥିଲା। ସେହି ଆସନଗୁଡ଼ିକ ହେଉଛି :-ବାଙ୍କୀ,ଆଠଗଡ଼,ସାଲେପୁର,ଏବଂ କଟକ-ଚୌଦ୍ୱାର।
ଅନ୍ୟପଟେ ବିଜେପି ଜିତିଥିଲା ନିଆଳି ଏବଂ କଟକ ସଦର । କଂଗ୍ରେସ ଜିତିଥିଲା କେବଳ କଟକ-ବାରବାଟୀ । ବଡ଼ମ୍ବା ଓ ମାହାଙ୍ଗାରେ ସ୍ୱାଧୀନ ପ୍ରାର୍ଥୀମାନେ ବିଜୟୀ ହୋଇଥିଲେ । କିନ୍ତୁ ରାଜନୀତିର ସବୁଠାରୁ interesting ଅଂଶ ହେଉଛି ସେହି ସ୍ୱାଧୀନ ବିଧାୟକମାନେ ମୂଳତଃ ବିଜେପି ନେତା ଥିଲେ । ନିର୍ବାଚନରେ ସେମାନଙ୍କୁ ଦଳୀୟ ଟିକଟ ମିଳିନଥିଲା ସେମାନେ ଏହାକୁ ନ ମାନି ସ୍ୱାଧୀନ ଲଢ଼ି ବିଜୟୀ ହୋଇଥିଲେ । ବିଜୟୀ ହେବା ପରେ ସେମାନେ ବିଜେପି ସହିତ ମିଳିତ ହେଲେ ନିର୍ବାଚନ ପରେ ଦେଖିବାକୁ ମିଳିଲା ଯେ କଟକରେ ବିଜେପିର ପ୍ରଭାବ ଧୀରେ ଧୀରେ ବଢ଼ୁଛି। କିନ୍ତୁ ସେତେବେଳେ ମଧ୍ୟ ବିଜେଡିକୁ କେହି ଦୁର୍ବଳ ଭାବୁନଥିଲେ। କାରଣ ଦଳ ପାଖରେ ଥିଲେ ପ୍ରଭାବଶାଳୀ ନେତା ସାଂଗଠନିକ ଭିତ୍ତିଭୂମି ମଜବୁତ ଥିଲା ଆଉ କର୍ମୀମାନେ ଏକକ୍ରିତ ଥିଲେ। କିନ୍ତୁ ଦୁଇବର୍ଷ ଭିତରେ ସମ୍ପୂର୍ଣ୍ଣ ଚିତ୍ର ବଦଳି ଯାଇଛି ।
ପତନର ଆରମ୍ଭ କେଉଁଠୁ?

ବିଜେଡିର କଟକ ଗଡ଼ ଭାଙ୍ଗିବାର ଅସଲ ଆରମ୍ଭ ହେଲା ରାଜ୍ୟସଭା ନିର୍ବାଚନରୁ। ସେହି ନିର୍ବାଚନ କେବଳ ଗୋଟେ ନିର୍ବାଚନ ନ ଥିଲା। ଏହା ହେଇଗଲା ଆନୁଗତ୍ୟର ପରୀକ୍ଷା। ଆଉ ସେହି ପରୀକ୍ଷାରେ ବିଜେଡିର ଦୁଇଜଣ ଶକ୍ତିଶାଳୀ ଯୁବ ନେତା ସିଧାସଳଖ ହାଇକମାଣ୍ଡକୁ ଚ୍ୟାଲେଞ୍ଜ କରିଦେଲେ। ଜଣେ ବାଙ୍କୀ ବିଧାୟକ ଦେବୀ ରଂଜନ ତ୍ରିପାଠୀ। ଅନ୍ୟଜଣେ କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ। ଦଳୀୟ ନିଷ୍ପତ୍ତିର ବିରୋଧରେ ଯାଇ ଏହି ଦୁଇ ନେତା କ୍ରସ୍ ଭୋଟିଂ କଲେ ଏବଂ ସେହି ମୁହୂର୍ତ୍ତରୁ ସେମାନଙ୍କର ବିଜେଡି ସହ ସମ୍ପର୍କ ପ୍ରାୟ ଶେଷ ହୋଇଗଲା।
ରାଜନୀତିରେ ବିଦ୍ରୋହ କେବଳ ଗୋଟେ ଭୋଟ ନୁହେଁ। ଏହା ହେଉଛି ସଂକେତ। ଆଉ ଏହି ବାର୍ତ୍ତା ସ୍ପଷ୍ଟ ଥିଲା କଟକରେ ବିଜେଡି ଭିତରେ ଭୟଙ୍କର ଅସନ୍ତୋଷ ଚାଲିଛି।
ବାଙ୍କୀ ଓ ଚୌଦ୍ୱାରରେ କାହିଁକି ଭାଙ୍ଗିଗଲା ସଂଗଠନ?

ଦେବୀ ରଂଜନ ତ୍ରିପାଠୀ ଓ ସୌଭିକ ବିଶ୍ୱାଳ କେବଳ ବିଧାୟକ ନ ଥିଲେ। ସେମାନେ ଥିଲେ ତୃଣମୂଳ ସଂଗଠକ। ସେମାନଙ୍କର ନିଜସ୍ୱ ଟିମ ରହିଛି ନିଜସ୍ୱ କର୍ମୀ ଅଛନ୍ତି ଏବଂ ନିଜସ୍ୱ ପ୍ରଭାବ ରହିଛି। ଆଜି ସେମାନେ ଦଳଠାରୁ ଦୂରେଇଯିବା ପରେ ବାଙ୍କୀ ଏବଂ ଚୌଦ୍ୱାରରେ ବିଜେଡି କର୍ମୀମାନେ ଦିଗହରା ହୋଇପଡ଼ିଛନ୍ତି। କାରଣ ସଂଗଠନ କେବଳ ଅଫିସରେ ଚାଲେନାହିଁ। ସଂଗଠନ ଚାଲେ ଆଞ୍ଚଳିକ ନେତୃତ୍ୱ ଉପରେ। ଆଉ ଯେତେବେଳେ ଆଞ୍ଚଳିକ ନେତୃତ୍ୱ ଭାଙ୍ଗିଯାଏ ସେତେବେଳେ ଦଳୀୟ ଗଠନ ଭୁଶୁଡ଼ି ପଡ଼ିବା ଆରମ୍ଭ ହୁଏ। ଠିକ୍ ସେହି କଥା ଏବେ କଟକରେ ଘଟୁଛି।
କଟକ ସଦର ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ଚନ୍ଦ୍ରସାରଥୀ ବେହେରା ଏବେ ଯୁବ ବିଧାୟମାନଙ୍କ ସହିତ ଦଳର ନେତୃତ୍ୱ ବିରୋଧରେ ମେଳି କରୁଛନ୍ତି।

କିନ୍ତୁ , ସବୁଠାରୁ ବଡ଼ ରାଜନୈତିକ ଝଟ୍କା ଆସିଲା ଦେବାଶୀଷ ସାମନ୍ତରାୟଙ୍କ ନିଷ୍ପତ୍ତି ପରେ। କଟକ-ବାରବାଟୀର ପୂର୍ବତନ ବିଧାୟକ ରାଜ୍ୟସଭା ସାଂସଦ ଏବଂ ବିଜେଡିର ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ସଂଗଠକ। ବାଶୀଷ କେବଳ ନେତା ନ ଥିଲେ। ସେ ଥିଲେ ସଂଗଠନ ନିର୍ମାତା କଟକ ସହରରେ ବିଜେଡିର ରାଜନୈତିକ ନେଟୱାର୍କ ଗଢ଼ିବାରେ ତାଙ୍କର ବଡ଼ ଭୂମିକା ଥିଲା। ଆଉ ସେହି ନେତା ଯେତେବେଳେ ସିଧାସଳଖ ବିଜେପିରେ ସାମିଲ ହେଲେ ସେତେବେଳେ ବାର୍ତ୍ତା ସ୍ପଷ୍ଟ ହୋଇଗଲା। କଟକରେ ବିଜେଡିର ଭିତରୁ ଅବକ୍ଷୟ ଆରମ୍ଭ ହୋଇଯାଇଛି। ଦେବାଶୀଷଙ୍କ ଯିବା କେବଳ ଗୋଟେ ନେତୃତ୍ୱ କ୍ଷତି ନୁହେଁ। ଏହା ହେଉଛି ସଂଗଠନ କ୍ଷତି କାରଣ ତାଙ୍କ ସହ ଅନେକ ପୁରୁଣା କର୍ମୀ ଓ ସମର୍ଥକ ମଧ୍ୟ ଦୂରେଇ ଯାଇଛନ୍ତି। ଏହି ଆସନରୁ ଗତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ହୋଇ ୩ୟ ସ୍ଥାନରେ ଥିବା ପ୍ରକାଶ ଚନ୍ଦ୍ର ବେହେରା ଏବେ ଦଳଠାରୁ ଦୂରେଇ ଯାଇଛନ୍ତି।

ଆଠଗଡ଼ର ସ୍ଥିତି ମଧ୍ୟ ଅତ୍ୟନ୍ତ ରୋଚକପୂର୍ଣ୍ଣ। ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯିଏକି ରାଜା ସ୍ୱାଇଁ ନାମରେ ପରିଚିତ ସେ ଦୀର୍ଘଦିନ ଧରି ବିଜେଡିର ଶକ୍ତିଶାଳୀ ଚେହେରା ଥିଲେ। କିନ୍ତୁ ଏବେ ସ୍ଥିତି ଏମିତି ହୋଇଛି ଯେ ସେ ଦଳରେ ଥାଇ ମଧ୍ୟ ନାହାନ୍ତି। ଦଳୀୟ ହାଇକମାଣ୍ଡ ସହ ତାଙ୍କର ଦୂରତା ସସସ୍ତଙ୍କୁ ସ୍ପଷ୍ଟ ଦେଖାଯାଉଛି। ଏବଂ ଏହା ହେଉଛି ବିଜେଡି ପାଇଁ ସବୁଠାରୁ ବଡ଼ ବିପଦ ସଂକେତ। କାରଣ ଯେତେବେଳେ ବରିଷ୍ଠ ନେତାମାନେ ନିଜକୁ ଦଳଠାରୁ ବିଚ୍ଛିନ୍ନ ବୋଲି ଭାବନା କରନ୍ତି ସେତେବେଳେ କର୍ମୀମାନଙ୍କର ମଧ୍ୟ ମନୋବଳ ଭାଙ୍ଗି ଯାଏ।
ସାଲେପୁର ଆସନରେ ବିଜେଡି ବିଜୟୀ ହୋଇଥିଲେ ମଧ୍ୟ ସାଂଗଠନିକ ଦୃଷ୍ଟିରୁ ପ୍ରଭାବ ଦେଖାଯାଉନାହିଁ। ଏବେ କର୍ମୀମାନଙ୍କ ଭିତରେ ଗୋଟେ ଅନିଶ୍ଚିତତା ରହିଛି। କାରଣ ସେମାନେ ଜାଣିପାରୁନାହାନ୍ତି ଦଳର ଭବିଷ୍ୟତ ଦିଗ କଣ? ନେତୃତ୍ୱ କାହା ହାତରେ? ନିର୍ବାଚନମଣ୍ଡଳୀରେ ରଣନୀତି କଣ? ଆଉ ଆଗକୁ ଲଢ଼େଇକୁ କିଏ ନେତୃତ୍ୱ କରିବ?
ବିଜେପି କିପରି ଏଥିରୁ ଫାଇଦା ଉଠାଉଛି? ଜନୀତିରେ ଶୂନ୍ୟସ୍ଥାନ କେବେ ଖାଲି ରହେନାହିଁ। ଯେଉଁଠି ଗୋଟେ ଦଳ ଦୁର୍ବଳ ହୁଏ ସେଠି ଅନ୍ୟ ଦଳ ନିଜର ପ୍ରଭାବ ବଢ଼ାଏ। ଠିକ୍ ସେହି ରଣନୀତି ଏବେ ବିଜେପି ନେଇଛି। କଟକରେ ବିଜେଡିର ଭିତର ଦ୍ୱନ୍ଦ୍ୱ ନେତାଙ୍କ ଅସନ୍ତୋଷ ଏବଂ ସାଂଗଠନିକ ଭୁଶୁଡ଼ିବାର ଫାଇଦା ଉଠାଇ ବିଜେପି ନିଜର ସଂଗଠନ ବଢ଼ାଇବା କାମ କରୁଛି। ଆଜି ଅବସ୍ଥା ଏମିତି ହୋଇଯାଇଛି ଯେ ମାତ୍ର ଦୁଇଟି ଆସନ ଜିତିଥିବା ବିଜେପି ଏବେ ପ୍ରାୟ ସାତଟି ଆସନରେ ନିଜର ପ୍ରଭାବ ତିଆରି କରିଦେଇଛି। ଏହା କେବଳ ସଂଯୋଗ ନୁହେଁ। ଏହା ହେଉଛି ଦୀର୍ଘକାଳୀନ ରାଜନୈତିକ ଯୋଜନା।
ଏବେ ସବୁଠାରୁ ବଡ଼ ପ୍ରଶ୍ନ ଅସଲ ସମସ୍ୟା କେଉଁଠି? କିଛି ଲୋକ କହୁଛନ୍ତି ବିଜେଡିର ଶୀର୍ଷ ନେତୃତ୍ୱ ରାଜନୀତିର ବାସ୍ତବତା ବୁଝିପାରୁନାହାନ୍ତି। ଆଉ କିଛି କହୁଛନ୍ତି ନେତାମାନଙ୍କର ବ୍ୟକ୍ତିଗତ ମହତ୍ୱାକାଂକ୍ଷା ବଢ଼ିଯାଇଛି। କିନ୍ତୁ ରାଜନୀତିକ ସମୀକ୍ଷକ କହୁଛନ୍ତି ଅସଲ ସମସ୍ୟା ହେଉଛି ନେତା ଓ ବିଧାୟକଙ୍କ ମଧ୍ୟରେ ଯୋଗାଯୋଗ ବ୍ୟବଧାନ। କାରଣ ଦଳ ଭିତରେ ଯଦି ଅସନ୍ତୋଷ ରହିଥାଏ । ଆଉ ତାହାକୁ ସମାଧାନ କରାଯାଏନାହିଁ ତେବେ ବିଦ୍ରୋହ ଅନିବାର୍ଯ୍ୟ ହୋଇଯାଏ। ଆଜି କଟକରେ ଠିକ୍ ସେହି କଥା ଦେଖାଯାଉଛି।

ନବୀନ ପଟ୍ଟନାୟକ ଏବେ ମଧ୍ୟ ବିଜେଡିର ସବୁଠାରୁ ବଡ଼ ଚେହେରା। ତାଙ୍କର ବ୍ୟକ୍ତିଗତ ଲୋକପ୍ରିୟତା ଏବେ ମଧ୍ୟ ରହିଛି। କିନ୍ତୁ ରାଜନୀତି କେବଳ ଲୋକପ୍ରିୟତାରେ ଚାଲେନାହିଁ। ନିର୍ବାଚନମଣ୍ଡଳୀରେ ସଂଗଠନ ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ। ଆଉ କଟକ ଭଳି ଜିଲ୍ଲାରେ ଯଦି ସଂଗଠନ ଦୁର୍ବଳ ହୋଇଯାଏ ତେବେ ଏହା ୨୦୨୯ ପାଇଁ ବଡ଼ ସତର୍କ ସଂକେତ ହୋଇପାରେ। କାରଣ କଟକର ରାଜନୈତିକ ବାର୍ତ୍ତା ସାରା ଓଡ଼ିଶାରେ ପ୍ରଭାବ ପକାଏ।
ଏବେ ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରଶ୍ନ ବିଜେଡି ପୁଣି କମବ୍ୟାକ୍ କରିପାରିବ କି? ହଁ ସମ୍ଭବ। କିନ୍ତୁ ତା’ପାଇଁ ଦଳକୁ ତୁରନ୍ତ କ୍ଷତି ନିୟନ୍ତ୍ରଣ କରିବାକୁ ପଡ଼ିବ।
ପ୍ରଥମେ କଟକରେ ନୂଆ ନେତୃତ୍ୱ ପ୍ରତିଷ୍ଠା କରିବାକୁ ପଡ଼ିବ।
ଦ୍ୱିତୀୟ ବିଦ୍ରୋହୀ ନେତାମାନଙ୍କ ସହ ରାଜନୈତିକ ଯୋଗାଯୋଗ ଖୋଲିବାକୁ ପଡ଼ିବ।
ତୃତୀୟ ତୃଣମୂଳସ୍ତରୀୟ କର୍ମୀଙ୍କୁ ପୁଣି ସକ୍ରିୟ କରିବାକୁ ପଡ଼ିବ।
ନହେଲେ
ଯେଉଁ କଟକ କେବେ ବିଜେଡିର ସବୁଠାରୁ ଶକ୍ତିଶାଳୀ ଦୁର୍ଗ ଥିଲା ସେହି କଟକ ଭବିଷ୍ୟତରେ ବିଜେପିର ସବୁଠାରୁ ଶକ୍ତିଶାଳୀ ଦୁର୍ଗ ଲଞ୍ଚିଂ ପ୍ୟାଡ୍ ହୋଇଯାଇପାରେ।
ସବୁଠାରୁ ବଡ଼ ସତ୍ୟ ହେଉଛି କଟକରେ ବିଜେଡି ଆଉ ସେହି ପୁରୁଣା ବିଜେଡି ନୁହେଁ। ନେତାମାନେ ବିଦ୍ରୋହ କରୁଛନ୍ତି ସଂଗଠନ ଭାଙ୍ଗୁଛି କର୍ମୀମାନେ ହତାଶ ହେଉଛନ୍ତି ଆଉ ବିପକ୍ଷ ଧୀରେ ଧୀରେ ଜମି ଦଖଲ କରୁଛି। ଦିନେ ଯେଉଁ କଟକରେ ଶଙ୍ଖର ଗର୍ଜନ ଶୁଣାଯାଉଥିଲା ଆଜି ସେହି କଟକରେ ପଦ୍ମ ଧୀରେ ଧୀରେ ପାଖୁଡ଼ା ମେଲାଉଛି। ଆଉ ଏହି ପରିବର୍ତ୍ତନ କେବଳ ଗୋଟେ ଜିଲ୍ଲାର ରାଜନୈତିକ ପରିବର୍ତ୍ତନ ନୁହେଁ। ଏହା ହେଉଛି ଓଡ଼ିଶା ରାଜନୀତିର ନୂଆ ଅଧ୍ୟାୟର ଆରମ୍ଭ ।
ଆପଣଙ୍କୁ କଣ ଲାଗୁଛି? କଟକରେ ବିଜେଡିର ଏହି ସ୍ଥିତି ପାଇଁ ଅସଲ ଦାୟୀ କିଏ? ଶୀର୍ଷ ନେତୃତ୍ୱଙ୍କ ଭୁଲ ନିଷ୍ପତ୍ତି? ନା ନେତାମାନଙ୍କର ବ୍ୟକ୍ତିଗତ ମହାତ୍ୱାକାଂକ୍ଷା? ବିଜେଡି ପୁଣି କଟକରେ comeback କରିପାରିବ କି? ନା କଟକରେ ସତରେ “ଖେଳ ଖତମ୍”?
Also read : https://purvapaksa.com/turkeys-new-missile-yildirimhan-entire-india-on-target/


