ତାମିଲନାଡୁ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ଜଣେ ସୁପରଷ୍ଟାର୍ଙ୍କ ଏଣ୍ଟ୍ରି ରାଜ୍ୟର ଦୁଇଟି ଶକ୍ତିଶାଳୀ ଦଳ ଡିଏମକେ ଏବଂ ଏଆଇଏଡିଏମକେର ୬୦ ବର୍ଷର ସାମ୍ରାଜ୍ୟକୁ ଏକ ପ୍ରକାର ଦୋହଲାଇ ଦେଇଛି। ସେହି ନେତା ଜଣକ ହେଉଛନ୍ତି ଜୋସେଫ୍ ବିଜୟ (Thalapathy Vijay)। ତେବେ ଜଣେ ଅଭିନେତା କିଭଳି ଜନତାଙ୍କ ମନ ଜିତି ମୁଖ୍ୟମନ୍ତ୍ରୀ ଚେୟାର୍ ପର୍ଯ୍ୟନ୍ତ ପହଞ୍ଚିଗଲେ? ଏହା କୌଣସି ଚମତ୍କାର ନା ଏକ ସୁଚିନ୍ତିତ ଯୋଜନା?

ଏମିତି ଏକ ରାଜ୍ୟ ଯେଉଁଠାରେ ଲୋକମାନେ ଜଣେ ଅଭିନେତାକୁ ଭଗବାନ ଭାବେ ପୂଜା କରନ୍ତି। ଏମିତି ଏକ ରାଜ୍ୟ ଯେଉଁଠାରେ ଜଣେ ଅଭିନେତାଙ୍କ ପାଇଁ ଲୋକେ ଜୀବନ ଦେଇଦେବାକୁ ପଛାନ୍ତି ନାହିଁ। ଏଭଳି କିଛି ରହିଛି ଦକ୍ଷିଣ ଭାରତର ସବୁଠାରୁ ଶକ୍ତିଶାଳୀ ରାଜ୍ୟ ତାମିଲନାଡୁ ର କଥା।
ସେଠାରେ ଏକ ନୂଆ ଇତିହାସ ସୃଷ୍ଟି ହୋଇଛି । ୫୧ ବର୍ଷର ଜଣେ ସୁପରଷ୍ଟାର, ଯିଏ କେବେ ସରକାରୀ ଫାଇଲ୍ ଦେଖିନାହାନ୍ତି କିମ୍ବା ବଜେଟ୍ ପ୍ରସ୍ତୁତ କରିନାହାନ୍ତି, ସେ ଆଜି ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସେ ହେଉଛନ୍ତି ଜୋସେଫ୍ ବିଜୟ । ତାଙ୍କ ଦଳ ଟିଭିକେ (Tamilaga Vettri Kazhagam) ମାତ୍ର କିଛି ଦିନରେ ୬୦ ବର୍ଷର ପୁରୁଣା ରାଜନୈତିକ ସମୀକରଣକୁ ବଦଳାଇ ଦେଇଛି।
କିନ୍ତୁ ଏହା ସତରେ ଏକ କ୍ରାନ୍ତି ନା ବାସ୍ ଜନତାଙ୍କ ବ୍ରେନ୍ୱାଶ୍?
୧. ତାମିଲନାଡୁର ସିନେମା ପାଗଳାମି ପଛର ସତ୍ୟତା

ତାମିଲନାଡୁରେ ସିନେମା ଏବଂ ରାଜନୀତି ମଧ୍ୟରେ ଥିବା ସମ୍ପର୍କ କୌଣସି ଦୁର୍ଘଟଣା ନୁହେଁ। ଏହା ୧୦୦ ବର୍ଷର ଏକ ଯୋଜନା। ୧୯୨୫ ମସିହାରେ ‘ପେରିୟାର୍’ (E.V. Ramaswamy) ଦ୍ରାବିଡ଼ ଆନ୍ଦୋଳନ ଆରମ୍ଭ କରିଥିଲେ। ସେତେବେଳେ ତାଙ୍କର ଦୁଇ ଜଣ ଶିଷ୍ୟ ଅର୍ଥାତ୍ ସି.ଏନ୍. ଆନ୍ନାଦୁରାଇ ଏବଂ ଏମ୍. କରୁଣାନିଧି ଅନୁଭବ କଲେ ଯେ, ସାଧାରଣ ଜନତାଙ୍କ ପାଖରେ ପହଞ୍ଚିବା ପାଇଁ ସିନେମା ହେଉଛି ସବୁଠାରୁ ବଡ଼ ମାଧ୍ୟମ।
ସେମାନେ ସିନେମାର ଡାଇଲଗ୍ ଏବଂ କାହାଣୀ ମାଧ୍ୟମରେ ନିଜର ରାଜନୈତିକ ବିଚାରଧାରାକୁ ଲୋକଙ୍କ ମନରେ ଭରିଦେଲେ। ସେହି ଦିନଠାରୁ ତାମିଲ ଜନତା ନିଜର ସିନେମା ନାୟକଙ୍କୁ ହିଁ ନିଜର ରାଜନୈତିକ ରକ୍ଷକ ମାନିବା ଆରମ୍ଭ କଲେ।
୨. ଏମ୍.ଜି.ଆର୍. ରୁ ବିଜୟ: ସେହି ସମାନ ଫର୍ମୁଲା

ବିଗତ ଦିନରେ ଏମ୍.ଜି.ଆର୍. (M.G. Ramachandran) ଙ୍କ କଥାବି କିଛି ଏପରି ଥିଲା । ସେ ୩୦ ବର୍ଷ ଧରି ଫିଲ୍ମରେ “ଗରିବଙ୍କ ମସିହା” ଭାବେ ଅଭିନୟ କରିଥିଲେ । ଲୋକଙ୍କୁ ଲାଗିଲା ଯେ ସେ ପ୍ରକୃତ ଜୀବନରେ ବି ଜଣେ ଭଗବାନ । ଫଳରେ ସେ ସଫଳତାର ସହ ମୁଖ୍ୟମନ୍ତ୍ରୀ ହେଲେ । ତାଙ୍କ ପରେ ଜୟଲଳିତା (ଅମ୍ମା) ମଧ୍ୟ ସେହି ସମାନ ରାସ୍ତାରେ ଆସିଲେ ।

ଆଉ ଏବେ ସେହି ଧାରାରେ ଆସିଛନ୍ତି ଜୋସେଫ୍ ବିଜୟ । ବିଜୟଙ୍କ କ୍ୟାରିୟରର ପ୍ରଥମ ୫ଟି ଫିଲ୍ମ ଫ୍ଲପ୍ ହୋଇଥିଲା । ତାଙ୍କୁ ଲୋକେ ସମାଲୋଚନା କରୁଥିଲେ ଯେ ସେ ନିଜ ବାପାଙ୍କ ଦମରେ ହିରୋ ହୋଇଛନ୍ତି । କିନ୍ତୁ ବିଜୟ ଜାଣିଥିଲେ ଯେ ତାମିଲନାଡୁରେ ଅଭିନୟ ନୁହେଁ, ବରଂ ‘ଇମେଜ୍’ ଦରକାର।
୩. କିଭଳି ବିଜୟ ନିଜର ‘ମସିହା’ ଇମେଜ୍ ତିଆରି କଲେ?
![]()
ବିଜୟ ଗତ ୧୫-୨୦ ବର୍ଷ ଧରି ନିଜର ଫିଲ୍ମ ଚୟନରେ ବହୁତ ସତର୍କତା ଅବଲମ୍ବନ କରିଥିଲେ।
• କଥି (Kaththi): ଚାଷୀଙ୍କ ସମସ୍ୟା ଉପରେ ଆଧାରିତ ।
• ମର୍ସାଲ୍ (Mersal): ଜି.ଏସ୍.ଟି. ଏବଂ ସରକାରୀ ବ୍ୟବସ୍ଥାକୁ ଟାର୍ଗେଟ୍ କଲେ ।
• ସରକାର (Sarkar): ନିର୍ବାଚନ ଦୁର୍ନୀତି ବିରୋଧରେ ଲଢ଼ିଲେ ।
ପ୍ରତିଟି ଫିଲ୍ମରେ ସେ ଦର୍ଶାଇଲେ ଯେ ସେ ବ୍ୟବସ୍ଥା ବିରୋଧରେ ଲଢୁଛନ୍ତି, ଗରିବଙ୍କ ସାଥିରେ ଅଛନ୍ତି । ଫିଲ୍ମ ପରଦାରେ ଏହି “ରକ୍ଷକ” ଭାବମୂର୍ତ୍ତି ତାଙ୍କୁ ବାସ୍ତବ ଜୀବନରେ ଜଣେ ବଡ଼ ନେତା ଭାବେ ଛିଡ଼ା କରିଦେଲା ।
୪. ସିନେମା ବାହାର ର ଖେଳ: ବିଜୟ ମକ୍କଲ୍ ଇୟକ୍କମ୍
View this post on Instagram
କେବଳ ଫିଲ୍ମ ନୁହେଁ, ବିଜୟ ଗତ ୧୫ ବର୍ଷ ହେବ ନିଜର ଫ୍ୟାନ୍ କ୍ଲବ୍ ମାଧ୍ୟମରେ ସମାଜସେବା କରୁଥିଲେ । ଯେତେବେଳେ ୨୦୨୪ରେ ସେ ନିଜର ଦଳ ଘୋଷଣା କଲେ, ତାଙ୍କ ପାଖରେ ପ୍ରାୟ ୮୫,୦୦୦ ପ୍ରଶିକ୍ଷିତ କର୍ମକର୍ତ୍ତା ପ୍ରସ୍ତୁତ ଥିଲେ । ସେ ସମାନ୍ତରାଳ ଭାବେ ଏକ ଶକ୍ତିଶାଳୀ ନେଟୱାର୍କ ତିଆରି କରି ସାରିଥିଲେ।
୫. ଏହା ତାମିଲନାଡୁ ପାଇଁ ଶୁଭ ନା ଅଶୁଭ?
![]()
ତାମିଲନାଡୁ ରାଜନୀତିର ରଣନୀତିରେ ବର୍ତ୍ତମାନ ଏକ ବଡ଼ ପ୍ରଶ୍ନ ଉଙ୍କି ମାରୁଛି । ୟୁପି, ବିହାର କିମ୍ବା ଓଡ଼ିଶା ଭଳି ରାଜ୍ୟରେ ନେତାମାନେ ତୃଣମୂଳ ସ୍ତରରୁ କାମ କରି ଉପରକୁ ଆସନ୍ତି । ସେମାନେ ଶାସନ ଏବଂ ପ୍ରଶାସନର ଅନୁଭୂତି ପାଆନ୍ତି । କିନ୍ତୁ ତାମିଲନାଡୁରେ ଲୋକେ କେବଳ ପରଦାରେ ଦେଖିଥିବା “ହିରୋ” କୁ ଭୋଟ୍ ଦେଉଛନ୍ତି।
ଜୋସେଫ୍ ବିଜୟଙ୍କର ପ୍ରଶାସନିକ କ୍ଷେତ୍ରରେ କୌଣସି ପୂର୍ବ ଅନୁଭୂତି ନାହିଁ । କେବଳ ଫିଲ୍ମ ଭଲ ହୋଇଥିବା କାରଣରୁ ଯଦି ଜଣେ ମୁଖ୍ୟମନ୍ତ୍ରୀ ହୋଇଯିବ, ତେବେ ଗଭର୍ଣ୍ଣାନ୍ସ (Governance) କିଭଳି ହେବ? କ’ଣ ତାମିଲନାଡୁର ଜନତାଙ୍କର ସତରେ ବ୍ରେନ୍ୱାଶ୍ କରାଯାଇଛି ?


