ଗଣତନ୍ତ୍ରରେ ଜନତା ହିଁ ସର୍ବଶକ୍ତିମାନ, ଆଉ ଆଜି ତାମିଲନାଡୁ ନିର୍ବାଚନ ଫଳାଫଳ ଏହାକୁ ପୁଣି ଥରେ ପ୍ରମାଣ କରିଛି। ଯେଉଁଠି ବଡ଼ ବଡ଼ ମୁଖ୍ୟମନ୍ତ୍ରୀ ଏବଂ ହାଇପ୍ରୋଫାଇଲ୍ ନେତାମାନେ ହାର ମାନୁଛନ୍ତି, ସେଠାରେ ଜଣେ ସାଧାରଣ ଅଟୋ ଡ୍ରାଇଭର ଏବେ ବିଧାୟକ ଭାବେ ନିର୍ବାଚିତ ହୋଇ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛନ୍ତି। ସୁପରଷ୍ଟାର ବିଜୟଙ୍କ ଦଳ ‘ଟିଭିକେ’ (TVK) ରୁ ଟିକେଟ୍ ପାଇଥିବା ଏହି ଅଟୋ ଡ୍ରାଇଭର ଏବେ ତାମିଲନାଡୁ ରାଜନୀତିର ‘ରିଅଲ୍ ହିରୋ’ ସାଜିଛନ୍ତି।
ତାମିଲନାଡୁର ରୋୟାପୁରମ ଆସନରୁ ବିଜୟୀ ହୋଇଛନ୍ତି ବିଜୟ ଧାମୁ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ସେ ହେଉଛନ୍ତି ଜଣେ ସାଧାରଣ ଅଟୋ ଡ୍ରାଇଭର। ସେ କୌଣସି ସାଧାରଣ ନେତାଙ୍କୁ ନୁହେଁ, ବରଂ ଏଆଇଏଡିଏମ୍କେ (AIADMK) ର ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ଡି. ଜୟକୁମାରଙ୍କ ଭଳି ହେଭିୱେଟ୍ ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି। ଖାଲି ସେତିକି ନୁହେଁ, ପୂର୍ବତନ ମନ୍ତ୍ରୀ ରହମାନ ଖାନଙ୍କ ପୁଅ ସୁବୀର ଖାନଙ୍କୁ ମଧ୍ୟ ସେ ତୃତୀୟ ସ୍ଥାନକୁ ଠେଲି ଦେଇଛନ୍ତି। ଏହି ବିଜୟ ପ୍ରମାଣ କରୁଛି ଯେ ଜନତା ଏବେ ବଂଶବାଦ ନୁହେଁ, ବରଂ ନିଜ ମଧ୍ୟରୁ ଜଣେ ସଚ୍ଚୋଟ ପ୍ରତିନିଧିଙ୍କୁ ଚାହୁଁଛନ୍ତି।
ଏହି ନିର୍ବାଚନରେ ସବୁଠାରୁ ବଡ଼ ଖବର ହେଉଛି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନଙ୍କ ପରାଜୟ। ନିଜର ଗଡ଼ କୋଲାଥୁର ଆସନରୁ ଷ୍ଟାଲିନ ଶେଷରେ ହାର ମାନିଛନ୍ତି। ତାଙ୍କୁ ଟିଭିକେ (TVK) ର ବି.ଏସ ବାବୁ ପରାସ୍ତ କରିଛନ୍ତି। ଗଣତି ଆରମ୍ଭରୁ ହିଁ ଷ୍ଟାଲିନ ପଛରେ ପଡ଼ିଥିଲେ ଏବଂ ଶେଷରେ ଏହି ବଡ଼ ବିପର୍ଯ୍ୟୟ ଘଟିଛି। ଶାସକ ଦଳ ପାଇଁ ଏହା ଏକ ବଡ଼ ଧକ୍କା ବୋଲି କୁହାଯାଉଛି।
ତାମିଲନାଡୁ ଫଳାଫଳର ସାମଗ୍ରୀକ ଚିତ୍ର ଏବେ ଖୁବ୍ ରୋମାଞ୍ଚକର:
• ଟିଭିକେ (TVK): ସୁପରଷ୍ଟାର ବିଜୟଙ୍କ ଦଳ ୧୨ଟି ଆସନରେ ବିଜୟୀ ହୋଇସାରିଥିବା ବେଳେ ୯୫ଟି ଆସନରେ ଆଗୁଆ ରହିଛି।
• ଡିଏମ୍କେ (DMK): ଶାସକ ମେଣ୍ଟ ମାତ୍ର ୪ଟି ଆସନ ଜିତିଥିବା ବେଳେ ୬୭ଟିରେ ଆଗରେ ଅଛି।
• ଏଆଇଏଡିଏମ୍କେ (AIADMK): ଦଳ ୫୫ଟି ଆସନରେ ଆଗରେ ରହିଛି।
ଏହି ସଂଖ୍ୟା ଗୁଡ଼ିକ ସୂଚାଉଛି ଯେ ତାମିଲନାଡୁରେ ଏବେ ‘ବିଜୟ’ଙ୍କ ଲହରି ଚାଲିଛି। ଜଣେ ସାଧାରଣ ମଣିଷକୁ ଟିକେଟ୍ ଦେଇ ସୁପରଷ୍ଟାର ବିଜୟ ଯେଉଁ ରିସ୍କ ନେଇଥିଲେ, ତାହା ଆଜି ସଫଳ ହୋଇଛି।
ବିଜୟ ଧାମୁଙ୍କ ଭଳି ଜଣେ ଅଟୋ ଡ୍ରାଇଭରଙ୍କ ବିଧାନସଭା ଯାତ୍ରା ପ୍ରମାଣ କରୁଛି ଯେ ଲୋକମାନେ ଏବେ ପାରମ୍ପରିକ ରାଜନୀତିରେ ପରିବର୍ତ୍ତନ ଚାହୁଁଛନ୍ତି। ଷ୍ଟାଲିନଙ୍କ ପରି ବଡ଼ ଚେହେରାଙ୍କ ପରାଜୟ ଏବଂ ଜଣେ ଅଟୋ ଡ୍ରାଇଭରଙ୍କ ବିଜୟ – ଏହା ହିଁ ହେଉଛି ଗଣତନ୍ତ୍ରର ଅସଲ ସୌନ୍ଦର୍ଯ୍ୟ।
AlsoRead; https://purvapaksa.com/major-disaster-in-tamil-nadu-chief-minister-m-k-stalin-loses/


