ଆଜି ଆମେ ସେହି ପ୍ରଶ୍ନ ପଚାରିବାକୁ ଯାଉଛୁ, ଯାହା ପ୍ରତିଟି ଓଡ଼ିଆ ଘରର ଚାରିକାନ୍ଥ ଭିତରେ ଗୁଞ୍ଜରିତ ହେଉଛି। କିନ୍ତୁ କେହି ସାହସ କରି ବାହାରେ କହିପାରୁ ନାହାନ୍ତି।
କ’ଣ ଆମ ରାଜ୍ୟର ଶିକ୍ଷିତ ଯୁବପିଢ଼ିଙ୍କ ଭାଗ୍ୟରେ କେବଳ ‘ସଂଘର୍ଷ’ ଲେଖା ହୋଇଛି? କାହିଁକି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଡିଗ୍ରୀ ହାସଲ କରିବା ପରେ ମଧ୍ୟ ଜଣେ ଯୁବକକୁ ଶେଷରେ ସୁଦୂର ସୁରଟ କିମ୍ବା ବେଙ୍ଗାଲୁରୁକୁ ଦାଦନ ଖଟିବାକୁ ଯିବାକୁ ପଡ଼ୁଛି?
ଆଜି ଆମେ ଓଡ଼ିଶାର ସେହି ପରିସଂଖ୍ୟାନ ବିଷୟରେ କଥା ହେବା, ଯାହା ଶୁଣିବାକୁ ତ ଖୁବ୍ କମ୍ ଲାଗେ, କିନ୍ତୁ ଏହାର ପ୍ରତିଟି ଶୂନ ପଛରେ ଜଣେ ଜଣେ ଶିକ୍ଷିତ ଯୁବକଙ୍କ ଭଙ୍ଗା ସ୍ୱପ୍ନ ଲୁଚି ରହିଛି। ସରକାରୀ ଖାତାରେ ଓଡ଼ିଶାର ବେକାରୀ ହାର ମାତ୍ର ୩.୧%। ଶୁଣିବାକୁ ଖୁବ୍ ଆରାମଦାୟକ, ନୁହେଁ କି? କିନ୍ତୁ ଯେତେବେଳେ ଆମେ ଯୁବପିଢ଼ିଙ୍କ କଥା କହିବା, ସେତେବେଳେ ଏହି ସଂଖ୍ୟା ୧୧.୧% କୁ ଡେଇଁଯାଏ।
ଆଜି ଆମେ ବିଶ୍ଳେଷଣ କରିବା, କାହିଁକି ଆମ ରାଜ୍ୟର ୧୨ ଲକ୍ଷ ଶିକ୍ଷିତ ଯୁବକ ଆଜି ବି ନିଜ ନାମ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ପଞ୍ଜିକୃତ କରି ଅପେକ୍ଷା କରିଛନ୍ତି?
ଶିକ୍ଷା ବନାମ ନିଯୁକ୍ତି
ଥରେ ଚିନ୍ତା କରନ୍ତୁ। ଜଣେ ବାପା ନିଜର ରକ୍ତକୁ ପାଣି କରି, ଜମିବାଡ଼ି ବିକି ପୁଅ ବା ଝିଅକୁ ଇଞ୍ଜିନିୟରିଂ କିମ୍ବା ମାଷ୍ଟର ଡିଗ୍ରୀ କରାଉଛନ୍ତି। ଆଶା କ’ଣ? ଦିନେ ପିଲାଟି ରୋଜଗାର କରିବ, ଘରର ଦୁଃଖ ଦୂର ହେବ। କିନ୍ତୁ ବାସ୍ତବତା କ’ଣ? ଥରେ ବିଚାର କରନ୍ତୁ।
ଆଜି ଓଡ଼ିଶାର ଗଳି କନ୍ଦିରେ ଆପଣଙ୍କୁ ଏମିତି ହଜାର ହଜାର ଯୁବକ ମିଳିବେ, ଯେଉଁମାନଙ୍କ ପାଖରେ ଡିଗ୍ରୀର ପୁଳା ପୁଳା ସାର୍ଟିଫିକେଟ୍ ତ ଅଛି, କିନ୍ତୁ ହାତରେ କାମ ନାହିଁ। ଆମ ଶିକ୍ଷା ବ୍ୟବସ୍ଥା କ’ଣ କେବଳ ‘ବେକାରୀ’ ସୃଷ୍ଟି କରିବାର ଏକ କାରଖାନା ପାଲଟିଛି?
ମୁଁ ଗତକାଲି ଜଣେ ଯୁବକଙ୍କୁ ଭେଟିଥିଲି। ନାମ ତାଙ୍କର ରଘୁନାଥ ସେନାପତି । ଏମ.ଏ. ପାସ୍ କରିବା ପରେ ଆଜି ସେ ଏକ ଡେଲିଭରୀ ବୟ ଭାବେ କାମ କରୁଛନ୍ତି। ତାଙ୍କ ଆଖିରେ ସେହି ସ୍ୱପ୍ନର ଭଙ୍ଗା ଚିତ୍ର ମୁଁ ଦେଖିଛି। ସେ କହୁଥିଲେ, “ସାର୍, ପାଠ ପଢ଼ିବାଟା କ’ଣ ମୋର ଭୁଲ୍ ଥିଲା?” ଏହି ପ୍ରଶ୍ନର ଉତ୍ତର କାହା ପାଖରେ ଅଛି?
ଏଠାରେ ଏକ ଅଜବ ସମସ୍ୟା ଦେଖିବାକୁ ମିଳୁଛି – ‘Jobless Growth’। ଅର୍ଥାତ୍ ରାଜ୍ୟର ଅଭିବୃଦ୍ଧି ତ ହେଉଛି, କିନ୍ତୁ ତାହା ନିଯୁକ୍ତିରେ ରୂପାନ୍ତରିତ ହୋଇପାରୁନାହିଁ।
ଶିଳ୍ପାୟନର ମିଛ ମାୟାଜାଲ
ଆମକୁ କୁହାଯାଉଛି ଓଡ଼ିଶା ଶିଳ୍ପାୟନରେ ନମ୍ବର ୱାନ୍। ହଜାର ହଜାର କୋଟି ଟଙ୍କାର ନିବେଶ ହେଉଛି। ଏବେ ପୋସ୍କୋ ଢେଙ୍କାନାଲ ଓ କେନ୍ଦୁଝରରେ ଷ୍ଟିଲ ପ୍ଳାଣ୍ଟ କରିବ। କିନ୍ତୁ ପ୍ରଶ୍ନ ଉଠୁଛି, ଏହି ଶିଳ୍ପଗୁଡ଼ିକରେ ଆମ ଓଡ଼ିଆ ପିଲାଙ୍କ ସ୍ଥାନ କେଉଁଠି? କାହିଁକି ବଡ଼ ବଡ଼ କମ୍ପାନୀଗୁଡ଼ିକ ବାହାର ରାଜ୍ୟରୁ ଶ୍ରମିକ ଏବଂ ଅଫିସର ଆଣୁଛନ୍ତି?
ଆମର ସ୍କିଲ୍ (Skill) ନାହିଁ ବୋଲି କହି ଆମ ପିଲାଙ୍କୁ ବାହାର କରିଦିଆଯାଉଛି। ଯଦି ସ୍କିଲ୍ ନାହିଁ, ତେବେ ସରକାରୀ ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟରଗୁଡ଼ିକ କ’ଣ କରୁଛନ୍ତି? କେବଳ କାଗଜପତ୍ରରେ ଫଟୋ ଉଠାଇ ବିଜ୍ଞାପନ ଦେଲେ କ’ଣ ପେଟ ପୁରିଯିବ?
ମାନସିକ ଚାପ ଏବଂ ସାମାଜିକ ପ୍ରଭାବ
ବେକାରୀ କେବଳ ଅର୍ଥନୈତିକ ସମସ୍ୟା ନୁହେଁ, ଏହା ଏକ ମାନସିକ ମହାମାରୀ। ଯେତେବେଳେ ଜଣେ ୨୭-୨୮ ବର୍ଷର ଯୁବକ ପକେଟ୍ ଖର୍ଚ୍ଚ ପାଇଁ ବାପାଙ୍କୁ ପଇସା ମାଗେ, ସେତେବେଳେ ତା’ର ଆତ୍ମସମ୍ମାନ କେତେ ଆହତ ହୁଏ, ତାହା କେବଳ ସେହି ଯୁବକଟି ହିଁ ଜାଣେ।
ଏହି କାରଣରୁ ଆଜି ଓଡ଼ିଶାରେ ନିଶାଦ୍ରବ୍ୟର ବ୍ୟବହାର ବଢୁଛି। ହତାଶା ଭିତରେ ଯୁବପିଢ଼ି ଭୁଲ୍ ରାସ୍ତା ଆପଣେଇ ନେଉଛନ୍ତି। ପରିବାର ଭାଙ୍ଗୁଛି, ସମାଜରେ ଅଶାନ୍ତି ବଢୁଛି। ଆମେ କେବଳ ଜିଡିପି ବଢ଼ାଇବା କଥା କହୁଛୁ, କିନ୍ତୁ ‘ହାପିନେସ୍ ଇଣ୍ଡେକ୍ସ’ ବା ଖୁସିର ସୂଚକାଙ୍କ କେଉଁଠି?
ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ୨୨ ଅଗଷ୍ଟ ୨୦୨୪ରେ ବିଧାନସଭାରେ କହିଥିଲେ ଯେ ଓଡ଼ିଶାରେ ବେକାରୀ ହାର ୩.୯ ପ୍ରତିଶତ ଥିଲା, ଯାହା ଜାତୀୟ ହାର ୩.୨ ପ୍ରତିଶତ ତୁଳନାରେ ଅଧିକ।
ମନ୍ତ୍ରୀ ଶ୍ରୀ, ସ୍ୱାଇଁ କହିଛନ୍ତି ଯେ ଜାତୀୟ ନମୁନା ସର୍ଭେ କାର୍ଯ୍ୟାଳୟ (NSSO) ଦ୍ୱାରା କରାଯାଇଥିବା ପିରିୟଡିକ୍ ଲେବର ଫୋର୍ସ ସର୍ଭେ ୨୦୨୨-୨୩ ଅନୁଯାୟୀ ବେକାରୀ ହାରରେ ଓଡ଼ିଶା ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ୨୧ତମ ସ୍ଥାନରେ ଅଛି।
ଏବେ ଆସନ୍ତୁ ଏକ ଚକିତ କଲା ଭଳି ତଥ୍ୟ ଉପରେ ନଜର ପକାଇବା। ସହରାଞ୍ଚଳରେ ବେକାରୀ ହାର ୬.୨%, କିନ୍ତୁ ଗ୍ରାମାଞ୍ଚଳରେ ଏହା ୩.୬%। ଏହାର ଅର୍ଥ କ’ଣ? ଗାଁରେ କାମ ଅଧିକ? ନା, ଗାଁର ଯୁବକ ଅଳ୍ପ ବହୁତେ କୃଷି କିମ୍ବା ଶ୍ରମିକ ଭାବେ କାମ କରି ନିଜକୁ ‘ନିଯୁକ୍ତି’ ଶ୍ରେଣୀରେ ରଖୁଛନ୍ତି। କିନ୍ତୁ ସହରର ଶିକ୍ଷିତ ଯୁବକ ଏକ ସମ୍ମାନଜନକ ଚାକିରି ଅପେକ୍ଷାରେ ବେକାର ହୋଇ ବସିଛନ୍ତି।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ ହେଉଛି ‘ମହିଳା ଶ୍ରମ ଶକ୍ତି’। ଯଦିଓ ବେକାରୀ ହାରରେ ମହିଳାମାନେ ପୁରୁଷଙ୍କ ତୁଳନାରେ ଆଗରେ (ମାତ୍ର ୨.୭% ବେକାର), କିନ୍ତୁ ବାସ୍ତବରେ ମାତ୍ର ୨୦-୨୫% ମହିଳା କାମ କରିବାକୁ ବାହାରକୁ ଆସୁଛନ୍ତି। ବାକି ୭୫% କେଉଁଠି? ସେମାନେ କ’ଣ ଆମ ଅର୍ଥନୀତିର ମୁଖ୍ୟ ସ୍ରୋତରେ ସାମିଲ ହେବା ଉଚିତ ନୁହେଁ?”
୩୧ ମଇ, ୨୦୨୪ ସୁଦ୍ଧା ରାଜ୍ୟର ବିଭିନ୍ନ ନିଯୁକ୍ତି କେନ୍ଦ୍ରରେ ୧୧,୦୪,୨୨୯ ଯୁବକ – ୩,୮୬,୬୯୯ ମହିଳା ଏବଂ ୭,୧୭,୫୩୦ ପୁରୁଷ ନିଜକୁ ପଞ୍ଜୀକୃତ କରିଥିଲେ। ଏସସି/ଏସଟି ବେକାରଙ୍କ ପାଇଁ ସ୍ୱତନ୍ତ୍ର ନିଯୁକ୍ତି କେନ୍ଦ୍ରରେ ସର୍ବାଧିକ ୧,୩୭,୯୮୬ ଜଣ ପଞ୍ଜିକୃତ ହୋଇଛନ୍ତି।
ପୁରୀରେ ନିଯୁକ୍ତି ପାଇଁ ମୋଟ ୫୭,୮୫୫ ଜଣ ପଞ୍ଜିକୃତ ହୋଇଛନ୍ତି, ଏହା ପରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ ୫୪,୦୦୧ ଜଣ, କେନ୍ଦ୍ରାପଡ଼ାରେ ୫୩,୮୪୨ ଜଣ, ବାଲେଶ୍ୱରରେ ୫୩,୦୮୪ ଜଣ ଏବଂ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାରେ ୫୨,୧୬୯ ଜଣ ପଞ୍ଜିକୃତ ହୋଇଛନ୍ତି। କାରଣ ଏଠାରେ ଶିକ୍ଷିତ ଯୁବକ ଅଛନ୍ତି, କିନ୍ତୁ ସେମାନଙ୍କ ଶିକ୍ଷା ଏବଂ ଶିଳ୍ପ ସଂସ୍ଥାର ଆବଶ୍ୟକତା ମଧ୍ୟରେ ଏକ ବିରାଟ ‘Mismatch’ ବା ଶୂନ୍ୟସ୍ଥାନ ରହିଛି।
ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟର ଦକ୍ଷତା ବିକାଶ ଏବଂ ନିଯୁକ୍ତି ବିନିମୟ ମାଧ୍ୟମରେ କେବଳ ୮,୪୦୧ ଜଣ ନିଯୁକ୍ତି ପାଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ୨୦୦୮-୦୯ ରୁ ୨୦୨୩-୨୪ ମଧ୍ୟରେ ୪୧୨ଟି ନିଯୁକ୍ତି ମେଳା ଆୟୋଜନ କରାଯାଇଥିଲା ଏବଂ ୨,୦୫,୯୮୦ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା ବୋଲି ସେ କହିଥିଲେ।
ଶ୍ରମ ବ୍ୟୁରୋ ଦ୍ୱାରା ପ୍ରକାଶିତ ପିରିୟଡିକ୍ ଲେବର ଫୋର୍ସ ସର୍ଭେ (PLFS) ସୂଚିତ କରିଛି ଯେ ଓଡ଼ିଶାରେ ବେକାରୀ ହାର ୧୧.୧ ପ୍ରତିଶତ ରହିଛି, ଯାହା ସର୍ବଭାରତୀୟ ୧୫-୨୯ ବୟସ ବର୍ଗର ଯୁବକ ଯୁବତୀଙ୍କ ମଧ୍ୟରେ ୧୦.୨ ପ୍ରତିଶତ।
ତେବେ ସମାଧାନ କ’ଣ? କେବଳ ସରକାରଙ୍କୁ ଦୋଷ ଦେଲେ ଚଳିବ ନାହିଁ। ଆମକୁ ମଧ୍ୟ ବଦଳିବାକୁ ପଡ଼ିବ।
1. କୃଷିରେ ଆଧୁନିକତା: ଆମ ଓଡ଼ିଶାର ମାଟି ସୁନା ଫଳାଏ। କୃଷିକୁ କେବଳ କାଦୁଅ ଲିପା କାମ ନ ଭାବି ଏହାକୁ ଏକ ବ୍ୟବସାୟ ଭାବେ ଗ୍ରହଣ କରିବାକୁ ହେବ।
2. ଷ୍ଟାର୍ଟଅପ୍ କଲ୍ଚର: ଚାକିରି ପଛରେ ନ ଗୋଡ଼ାଇ ଚାକିରି ଦେବା ବାଲା ହେବାକୁ ଚେଷ୍ଟା କରିବା।
3. ଶିକ୍ଷା ବ୍ୟବସ୍ଥାରେ ସଂସ୍କାର: କେବଳ ବହି ପଢ଼ା ନୁହେଁ, ବଜାରର ଆବଶ୍ୟକତା ଅନୁସାରେ ନିଜକୁ ଗଢ଼ିବାକୁ ହେବ।
ଶେଷରେ ଏତିକି କହିବି, ଓଡ଼ିଶାର ଭବିଷ୍ୟତ ଆମ ହାତରେ। ଆମେ ଯଦି ଆଜି ସ୍ୱର ନ ଉଠାଇବା, ତେବେ ଆଗାମୀ ପିଢ଼ି ଆମକୁ କ୍ଷମା କରିବ ନାହିଁ।
AlsoRead; https://purvapaksa.com/the-odisha-coast-is-heading-towards-war/
ଯୁଦ୍ଧ ଆଡ଼କୁ ମୁହାଁଉଛି ଓଡ଼ିଶା ଉପକୂଳ! || The Odisha coast is heading towards war!


