ଓଡ଼ିଶାର ରାଜନୀତିରେ ୨୦୧୯ ପରେ ଯେଉଁ ପରିବର୍ତ୍ତନ ଆସିଥିଲା, ସେଟା କେବଳ ସରକାର ବା ଦଳର ପରିବର୍ତ୍ତନ ନୁହେଁ ସେଟା ଥିଲା ଶକ୍ତିର ସମ୍ପୂର୍ଣ୍ଣ ପୁନର୍ବିନ୍ୟାସ। ଏକ ଏମିତି ପୁନର୍ବିନ୍ୟାସ, ଯେଉଁଠାରେ ନିର୍ବାଚିତ ନେତୃତ୍ୱ ପଛକୁ ହଟିଗଲେ , ଏବଂ ଅନିର୍ବାଚିତ ଶକ୍ତି ସମସ୍ତ କିଛିକୁ ନିୟନ୍ତ୍ରଣ କରିବାକୁ ଲାଗିଲା।
ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ “ମୋ ସରକାର” ଆରମ୍ଭ କଲେ—ଦେଖିବାକୁ ଏହା ଜନମୁଖୀ ପଦକ୍ଷେପ ଲାଗୁଥିଲା, କିନ୍ତୁ ଅସଲ ରେ ଏହା ହେଲା ଶକ୍ତିକୁ ଏକ ନୂଆ ପ୍ରଣାଳୀ ମାଧ୍ୟମରେ କେନ୍ଦ୍ରୀଭୂତ କରିବାର ଏକ ଚାଲ । ସମସ୍ତ ବିଭାଗକୁ “ମୋ ସରକାର” ଅଧୀନକୁ ଆଣାଗଲା। ଏହା ସହିତ ଆସିଲା ଫାଇଭ୍-ଟି ମଡେଲ୍
କିନ୍ତୁ ଏହି ଫାଇଭ୍-ଟି ଅସଲ ରେ ରହିଲା କାହା ହାତରେ ? ଉତ୍ତର ସରଳ—ପାଣ୍ଡିଆନ। ଜଣେ IAS ଅଫିସର୍ ରୁ ସେ ହେଲେ ଶକ୍ତିର କେନ୍ଦ୍ରବିନ୍ଦୁ। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହୋଇଥିବାରୁ ସେ ସମସ୍ତ ଫାଇଲ୍, ସମସ୍ତ ନିଷ୍ପତ୍ତି, ସମସ୍ତ ଯୋଜନାର ମଧ୍ୟବର୍ତ୍ତୀ ହୋଇଗଲେ।
ଧୀରେ ଧୀରେ ପରିସ୍ଥିତି ଏପରି ହେଲା ଯେ, ସରକାର ମଧ୍ୟ ପାଣ୍ଡିଆନଙ୍କ ଅଧୀନକୁ ଆସିଗଲା, ଦଳ ମଧ୍ୟ ପାଣ୍ଡିଆନଙ୍କ ନିୟନ୍ତ୍ରଣରେ ଚାଲିଲା। ବାହାରୁ ନିଷ୍ପତ୍ତି ନବୀନ ପଟନାୟକଙ୍କ ଲାଗୁଥିଲେ ମଧ୍ୟ, ଭିତରୁ ସମସ୍ତ ନିୟନ୍ତ୍ରଣ ଏକ ଅଦୃଶ୍ୟ ଶକ୍ତି ହାତରେ ଥିଲା।
ଏହି ସମୟରେ ଉଭା ହେଲେ ବବି ଦାସ। ଏକ ସାଧାରଣ ନେତା ଠାରୁ ସେ ହେଲେ ସଂଗଠନର ସବୁଠାରୁ ପ୍ରଭାବଶାଳୀ ମୁହଁ। ନୂଆକରି ସୃଷ୍ଟି ହେଲା “ସଂଗଠନ ସମ୍ପାଦକ” ପଦବୀ—ଏବଂ ଏହା ଦିଆଗଲା ବବିଙ୍କୁ। ଏହା ସ୍ପଷ୍ଟ କରିଦେଲା ଯେ, ଦଳର ଶକ୍ତି ସଂରଚନା ପୁରାପୁରି ପରିବର୍ତ୍ତିତ ହୋଇଯାଇଛି।
ବବି ହେଲେ ପାଣ୍ଡିଆନଙ୍କ ସବୁଠୁ ଘନିଷ୍ଠ। ସେ ନମ୍ବର-୩ ଭାବେ ପରିଚିତ ହେଲେ। କିନ୍ତୁ ତାଙ୍କର ସମସ୍ତ ଶକ୍ତିର ଉତ୍ସ ହେଲା ପାଣ୍ଡିଆନ। ନିଜସ୍ୱ ଜନାଧାର ବା ସ୍ୱତନ୍ତ୍ର ପରିଚୟ ନୁହେଁ।
ଏହି କାରଣରୁ ଦଳ ଭିତରେ ବବି ଦାସ ହେଲେ ଇର୍ଷାର ପାତ୍ର। ବରିଷ୍ଠ ନେତାମାନେ ଅସନ୍ତୁଷ୍ଟ, କନିଷ୍ଠ ନେତାମାନେ ଭୟଭୀତ। କିନ୍ତୁ କେହି ବିରୋଧ କରିପାରୁନଥିଲେ—କାରଣ ସେ ଥିଲେ ପାଣ୍ଡିଆନଙ୍କ ଲୋକ।
ସବୁଠାରୁ ଆଶ୍ଚର୍ଯ୍ୟଜନକ ଦିଗ ହେଉଛି—ବବି ନିଜକୁ ପାଣ୍ଡିଆନଙ୍କ “କ୍ରିତଦାସ” ବୋଲି କହିବାକୁ ମଧ୍ୟ ଗୌରବ ଭାବୁଥିଲେ ।
କିନ୍ତୁ ଯେତେବେଳେ ଶକ୍ତି ଶୀର୍ଷରେ ଥାଏ, ସେତେବେଳେ ଦଳରେ ଦ୍ୱନ୍ଦ୍ୱ ସୃଷ୍ଟି ହୁଏ। ବବିଙ୍କ ବିରୋଧୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିଲା। କିନ୍ତୁ ସେ ଏହା ଅନୁଭବ କରିପାରୁନଥିଲେ—କାରଣ ସେ ଥିଲେ କ୍ଷମତାର ନିଶାରେ ମଗ୍ନ।
ତାପରେ ଆସିଲା ନିର୍ବାଚନ। ଯାଜପୁରର ନେତା ବବି ଦାସଙ୍କୁ ସମ୍ବଲପୁରରୁ ପ୍ରାର୍ଥୀ କରାଗଲା। ଦଳ ଭିତରେ ଚର୍ଚ୍ଚା ହେଲା କି ଏହା କଣ ସାଧାରଣ ରଣନୀତି ନା କୌଣସି ଗୁପ୍ତ ବୁଝାମଣା?
ଫଳାଫଳ ସମସ୍ତଙ୍କ ସାମ୍ନାରେ—ବବି ହାରିଗଲେ। ଏବଂ ତା ସହ ବିଜେଡି ମଧ୍ୟ କ୍ଷମତାରୁ ଗଲା।
ପାଣ୍ଡିଆନ ରାଜନୀତିରୁ ଦୂରେଇଗଲେ, କିନ୍ତୁ ତାଙ୍କର ନିୟନ୍ତ୍ରଣ ଅଦୃଶ୍ୟ ଭାବେ ଚାଲିଥିଲା। ନିଷ୍ପତ୍ତି ତାଙ୍କର, ଘୋଷଣା ନବୀନଙ୍କର—ଏହି ସତ ଦଳ ଭିତରେ ସବୁଠାରୁ ବଡ଼ ଚର୍ଚ୍ଚା ହେଲା ।
କିନ୍ତୁ ବବିଙ୍କ ପାଇଁ ସମୟ ବଦଳିଗଲା। ଯେଉଁଠାରେ ସେ ଥିଲେ ଶକ୍ତିର କେନ୍ଦ୍ର, ସେଠାରେ ସେ ପ୍ରାୟ ଅଦୃଶ୍ୟ ହୋଇଗଲେ । ତାଙ୍କର ପୂର୍ବ ପତିଆରା ହଜିଗଲା । ଯେଉଁ ନେତାମାନେ ପୂର୍ବରୁ ତାଙ୍କ ପଛେ ପଛେ ଗୋଡ଼ାଉଥିଲେ , ସେମାନେ ଏବେ ଦୂରେଇଯାଉଛନ୍ତି।
ଏହି ସମୟରେ ଆସିଲେ ସଂତୃପ୍ତ ମିଶ୍ର। ଏକ କର୍ପୋରେଟ୍ ପୃଷ୍ଠଭୂମିର ଲୋକ, ଯିଏ ଦଳକୁ ଆସିବା ପରେ ତୁରନ୍ତ ଟପରେ ବସିଲେ । ନିର୍ବାଚନରେ ହାରିଥିଲେ ମଧ୍ୟ ସେ ହେଲେ ରାଜ୍ୟସଭା ସଦସ୍ୟ।
ଏଠି ପ୍ରଶ୍ନ ହେଉଛି—ଜଣେ ପୁରୁଣା ନେତା ହାରିଲେ ହଜି ଯାଉଛନ୍ତି , ଏବଂ ଜଣେ ନୂଆ ମୁହଁ ହାରିଲେ ଉପରକୁ ଯାଉଛନ୍ତି—ଏହା କି ପ୍ରକାର ନୀତି?
ଚର୍ଚ୍ଚା ହେଉଛି ଯେ, ପାଣ୍ଡିଆନଙ୍କ ପାଇଁ ଏବେ ସଂତୃପ୍ତ ଅଧିକ ଗୁରୁତ୍ୱପୂର୍ଣ୍ଣ। ବବି ହୋଇପଡ଼ିଛନ୍ତି ଅଲୋଡ଼ା। ତାଙ୍କର ଆନୁଗତ୍ୟ ତାଙ୍କୁ ଉପରକୁ ନେଇଥିଲା, କିନ୍ତୁ ସେହି ଆନୁଗତ୍ୟ ତାଙ୍କୁ ତଳକୁ ମଧ୍ୟ ଆଣିଦେଲା।
ବବି ଏବେ ରାଜନୈତିକ ବ୍ୟାପାର କମିଟିର ସଦସ୍ୟ—କିନ୍ତୁ ଏହା ଏକ “ଦାନ୍ତହୀନ” କମିଟି। କ୍ଷମତା ନାହିଁ କି ପ୍ରଭାବ ବି ନାହିଁ। ଏହା ଏକ କାମ ଚଳା ପଦବୀ କହିଲେ ବି କିଛି ଭୁଲ ହେବନି ।
AlsoRead; https://purvapaksa.com/kkr-flew-in-mukul-chowdhurys-helicopter/
ମୁକୁଲ ଚୌଧୁରୀଙ୍କ ‘ହେଲିକପ୍ଟର’ରେ ଉଡ଼ିଗଲା କେକେଆର || KKR flew in Mukul Chowdhury’s ‘helicopter’


