ପ୍ରାୟ ଦୁଇ ହଜାର ବର୍ଷ ପୂର୍ବେ ମହାନ୍ କୂଟନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ କହିଥିଲେ, “ରାଜା କେବଳ ରକ୍ତରେ ନୁହେଁ, ବରଂ ଚିନ୍ତାଧାରା ଓ ସଂସ୍କାରରେ ମଧ୍ୟ ସ୍ୱଦେଶୀ ହେବା ଜରୁରୀ। ନଚେତ୍ ରାଜ୍ୟ ପାଇଁ ଆର୍ଥିକ, ସାମରିକ ଏବଂ ସାଂସ୍କୃତିକ କ୍ଷତି ହେବା ସୁନିଶ୍ଚିତ।”
ଚାଣକ୍ୟଙ୍କ ଏହି ବାଣୀ ଆଜିର ଓଡ଼ିଶା ରାଜନୀତି ପାଇଁ କେବଳ ପ୍ରାସଙ୍ଗିକ ନୁହେଁ, ବରଂ ଏକ କଠୋର ବାସ୍ତବତା। ଓଡ଼ିଶା ରାଜନୀତିରେ ‘ସ୍ୱଚ୍ଛ ପ୍ରତିମୂର୍ତ୍ତି’ ଭାବେ ନିଜକୁ ଉପସ୍ଥାପିତ କରିଆସିଥିବା ନବୀନ ପଟ୍ଟନାୟକଙ୍କ ଅସଲ ଚେହେରା ବା ‘ହିପୋକ୍ରାସୀ’ ଏବେ ଧୀରେ ଧୀରେ ଲୋକଲୋଚନକୁ ଆସିବାରେ ଲାଗିଛି।
ଯେଉଁ ନେତା ଦିନେ କହୁଥିଲେ ‘ଓଡ଼ିଶାବାସୀ ହିଁ ମୋର ପରିବାର’ ଏବଂ ‘ମୋ ପରେ ଓଡ଼ିଶାବାସୀ ହିଁ ମୋର ଉତ୍ତରାଧିକାରୀ ବାଛିବେ’, ସେ ଆଜି ନିଜର ସମସ୍ତ ସାମ୍ରାଜ୍ୟ ଓ ବିଜୁ ବାବୁଙ୍କ ସନ୍ତକକୁ ଜଣେ ଅଣ-ଓଡ଼ିଆ ‘ଭଣ୍ଡ ସନ୍ୟାସୀ’ଙ୍କ ହାତରେ ଟେକି ଦେବାକୁ ପଛାଇ ନାହାନ୍ତି। ନୂଆଦିଲ୍ଲୀରେ ଗୁପ୍ତ ଭାବେ ପଞ୍ଜିକୃତ ହୋଇଥିବା ‘ବିଜୁ ନବୀନ ଇନ୍ସପିରେସନାଲ ଫାଉଣ୍ଡେସନ’ (BNIF) କେବଳ ଏକ ଟ୍ରଷ୍ଟ ନୁହେଁ, ବରଂ ଏହା ବିଜୁ ଜନତା ଦଳର କର୍ମୀଙ୍କ ପରିଶ୍ରମ ଓ ଓଡ଼ିଶାବାସୀଙ୍କ ଆସ୍ଥା ଉପରେ ଏକ ବଡ଼ ‘ରାଜନୈତିକ ଡକାୟତି’। ୨୬ ବର୍ଷ ଧରି ଓଡ଼ିଶାକୁ ଶାସନ କରିବା ପରେ ଶେଷରେ ଓଡ଼ିଆ ଅସ୍ମିତାକୁ ତାମିଲ ପ୍ରଶାସକଙ୍କ ପାଦତଳେ ବଳି ପକାଇବା ଓଡ଼ିଶାବାସୀଙ୍କୁ କ’ଣ ନବୀନଙ୍କ ଶେଷ ଉପହାର ନୁହେଁକି?
‘ସେଟଲର’ ନବୀନ ଓ ‘ସର୍ବମୟ କର୍ତ୍ତା’ ପାଣ୍ଡିଆନ: ଏକ ଅପରିବର୍ତ୍ତନୀୟ ଷଡ଼ଯନ୍ତ୍ର
ନୂଆଦିଲ୍ଲୀରେ ପଞ୍ଜିକୃତ ହୋଇଥିବା ୨୩ ପୃଷ୍ଠାର ଟ୍ରଷ୍ଟ ଦଲିଲ ସ୍ପଷ୍ଟ କରୁଛି ଯେ, ନବୀନ ପଟ୍ଟନାୟକ ଏଠାରେ କେବଳ ଜଣେ ‘ସେଟଲର’ ବା ପ୍ରତିଷ୍ଠାତା ଭାବେ ରହିଛନ୍ତି। କିନ୍ତୁ ଟ୍ରଷ୍ଟର ଅସଲ କ୍ଷମତା ଭି.କେ. ପାଣ୍ଡିଆନଙ୍କ ହାତରେ। ଦଲିଲ୍ ଅନୁସାରେ, ଏହି ଟ୍ରଷ୍ଟ ‘ଅପରିବର୍ତ୍ତନୀୟ’ (Irrevocable)। ଏହାର ଅର୍ଥ ହେଉଛି, ନବୀନ ଚାହିଁଲେ ମଧ୍ୟ ଭବିଷ୍ୟତରେ ଏହି କ୍ଷମତା ପାଣ୍ଡିଆନଙ୍କଠାରୁ ଛଡ଼ାଇ ନେଇପାରିବେ ନାହିଁ। ନବୀନ ଏହା ନିଜେ କରି ଯେତେବେଳେ ଚାରିଆଡ଼ୁ ପ୍ରଶ୍ନ ହେଲା ସେତେବେଳେ ଅନ୍ୟ ବିଧାୟକଙ୍କୁ ଏପରି ହୋଇଛି କି ବୋଲି ପ୍ରଶ୍ନ କରିଛନ୍ତି। ବିଧାୟିକା ପ୍ରମିଳା ମଲ୍ଲିକ ଓ ବିଧାୟକ ଗୌତମବୁଦ୍ଧ ଦାସ ଏହା ହୋଇନାହିଁ ବୋଲି କହିବା ପରେ ନିଜେ ନବୀନ ଏହାକୁ ସ୍ୱୀକାର କରିଛନ୍ତି। ଏହା କ’ଣ ନବୀନଙ୍କ ହିପୋକ୍ରାସୀ ନୁହେଁ କି?
ସବୁଠାରୁ ବଡ଼ ଧୋକା ବା ହିପୋକ୍ରାସୀ ହେଉଛି, ବିଜୁ ବାବୁଙ୍କ ସନ୍ତକ ବହନ କରୁଥିବା ନୂଆଦିଲ୍ଲୀସ୍ଥିତ ଅଫିସ୍ ଓ ସମ୍ପତ୍ତିକୁ ଏହି ଟ୍ରଷ୍ଟକୁ ହସ୍ତାନ୍ତର କରାଯାଇଛି। ଯେଉଁ ଦଳୀୟ କର୍ମୀମାନେ ୨୮ ବର୍ଷ ଧରି ଦିନରାତି ଏକ କରି ବିଜେଡିକୁ ଛିଡ଼ା କରାଇଥିଲେ, ସେମାନଙ୍କ ପରାମର୍ଶ ନ ନେଇ ଗୁପ୍ତରେ ଦିଲ୍ଲୀରେ ଟ୍ରଷ୍ଟ ପଞ୍ଜିକରଣ କରିବା କ’ଣ ନବୀନଙ୍କ ହିପୋକ୍ରାସୀ ନୁହେଁ କି? ଓଡ଼ିଶାରେ କ’ଣ ସରକାରୀ ପଞ୍ଜିକରଣ ଅଫିସର ଅଭାବ ଥିଲା କି? ନା ଓଡ଼ିଆ ଲୋକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଏହି କଳା କାରନାମା କରିବା ପାଇଁ ଦିଲ୍ଲୀକୁ ବଛାଯାଇଥିଲା? ଏହା କ’ଣ ନବୀନଙ୍କ ହିପୋକ୍ରାସୀ ନୁହେଁ କି?
ଓଡ଼ିଆ ଭାଷା ଓ ଓଡ଼ିଆ ଅଧିକାରୀଙ୍କ ପ୍ରତି ବିଦ୍ୱେଷ
ନବୀନ ପଟ୍ଟନାୟକଙ୍କ ୨୬ ବର୍ଷର ଶାସନରେ ସେ କେବେବି ଓଡ଼ିଆ ଭାଷା ଶିଖିବାକୁ ଚେଷ୍ଟା କଲେ ନାହିଁ। ଏହା କେବଳ ଏକ ଭାଷାଗତ ଅକ୍ଷମତା ନ ଥିଲା, ବରଂ ଓଡ଼ିଆ ଜାତି ଓ ଭାଷା ପ୍ରତି ତାଙ୍କର ଥିବା ଅବଜ୍ଞାର ପ୍ରମାଣ ଥିଲା। ତାଙ୍କ କାର୍ଯ୍ୟାଳୟରେ ଯୁଗଳ ମହାପାତ୍ର କିମ୍ବା ବିଜୟ ରାଓ ପଟ୍ଟନାୟକଙ୍କ ଭଳି ଦକ୍ଷ ଓଡ଼ିଆ ଅଧିକାରୀମାନେ ଅଧିକ ଦିନ ତିଷ୍ଠି ପାରିଲେ ନାହିଁ। କିନ୍ତୁ ଅନ୍ୟପକ୍ଷରେ ଜଣେ ତାମିଲ ପ୍ରଶାସକଙ୍କୁ ସେ କେବଳ କ୍ଷମତା ଦେଲେ ନାହିଁ, ବରଂ ନିଜର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମାଲିକ କରିଦେଲେ। ଜଣେ ବି ଓଡ଼ିଆ ବ୍ୟକ୍ତି ନବୀନଙ୍କୁ ଯୋଗ୍ୟ ମନେ ହେଲେ ନାହିଁ କାହିଁକି? ବିଜୁ-ନବୀନ ଲିଗାସୀ କ’ଣ ଜଣେ ଅଣ-ଓଡ଼ିଆଙ୍କ ବ୍ୟକ୍ତିଗତ ମାଲିକାନାରେ ରହିବ? ଏହା କ’ଣ ନବୀନଙ୍କ ହିପୋକ୍ରାସୀ ନୁହେଁ କି?
ଶିକ୍ଷା ଓ ସ୍ୱାସ୍ଥ୍ୟର ଘରୋଇକରଣ: ଗରିବ ଓଡ଼ିଆଙ୍କ ଭବିଷ୍ୟତ ସହ ଖେଳ
ନବୀନବାବୁଙ୍କ ‘ହିପୋକ୍ରାସୀ’ର ଅନ୍ୟ ଏକ ଦିଗ ହେଉଛି ଓଡ଼ିଶାର ମୌଳିକ ସେବାକୁ ଧ୍ୱଂସ କରିବା।
ସେ ଶାସନକୁ ଆସିବା ପରେ ଅଣ ଓଡ଼ିଆ ଅଫିସରମାନଙ୍କ ଚକ୍ରାନ୍ତରେ ସରକାରୀ ଓଡ଼ିଆ ସ୍କୁଲଗୁଡ଼ିକରେ ଶିକ୍ଷକ ନିଯୁକ୍ତି ବନ୍ଦ କରିଦେଲେ। ଗାଁ ଗହଳିର ସରକାରୀ ସ୍କୁଲକୁ ଅବହେଳା କରି ସହରରେ ଘରୋଇ ଇଂରାଜୀ ମିଡିୟମ ସ୍କୁଲକୁ ପ୍ରୋତ୍ସାହିତ କଲେ। ଫଳରେ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଗଲା। ଏହା କ’ଣ ନବୀନଙ୍କ ହିପୋକ୍ରାସୀ ନୁହେଁ କି?
‘ବିଜୁ ସ୍ୱାସ୍ଥ୍ୟ କାର୍ଡ’ ନାମରେ ଏକ ଭ୍ରମ ସୃଷ୍ଟି କରାଗଲା। ସରକାରୀ ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି ନ କରି, ସରକାରୀ ପାଣ୍ଠିକୁ ‘କାର୍ଡ’ ମାଧ୍ୟମରେ ଘରୋଇ ଡାକ୍ତରଖାନା ମାଲିକଙ୍କ ପକେଟକୁ ପଠାଗଲା। ଗରିବ ଲୋକ ଉନ୍ନତ ସେବା ପାଇବା ପରିବର୍ତ୍ତେ ଘରୋଇ ଲୁଟେରାଙ୍କ ହାବୁଡ଼ରେ ପଡ଼ିଲେ। ଏହା କ’ଣ ନବୀନଙ୍କ ହିପୋକ୍ରାସୀ ନୁହେଁ କି?
ମଦ ପ୍ରସାର ଓ ଖଣି ଦୁର୍ନୀତି: ରାଜସ୍ୱ ପାଇଁ ରାଜ୍ୟବାସୀଙ୍କୁ ବଳି
ନବୀନଙ୍କ ଶାସନରେ ଓଡ଼ିଶାର ଗଳିକନ୍ଦିରେ ମଦର ଗଙ୍ଗା ବୋହିଲା। ରାଜସ୍ୱ ଆଦାୟ ପାଇଁ ଗାଁ ଗହଳିରେ ମହିଳାମାନଙ୍କ ବିରୋଧ ସତ୍ତ୍ୱେ ମଦ ଦୋକାନ ଖୋଲାଗଲା। ଯେଉଁ ନବୀନ ମା’ଙ୍କୁ ସମ୍ମାନ ଦେବା କଥା କହୁଥିଲେ, ସେହି ନବୀନ ରାଜ୍ୟର ଶହ ଶହ ପରିବାରକୁ ମଦ ନିଶାରେ ଛାରଖାର କରିଦେଲେ। ଏହା କ’ଣ ହିପୋକ୍ରାସୀ ନୁହେଁ?
ସେହିଭଳି ଓଡ଼ିଶାର ପ୍ରାକୃତିକ ସମ୍ପଦକୁ ଲୁଟ୍ କରିବା ପାଇଁ ଖଣି ମାଲିକମାନଙ୍କୁ ଖୋଲା ଛାଡ଼ି ଦିଆଗଲା। ରାଜ୍ୟରେ ଶହ ଶହ କୋଟି ଟଙ୍କାର ଖଣି ଦୁର୍ନୀତି ହେଲା। କଠୋର ଦଣ୍ଡ ଦେବା ପରିବର୍ତ୍ତେ ଦୁର୍ନୀତିକାରୀଙ୍କ ବିରୋଧରେ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। କେବଳ ସାମାନ୍ୟ ଜରିମାନା ଲଗାଇ ସେମାନଙ୍କୁ ପରୋକ୍ଷରେ ସୁରକ୍ଷା ଦିଆଗଲା। ହିପୋକ୍ରାସୀର ସୀମା ଏଠାରେ ଲଂଘିଥିଲା।
ବିଜେଡି ନେତା ଓ କର୍ମୀଙ୍କୁ ଧୋକା: ପାଣ୍ଡିଆନଙ୍କ ପଞ୍ଛାରେ ଦଳ
୨୮ ବର୍ଷର ପରିଶ୍ରମ ପରେ ବିଜେଡି ନେତା ଓ କର୍ମୀମାନେ ଆଜି ନିଜକୁ ଅସହାୟ ମନେ କରୁଛନ୍ତି। ନବୀନଙ୍କ ଗୋଟିଏ ଇସାରାରେ ଜୀବନ ବାଜି ଲଗାଉଥିବା କର୍ମୀ ଏବେ ବୁଝିପାରୁଛନ୍ତି ଯେ, ନବୀନ ସେମାନଙ୍କୁ କେବଳ ଏକ ସିଡ଼ି ଭାବେ ବ୍ୟବହାର କରୁଥିଲେ। ଦଲିଲ ଏଭଳି ଭାବେ ପ୍ରସ୍ତୁତ କରାଯାଇଛି ଯେ, ନବୀନଙ୍କ ପରେ ବିଜେଡିର ନାମ, ଆଦର୍ଶ ଏବଂ ସମ୍ପତ୍ତି ଉପରେ ପାଣ୍ଡିଆନଙ୍କ ଏକଚାଟିଆ ମାଲିକାନା ରହିବ। ଦିଲ୍ଲୀ ବାସଭବନର କର୍ମଚାରୀଙ୍କୁ ସାକ୍ଷୀ ରଖି ଏହି ଗୁପ୍ତ ଦଲିଲ୍ ପ୍ରସ୍ତୁତି କ’ଣ କୌଣସି ରାଜନୈତିକ ସୌଜନ୍ୟତା?
ଓଡ଼ିଶାବାସୀଙ୍କ ପାଇଁ ଏବେ ଆତ୍ମଚିନ୍ତନର ସମୟ
ନବୀନ ପଟ୍ଟନାୟକଙ୍କ ‘ହିପୋକ୍ରାସୀ’ ଉପରେ ଯେତେ ଲେଖିଲେ ବି ଶେଷ ହେବ ନାହିଁ। ସେ ନିଜକୁ ଜଣେ ତ୍ୟାଗୀ ଓ ସରଳ ନେତା ଭାବେ ପ୍ରୋଜେକ୍ଟ କରିଥିଲେ ହେଁ, ବାସ୍ତବରେ ସେ ଓଡ଼ିଶାବାସୀଙ୍କ ବିଶ୍ୱାସ ସହ ୨୬ ବର୍ଷ ଧରି ଖେଳ ଖେଳିଛନ୍ତି। ଯେଉଁ ବ୍ୟକ୍ତି ନିଜ ରାଜ୍ୟର ଭାଷାକୁ ପ୍ରେମ କରିପାରେନାହିଁ, ସେ ନିଜ ରାଜ୍ୟର ଲୋକଙ୍କୁ କେବେବି ସମ୍ମାନ ଦେଇପାରିବ ନାହିଁ। ବିଜେଡି ନେତାମାନେ ଏବେ ଚୁପ୍ ରହିଲେ ଇତିହାସ ସେମାନଙ୍କୁ କ୍ଷମା କରିବ ନାହିଁ। ଓଡ଼ିଆ ଅସ୍ମିତାକୁ ଜଣେ ‘ଭଣ୍ଡ ସନ୍ୟାସୀ’ଙ୍କ ହାତରେ ବିକ୍ରି କରିବା ପାଇଁ ହୋଇଥିବା ଏହି ଦଲିଲ ବିରୋଧରେ ସ୍ୱର ଉତ୍ତୋଳନ କରିବାର ସମୟ ଆସିଛି।
ସୋସିଆଲ ମିଡିଆରେ ଉପାଧି ଶୋଭରାଜ
ଏହି ଘଟଣା ସାମ୍ନାକୁ ଆସିବା ପରେ ସାମାଜିକ ଗଣମାଧ୍ୟମରେ ଲୋକମାନେ ନବୀନ ପଟ୍ଟନାୟକଙ୍କୁ ଚାର୍ଲସ ଶୋଭରାଜ ଭାବରେ ସମ୍ବୋଧନ କରାଯାଇ ସମାଲୋଚନା କରାଯାଉଛି।
ନବୀନବାବୁ, ଆପଣ ହିପୋକ୍ରାସୀର ଯେଉଁ ସୀମା ଅତିକ୍ରମ କରିଛନ୍ତି, ଓଡ଼ିଶାବାସୀ ତାହାର ଉଚିତ ଜବାବ ଦେବେ। ଓଡ଼ିଆ ଜାତି କେବେବି ନଇଁବ ନାହିଁ କି କାହାର ଗୋଲାମ ହେବ ନାହିଁ। ଓଡ଼ିଶାର ଜଳ, ଜମି ଓ ଜଙ୍ଗଲକୁ ଅଣ-ଓଡ଼ିଆଙ୍କ ହାତରେ ଟେକି ଦେବାର ଏହି ଯୋଜନାକୁ ଓଡ଼ିଶାର ଇତିହାସ କଦାପି କ୍ଷମା କରିବ ନାହିଁ।
AlsoRead; https://purvapaksa.com/odisha-government-signs-agreement-worth-rs-247-crore/


