ମଙ୍ଗଳବାର ରାଜଧାନୀର ବକ୍ସି ଜଗବନ୍ଧୁ ବିଦ୍ୟାଧର (ବିଜେବି) ସ୍ୱୟଂଶାସିତ କଲେଜ ହଷ୍ଟେଲ ପରିସରରେ ଘଟିଛି ତୁମୁଳ କାଣ୍ଡ | ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଘଟିଯାଇଛି ଏକ ବଡ ହିଂସାତ୍ମକ ସଂଘର୍ଷ | ଉତ୍ୟକ୍ତ ଛାତ୍ରଗୋଷ୍ଠି ପରସ୍ପର ମଧ୍ୟରେ ୨୫ରୁ ଅଧିକ ପିଲାଙ୍କୁ ଆହତ କରିଥିଲେ । ତେବେ ଏହି ଘଟଣାଟି ଅଶୋକ ହଷ୍ଟେଲ ଏବଂ ଆମ୍ବେଦକର ହଷ୍ଟେଲର ଛାତ୍ରମାନଙ୍କ ମଧ୍ୟରେ ଘଟିଥିବା ଜଣାପଡ଼ିଛି | ଯାହା କଲେଜ କ୍ୟାମ୍ପସକୁ ଏକ ରଣକ୍ଷେତ୍ରରେ ପରିଣତ କରିଥିଲା । ସୂଚନା ଅନୁଯାୟୀ, ଅଶୋକ ହଷ୍ଟେଲରେ ଏକ ବିଦାୟକାଳୀନ ପାର୍ଟି ସମୟରେ ବାଜୁଥିବା ଗୀତ ବନ୍ଦ କରିବାକୁ ନେଇ ବିବାଦ ଓ ପରେ ଏପରି ସଂଘର୍ଷ ଆରମ୍ଭ ହୋଇଥିଲା ।
ଏକ ସାମାନ୍ୟ ଯୁକ୍ତିତର୍କ ଭାବରେ ଆରମ୍ଭ ହୋଇଥିବା କଥା ଆଖିପିଛୁଳାକେ ଏକ ବଡ଼ ଧରଣର ମୁହାଁମୁହିଁରେ ପରିଣତ ହୋଇଥିଲା | ଉଭୟ ଗୋଷ୍ଠୀର ଛାତ୍ର ବୋତଲ, ଲାଠି ଏବଂ ପଥର ବ୍ୟବହାର କରି ପରସ୍ପର ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ପ୍ରାୟ ଗୋଟିଏ ଘଣ୍ଟା ଧରି ପରସ୍ପର ଉପରକୁ ପଥର ଫିଙ୍ଗା ଚାଲିଥିଲା | ଯାହା ଅନ୍ୟ ଛାତ୍ର ଏବଂ କଲେଜର କର୍ମକର୍ତ୍ତାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ଏହି ହିଂସାରେ ଅନେକ ଛାତ୍ର ଆହତ ହୋଇଥିଲେ ଏବଂ ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିଲା । ବର୍ତମାନ ସେମାନଙ୍କ ଅବସ୍ଥା ଭଲ ଥିବା ଜଣାପଡିଛି |

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ବଡ଼ଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରିଥିଲା | ତେବେ ମାହୋଲକୁ ଆୟତ୍ତକୁ ଆଣିବା ପାଇଁ ଘଟଣାସ୍ଥଳରେ ତିନି ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ତେବେ ସେହି ସମୟରେ ଅଧିକ ଉତ୍ତେଜନାକୁ ରୋକିବା ଏବଂ ଆଇନ ଶୃଙ୍ଖଳାକୁ ବଜାୟ ରଖିବା ପାଇଁ କର୍ତ୍ତୃପକ୍ଷ ହଷ୍ଟେଲ କ୍ୟାମ୍ପସ ଭିତରେ ଏକ ଅସ୍ଥାୟୀ ଶିବିର ସ୍ଥାପନ କରିଛନ୍ତି।
ସଂଘର୍ଷର ସଠିକ୍ କାରଣ ନିର୍ଣ୍ଣୟ କରିବା ଏବଂ ହିଂସାରେ ସମ୍ପୃକ୍ତ ଲୋକଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଆରମ୍ଭ ହୋଇଛି । ଏ ସମ୍ପର୍କରେ କଲେଜ କର୍ତ୍ତୃପକ୍ଷଙ୍କଠାରୁ କୌଣସି ମତାମତ ମିଳିପାରି ନାହିଁ। ତଥାପି, ଆଜି ସକାଳ ୧୦ଟାରେ ଏହି ପ୍ରସଙ୍ଗରେ ଏକ ବୈଠକ ଡକାଯାଇଥିବା ସୂଚନା ମିଳିଛି ।
also read : https://purvapaksa.com/surgical-political-strike-between-naveen-and-bijay-for-over-20-years-become-solve/
ମାନିଗଲେ ବିଜୟ | “Surgical” political strike between Naveen and BIJAY for over 20 years become solve !


