ବିଜୁ ଜନତା ଦଳ ରାଜନୀତି ଏବେ ଏକ ସଂକଟମୟ ମୁହୂର୍ତ୍ତ ମାଧ୍ୟରେ ଯାଉଛି। ରାଜ୍ୟସଭା ନିର୍ବାଚନ ଯେତେ ନିକଟକୁ ଆସୁଛି, ରାଜନୀତିକ ସମୀକରଣ ସେତେ ଜଟିଳ ହେଉଛି। ଏହି ନିର୍ବାଚନ କେବଳ ସଂଖ୍ୟାର ଗଣିତ ନୁହେଁ; ଏହା ଦଳୀୟ ଏକତା, ନେତୃତ୍ୱର ପ୍ରଭାବ ଏବଂ ଆନ୍ତରିକ ଅସନ୍ତୋଷର ଏକ ପରୀକ୍ଷା। ବିଶେଷକରି ବିଜୁ ଜନତା ଦଳର ଭିତରେ ଏବେ ଯେ ପରିସ୍ଥିତି ଗଢ଼ିଉଠୁଛି, ସେଥିରୁ ସ୍ପଷ୍ଟ ହେଉଛି ଯେ ଦଳର କିଛି ବିଧାୟକ ପୁରୁଣା ଅପମାନ ଓ ଅନ୍ୟାୟର ସ୍ମୃତିକୁ ଭୁଲିପାରିନାହାନ୍ତି। ରାଜ୍ୟସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ଦଳ ଭିତରେ ଥିବା ‘ସନ୍ତୁଷ୍ଟ’ ମୁଖା ପଛର ‘ଅସନ୍ତୁଷ୍ଟ’ ଚେହେରାଗୁଡ଼ିକ ସେତିକି ସ୍ପଷ୍ଟ ହେବାରେ ଲାଗିଛି। ବିଶେଷ କରି ୬ ଜଣ ପ୍ରଭାବଶାଳୀ ବିଧାୟକଙ୍କ ମନରେ ଜଳୁଥିବା ପ୍ରତିଶୋଧର ନିଆଁ ଏବେ ଶଙ୍ଖ ଭବନର ଚିନ୍ତା ବଢ଼ାଇ ଦେଇଛି। ବାପାଙ୍କ ଅପମାନ ହେଉ କିମ୍ବା ନିଜ ପ୍ରତି ହୋଇଥିବା ଅବିଚାର, ଏହି ବିଧାୟକମାନେ ଏବେ ‘ଉପଯୁକ୍ତ ସମୟ’କୁ ଅପେକ୍ଷା କରିଛନ୍ତି।
ଓଡ଼ିଶା ରାଜନୀତିରେ ଆଗାମୀ ରାଜ୍ୟସଭା ନିର୍ବାଚନ ଏବେ କେବଳ ଏକ ସାମ୍ବିଧାନିକ ପ୍ରକ୍ରିୟା ହୋଇ ରହିନାହିଁ, ବରଂ ଏହା ‘ପ୍ରତିଶୋଧର ମଇଦାନ’ ପାଲଟିଛି। ବିଜୁ ଜନତା ଦଳର (ବିଜେଡି) ଅନ୍ତଃକନ୍ଦଳ ଏବଂ ବିଧାୟକମାନଙ୍କ ମନରେ ଥିବା ପୁରୁଣା କ୍ଷତକୁ ନେଇ ଆଜିର ଆଲୋଚନା।
ରାଜନୀତିରେ ପ୍ରତିଶୋଧର ଭାବନା ନୂଆ ଘଟଣା ନୁହେଁ। ଯେଉଁଠାରେ କ୍ଷମତା ଓ ସ୍ୱାର୍ଥର ଲଢ଼େଇ ଥାଏ, ସେଠାରେ ଅସନ୍ତୋଷ ଓ ପ୍ରତିଶୋଧର ଭାବନା ମଧ୍ୟ ଜନ୍ମ ନେଇଥାଏ। ବିଜେଡିର କିଛି ବିଧାୟକଙ୍କ ମନରେ ଏହି ପ୍ରତିଶୋଧର ଅଗ୍ନି ଦୀର୍ଘଦିନ ଧରି ଜଳୁଥିବା ଚର୍ଚ୍ଚା ଏବେ ରାଜନୀତିକ ମହଲରେ ଶୁଣିବାକୁ ମିଳୁଛି।
ପାଣ୍ଡିଆନଙ୍କ ହସ୍ତକ୍ଷେପ ଓ ଦଳୀୟ ଅସନ୍ତୋଷ
ବିଜୁ ଜନତା ଦଳର ଶାସନ କାଳରେ ଅନେକ ସମୟରେ ଦଳୀୟ ନେତାମାନେ ଅଭିଯୋଗ କରୁଥିଲେ ଯେ ଶାସନ ବ୍ୟବସ୍ଥାରେ କିଛି ଅନଧିକୃତ ହସ୍ତକ୍ଷେପ ବଢ଼ିଗଲା। ବିଶେଷକରି ଦଳର କିଛି ନେତା ପାଣ୍ଡିଆନଙ୍କ ଭୂମିକାକୁ ନେଇ ଅସନ୍ତୋଷ ପ୍ରକାଶ କରୁଥିଲେ।
ଏହି ପରିସ୍ଥିତିରେ ବାଙ୍କୀ, ଚୌଦ୍ୱାର, ବସ୍ତା, ପାଟକୁରା, ଚମ୍ପୁଆ ଓ ଘଷିପୁରା ଅଞ୍ଚଳର କିଛି ବିଧାୟକଙ୍କ ନାମ ଏବେ ବିଶେଷ ଭାବେ ଚର୍ଚ୍ଚାରେ ଆସୁଛି। ସେମାନଙ୍କ ମନରେ ଥିବା ଅସନ୍ତୋଷ ଏବଂ ପୁରୁଣା ଅପମାନର ସ୍ମୃତି ଏହି ରାଜ୍ୟସଭା ନିର୍ବାଚନରେ କୌଣସି ନୂଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ରାଜନୀତିକ ବିଶ୍ଳେଷକମାନେ କହୁଛନ୍ତି।
ପ୍ରଭାତ ତ୍ରିପାଠୀ ଏବଂ ପ୍ରଭାତ ବିଶ୍ୱାଳ ଏହି ଅସନ୍ତୋଷର ସବୁଠାରୁ ସ୍ପଷ୍ଟ ଉଦାହରଣ। ସେମାନେ ଦଳରେ ଅତ୍ୟଧିକ ହସ୍ତକ୍ଷେପ ଓ ନିଷ୍ପତ୍ତି ନେବା ପ୍ରଣାଳୀକୁ ବିରୋଧ କରିଥିଲେ। ଏହାର ପରିଣାମରେ ସେମାନଙ୍କୁ ଦଳରୁ ବହିଷ୍କୃତ କରାଯାଇଥିଲା। ଏହି ଘଟଣା ସେମାନଙ୍କ ପରିବାର ଓ ସମର୍ଥକମାନଙ୍କ ମନରେ ଗଭୀର ଅସନ୍ତୋଷ ସୃଷ୍ଟି କରିଥିବା କୁହାଯାଉଛି।
ରାଜ୍ୟସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ବିଜୁ ଜନତା ଦଳ ରାଜନୀତିରେ ପ୍ରତିଶୋଧ ରାଜନୀତି ନିଆଁ ସେତିକି ବଢ଼ିବାରେ ଲାଗିଛି। ଏହିକ୍ରମରେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ତାଙ୍କ ବାପା ପ୍ରଭାତ ତ୍ରିପାଠୀଙ୍କ ଅପମାନ କଥାକୁ ମନେପକାଉଛନ୍ତି। ସେହିପରି ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ମଧ୍ୟ ବାପାଙ୍କ ଅପମାନ କଥା ମନେ ପକାଉଛନ୍ତି। ଏପରିକି ବସ୍ତା ବିଧାୟିକା ରାଜନୈତିକ ଦୃଷ୍ଟିକୋଣରୁ ବୟାନ ଦେଉଥିଲେ ହେଁ ସ୍ୱାମୀ ରବିନ୍ଦ୍ର ଜେନାଙ୍କ ଅପମାନ କଥା ମନେ ପକାଉଛନ୍ତି।
ପ୍ରଭାତ ତ୍ରିପାଠୀ ଓ ପ୍ରଭାତ ବିଶ୍ୱାଳ ଦଳରେ ପାଣ୍ଡିଆନଙ୍କ ଅତ୍ୟଧିକ ହସ୍ତକ୍ଷେପକୁ ବିରୋଧ କରି ଦଳରୁ ବହିଷ୍କୃତ ହୋଇଛନ୍ତି। ସେହିପରି ରବିନ୍ଦ୍ର ଜେନା ମଧ୍ୟରେ ଦଳରେ ଏକ ଘରକିଆ ହୋଇଯାଇଥିଲେ। ପ୍ରଭାତ ତ୍ରିପାଠୀ ଓ ପ୍ରଭାତ ବିଶ୍ୱାଳଙ୍କୁ ଦଳ ସରକାର ଥିବା ସମୟରେ ଚିଟ୍ଫଣ୍ଡ ଦୁର୍ନୀତି ମାମଲାରେ ଫସାଇ ଜେଲ ପଠାଇ ଦେଇଥିବାବେଳେ ରବୀନ୍ଦ୍ର ଜେନାଙ୍କ ନାମରେ ଆୟବର୍ହିଭୂତ ସମ୍ପତ୍ତି ମାମଲାରେ ସିବିଆଇ ମାମଲାରେ ଛନ୍ଦି ଦେଇଛି। ଯାହାଫଳରେ ଏହି ତିନି ନେତା ପ୍ରତ୍ୟକ୍ଷ ରାଜନୀତିରୁ ଦୂରେଇ ରହିବାକୁ ବାଧ୍ୟ ହୋଇଛନ୍ତି।
ସୁବାସିନୀଙ୍କ ଦ୍ୱନ୍ଦ୍ୱ ଓ ରବୀନ୍ଦ୍ରଙ୍କ ସ୍ୱାଭିମାନ
ବସ୍ତା ବିଧାୟିକା ସୁବାସିନୀ ଜେନା ଏବେ ଖୋଲାଖୋଲି ଭାବେ ଦଳ ସହ ଥିବା କହୁଥିଲେ ହେଁ, ତାଙ୍କ ସ୍ୱାମୀ ରବୀନ୍ଦ୍ର ଜେନାଙ୍କୁ ଯେଭଳି ଭାବେ ଦଳରେ କୋଣଠେସା କରାଗଲା, ତାହା ସେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ରବୀନ୍ଦ୍ରଙ୍କ ନାମରେ ସିବିଆଇ ମାମଲା ଲଗାଇ ତାଙ୍କୁ ରାଜନୈତିକ ଭାବେ ପଙ୍ଗୁ କରିବା ପଛରେ ଦଳର କିଛି ଗୋଷ୍ଠୀଙ୍କ ହାତ ଥିବା ସେ ସନ୍ଦେହ କରନ୍ତି। ରବୀନ୍ଦ୍ର ଏବେ ବିଜେପିରେ ଯୋଗ ଦେଇ ସାରିଥିବା ବେଳେ ସୁବାସିନୀଙ୍କ ଭୋଟ୍ କେଉଁ ଆଡ଼କୁ ଯିବ, ତାହା ଏବେ ସବୁଠୁ ବଡ଼ ସସପେନ୍ସ।
ଓଡ଼ିଶା ରାଜନୀତିରେ ବିଜୟ ମହାପାତ୍ରଙ୍କ ନାମ ଏକ ବିଡ଼ମ୍ବନା। ଯିଏ ନବୀନ ପଟ୍ଟନାୟକଙ୍କୁ କ୍ଷମତାକୁ ଆଣିଥିଲେ, ତାଙ୍କୁ ହିଁ ନବୀନ ଏପରି ଛୁରୀ ମାରିଲେ ଯେ ସେ ଦୀର୍ଘ ୨୪ ବର୍ଷ ଧରି ନିର୍ବାଚନ ମଇଦାନରୁ ଦୂରେଇ ରହିଲେ। ବିଜୟ ମହାପାତ୍ରଙ୍କୁ ବିଜୁ ଜନତା ଦଳର ଜନ୍ମଦାତା କହିଲେ ଭୁଲ ହେବ ନାହିଁ। ବିଜୟ ମହାପାତ୍ର, ଦିଲ୍ଲୀପ ରାୟ ପ୍ରମୁଖ ନବୀନ ପଟ୍ଟନାୟକଙ୍କୁ ଦିଲ୍ଲୀରୁ ଧରିଆଣି କ୍ଷମତା ରାଜନୀତିର ଶୀର୍ଷରେ ବସାଇଥିଲେ। କ୍ଷମତା ହାସଲ ଠିକ୍ ପୂର୍ବରୁ ନବୀନ ପଟ୍ଟନାୟକ ବିଜୟ ମହାପାତ୍ରଙ୍କୁ ଏପରି ଧୋକା ଦେଲେ ଯେ ସେ ନାଁ ଘରର ନାଁ ଘାଟର ହୋଇପାରିଲେ। ନବୀନଙ୍କ ଚକ୍ରାନ୍ତ ଯୋଗୁଁ ୨୦୦୦ ମସିହାର ବିଧାନସଭା ନିର୍ବାଚନ ଲଢ଼ି ପାରିନଥିଲେ ବିଜୟ ମହାପାତ୍ର। ଏହାପରେ ନବୀନ ପଟ୍ଟନାୟକଙ୍କ ଚକ୍ରାନ୍ତରୁ ନିର୍ବାଚନ ଜିତିପାରିଲେ ନାହିଁ। ଶେଷରେ ଅତି ବେଲଜ୍ୟା ହୋଇ ବିଜୟ ମହାପାତ୍ର ୨୦୨୪ ନିର୍ବାଚନ ଠିକ୍ ପୂର୍ବରୁ ନିଜ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ନବୀନଙ୍କ ପାଦ ତଳେ ସମର୍ପି ଦେଲେ। କିନ୍ତୁ ଯିଏ ଘର ପୋଡ଼ିବ ସେ କ’ଣ ନିଆଁ ଲିଭାଇବ। କଥାରେ ଅଛି ସର୍ପକୂଳେ ଜାତ କଲୁ ମତେ, ସ୍ୱଭାବ ଛାଡ଼ିବି କେମନ୍ତେ। ଯେଉଁ ନବୀନଙ୍କ ଚୋଟ ମାରିବା ପ୍ରବୃତ୍ତି ରହିଛି ସେ ଏଥିରୁ ପରିବର୍ତ୍ତନ ହେବେ କେମିତି। ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଅରବିନ୍ଦ ମହାପାତ୍ରଙ୍କୁ ଜାନୁଆରୀ ୧୫ରେ ଦଳରୁ ନିଲମ୍ବିତ କରାଯାଇଛି। ତେଣୁ ଅରବିନ୍ଦ ବାପାଙ୍କ ଅପମାନ ଓ ନିଜ ପ୍ରତି ହୋଇଥିବା ଅବିଚାର ବିରୋଧରେ ଏବେ ଅଣ୍ଟାଭିଡ଼ି ବାହାରିଛନ୍ତି।
ଚମ୍ପୂଆ ବିଧାୟକ ସନାତନ ମହାକୁଡ଼ଙ୍କୁ ବିଜେଡି ବାରମ୍ବାର ନିଜ ଆୟତ୍ତକୁ ଆଣିବାକୁ ଚେଷ୍ଟା କରିଛି। କେତେବେଳେ ବ୍ୟାଙ୍କ ଏକାଉଣ୍ଟ ଜବତ ତ କେତେବେଳେ ଆର୍ଥିକ କଟକଣା। ୨୦୨୪ରେ ବିଜେଡି ଟିକଟରେ ଜିତିଥିଲେ ବି ସେ ଦଳୀୟ ଅହଂକାରରୁ ବର୍ତ୍ତି ପାରିନାହାନ୍ତି। ୨୦୧୯ ନିର୍ବାଚନରେ ସେ ପ୍ରତିଦ୍ୱନ୍ଦ୍ୱିତା ନ କରି ଦୂରେଇ ରହିଲେ। ୨୦୨୪ରେ ନିର୍ବାଚନ ବିଜେଡି ଟିକଟରେ ଲଢ଼ି ବିଜୟୀ ହେଲେ ସତ ନବୀନଙ୍କ କୋପ ଦୃଷ୍ଟିରୁ ବର୍ତ୍ତି ପାରିଲେ ନାହିଁ। ତେଣୁ ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ସହିତ ଗୋଟିଏ ଚିଠିରେ ନିଲମ୍ବିତ ହୋଇଛନ୍ତି। ଏବେ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟବର୍ତ୍ତୀ ହୋଇଛନ୍ତି। ତେଣୁ ସେ ପୂର୍ବରାଗ ସୁଝାଇବାର ମଉକାକୁ ରାଜ୍ୟସଭା ନିର୍ବାଚନରେ କାମରେ ଲାଗାଇବେ।
ସେହିପରି ବିଜେଡି ଶାସନ କାଳରେ ଘଷିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ର ରୋକଠୋକ କହୁଥିବାରୁ ତାଙ୍କ ଉପରେ ଦଳ ସନ୍ତୁଷ୍ଟ ନ ଥିଲା। ତେଣୁ ନବୀନ ପଟ୍ଟନାୟକଙ୍କ ସରକାର ପୋଲିସ ଲଗାଇ ତାଙ୍କ ପରିବାର ସଦସ୍ୟଙ୍କୁ ବାନ୍ଧୁଥିଲା। ଯାହାକି ତାଙ୍କୁ ବହୁତ କଷ୍ଟ ଦେଇଥିବା ସେ ଅନେକ ଥର କହିଛନ୍ତି। ସେହି ଅପମାନର ପ୍ରତିଶୋଧ ସେ ରାଜ୍ୟସଭା ନିର୍ବାଚନରେ ଅବଶ୍ୟ ନେବେ ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି।
ଏହି ୬ ବିଧାୟକ ଏବେ ବିଜେଡି ପାଇଁ ‘ଟ୍ରୋଜାନ୍ ହର୍ସ’ ସଦୃଶ। ଉପରକୁ ଦଳ ସହ ଥିବା ଭଳି ଦିଶୁଥିଲେ ହେଁ, ସେମାନଙ୍କ ଭିତରେ ଥିବା ପ୍ରତିଶୋଧର ନିଆଁ ଯେକୌଣସି ମୁହୂର୍ତ୍ତରେ ଶଙ୍ଖ ଦୁର୍ଗକୁ ଭସ୍ମ କରିଦେଇପାରେ। ରାଜ୍ୟସଭା ନିର୍ବାଚନରେ ସେମାନଙ୍କର ଏକ ଗୋଟି ଚାଳନା ବିଜେଡି ପାଇଁ ଅତ୍ୟନ୍ତ ମହଙ୍ଗା ପଡ଼ିପାରେ।
AlsoRead; https://purvapaksa.com/two-special-trains-for-odisha/
ଓଡ଼ିଶା ପାଇଁ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍ || Two special trains for Odisha


