ପୁଣି ଥରେ ଅଶାନ୍ତ ହୋଇ ଉଠିଛି ମଣିପୁର । ରାଜ୍ୟରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ପୁନଃସ୍ଥାପିତ ହେବାର ଗୋଟିଏ ଦିନ ପରେ ହିଂସା ଦେଖା ଦେଇଛି । କୁକି ସମ୍ପ୍ରଦାୟର ବିଧାୟକ ନେମଚା କିପଗେନଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ସାମିଲ କରାଯିବାକୁ ନେଇ କୁକି ସଂଗଠନଗୁଡ଼ିକ ଭୟଙ୍କର ପ୍ରତିବାଦ ଆରମ୍ଭ କରିଛନ୍ତି । ଏହାର ପ୍ରଭାବରେ ଚୁରାଚାନ୍ଦପୁର ଜିଲ୍ଲାରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ପାଞ୍ଚଜଣ କୁକି ସମ୍ପ୍ରଦାୟର ବିଧାୟକ ବିଜେପିରେ ଯୋଗଦାନ କରିବା ନିଷ୍ପତ୍ତିକୁ ନେଇ କୁକି ସଂଗଠନମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ବିଶେଷକରି ନେମଚା କିପଗେନଙ୍କୁ ବିଜେପି ନେତୃତ୍ୱାଧୀନ ସରକାରରେ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ନେଇ ପ୍ରତିବାଦ ତୀବ୍ର ହୋଇଥିଲା। ଏହା ପରେ ଚୁରାଚାନ୍ଦପୁର ଜିଲ୍ଲାରେ ହିଂସା ।
ଅଧିକାରୀମାନଙ୍କ କହିବା ଅନୁସାରେ, ପ୍ରତିବାଦକାରୀମାନେ ତୁଇବଙ୍ଗ ବଜାର ନିକଟରେ ଏକତ୍ରିତ ହୋଇ ଟାୟାର ଜାଳି ପ୍ରତିବାଦ କରିଥିଲେ । ରାସ୍ତା ଅବରୋଧ କରାଯାଇଥିବା ସହ ନେମଚା କିପଗେନଙ୍କ ବିରୋଧରେ ନାରାବାଜି କରାଯାଇଥିଲା । ପ୍ରତିବାଦ ଧୀରେଧୀରେ ହିଂସାତ୍ମକ ରୂପ ନେଇଥିଲା। ପରିସ୍ଥିତି ନିୟନ୍ତ୍ରଣ ପାଇଁ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚି ପ୍ରତିବାଦକାରୀଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହା ପରେ ପରିସ୍ଥିତି ଆହୁରି ଖରାପ ହୋଇଥିଲା। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷା ବାହିନୀ ଲାଠିଚାର୍ଜ କରିଥିବା ସୂଚନା ମିଳିଛି। ଏହି ଘଟଣାରେ କେତେକ ପ୍ରତିବାଦକାରୀ ଆହତ ହୋଇଥିବା ଅଭିଯୋଗ ହୋଇଛି।
ଉଲ୍ଲେଖଯୋଗ୍ୟ ଯେ, ମୈତେଇ–କୁକି ବିବାଦରେ ଦୀର୍ଘ ସମୟ ଧରି ଅଶାନ୍ତ ଥିବା ମଣିପୁରରେ ବୁଧବାର ଦିନ ବିଜେପିର ୟୁମନାମ୍ ଖେମଚାନ୍ଦ ସିଂହ ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ତାଙ୍କ ସହିତ କୁକି ବିଧାୟକ ନେମଚା କିପଗେନ୍ ଏବଂ ନାଗା ବିଧାୟକ ଲୋସି ଦିଖୋ ଉପମୁଖ୍ୟମନ୍ତ୍ରୀ ଭାବରେ ମଧ୍ୟ ଶପଥ ଗ୍ରହଣ କରିଥିଲେ। ମଣିପୁରରେ ମୈତେଇ ଓ କୁକି ସମ୍ପ୍ରଦାୟ ମଧ୍ୟରେ ଜାତିଗତ ହିଂସା ୨୦୨୩ ମସିହା ମେ ମାସରେ ଆରମ୍ଭ ହୋଇଥିଲା। ଦୀର୍ଘ ସମୟ ଧରି ଅଶାନ୍ତି ଜାରି ରହିବା ପରେ ଗତ ବର୍ଷ ଫେବୃଆରୀ ମାସରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା। ଏବେ ସରକାର ଗଠନ ପରେ ପୁଣି ହିଂସା ଦେଖାଦେବା ରାଜ୍ୟର ଆଇନ ଓ ଶୃଙ୍ଖଳା ପାଇଁ ଗଭୀର ଚିନ୍ତାର ବିଷୟ ହୋଇଉଠିଛି।
also read https://purvapaksa.com/gun-attack/


