ପଞ୍ଜାବର ଜଳନ୍ଧର ସହରରେ ଶୁକ୍ରବାର ଦିନ ଏକ ଭୟଙ୍କର ଗୁଳିକାଣ୍ଡ ଘଟିଛି । ଆମ୍ ଆଦମୀ ପାର୍ଟିର ଯୁବ ନେତା ଲକି ଓବରୟଙ୍କୁ ଅଜଣା ବ୍ୟକ୍ତି ଗୁଳି କରି ହତ୍ୟା କରିଛନ୍ତି । ଏହି ଘଟଣା ଜଳନ୍ଧରର ମଡେଲ ଟାଉନ ଅଞ୍ଚଳରେ ଥିବା ଗୁରୁଦ୍ୱାର ସାହିବ ନିକଟରେ ଘଟିଥିବା ସୂଚନା ମିଳିଛି । ଦିନ ଦହାଡ଼େ ଘଟିଥିବା ଏହି ଗୁଳିମାଡ଼ ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି ।

ଖବର ଅନୁସାରେ, ଲକି ଓବରୟ ଗୁରୁଦ୍ୱାର ସାହିବ ସମ୍ମୁଖରେ ନିଜ କାରକୁ ପାର୍କ କରୁଥିଲେ । ଏହି ସମୟରେ ଏକ ବାଇକରେ ଆସିଥିବା ଦୁଇଜଣ ଅଜଣା ବ୍ୟକ୍ତି ତାଙ୍କ ଉପରେ ଆଖିବୁଜା ଗୁଳିମାଡ଼ କରିଥିଲେ । କିଛି ବୁଝିବା ପୂର୍ବରୁ ଗୁଳି ତାଙ୍କ ଶରୀରକୁ ବାଜିଥିଲା । ପ୍ରାୟ ୫ଟି ଗୁଳି ତାଙ୍କ ଶରୀରରେ ବାଜିଥିବା ସୂଚନା ମିଳିଛି।
ଗୁଳିମାଡ଼ ପରେ ଲକି ଗୁରୁତର ଅବସ୍ଥାରେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ତାଙ୍କୁ ତୁରନ୍ତ ପାଖରେ ଥିବା ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁ ଖବର ଆସିବା ସହିତ ସହିତ ଆପ୍ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଶୋକର ଛାୟା ଛାଇଯାଇଛି।
ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମଡେଲ ଟାଉନ ଅଞ୍ଚଳକୁ ସିଲ୍ କରାଯାଇଥିବାବେଳେ ଆଖପାଖରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜକୁ ଯାଞ୍ଚ କରାଯାଉଛି। ଦୁଷ୍କର୍ମୀମାନେ କେଉଁ ଦିଗକୁ ପଳାଇଥିଲେ ଏବଂ କେତେ ସମୟ ମଧ୍ୟରେ ଘଟଣାକୁ ଅଞ୍ଜାମ ଦେଇଥିଲେ, ସେନେଇ ପୋଲିସ ତଥ୍ୟ ସଂଗ୍ରହ କରୁଛି।
ଲକି ଓବରୟ ମଡେଲ ଟାଉନ ଅଞ୍ଚଳରେ ଆପ୍ର ଜଣେ ସକ୍ରିୟ ଯୁବ ନେତା ଭାବେ ପରିଚିତ ଥିଲେ। ସେ ଅନେକ ସାମାଜିକ ଓ ରାଜନୈତିକ ପ୍ରସଙ୍ଗରେ ସକ୍ରିୟ ଭାବେ କାମ କରୁଥିଲେ ଏବଂ ଯୁବମାନଙ୍କ ମଧ୍ୟରେ ତାଙ୍କର ଭଲ ପ୍ରଭାବ ଥିଲା। ତେବେ ତାଙ୍କ ହତ୍ୟା ପଛରେ କୌଣସି ପୁରୁଣା ଶତ୍ରୁତା, ରାଜନୈତିକ ବିରୋଧ କିମ୍ବା ଅନ୍ୟ କୌଣସି କାରଣ ରହିଛି କି ନାହିଁ, ସେନେଇ ପୋଲିସ ଗଭୀର ତଦନ୍ତ କରୁଛି। ଦିନ ଦହାଡ଼େ ଏଭଳି ହତ୍ୟା ଘଟଣା ପଞ୍ଜାବର ଆଇନ ଓ ଶୃଙ୍ଖଳାକୁ ନେଇ ପୁଣିଥରେ ପ୍ରଶ୍ନ ଉଠାଇଛି। ସାଧାରଣ ଲୋକ ଦୋଷୀମାନଙ୍କୁ ଶୀଘ୍ର ଗିରଫ କରି କଠୋର ଶାସନ ଦେବାକୁ ଦାବି କରୁଛନ୍ତି।
also read https://purvapaksa.com/cuttack-court/
https://purvapaksa.com/cuttack-court/


