ପଶ୍ଚିମବଙ୍ଗରେ ଚାଲୁଥିବା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା, ଅର୍ଥାତ ‘Special Intensive Revision (SIR)’କୁ ନେଇ ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଛି । ଏହି ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ସୁପ୍ରିମକୋର୍ଟରେ ଉପସ୍ଥିତ ରହି ନିର୍ବାଚନ କମିଶନ ଅଫ୍ ଇଣ୍ଡିଆ (ECI)ଙ୍କ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ତୀବ୍ର ଭାବେ ବିରୋଧ କରିଛନ୍ତି।

ଶୁଣାଣି ସମୟରେ ମମତା ବାନାର୍ଜୀ ନିଜେ ଯୁକ୍ତି ଉପସ୍ଥାପନ କରି ନିର୍ବାଚନ କମିଶନ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି । ସେ ନିର୍ବାଚନ କମିଶନକୁ ‘ହ୍ୱାଟ୍ସଆପ୍ କମିଶନ’ ବୋଲି କହି ସିଧାସଳଖ ଟାର୍ଗେଟ୍ କରିଥିବା ଘଟଣା ରାଜନୈତିକ ମହଲରେ ଭାରି ଚର୍ଚ୍ଚା ସୃଷ୍ଟି କରିଛି। ମମତାଙ୍କ ଅଭିଯୋଗ ଅନୁଯାୟୀ, ‘Special Intensive Revision’ ନାମରେ ଲକ୍ଷ ଲକ୍ଷ ବୈଧ ଭୋଟରଙ୍କ ନାମ ତାଲିକାରୁ କଟାଯାଉଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଭୋଟର କଟକଣାରେ ଅଧିକାଂଶ ମହିଳା ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକ ଲକ୍ଷ୍ୟ ବସ୍ତୁ ହେଉଛନ୍ତି, ଯାହା ଗଣତନ୍ତ୍ର ପାଇଁ ଗଭୀର ଆପଦ ସୃଷ୍ଟି କରୁଛି। ଏହା ସହିତ ପ୍ରାୟ ୩,୮୦୦ ମାଇକ୍ରୋ-ଅବଜରଭରଙ୍କ ନିଯୁକ୍ତିକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି।

ମମତାଙ୍କ ଅଭିଯୋଗ ଅନୁସାରେ, ସ୍ଥାନୀୟ ଅଧିକାରୀଙ୍କୁ ଅବହେଳା କରି ବାହାର ରାଜ୍ୟର ଅଧିକାରୀଙ୍କୁ ଭୋଟର ତାଲିକା ସଂଶୋଧନ କାମରେ ନିଯୁକ୍ତ କରାଯାଉଛି, ଯାହା ମାଧ୍ୟମରେ ଭୋଟର ତାଲିକାରେ ହେରଫେର କରାଯାଉଛି। ଏହା ଏକ ପ୍ରକାର ରାଜନୈତିକ ହସ୍ତକ୍ଷେପ ବୋଲି ସେ ଦାବି କରିଛନ୍ତି।
ମାମଲାକୁ ଗୁରୁତ୍ୱ ସହ ଗ୍ରହଣ କରି ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ନିର୍ବାଚନ କମିଶନଙ୍କୁ ନୋଟିସ୍ ଜାରି କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୦ ତାରିଖରେ ହେବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖନୀୟ ଯେ, ଏସଆଇଆର ପ୍ରସଙ୍ଗକୁ ନେଇ ଦୁଇ ଦିନ ପୂର୍ବରୁ ମମତା ବାନାର୍ଜୀ ନିର୍ବାଚନ କମିଶନଙ୍କ ସହ ସାକ୍ଷାତ କରିଥିଲେ। ସେଠାରେ ମଧ୍ୟ ସିଇସିଙ୍କ ବିରୋଧରେ ଗଦାଗଦା ଅଭିଯୋଗ ଆଣି ନିର୍ବାଚନ କମିଶନ ମିଛ କହୁଛି ବୋଲି ମମତା ଦାବି କରିଥିଲେ। “ଏପରି ନିର୍ବାଚନ କମିଶନକୁ ମୁଁ କେବେ ଦେଖିନଥିଲି,” ବୋଲି ସେ କହିଥିଲେ । ଏହି ମାମଲା ଆସନ୍ତା ଦିନଗୁଡ଼ିକରେ ଦେଶର ରାଜନୀତିରେ ବଡ଼ ପ୍ରଭାବ ପକାଇବ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ପ୍ରକାଶ କରୁଛନ୍ତି।
also read https://purvapaksa.com/honeymoonmurder/


