ମଙ୍ଗଳବାର ଦିନ ଲୋକସଭାର ବଜେଟ୍ ଅଧିବେଶନ ସମୟରେ ଏକ ବଡ଼ ରାଜନୈତିକ ହଟ୍ଟଗୋଳ ଦେଖିବାକୁ ମିଳିଛି । ଗୃହ ଚାଲିଥିବା ବେଳେ କିଛି ବିରୋଧୀ ସାଂସଦ ଦୁଇଥର ବାଚସ୍ପତିଙ୍କ ଚୌକି ଆଡ଼କୁ କାଗଜ ଫିଙ୍ଗିଥିବା ଅଭିଯୋଗ ଆସିଛି। ଏହି ଘଟଣା ପରେ ଗୃହରେ ତୀବ୍ର ହୋହଲ୍ଲା ସୃଷ୍ଟି ହୋଇଥିଲା ଓ ଲୋକସଭାର କାର୍ଯ୍ୟକାଳ ସ୍ଥଗିତ କରାଯାଇଥିଲା ।

ଏହି ହଟ୍ଟଗୋଳରେ ସାମିଲ ଥିବା ୮ ଜଣ ବିରୋଧୀ ସାଂସଦଙ୍କ ବିରୋଧରେ ବାଚସ୍ପତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ନିୟମ ୩୭୪୨ ଅନୁଯାୟୀ ଅମରିନ୍ଦର ସିଂହ ରାଜା ୱାରିଂ, ହିବି ଏଡେନ୍, ମାନିକମ୍ ଟାଗୋର ବି, ଗୁରଜିତ ସିଂହ ଆଉଜଲା, ପ୍ରଶାନ୍ତ ଯାଦବରାଓ ପାଡୋଲେ, କିରଣ କୁମାର ରେଡ୍ଡୀ, ଏସ. ଭେଙ୍କଟେସନ ଓ ଡିନ୍ କୁରିଆକୋସେଙ୍କୁ ବଜେଟ୍ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ଲୋକସଭାରୁ ନିଲମ୍ବିତ କରାଯାଇଛି ।
ଏହି ଘଟଣା ପରେ ଲୋକସଭାକୁ ବୁଧବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ଗୃହ ମୁଲତବୀ ହେବା ସହିତ ବିରୋଧୀ ସାଂସଦମାନେ ସଂସଦ ଗୃହରୁ ବାହାରି ଆସି ସଂସଦ ପରିସରରେ ଧାରଣା ଓ ପ୍ରତିବାଦ କରିଥିଲେ। ଏହି ପ୍ରତିବାଦରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଯୋଗ ଦେଇଥିଲେ। ପ୍ରତିବାଦ ସମୟରେ ବିରୋଧୀ ସାଂସଦମାନେ ସରକାର ବିରୋଧରେ ସ୍ଲୋଗାନ ଦେଇଥିଲେ ଓ ଗଣତନ୍ତ୍ର ଉପରେ ଆକ୍ରମଣ ହେଉଥିବା ଅଭିଯୋଗ କରିଥିଲେ।

ଏହି ନିଲମ୍ବନ ନିଷ୍ପତ୍ତିକୁ ନେଇ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କଡ଼ା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ଏହା ଏକ ନିନ୍ଦନୀୟ ଏବଂ ଅଯୁକ୍ତିମୂଳକ କାର୍ଯ୍ୟ। ଗଣତନ୍ତ୍ରରେ ପ୍ରତ୍ୟେକ ସାଂସଦଙ୍କର କହିବା ଓ ଶୁଣାଯିବାର ଅଧିକାର ରହିଛି। ଏଭଳି ଭାବେ ସଦସ୍ୟମାନଙ୍କୁ ନିଲମ୍ବିତ କରିବା ଗଣତନ୍ତ୍ରୀୟ ପରମ୍ପରା ପାଇଁ ଭଲ ସଙ୍କେତ ନୁହେଁ।”
ଅନ୍ୟପଟେ, କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଏହି ହୋହଲ୍ଲାକୁ କଠୋର ଭାଷାରେ ନିନ୍ଦା କରିଛନ୍ତି । ସେ କହିଛନ୍ତି, “ଆଜି ଲୋକସଭାରେ ସମସ୍ତ ସୀମା ଅତିକ୍ରମ କରାଯାଇଛି । ଜଣେ ସାଧାରଣ ସମ୍ପାଦକଙ୍କ ଟେବୁଲ ଉପରେ ଚଢ଼ି କାଗଜପତ୍ର ଚିରିଦେବା ଏକ ଖରାପ ମନୋଭାବକୁ ପ୍ରକାଶ କରେ । ଗୃହ ନିୟମ ଓ ଶିଷ୍ଟାଚାର ଅନୁଯାୟୀ ଚାଲିବା ଦରକାର। ଅନୁଶାସନହୀନତା ସହିତ ଗୃହ କାମ କରିପାରିବ ନାହିଁ । ଲୋକସଭାରେ ଘଟିଥିବା ଏହି ହଟ୍ଟଗୋଳ ଘଟଣା ଗଣତନ୍ତ୍ରୀୟ ମର୍ଯ୍ୟାଦା, ଗୃହ ଶିଷ୍ଟାଚାର ଓ ସାଂସଦମାନଙ୍କ ଆଚରଣକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ସୃଷ୍ଟି କରିଛି।
also read https://purvapaksa.com/arun-is-against-the-law/


