ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀରେ ଲୋକେ ନିଜ ସ୍ୱାସ୍ଥ୍ୟ ପ୍ରତି ଧୀରେ ଧୀରେ ଅବହେଳା କରୁଛନ୍ତି । ଅଫିସ୍ କାମ, ସ୍କୁଲ୍–କଲେଜ୍ ପଢ଼ା, ଦୀର୍ଘ ଯାତ୍ରା, ଟ୍ରାଫିକ୍ ଜାମ୍ କିମ୍ବା ପାଖରେ ଶୌଚାଳୟ ନଥିବା ଭଳି ପରିସ୍ଥିତିରେ ଅନେକେ ଜାଣିଶୁଣି ପରିସ୍ରାକୁ ଅଟକାଇ ରଖୁଛନ୍ତି । ଆମେ ଭାବୁଥାଉ — “ଆଉ ଟିକେ ସମୟ ଧରି ରଖିଲେ କିଛି ହେବ ନାହିଁ।” କିନ୍ତୁ ବିଶେଷଜ୍ଞମାନଙ୍କ ମତରେ, ଏହି ଛୋଟ ଅଭ୍ୟାସ ଦୀର୍ଘ ସମୟରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ ।

ଡାକ୍ତରମାନଙ୍କ କହିବା ଅନୁସାରେ, ବୃକକ୍ (Kidney) ନିରନ୍ତର ଭାବରେ ରକ୍ତକୁ ସଫା କରି ପରିସ୍ରା ତିଆରି କରେ । ଏହି ପରିସ୍ରା ମୂତ୍ରାଶୟରେ ସଂଗ୍ରହ ହୋଇଥାଏ ଏବଂ ସମୟ ହେଲେ ବାହାରକୁ ନିଷ୍କାସିତ ହୁଏ । କିନ୍ତୁ ଯେତେବେଳେ ଆମେ ଦୀର୍ଘ ସମୟ ପର୍ଯ୍ୟନ୍ତ ପରିସ୍ରାକୁ ଅଟକାଇ ରଖୁ, ସେତେବେଳେ ମୂତ୍ରାଶୟରେ ଅତ୍ୟଧିକ ଚାପ ସୃଷ୍ଟି ହୁଏ । ଏହି ଚାପ ଧୀରେଧୀରେ ବୃକକ୍ ଉପରେ ପ୍ରଭାବ ପକାଏ ଏବଂ କେତେକ କ୍ଷେତ୍ରରେ ପରିସ୍ରା ପୁଣି ବୃକକ୍ କୁ ଫେରିଯିବା ଆରମ୍ଭ କରେ, ଯାହା ବୃକକ୍ କାର୍ଯ୍ୟକ୍ଷମତାକୁ କ୍ଷତି ପହଞ୍ଚାଏ ।
ପରିସ୍ରା ଶରୀରରୁ ବିଷାକ୍ତ ପଦାର୍ଥ, ବ୍ୟାକ୍ଟେରିଆ ଏବଂ ଅତିରିକ୍ତ ଲୁଣ ବାହାର କରିବାର ମୁଖ୍ୟ ଉପାୟ । ପରିସ୍ରାକୁ ଧରି ରଖିଲେ ଏହି ସମସ୍ତ ଅପରିଷ୍କାର ପଦାର୍ଥ ଶରୀରରେ ଜମା ହୁଏ । ଫଳରେ ବୃକକ୍ ଉପରେ ଅତିରିକ୍ତ ଚାପ ପଡ଼େ ଏବଂ ବୃକକ୍ କୋଷଗୁଡ଼ିକ ଧୀରେଧୀରେ ଦୁର୍ବଳ ହୋଇଯାନ୍ତି । ଦୀର୍ଘ ସମୟ ଧରି ଏହି ଅଭ୍ୟାସ ଜାରି ରହିଲେ କିଡନୀ ଫେଲିଅର୍ ଭଳି ଗୁରୁତର ସମସ୍ୟା ମଧ୍ୟ ହୋଇପାରେ ।
ଏହା ସହିତ, ପରିସ୍ରା ଧରି ରଖିବା ଦ୍ୱାରା ମୂତ୍ରନଳୀ ସଂକ୍ରମଣ (UTI) ହେବାର ସମ୍ଭାବନା ବହୁତ ବଢ଼ିଯାଏ । ପରିସ୍ରାରେ ଥିବା ବ୍ୟାକ୍ଟେରିଆ ବାହାରକୁ ଯାଇନପାରି ମୂତ୍ରନଳୀରେ ବଢ଼ିଥାଏ । ଏଥିରୁ ପରିସ୍ରା ସମୟରେ ଜଳାପୋଡ଼ା, ବାରମ୍ବାର ପରିସ୍ରା ହେବାର ଇଚ୍ଛା, ଦୁର୍ଗନ୍ଧଯୁକ୍ତ ପରିସ୍ରା, ପେଟ ଓ ପିଠି ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଯାଏ । ମହିଳାମାନେ ଏହି ସମସ୍ୟାରେ ଅଧିକ ପୀଡ଼ିତ ହୁଅନ୍ତି, ହେଲେ ପୁରୁଷମାନେ ମଧ୍ୟ ଏଥିରୁ ବଞ୍ଚିତ ନୁହଁନ୍ତି ।

ଯଦି କମ୍ ପାଣି ପିଇ ପରିସ୍ରାକୁ ରୋକି ରଖାଯାଏ, ତେବେ ପରିସ୍ରା ଅଧିକ ଘନୀଭୂତ ହୋଇ କିଡନୀରେ ପଥର ସୃଷ୍ଟି କରିପାରେ । କିଡନୀ ପଥର ଯୋଗୁଁ ଅସହ୍ୟ ଯନ୍ତ୍ରଣା, ବାନ୍ତି ଏବଂ ପରିସ୍ରାରେ ରକ୍ତ ପଡ଼ିବା ଭଳି ସମସ୍ୟା ଦେଖାଯାଏ । କେତେକ ମାମଲାରେ ଅସ୍ତ୍ରୋପଚାର ମଧ୍ୟ ଆବଶ୍ୟକ ହୋଇପାରେ ।
ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି ଯେ, ଯେତେବେଳେ ଇଚ୍ଛା ହୁଏ ସେତେବେଳେ ନିଶ୍ଚୟ ପରିସ୍ରା କରନ୍ତୁ, ପ୍ରଚୁର ପାଣି ପିଅନ୍ତୁ ଏବଂ ନିଜ ଶରୀରର ସଙ୍କେତକୁ କେବେବି ଅବହେଳା କରନ୍ତୁ ନାହିଁ । ଛୋଟ ସଚେତନତା ଆଗାମୀ ଦିନରେ ବଡ଼ ରୋଗରୁ ଆପଣଙ୍କୁ ରକ୍ଷା କରିପାରିବ ।
also read https://purvapaksa.com/bhadrak/
Bhadrak ।। ଚାକିରି ଚାଲିଯିବାରୁ ବେହୋସ ହୋଇଗଲେ ମହିଳା , ମେଡିକାଲରେ ଭର୍ତ୍ତି


