ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରେ କାର୍ଯ୍ୟରତ ଟାଟା ପାୱାର କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଓ ଅସନ୍ତୋଷ ସୃଷ୍ଟି କରିଛି ହଠାତ୍ ଛଟେଇ ନିଷ୍ପତ୍ତି । ଚାକିରି ହରାଇବାର ଖବର ଶୁଣି ଜଣେ ମହିଳା କର୍ମଚାରୀ ବେହୋସ ହୋଇପଡ଼ିଥିବା ଘଟଣା ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଉଠିଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଧାମନଗର ମେଡିକାଲରେ ଭର୍ତ୍ତି କରାଯାଇଛି ।

ବେହୋସ ହୋଇଥିବା ମହିଳା ହେଲେ ଦୋବଲ ପଞ୍ଚାୟତ ଅଧୀନ ଇଟୁଆ ଗାଁର ମାନସୀ ବାରିକ । ସେ ପ୍ରାୟ ୪ ବର୍ଷ ଧରି ଧାମନଗର ଟାଟା ପାୱାରର କଷ୍ଟମର କେୟାର ବିଭାଗରେ ନିଷ୍ଠାର ସହ କାର୍ଯ୍ୟ କରୁଥିଲେ । ପରିବାରର ମୁଖ୍ୟ ଆର୍ଥିକ ଭାର ବୋହୁଥିବା ମାନସୀଙ୍କ ପାଇଁ ଏହି ଚାକିରି ଥିଲା ଜୀବିକାର ଏକମାତ୍ର ଉପାୟ ।ସୂଚନା ଅନୁସାରେ, ଆଜି ସକାଳେ ଡିଉଟି ସମୟରେ ତାଙ୍କୁ ଅଚାନକ ଜଣାଇ ଦିଆଯାଇଥିଲା ଯେ ତାଙ୍କର ଚାକିରି ଆଉ ନାହିଁ । କୌଣସି ପୂର୍ବ ସୂଚନା କିମ୍ବା କାରଣ ନ ଦେଇ ଏଭଳି ଖବର ଶୁଣି ସେ ହଠାତ୍ ମାନସିକ ଆଘାତରେ ବେହୋସ ହୋଇ ତଳେ ପଡ଼ିଯାଇଥିଲେ । ଘଟଣା ସ୍ଥଳରେ ଉପସ୍ଥିତ ସହକର୍ମୀମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଧାମନଗର ମେଡିକାଲରେ ଭର୍ତ୍ତି କରିଥିଲେ ।
ଡାକ୍ତରମାନଙ୍କ କହିବା ଅନୁସାରେ, ମାନସୀଙ୍କ ଅବସ୍ଥା ଗୁରୁତର ଥିଲେ ମଧ୍ୟ ବର୍ତ୍ତମାନ ସ୍ଥିର ଅଛି । ତାଙ୍କୁ ଭୟଙ୍କର ମାନସିକ ଚାପ ଓ ରକ୍ତଚାପ ହ୍ରାସ ଯୋଗୁଁ ଏଭଳି ସମସ୍ୟା ହୋଇଥିବା ଅନୁମାନ କରାଯାଇଛି ।ଘଟଣାର ଖବର ପାଇ କର୍ମଚାରୀ ଭଦ୍ରକ ସଂଘର ସାଧାରଣ ସମ୍ପାଦକ ଦୀପକ ବାରିକ ଓ ଅର୍ଗାନାଇଜିଂ ସେକ୍ରେଟାରୀ ବସନ୍ତ ମହାନ୍ତି ଧାମନଗର ମେଡିକାଲରେ ପହଞ୍ଚି ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲେ । ସେମାନେ ଟାଟା ପାୱାର ପକ୍ଷରୁ ହୋଇଥିବା ଏଭଳି ଅଚାନକ ଛଟେଇକୁ ତୀବ୍ର ନିନ୍ଦା କରିଛନ୍ତି ।
ସଂଘ ପକ୍ଷରୁ କୁହାଯାଇଛି ଯେ, ଦୀର୍ଘ ବର୍ଷ ଧରି କାମ କରୁଥିବା ପୁରୁଣା କର୍ମଚାରୀଙ୍କୁ ହଠାତ୍ ବାହାର କରି ନୂଆ ଏଜେନ୍ସି ମାଧ୍ୟମରେ ନିଯୁକ୍ତି ଦେବା ଅନ୍ୟାୟ ଓ ଅମାନବୀୟ । ପୁରୁଣା କର୍ମଚାରୀଙ୍କୁ ତୁରନ୍ତ ପୁନର୍ବାର ନିଯୁକ୍ତି ଦେବାକୁ ସେମାନେ ଦାବି କରିଛନ୍ତି ।ଯଦି ଏହି ଦାବି ପୂରଣ ନହୁଏ, ତେବେ ଆଗାମୀ ଦିନରେ ଟାଟା ପାୱାର ବିରୋଧରେ ବଡ଼ ଆନ୍ଦୋଳନ କରାଯିବ ବୋଲି କର୍ମଚାରୀ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି ଘଟଣା ଶ୍ରମିକ ସୁରକ୍ଷା ଓ କର୍ମଚାରୀଙ୍କ ମାନସିକ ସ୍ୱାସ୍ଥ୍ୟ ନେଇ ପୁନଃ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛି ।
also read https://purvapaksa.com/gold-rate-today-3/


