ସାଧାରଣତଃ ପିଆଜ ଆମ ଦୈନିକ ଖାଦ୍ୟର ଏକ ଅଭିନ୍ନ ଅଂଶ । ସାଲାଡ୍ ହେଉ କି ରାନ୍ଧଣା, ପିଆଜ ବିନା ଖାଦ୍ୟକୁ ଅଧୂରା ବୋଲି ଲାଗେ । ପିଆଜ ଯେପରି ସ୍ୱାସ୍ଥ୍ୟ ପାଇଁ ଉପକାରୀ, ସେହିପରି ପିଆଜର ଷଣ୍ଢା ଓ ପତ୍ର ମଧ୍ୟ ଅନେକ ପୋଷକ ଗୁଣରେ ଭରପୁର। ଅନେକ ଲୋକ ପିଆଜ ଷଣ୍ଢାକୁ ଅବହେଳା କରି ଫିଙ୍ଗି ଦିଅନ୍ତି, କିନ୍ତୁ ପୋଷଣ ବିଶେଷଜ୍ଞମାନଙ୍କ ମତରେ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ।
ପିଆଜ ଷଣ୍ଢାରେ କାର୍ବୋହାଇଡ୍ରେଟ୍, ଭିଟାମିନ୍ C, ଭିଟାମିନ୍ A, ପ୍ରୋଟିନ୍, କ୍ୟାଲସିୟମ୍, ଫସଫରସ୍ ଓ ସଲଫର ଭଳି ଅନେକ ଆବଶ୍ୟକୀୟ ପୋଷକତତ୍ୱ ମିଳିଥାଏ। ଏହାର ପତ୍ରଗୁଡ଼ିକ ଫାଇବରରେ ଭରପୁର ଥିବାରୁ ପାଚନ ପ୍ରଣାଳୀକୁ ସୁସ୍ଥ ରଖିବାରେ ସହାୟକ।

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ
ପିଆଜ ଷଣ୍ଢାରେ ଥିବା ଭିଟାମିନ୍ C ଓ A ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରେ। ଏଥିରେ ଥିବା ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ସଂକ୍ରମଣ ଓ ସାଧାରଣ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରେ। ନିୟମିତ ଭାବେ ପିଆଜ ଷଣ୍ଢା ଖାଇଲେ ଥଣ୍ଡା, କାଶ, ଜ୍ୱର ପରି ସମସ୍ୟାରୁ ରକ୍ଷା ମିଳିପାରେ।
ଗ୍ୟାସ ଓ ପାଚନ ସମସ୍ୟାରେ ରାହାତ
ପିଆଜ ଷଣ୍ଢା ପେଟର ଗ୍ୟାସ, ଏସିଡ଼ିଟି ଓ କୋଷ୍ଠକାଠିନ୍ୟ ସମସ୍ୟାକୁ କମ କରେ। କଞ୍ଚା ପିଆଜ ଖାଇଲେ ପାଟିରୁ ଦୁର୍ଗନ୍ଧ ହୁଏ, କିନ୍ତୁ ପିଆଜ ଷଣ୍ଢା ମୁହଁର ଦୁର୍ଗନ୍ଧ ଦୂର କରିଥାଏ। ଯଦି ପେଟ ପୋଡା ବା ଗ୍ୟାସ ହେଉଛି, ତେବେ ପିଆଜ ଷଣ୍ଢାକୁ ସାଲାଡ୍ ଆକାରରେ ଖାଇବା ଉପକାରୀ।
ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ
ଡାଇବେଟିସ ରୋଗୀଙ୍କ ପାଇଁ ପିଆଜ ଷଣ୍ଢା ଖୁବ୍ ଉପଯୋଗୀ। ଏଥିରେ ଥିବା ସଲଫର ଶରୀରରେ ଇନସୁଲିନ୍ ଉତ୍ପାଦନ କ୍ଷମତାକୁ ବଢ଼ାଇଥାଏ, ଯାହା ରକ୍ତରେ ଶର୍କରା ମାତ୍ରାକୁ ନିୟନ୍ତ୍ରଣରେ ରଖେ। ଏହା ସହିତ ଏଥିରେ ଥିବା ଏଲିଲ ସଲଫାଇଟ୍ ଓ ଫ୍ଲାଭୋନଏଡ୍ କ୍ୟାନ୍ସର ପ୍ରତିରୋଧକ ଗୁଣ ଧାରଣ କରେ।
ଉଚ୍ଚ ରକ୍ତଚାପ ନିୟନ୍ତ୍ରଣରେ ସାହାଯ୍ୟ
ଉଚ୍ଚ ରକ୍ତଚାପରେ ପୀଡ଼ିତ ଲୋକଙ୍କ ପାଇଁ ପିଆଜ ଷଣ୍ଢା ଏକ ପ୍ରାକୃତିକ ଔଷଧ ସମାନ। ଏଥିରେ ଥିବା ସଲଫର ଗୁଣ ରକ୍ତଚାପକୁ ସନ୍ତୁଳିତ କରିବାରେ ସାହାଯ୍ୟ କରେ। ସେହିପରି, ପିଆଜ ଷଣ୍ଢାକୁ ସାଲାଡ୍, ତରକାରୀ କିମ୍ବା ସୁପ୍ ଆକାରରେ ନିଜ ଦୈନିକ ଆହାରରେ ସାମିଲ କଲେ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା ମିଳିପାରିବ।
also read https://purvapaksa.com/bedroom/


