ଅସ୍ତରଙ୍ଗ ସମୁଦ୍ରରେ କୁମ୍ଭୀର ଦେଖାଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି। ସାଧାରଣତଃ କୁମ୍ଭୀର ନଦୀ, ନାଳ, ଜଳାଶୟ କିମ୍ବା ଜଙ୍ଗଲି ଅଞ୍ଚଳରେ ଦେଖିବାକୁ ମିଳିଥାଏ। କିନ୍ତୁ ପୁରୀ ଜିଲ୍ଲା ଅନ୍ତର୍ଗତ ଅସ୍ତରଙ୍ଗ ଅଞ୍ଚଳର ଯାହାନିଆ ନିକଟ ସମୁଦ୍ର କୂଳରେ କୁମ୍ଭୀର ଦେଖାଯିବା ଏକ ଅସାଧାରଣ ଓ ଭୟଙ୍କର ଘଟଣା ଭାବେ ସାମ୍ନାକୁ ଆସିଛି।

ସୂଚନା ଅନୁସାରେ, ଏହି କୁମ୍ଭୀରଟି ପ୍ରଥମେ ଦେବୀ ନଦୀର ବିଭିନ୍ନ ଅଞ୍ଚଳରେ ଦେଖାଯାଇଥିଲା। ନଦୀ କୂଳିଆ ଲୋକମାନଙ୍କ ମଧ୍ୟରେ ତାହା ଭୟର ବାତାବରଣ ସୃଷ୍ଟି କରିଥିଲା। କୁମ୍ଭୀର ଦେଖାଯିବା ପରେ ଦେବୀନଦୀକୁ ଯାତାୟାତ ପ୍ରାୟ ଏକପ୍ରକାର ବନ୍ଦ ହୋଇଯାଇଥିଲା। ଦୀର୍ଘ କିଛି ମାସ ଧରି ଏହି କୁମ୍ଭୀରଟି ନଦୀ ଅଞ୍ଚଳରେ ଘୁରୁଥିବାର ଖବର ମିଳୁଥିଲା।
କିଛି ମାସ ପରେ ହଠାତ୍ ଏହି କୁମ୍ଭୀରଟି ଅସ୍ତରଙ୍ଗ ସମୁଦ୍ରରେ ଦେଖାଯିବା ପରେ ସମୁଦ୍ର କୂଳିଆ ଗାଁ ଗୁଡ଼ିକରେ ଭୟ ଓ ଆତଙ୍କ ଖେଳିଯାଇଛି। ଆଜି ସକାଳୁ କେତେକ ମାଛଧରାଳି ସମୁଦ୍ର କୂଳକୁ ଆସିଥିବା ବେଳେ ଏହି କୁମ୍ଭୀରଟି ସମୁଦ୍ର କୂଳରେ ଆସି ଖରା ଖାଉଥିବା ଦେଖିଥିଲେ। ହଠାତ୍ ସମୁଦ୍ର କୂଳରେ କୁମ୍ଭୀରକୁ ଦେଖି ସେମାନେ ଭୟଭୀତ ହୋଇପଡ଼ିଥିଲେ।
ଭୟ ସତ୍ତ୍ୱେ ମାଛଧରାଳିମାନେ ସାହସ ଦେଖାଇ ମୋବାଇଲ ଫୋନରେ କୁମ୍ଭୀରର ଭିଡିଓ ଧରିଥିଲେ। ଲୋକମାନଙ୍କୁ ଦେଖି କୁମ୍ଭୀରଟି ସମୁଦ୍ର ମଧ୍ୟକୁ ଚାଲିଯାଇ ପହଁରିବା ଆରମ୍ଭ କରିଥିଲା। ସମୁଦ୍ର ମଧ୍ୟରେ ବିଶାଳ କୁମ୍ଭୀର ପହଁରୁଥିବା ଦୃଶ୍ୟ ଦେଖି ସମସ୍ତେ ଆତଙ୍କିତ ହୋଇଯାଇଥିଲେ।
ଘଟଣା ସମ୍ପର୍କରେ ଖବର ପାଇ ଅସ୍ତରଙ୍ଗ ବନ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ବନ ବିଭାଗ ପକ୍ଷରୁ କୁମ୍ଭୀରର ଗତିବିଧି ଉପରେ ନଜର ରଖାଯାଇଛି ଏବଂ ସାଧାରଣ ଲୋକଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ସତର୍କ କରାଯାଉଛି।
ସମୁଦ୍ର କୂଳିଆ ଲୋକେ ଜଙ୍ଗଲରୁ ଜାଳେଣୀ ସଂଗ୍ରହ, ଛେଳି ଓ ଗାଈଗୋରୁ ଚରାଇବା ସହ ମାଛଧରା କରି ଜୀବିକା ନିର୍ବାହ କରନ୍ତି। କିନ୍ତୁ ସମୁଦ୍ରରେ ଏହି କୁମ୍ଭୀର ଭାସୁଥିବା ଦେଖିବା ପରେ ସେମାନେ ଗଭୀର ଭୟରେ ରହିଛନ୍ତି। ଦୀର୍ଘ ସମୟ ଧରି ଦେବୀନଦୀ ଓ ସମୁଦ୍ର ମଧ୍ୟରେ କୁମ୍ଭୀର ଚଳାଚଳ କରୁଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ ତାହାକୁ ଉଦ୍ଧାର କରାଯାଇନଥିବାରୁ ପୁରୀ ବନ୍ୟପ୍ରାଣୀ ଉପଖଣ୍ଡ ପ୍ରତି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି।
also read https://purvapaksa.com/bedroom/


