ଭକ୍ତି, ସେବା ଏବଂ ସାମାଜିକ ସୁରକ୍ଷାକୁ ଏକାସାଥିରେ ନେଇ ଆସୁଥିବା ଓଡ଼ିଶା ସରକାରଙ୍କ ନୂଆ ଯୋଜନା ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା (SJDY) ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏହି ଯୋଜନା ମାଧ୍ୟମରେ ଗରିବ ଓ ଅସହାୟ ଭକ୍ତମାନଙ୍କୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଯାତ୍ରା, ପବିତ୍ର ଦର୍ଶନ ଏବଂ ମାଗଣା ମହାପ୍ରସାଦ ସୁବିଧା ମିଳିବ।ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି ୬୦ ରୁ ୭୫ ବର୍ଷ ବୟସର ବୃଦ୍ଧ ଏବଂ ୭୫ ବର୍ଷ ପର୍ଯ୍ୟନ୍ତ ବିଧବା ମହିଳାମାନଙ୍କୁ ଜଗନ୍ନାଥ ଦର୍ଶନର ସୁଯୋଗ ଦେବା। ସରକାର ଏହି ଯୋଜନାକୁ ଏକ ମାନବିକ ଏବଂ ଧାର୍ମିକ ପଦକ୍ଷେପ ଭାବେ ଦେଖୁଛନ୍ତି।

ତେବେ ଯୋଜନା ଆରମ୍ଭ ପୂର୍ବରୁ ହିତାଧିକାରୀଙ୍କ ଠାରୁ ସମ୍ମତି ଫର୍ମ ସଂଗ୍ରହ କାର୍ଯ୍ୟ ଧୀର ଗତିରେ ଚାଲୁଥିବା ଦେଖାଯାଇଛି। ଏହାକୁ ନେଇ ପର୍ଯ୍ୟଟନ ବିଭାଗ ଚିନ୍ତା ପ୍ରକାଶ କରିଛି ଏବଂ ସମସ୍ତ ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ଭାବେ ଏହି କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛି।
ପର୍ଯ୍ୟଟନ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର ଗତ ୨୭ ତାରିଖରେ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ, ଯୋଜନାର ଅପରେସନାଲ ଗାଇଡଲାଇନ୍ ପୂର୍ବରୁ ଜାରି ହୋଇସାରିଛି। ପେନସନ ଯୋଜନା ଅଧୀନରେ ଥିବା ବୃଦ୍ଧ ଓ ବିଧବାମାନେ ସ୍ୱତଃ ହିତାଧିକାରୀ ଭାବେ ଚିହ୍ନଟ ହେଲେ ମଧ୍ୟ, ସେମାନଙ୍କର ସମ୍ମତି ଫର୍ମ ଦେବା ବାଧ୍ୟତାମୂଳକ ରହିଛି।
/sambad-english/media/post_attachments/wp-content/uploads/2020/10/Abhada1.jpg)
ଏହି ପ୍ରକ୍ରିୟାକୁ ସହଜ କରିବା ପାଇଁ ଗତ ଜାନୁଆରୀ ୧୩ ତାରିଖରେ ସମସ୍ତ ଜିଲ୍ଲା ସୋସିଆଲ ସିକ୍ୟୁରିଟି ଅଫିସରଙ୍କ ସହ ବୈଠକ ହୋଇଥିଲା। ଏହାସହ ଜାନୁଆରୀ ୧୫, ୨୦୨୬ରେ ପେନସନ ବଣ୍ଟନ ଦିନ ଗ୍ରାମ ପଞ୍ଚାୟତ ସ୍ତରରେ ସମ୍ମତି ଫର୍ମ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଅଧିକାଂଶ ଜିଲ୍ଲାରେ ଏପର୍ଯ୍ୟନ୍ତ ଅଗ୍ରଗତି ସନ୍ତୋଷଜନକ ନୁହେଁ।
ସରକାରୀ ତଥ୍ୟ ଅନୁଯାୟୀ, ୨୦୨୫-୨୬ ଆର୍ଥିକ ବର୍ଷରେ ୫,୦୦୦ ହିତାଧିକାରୀ ଏହି ଯୋଜନାରେ ସାମିଲ ହେବେ। ୨୦୨୬-୨୭ ଆର୍ଥିକ ବର୍ଷରେ ଏହି ସଂଖ୍ୟା ୩୦,୦୦୦ କୁ ବୃଦ୍ଧି ପାଇବ। ଏହି ଯୋଜନା ପାଇଁ ୨୦୨୫-୨୬ ବଜେଟ୍ରେ ୩୦ କୋଟି ଟଙ୍କା ବ୍ୟୟ ଧାର୍ଯ୍ୟ କରାଯାଇଛି।ଯାତ୍ରା ସମ୍ପର୍କିତ ସମସ୍ତ ବ୍ୟବସ୍ଥା ଓଡ଼ିଶା ରାଜ୍ୟ ରୋଡ୍ ଟ୍ରାନ୍ସପୋର୍ଟ କର୍ପୋରେସନ (OSRTC) ଦ୍ୱାରା କରାଯିବ। ଯୋଜନା ସଫଳ ରୂପେ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ବ୍ୟକ୍ତିଗତ ଭାବେ ଦାୟିତ୍ୱ ନେଇ କାମ ତ୍ୱରାନ୍ୱିତ କରିବାକୁ ସରକାର ଜୋର ଦେଇଛନ୍ତି।
ALSO READ https://purvapaksa.com/odia-peoples-lives-at-stake-for-taxes/
Odia people’s lives at stake for taxes! ।। ଟିକସ ପାଇଁ ବାଜିରେ ଓଡ଼ିଆଙ୍କ ଜୀବନ!


