ପ୍ରତିଦିନ ସକାଳେ ଖବରକାଗଜ ଖୋଲିଲେ କିମ୍ବା ସନ୍ଧ୍ୟାରେ ଟେଲିଭିଜନ ଅନ କଲେ ଗୋଟିଏ ଦୃଶ୍ୟ ପ୍ରାୟ ନିୟମିତ ଭାବେ ଦେଖିବାକୁ ମିଳୁଛି- ଭିଜିଲାନ୍ସ ବିଭାଗର ଚଢ଼ଉ, ସରକାରୀ କର୍ମଚାରୀଙ୍କ ଘରୁ ପୁଳା ପୁଳା ଟଙ୍କା ଜବତ, ଆଲମାରୀ, ଶଯ୍ୟା, ବାଥରୁମ୍, କେବେ କେବେ ରୋସେଇଘରରୁ ମଧ୍ୟ ନୋଟ୍ର ବିଡ଼ା ମିଳୁଛି। ଏହି ଖବର ଏବେ ଆଉ ଆଶ୍ଚର୍ଯ୍ୟ କରୁନାହିଁ, ବରଂ ଏକ ଭୟଙ୍କର ସାଧାରଣ ଘଟଣାର ରୂପ ନେଇଛି।

ଗତ ୨୫ ବର୍ଷ ଧରି ରାଜ୍ୟରେ ଯେଉଁ ‘ଅଫିସର ରାଜ’ ଚାଲିଆସୁଥିଲା, ଏହି ସମସ୍ତ ଭିଜିଲାନ୍ସ ଚଢ଼ଉକୁ ତାହାର କୁପରିଣାମ ବୋଲି ଅନେକ ସମୟରେ କୁହାଯାଏ। ସରକାର ବଦଳିଲା, ମୁଖ୍ୟମନ୍ତ୍ରୀ ବଦଳିଲେ, ସ୍ଲୋଗାନ ବଦଳିଲା-କିନ୍ତୁ ପ୍ରଶାସନିକ ଶକ୍ତିର କେନ୍ଦ୍ରବିନ୍ଦୁ ଯେଉଁଠି ଥିଲା, ସେଠି ଏବେ ବି ଅଫିସରମାନେ ହିଁ ସର୍ବଶକ୍ତିମାନ। ଅଧିକ ଆଶ୍ଚର୍ଯ୍ୟର କଥା ହେଉଛି- ଏହି ଅଭିଯୋଗ ଏବେ କେବଳ ବିରୋଧୀ ଦଳ କରୁନାହାନ୍ତି, ଖୋଦ୍ ଶାସକ ଦଳ ବିଜେପିର କର୍ମୀ ଓ କିଛି ନେତା ମଧ୍ୟ ଏହି କଥା ସ୍ୱୀକାର କରୁଛନ୍ତି।
ସରକାର ବଦଳିଲା, ଅଫିସର ରାଜ ବଢ଼ିଲା?
ଗତ ସରକାର ସମୟରେ ଅଫିସରମାନଙ୍କର ଆର୍ଥିକ କ୍ଷମତା ଓ ସେମାନଙ୍କ ଉପରେ ନୀତିଗତ ନିୟନ୍ତ୍ରଣ ଅପେକ୍ଷାକୃତ ଅଧିକ ଥିଲା ବୋଲି ରାଜନୈତିକ ମହଳରେ ଆଲୋଚନା ହୁଏ। ଆଜିର ବିଜେପି ସରକାରରେ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ‘କାମର ଚାପ’ କମାଇବା ନାଁରେ ଧୀରେ ଧୀରେ ଅଫିସରମାନଙ୍କ ଆର୍ଥିକ କ୍ଷମତା ବଢ଼ାଇବା ପାଇଁ ଯୋଜନା ହେଉଛି। ପାୱାର କରିଡରରେ ଏବେ ଖୋଲାଖୋଲି ଚର୍ଚ୍ଚା- ରାଜ୍ୟର ଉନ୍ନତି ହେଉ କି ନ ହେଉ, ଅଫିସରମାନଙ୍କର ଉନ୍ନତି ନିଶ୍ଚିତ। ଏହି ଧାରଣା କେବଳ ରାଜନୈତିକ ଗୁଜବ ନୁହେଁ; ସରକାରୀ ନିଷ୍ପତ୍ତି ଓ ନୂଆ ନୀତିଗତ ପ୍ରସ୍ତାବ ଏହାକୁ ଅଧିକ ସାର୍ଥକ କରୁଛି।
କ୍ଷମତା ବିକେନ୍ଦ୍ରୀକରଣ: ଉଦ୍ଦେଶ୍ୟ ଓ ଆଶଙ୍କା
/odishatv/media/post_attachments/uploadimage/library/16_9/16_9_0/recent_photo_1700204756.jpg)
ରାଜ୍ୟ ସରକାର ନିଜକୁ ଅଧିକ ଦକ୍ଷ, ଗତିଶୀଳ ଓ ‘ରିଫର୍ମ ଓରିଏଣ୍ଟେଡ୍’ ବୋଲି ପ୍ରମାଣ କରିବାକୁ ଚାହୁଁଛନ୍ତି। ଏହି ଉଦ୍ଦେଶ୍ୟରେ ୨୦୨୫ ମେ ୨୮ରେ ପ୍ରଶାସନିକ କ୍ଷମତାରେ ପରିବର୍ତ୍ତନ ଆଣାଯାଇଥିଲା। ଏବେ ତା’ର ପରବର୍ତ୍ତୀ ପଦକ୍ଷେପ ଭାବେ ଅର୍ଥ ପରାମର୍ଶଦାତା, ବିଭାଗୀୟ ସଚିବ ଓ ମନ୍ତ୍ରୀଙ୍କ ଆର୍ଥିକ କ୍ଷମତା ବୃଦ୍ଧି କରିବାକୁ ପ୍ରସ୍ତାବ ଆସିଛି।
ସରକାରୀ ଯୁକ୍ତି ସରଳ- ଯଦି କ୍ଷମତା ନିମ୍ନ ସ୍ତରରେ ରହିବ, ତେବେ ଫାଇଲ୍ ଉପରକୁ ଉଠିବାରେ ସମୟ ଲାଗିବ, ଯୋଜନା ଅନୁମୋଦନ ବିଳମ୍ବିତ ହେବ, ବିକାଶ ଅଟକିବ। ସେଥିପାଇଁ ଯୋଜନାକୁ ‘ରକେଟ ବେଗ’ ଦେବା ଉଦ୍ଦେଶ୍ୟରେ ଆର୍ଥିକ କ୍ଷମତା ବିକେନ୍ଦ୍ରୀକରଣ ଜରୁରୀ।
କିନ୍ତୁ ପ୍ରଶ୍ନ ହେଉଛି- ଏହି ବିକେନ୍ଦ୍ରୀକରଣ କେତେଦୂର ପର୍ଯ୍ୟନ୍ତ ଦାୟିତ୍ୱପୂର୍ଣ୍ଣ ହେବ? ଯେଉଁ ରାଜ୍ୟରେ ପ୍ରାୟ ପ୍ରତି ସପ୍ତାହରେ ଭିଜିଲାନ୍ସ ଟଙ୍କା ଧରୁଛି, ସେଠାରେ ଅଧିକ ଆର୍ଥିକ କ୍ଷମତା ଦେବା ମାନେ ଦୁର୍ନୀତିକୁ ଆହୁରି ସହଜ କରିଦେବା ନୁହେଁ ତ?
କାହା ହାତରେ କେତେ ଟଙ୍କା?

ସୂଚନା ଅନୁଯାୟୀ, ବର୍ତ୍ତମାନ ରାଜ୍ୟ ସରକାରରେ ବିଭିନ୍ନ ଯୋଜନାକୁ ଅନୁମୋଦନ ଦେବା ପାଇଁ ୫ କୋଟିରୁ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ବିଭାଗୀୟ ଅର୍ଥ ପରାମର୍ଶଦାତା ଓ ପ୍ରଶାସନିକ ଅଧିକାରୀଙ୍କ କ୍ଷମତା ରହିଛି। ନୂଆ ପ୍ରସ୍ତାବ ଅନୁସାରେ, ଏହି ସୀମାକୁ ୧୦ କୋଟି ଟଙ୍କାକୁ ବଢ଼ାଇବା ଯୋଜନା ଅଛି।
ସେହିପରି ୫ କୋଟିରୁ ୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଯୋଜନାକୁ ଏକ୍ସପେଣ୍ଡିଚର ଫାଇନାନ୍ସ କମିଟିର ଅନୁମୋଦନକ୍ରମେ ବିଭାଗୀୟ ମନ୍ତ୍ରୀ ମଞ୍ଜୁରି ଦେଇପାରିବେ। ଆଗାମୀ ଦିନରେ ଏହି ସୀମାକୁ ୧୦ କୋଟିରୁ ୫୦ କୋଟି ଟଙ୍କା କରାଯିବା ପ୍ରସ୍ତାବ ରହିଛି। ୫୦ କୋଟିରୁ ୧୦୦ କୋଟି ଯୋଜନା ପାଇଁ ଇଏମ୍ସି ଜରିଆରେ ମନ୍ତ୍ରୀଙ୍କ ଅନୁମୋଦନ, ୧୦୦ରୁ ୨୫୦ କୋଟି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଓ ତା’ଠାରୁ ଅଧିକ ହେଲେ କ୍ୟାବିନେଟ୍ ମଞ୍ଜୁରି ଦରକାର; ଏହି ପଦ୍ଧତିକୁ ଆହୁରି ସହଜ କରିବାକୁ ଚିନ୍ତା ହେଉଛି।
ଟେଣ୍ଡର କ୍ଷମତା ବୃଦ୍ଧି: ପୂର୍ବାଭ୍ୟାସ
୨୦୨୫ ଜୁନ୍ ୪ରେ ସରକାର ଟେଣ୍ଡର କ୍ଷମତା ସମ୍ପର୍କିତ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ଏଥିରେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ବିଭାଗୀୟ ପ୍ରଶାସନିକ ଅଧିକାରୀଙ୍କୁ ଅନୁମୋଦନ କ୍ଷମତା ଦିଆଯାଇଥିଲା। ୭ରୁ ୧୦ କୋଟି ଟଙ୍କାର ଟେଣ୍ଡରକୁ ସର୍ବୋଚ୍ଚ ଯନ୍ତ୍ରୀ କିମ୍ବା ପ୍ରଶାସନିକ ଅଧିକାରୀ, ୪ରୁ ୭ କୋଟିକୁ ମୁଖ୍ୟଯନ୍ତ୍ରୀ କିମ୍ବା ସର୍ବୋଚ୍ଚ ଯନ୍ତ୍ରୀ, ଓ ୧ରୁ ୪ କୋଟି ପର୍ଯ୍ୟନ୍ତ ଟେଣ୍ଡରକୁ ଅଧୀକ୍ଷଣ ଯନ୍ତ୍ରୀ କିମ୍ବା ମୁଖ୍ୟଯନ୍ତ୍ରୀ ଅନୁମୋଦନ କରିପାରିବେ ବୋଲି ସ୍ପଷ୍ଟ କରାଯାଇଥିଲା। ଏହି ନିୟମ ଆସିବା ପରେ ଟେଣ୍ଡର ପ୍ରକ୍ରିୟା ତ୍ୱରିତ ହୋଇଛି କି ନାହିଁ; ତା’ର ଠିକ୍ ମୂଲ୍ୟାୟନ ହେବା ପୂର୍ବରୁ ଆହୁରି ଆର୍ଥିକ କ୍ଷମତା ବଢ଼ାଇବା ପ୍ରସ୍ତାବ ଆସିବା ନିଜେ ଏକ ବଡ଼ ପ୍ରଶ୍ନ।
ଭିଜିଲାନ୍ସ ଚଢ଼ଉ ଓ ବଢ଼ୁଥିବା କ୍ଷମତା: ବିରୋଧାଭାସ
ଗୋଟିଏ ପକ୍ଷରେ ରାଜ୍ୟ ସରକାର ଦୁର୍ନୀତି ବିରୋଧରେ ‘ଜିରୋ ଟୋଲରେନ୍ସ’ କଥା କହୁଛନ୍ତି, ଅନ୍ୟ ପକ୍ଷରେ ସେହି ସମୟରେ ଅଫିସରମାନଙ୍କ ହାତରେ ଆହୁରି ଅଧିକ ଟଙ୍କା ମଞ୍ଜୁରି କ୍ଷମତା ଦେବାକୁ ଯୋଜନା କରୁଛନ୍ତି। ଏହି ବିରୋଧାଭାସ ସାଧାରଣ ଲୋକଙ୍କ ମନରେ ଗଭୀର ସନ୍ଦେହ ସୃଷ୍ଟି କରୁଛି।
ଯଦି ପ୍ରଣାଳୀ ସଫା ଓ ପାରଦର୍ଶୀ ହୋଇଥାନ୍ତା, ତେବେ ଆର୍ଥିକ କ୍ଷମତା ବୃଦ୍ଧି ନିଶ୍ଚିତ ଭାବେ ବିକାଶକୁ ଗତି ଦେଇଥାନ୍ତା। କିନ୍ତୁ ଯେଉଁ ପ୍ରଣାଳୀରେ ଦୁର୍ନୀତି ପ୍ରାୟ ଦୈନିକ ଖବର, ସେଠାରେ ଏହା ଏକ ଦୁଇଧାର ତଳୱାର ଭଳି।
ଓଡ଼ିଶାକୁ ଦକ୍ଷ, ଗତିଶୀଳ ଓ ବିକାଶମୁଖୀ ପ୍ରଶାସନ ଆବଶ୍ୟକ; ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ଦକ୍ଷତାର ଅର୍ଥ ଯଦି କେବଳ କ୍ଷମତା ବଢ଼ାଇବା, ଦାୟିତ୍ୱ ଓ ନିୟନ୍ତ୍ରଣକୁ ଅଣଦେଖା କରିବା; ତେବେ ତାହାର ଫଳ ହେବ ଆଉ ଅଧିକ ଭିଜିଲାନ୍ସ ଚଢ଼ଉ, ଆଉ ଅଧିକ କଳାଧନ, ଆଉ ଅଧିକ ଅବିଶ୍ୱାସ। କ୍ଷମତା ବିକେନ୍ଦ୍ରୀକରଣ ସହିତ ସହିତ ଦାୟିତ୍ୱ ନିର୍ଦ୍ଧାରଣ, ସ୍ୱଚ୍ଛତା, ରିଅଲ୍-ଟାଇମ୍ ଅଡିଟ୍ ଓ କଠୋର ଦଣ୍ଡବ୍ୟବସ୍ଥା ନ ଥିଲେ- ‘ଅଫିସର ରାଜ’ ଆହୁରି ମଜବୁତ ହେବ ଏବଂ ସେଇ ରାଜର ମୂଲ୍ୟ ଦେବେ ସାଧାରଣ ଲୋକ।
also read https://purvapaksa.com/overactivebladder/
https://purvapaksa.com/overactivebladder/


