ଓଡ଼ିଶାରେ ନିଶାଦ୍ରବ୍ୟ ବ୍ୟବହାର ରୋକିବାକୁ ନେଇ ରାଜ୍ୟ ସରକାର ଏକ ବଡ଼ ଓ କଠୋର ପଦକ୍ଷେପ ନେଇଛନ୍ତି । ବିଡ଼ି, ସିଗାରେଟ୍, ଗୁଟଖା, ତମାଖୁ, ଖଇନି ଓ ଜର୍ଦ୍ଦା ସମେତ ସମସ୍ତ ପ୍ରକାର ନିଶାଦ୍ରବ୍ୟକୁ ଓଡ଼ିଶାରେ ନିଷିଦ୍ଧ କରାଯାଇଛି । ଏହି ସମସ୍ତ ଉତ୍ପାଦର ଉତ୍ପାଦନ, ପ୍ୟାକେଜିଂ, ବଣ୍ଟନ ଓ ବିକ୍ରୟ ଉପରେ ସରକାର ପୂର୍ଣ୍ଣ ପ୍ରତିବନ୍ଧ ଲଗାଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସମ୍ପର୍କରେ ଏକ ଆଧିକାରିକ ବିଜ୍ଞପ୍ତି ଜାରି କରାଯାଇଛି । ବିଜ୍ଞପ୍ତି ଅନୁସାରେ, ନୂଆ ନିୟମ ତୁରନ୍ତ କାର୍ଯ୍ୟକାରୀ ହେବ ଏବଂ ଉଲ୍ଲଂଘନ କଲେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସରକାରଙ୍କ ମୂଳ ଲକ୍ଷ୍ୟ ହେଉଛି ରାଜ୍ୟର ଯୁବପିଢ଼ିଙ୍କୁ ଏକ ନିଶାମୁକ୍ତ, ସ୍ୱାସ୍ଥ୍ୟକର ଓ ଉଜ୍ଜ୍ୱଳ ଭବିଷ୍ୟତ ଦେବା । ବର୍ତ୍ତମାନ ସ୍ଥିତି ଉପରେ ନଜର ପକାଇଲେ ଦେଖାଯାଉଛି ଯେ ଯୁବପିଢ଼ି ଦିନକୁ ଦିନ ନିଶାଦ୍ରବ୍ୟର ନିକଟତର ହେଉଛନ୍ତି । ଖୁସି ହେଉ କି ଦୁଃଖ ଅନେକ ନିଶାକୁ ନିଜର ଏକ ଆଶ୍ରୟ ବୋଲି ଭାବି ନେଉଛନ୍ତି । ଏହାର ପରିଣାମ ସ୍ୱରୂପ, ଯୁବକ-ଯୁବତୀମାନେ ନିଜର କ୍ୟାରିୟର, ପରିବାର ଓ ସାମାଜିକ ଜୀବନକୁ ବରବାଦ କରୁଛନ୍ତି।

ନିଶାଦ୍ରବ୍ୟ ସେବନ କେବଳ ସ୍ୱାସ୍ଥ୍ୟକୁ କ୍ଷତି କରୁନାହିଁ , ଏହା ରାଜ୍ୟରେ ଅପରାଧ ବୃଦ୍ଧିର ମଧ୍ୟ ଏକ ବଡ଼ କାରଣ ହୋଇଉଠିଛି । ଚୋରି, ଲୁଟ୍, ହତ୍ୟା, ଦୁଷ୍କର୍ମ ଭଳି ଗୁରୁତର ଅପରାଧରେ ଅନେକ ସମୟରେ ନିଶାର ଭୂମିକା ଥାଏ। ଏହି ସମସ୍ତ ପରିସ୍ଥିତିକୁ ଧ୍ୟାନରେ ରଖି ସରକାର ଏଭଳି ଏକ କଠୋର ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ଅନ୍ୟପଟେ, ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଆନ୍ତର୍ଜାତୀୟ କର୍କଟ ଗବେଷଣା ସଂସ୍ଥା ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ଗୁଟଖା, ଖଇନି, ଜର୍ଦ୍ଦା ଓ ଅନ୍ୟାନ୍ୟ ତମାଖୁ ଉତ୍ପାଦ କର୍କଟ ରୋଗର ପ୍ରମୁଖ କାରଣ। ଏହା ସହିତ ପାନ ମସଲା, ସୁପାରୀ ଓ ଧୂଆଁଯୁକ୍ତ ଉତ୍ପାଦ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଗଭୀର କ୍ଷତିକାରକ। ସେହିପରି, ଓଡ଼ିଶାକୁ ଏକ ସୁସ୍ଥ ଓ ନିଶାମୁକ୍ତ ରାଜ୍ୟ କରିବା ଦିଗରେ ଏହି ପଦକ୍ଷେପକୁ ଏକ ଐତିହାସିକ ନିଷ୍ପତ୍ତି ବୋଲି ଗଣାଯାଉଛି।
also read https://purvapaksa.com/these-5-bad-habits-rob-all-happiness/
These 5 bad habits rob all happiness ।। ଏହି ୫ଟି ଖରାପ ଅଭ୍ୟାସ ଜୀବନରୁ ସବୁ କିଛି ଛଡ଼ାଇ ନିଏ


