କୌଣସି ରାଜ୍ୟର ସଭ୍ୟତା ଓ ଦାୟିତ୍ୱବୋଧକୁ ମାପିବାର ସବୁଠୁ ବଡ଼ ମାପଦଣ୍ଡ ହେଉଛି—ସେ ରାଜ୍ୟ ତା’ର ରୋଗୀଙ୍କ ସହ କିପରି ବ୍ୟବହାର କରେ। ରାସ୍ତା, ସେତୁ, ଆଇଟି ପାର୍କ, ନିବେଶ ସମ୍ମେଳନ ଯେତେ ଆକର୍ଷଣୀୟ ହେଉନାହିଁ କାହିଁକି, ଯଦି ଗୁରୁତର ରୋଗୀ ଡାକ୍ତର ଅପେକ୍ଷାରେ ହସ୍ପିଟାଲ କରିଡୋରରେ ବସି ରହୁଛନ୍ତି—ସେଠାରେ ଶାସନର ସମସ୍ତ ଦାବି ଫିକା ପଡ଼ିଯାଏ। ଆଜି ଓଡ଼ିଶାର ସ୍ୱାସ୍ଥ୍ୟସେବା ଏମିତି ଏକ ସଙ୍କଟ ସମୟ ମଧ୍ୟରେ ଅଛି, ଯେଉଁଠି ରୋଗୀ, ଡାକ୍ତର ଓ ସରକାର- ତିନିଟି ଭୂମିକା ମୁହଁମୁହଁ ହୋଇଯାଇଛି। ଡିସେମ୍ବର ୨୬ ତାରିଖରୁ ରାଜ୍ୟର ଡାକ୍ତରମାନେ ଓପିଡି ସମୟରେ ପ୍ରଥମେ ୧ ଘଣ୍ଟା, ଏବେ ୨ ଘଣ୍ଟା ଧରି କାର୍ଯ୍ୟବିରତି କରୁଛନ୍ତି। ଏହି ଧର୍ମଘଟ ଆଇନସମ୍ମତ କି ନୁହେଁ; ସେ ପ୍ରଶ୍ନ ଆଲଗା। କିନ୍ତୁ ଏହାର ସର୍ବାଧିକ ମୂଲ୍ୟ ଦେଉଛନ୍ତି ସାଧାରଣ ରୋଗୀ।

ଧର୍ମଘଟ ଓ ହସ୍ପିଟାଲ କରିଡରର ସତ୍ୟ
ସରକାରୀ ଡାକ୍ତରମାନଙ୍କ ଧର୍ମଘଟର ପ୍ରଭାବ ସିଧାସଳଖ ଭାବେ ପଡ଼ୁଛି ଜିଲ୍ଲା ମୁଖ୍ୟ ହସ୍ପିଟାଲ, ମେଡିକାଲ କଲେଜ ଓ ଚିକିତ୍ସାଳୟମାନଙ୍କ ଓପିଡି ଉପରେ। ଦୂରଦୂରାନ୍ତ ଅଞ୍ଚଳରୁ ଆସୁଥିବା ଗରିବ ରୋଗୀ, ବୃଦ୍ଧ, ଗର୍ଭବତୀ ମହିଳା, କ୍ୟାନ୍ସର କିମ୍ବା କିଡନୀ ରୋଗୀ—ସମସ୍ତଙ୍କ ପାଇଁ ଏହି ୨ ଘଣ୍ଟା ଅପେକ୍ଷା ଜୀବନ ଓ ମୃତ୍ୟୁର ମଧ୍ୟବର୍ତ୍ତୀ ସମୟ ହୋଇଯାଉଛି।
ଡାକ୍ତରମାନେ କହୁଛନ୍ତି- ସେମାନଙ୍କ ଦାବି ଦୀର୍ଘଦିନ ଧରି ଅଗ୍ରାହ୍ୟ ହୋଇଆସୁଛି। ନିଯୁକ୍ତି, ପଦୋନ୍ନତି, କାର୍ଯ୍ୟସୁରକ୍ଷା, ହସ୍ପିଟାଲର ଆଧାରଭୂତ ସଂସାଧନ- ସବୁ ମାମଲାରେ ସରକାରୀ ଅବହେଳା ରହିଛି ବୋଲି ସେମାନଙ୍କ ଅଭିଯୋଗ। ଏହି ଅଭିଯୋଗକୁ ସରାସରି ଅସ୍ୱୀକାର କରିବା ମୁସ୍କିଲ, କାରଣ ରାଜ୍ୟର ଅନେକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ପଦ ଖାଲି ପଡ଼ିଥିବା ସତ୍ୟ କାହାରୁ ଲୁଚିତ ନୁହେଁ।
ସ୍ୱାସ୍ଥ୍ୟମନ୍ତ୍ରୀ କି ଆଇଟି ମନ୍ତ୍ରୀ?
ଏହି ସମୟରେ ସବୁଠୁ ଅସୁବିଧାଜନକ ପ୍ରଶ୍ନ ଉଠୁଛି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଭୂମିକାକୁ ନେଇ। ରାଜ୍ୟରେ ଯିଏ ସ୍ୱାସ୍ଥ୍ୟ ଦାୟିତ୍ୱ ନେଇଛନ୍ତି, ସେ ଅଧିକାଂଶ ସମୟ ଆଇଟି, ନିବେଶ ଓ କମ୍ପାନୀମାନଙ୍କ ସହ ଆଲୋଚନାରେ ବ୍ୟସ୍ତ ଥିବା ଦେଖାଯାଉଛି- ଏହି ଧାରଣା ଏବେ ସାଧାରଣ ଲୋକଙ୍କ ମନରେ ଦୃଢ଼ ହେଉଛି।
ପ୍ରଶ୍ନ ସ୍ୱାଭାବିକ-ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ଯେତେବେଳେ ଧର୍ମଘଟ, ରୋଗ ପ୍ରକୋପ ଓ ଡାକ୍ତର ସଙ୍କଟରେ ଆକ୍ରାନ୍ତ, ସେତେବେଳେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସର୍ବୋଚ୍ଚ ପ୍ରାଥମିକତା କ’ଣ ହେବା ଉଚିତ?
ଏହି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଏପର୍ଯ୍ୟନ୍ତ ମିଳିନାହିଁ।
ହଇଜା ମୃତ୍ୟୁ: ଅବହେଳାର ଜୀବନ୍ତ ପ୍ରମାଣ
ଗତ ଜୁନ୍ ମାସରେ ଯାଜପୁରରୁ ଆରମ୍ଭ କରି ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ପର୍ଯ୍ୟନ୍ତ ହଇଜା ବ୍ୟାପିଥିଲା। ସରକାରୀ ତଥ୍ୟ ଅନୁଯାୟୀ, ଏହି ରୋଗରେ ଅତି କମରେ ୧୩ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ହଇଜା କୌଣସି ଅଜଣା ରୋଗ ନୁହେଁ। ସ୍ୱଚ୍ଛ ପାନୀୟଜଳ, ସମୟରେ ସତର୍କତା ଓ ଶୀଘ୍ର ଚିକିତ୍ସା ଥିଲେ ଏହାକୁ ରୋକାଯାଇପାରେ।
କିନ୍ତୁ ପ୍ରଶ୍ନ- ଯଦି ଏତେ ସରଳ ନିୟନ୍ତ୍ରଣଯୋଗ୍ୟ ରୋଗରେ ଲୋକ ମରୁଛନ୍ତି, ତେବେ ରାଜ୍ୟର ସ୍ୱାସ୍ଥ୍ୟ ପ୍ରଶାସନ କେଉଁଠି ଅଛି? ସ୍ଥାନୀୟ ଲୋକଙ୍କ ଅଭିଯୋଗ ଥିଲା- ସମୟରେ ଟିମ୍ ପହଞ୍ଚିଲା ନାହିଁ, ପାନୀୟଜଳ ସ୍ରୋତ ଚିହ୍ନଟ ହେଲା ନାହିଁ, ଆରମ୍ଭରେ ମାମଲାକୁ ଗୁରୁତ୍ୱ ଦିଆଗଲା ନାହିଁ। ଏହି ସମସ୍ତ ଅଭିଯୋଗ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟକ୍ଷମତା ଉପରେ ଗଭୀର ପ୍ରଶ୍ନ ଉଠାଏ।
ଡାକ୍ତର ବନାମ ସରକାର: ହାରୁଛି କିଏ?

ସରକାର ଓ ଡାକ୍ତରମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱରେ ଦୁଇପକ୍ଷ ନିଜ ନିଜ ଯୁକ୍ତି ଦେଉଛନ୍ତି। ସରକାର କହୁଛି- ଧର୍ମଘଟ ଅନୈତିକ, ଡାକ୍ତରଙ୍କ କର୍ତ୍ତବ୍ୟ ରୋଗୀ ସେବା। ଡାକ୍ତର କହୁଛନ୍ତି- ସରକାର ଯଦି ଶୁଣୁଥାନ୍ତା, ଧର୍ମଘଟ ହେବାକୁ ପଡ଼ୁନଥାନ୍ତା। କିନ୍ତୁ ଏହି ଦୁଇ ଯୁକ୍ତିର ମଧ୍ୟରେ ଯିଏ ହାରୁଛି, ସେ ହେଉଛି- ସାଧାରଣ ନାଗରିକ।
ଏହା କେବଳ ଧର୍ମଘଟ ନୁହେଁ
ଓଡ଼ିଶାର ସ୍ୱାସ୍ଥ୍ୟସେବା ଆଜି ଏକ ଦିଗରେ ଠିଆ। ଏହା କେବଳ ଡାକ୍ତରଙ୍କ ଧର୍ମଘଟର କଥା ନୁହେଁ, ଏହା ହେଉଛି ରାଜ୍ୟର ପ୍ରାଥମିକତାର ପ୍ରଶ୍ନ।
ସରକାର କ’ଣ ଏହାକୁ ଏକ ଆଲୋଚନା ମାଧ୍ୟମରେ ସମାଧାନ କରିବ?
ସ୍ୱାସ୍ଥ୍ୟମନ୍ତ୍ରୀ କ’ଣ ନିଜ ଭୂମିକାକୁ ପୁନର୍ବିଚାର କରିବେ?
ରୋଗୀଙ୍କ ଭରସା କ’ଣ ପୁଣିଥରେ ଫେରିପାରିବ?
ଏହି ପ୍ରଶ୍ନମାନଙ୍କ ଉତ୍ତର ଉପରେ ନିର୍ଭର କରିଛି- ରାଜ୍ୟର ସ୍ୱାସ୍ଥ୍ୟସେବା ସତରେ କାହା ଭରସାରେ ଚାଲିଛି।
also read https://purvapaksa.com/minor-girl-rapist-sentenced-to-death/


