କେବଳ ଶିକ୍ଷା ଦେବା ହେଉଛି ଶିକ୍ଷାନୁଷ୍ଠାନର ଏକମାତ୍ର ଦାୟିତ୍ୱ ନୁହେଁ । ବିଶେଷକରି ଯେଉଁ ଆବାସିକ ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀମାନେ ଘରଠାରୁ ଦୂରେ ରହି ପାଠ ପଢ଼ୁଛନ୍ତି ସେଠାରେ ସୁରକ୍ଷା, ନିରାପତ୍ତା, ମର୍ଯ୍ୟାଦା ଓ ଗୋପନୀୟତା ଶିକ୍ଷା ଠାରୁ ବି କମ୍ ଗୁରୁତ୍ୱର ନୁହେଁ । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜନଜାତି ଆବାସିକ ସ୍କୁଲଗୁଡ଼ିକ ପାଇଁ ଜାରି ହୋଇଥିବା କଠୋର ନିର୍ଦ୍ଦେଶନାମା କେବଳ ଏକ ପ୍ରଶାସନିକ ପଦକ୍ଷେପ ନୁହେଁ; ଏହା ଗତ କିଛିବର୍ଷ ଧରି ଜମା ହୋଇଥିବା ଅନୀତି, ଅବହେଳା ଓ ମନମୁଖୀ କାର୍ଯ୍ୟର ଉପରେ ଏକ ସିଧାସଳଖ ଆଘାତ। ଜନଜାତି ଆବାସିକ ସ୍କୁଲ ବିଶେଷକରି ଏକଲବ୍ୟ ଆଦର୍ଶ ଆବାସିକ ସ୍କୁଲ (EMRS), କସ୍ତୁରବା ଗାନ୍ଧି ବାଳିକା ସ୍କୁଲ, କନ୍ୟାଶ୍ରମ ସ୍କୁଲ, ଅନ୍ୱେଷା ଓ ଆକାଂକ୍ଷା ଯୋଜନା—ଏସବୁ ଯୋଜନାର ମୂଳ ଉଦ୍ଦେଶ୍ୟ ଥିଲା ଜନଜାତି ଓ ଅନୁସୂଚିତ ଜାତିର ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ସହ ସୁରକ୍ଷିତ ଆବାସିକ ପରିବେଶ ଦେବା । କିନ୍ତୁ ସମୟ ସହିତ କେତେକ ସ୍କୁଲରେ ଯେଉଁ ‘ଭିଆଇପି କଲଚର’ ରାଜନୈତିକ ହସ୍ତକ୍ଷେପ ଓ ଅନଧିକୃତ ଦବଦବା ଦେଖାଦେଲା, ସେଥିପାଇଁ ଏହି ସଂସ୍କାରକୁ ଅନେକ “ବିଳମ୍ବିତ କିନ୍ତୁ ଅନିବାର୍ଯ୍ୟ” ବୋଲି ବର୍ଣ୍ଣନା କରୁଛନ୍ତି।
‘ଭିଆଇପି କଲଚର’—ଶିକ୍ଷାନୁଷ୍ଠାନର ଶତ୍ରୁ

ଜନଜାତି ଆବାସିକ ସ୍କୁଲଗୁଡ଼ିକରେ ଅଧିକାରୀ, ପରିଦର୍ଶକ କିମ୍ବା ରାଜନୈତିକ ବ୍ୟକ୍ତି ଗସ୍ତ କଲେ ସେମାନଙ୍କ ପାଇଁ ଅଲଗା ଖାଦ୍ୟ, ଅଲଗା ବ୍ୟବସ୍ଥା, ବାହାରୁ ଦାମୀ ଖାଦ୍ୟ ମଗାଇବା —ଏସବୁ ଅଭିଯୋଗ ଦୀର୍ଘ ଦିନ ଧରି ଆସୁଥିଲା। ଏହା କେବଳ ସରକାରୀ ପାଣ୍ଠିର ଅପବ୍ୟୟ ନୁହେଁ; ଏହା ଛାତ୍ରଛାତ୍ରୀମାନଙ୍କ ମନରେ ଅସମାନତା ଓ ଅନ୍ୟାୟର ଭାବନାକୁ ମଜବୁତ କରୁଥିଲା। କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରାଳୟ ଅଧୀନରେ ଥିବା National Education Society for Tribal Students (NESTS) ପକ୍ଷରୁ ଏହି ‘ଭିଆଇପି କଲଚର’କୁ ସମ୍ପୂର୍ଣ୍ଣ ବ୍ୟାନ୍ କରାଯିବାର ନିଷ୍ପତ୍ତି ନିଆଯାଇଛି । ନିର୍ଦ୍ଦେଶ ଅନୁଯାୟୀ, ଏଣିକି ସ୍କୁଲକୁ ପରିଦର୍ଶନରେ ଯାଉଥିବା କୌଣସି ଅଧିକାରୀଙ୍କୁ ବିଶେଷ ଆପ୍ୟାୟନ ମିଳିବ ନାହିଁ। ସେମାନେ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ପାଇଁ ଧାର୍ଯ୍ୟ ହୋଇଥିବା ସମାନ ମେନ୍ୟୁ ଅନୁଯାୟୀ ଖାଦ୍ୟ ହିଁ ଗ୍ରହଣ କରିବେ। ଏହାର ଉଲ୍ଲଂଘନ ହେଲେ କଠୋର ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ—ଏହି ଚେତାବନୀ ସ୍ପଷ୍ଟ। ଏହି ନିଷ୍ପତ୍ତି ମାଧ୍ୟମରେ ଏକ ସନ୍ଦେଶ ଦିଆଯାଇଛି—ଶିକ୍ଷାନୁଷ୍ଠାନ କାହାର ବ୍ୟକ୍ତିଗତ ମଞ୍ଚ ନୁହେଁ, ଏହା ଛାତ୍ରଛାତ୍ରୀମାନଙ୍କ ପାଇଁ।
ଛାତ୍ରୀନିବାସ ସୁରକ୍ଷା: କଠୋରତା କାହିଁକି ଆବଶ୍ୟକ ହେଲା?
ଜନଜାତି ଆବାସିକ ସ୍କୁଲଗୁଡ଼ିକରେ ରହୁଥିବା ଛାତ୍ରୀମାନଙ୍କ ସୁରକ୍ଷା ନେଇ ପୂର୍ବରୁ ଘଟିଥିବା କିଛି ଦୁଃଖଦ ଘଟଣା ସରକାରକୁ କଠୋର ହେବାକୁ ବାଧ୍ୟ କରିଛି। ଛାତ୍ରୀମାନଙ୍କ ଗର୍ଭଧାରଣ, ଯୌନ ନିର୍ଯାତନା ଭଳି ଅଭିଯୋଗ ଯେତେବେଳେ ସାମ୍ନାକୁ ଆସିଥିଲା, ସେତେବେଳେ ଏହା କେବଳ ସ୍କୁଲ ପ୍ରଶାସନ ନୁହେଁ, ସମଗ୍ର ଶାସନ ବ୍ୟବସ୍ଥା ପାଇଁ ଲଜ୍ଜାଜନକ ମୁହୂର୍ତ୍ତ ଥିଲା। ଏହି ପୃଷ୍ଠଭୂମିରେ ଡିସେମ୍ବର ୮ ତାରିଖରେ ଜାରି ହୋଇଥିବା ଗାଇଡଲାଇନ୍ ଅନୁଯାୟୀ, ଛାତ୍ରୀନିବାସ ପରିସରକୁ ପୁରୁଷ ସମ୍ପର୍କୀୟ, ପୁରୁଷ କର୍ମଚାରୀ ଓ ପୁରୁଷ ପରିଦର୍ଶକଙ୍କ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ। କେବଳ ଜରୁରୀ ସ୍ୱାସ୍ଥ୍ୟ ସମସ୍ୟା ବା ଅତ୍ୟାବଶ୍ୟକ ମରାମତି କାମ ପାଇଁ ପ୍ରିନ୍ସିପାଲଙ୍କ ଲିଖିତ ଅନୁମତି ସହ ପୁରୁଷ ବ୍ୟକ୍ତି ପ୍ରବେଶ କରିପାରିବେ, ତାହା ମଧ୍ୟ ଜଣେ ମହିଳା ୱାର୍ଡେନଙ୍କ ଉପସ୍ଥିତିରେ। କେହି କେହି ଏହାକୁ “ଅତି କଠୋର” ବୋଲି କହିପାରନ୍ତି, କିନ୍ତୁ ପ୍ରଶ୍ନ ହେଉଛି—ଛାତ୍ରୀମାନଙ୍କ ସୁରକ୍ଷାରେ କଠୋରତା ଛାଡ଼ି ଆଉ କ’ଣ ବିକଳ୍ପ ରହିଛି?
ରାଜନୈତିକ ହସ୍ତକ୍ଷେପ: ସ୍କୁଲ କି ରାଜନୀତିର ମଞ୍ଚ?

ନୂଆ ନିର୍ଦ୍ଦେଶନାମାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି—ଶିକ୍ଷାନୁଷ୍ଠାନକୁ ରାଜନୀତିକ ହସ୍ତକ୍ଷେପରୁ ମୁକ୍ତ ରଖିବା। କୌଣସି ଶିକ୍ଷକ ବା କର୍ମଚାରୀ ସିଧାସଳଖ ଭାବେ ସ୍ଥାନୀୟ ରାଜନୈତିକ ନେତା, ମିଡିଆ କିମ୍ବା ବାହାରର ସାମାଜିକ ଗୋଷ୍ଠୀ ସହ ଯୋଗାଯୋଗ କରିପାରିବେ ନାହିଁ—ଏହି ନିୟମ ଅନେକଙ୍କୁ ଅସୁବିଧାଜନକ ଲାଗିପାରେ। କିନ୍ତୁ ଏହାର ଉଦ୍ଦେଶ୍ୟ ସ୍ପଷ୍ଟ—ଭୁଲ ସୂଚନା, ଅର୍ଧସତ୍ୟ ଓ ରାଜନୈତିକ ଚାପ ମାଧ୍ୟମରେ ସ୍କୁଲ ପରିବେଶକୁ ଅସ୍ଥିର କରିବାକୁ ରୋକିବା। ସମସ୍ୟା ଥିଲେ ଉପଯୁକ୍ତ ପ୍ରଶାସନିକ କର୍ତ୍ତୃପକ୍ଷଙ୍କୁ ଜଣାଇବା—ଏହି ବ୍ୟବସ୍ଥା ଯଦି ସଠିକ୍ ଭାବେ କାମ କରେ, ତେବେ ଏହା ଅନାବଶ୍ୟକ ରାଜନୈତିକ ଶବ୍ଦକୁ ଦୂରେ ରଖିପାରିବ।
ଓଡ଼ିଶାର ପରିପ୍ରେକ୍ଷୀରେ ବିଶାଳ ବ୍ୟବସ୍ଥା, ବଡ଼ ଦାୟିତ୍ୱ
ଓଡ଼ିଶାରେ ଜନଜାତି ଓ ଅନୁସୂଚିତ ଜାତି ପିଲାଙ୍କ ପାଇଁ ଆବାସିକ ଶିକ୍ଷା ବ୍ୟବସ୍ଥାର ପରିମାଣ ବହୁତ ବଡ଼। ରାଜ୍ୟରେ ୧୧୪ଟି ଏକଲବ୍ୟ ସ୍କୁଲ ପାଇଁ ମଞ୍ଜୁରୀ ମିଳିଥିବାବେଳେ ୪୭ଟି କାର୍ଯ୍ୟକ୍ଷମ ହୋଇସାରିଛି। ଏହା ସହିତ ପ୍ରାୟ ୫୯୬୩ଟି ହଷ୍ଟେଲରେ ସାଢ଼େ ୫ ଲକ୍ଷରୁ ଅଧିକ ପିଲା ରହି ପଢ଼ୁଛନ୍ତି। ଏତେ ବଡ଼ ବ୍ୟବସ୍ଥାକୁ ସୁଚାରୁ ଭାବେ ପରିଚାଳନା କରିବା ପାଇଁ କଠୋର ନିୟମ ଓ ସତର୍କ ନିରୀକ୍ଷଣ ଅତ୍ୟନ୍ତ ଆବଶ୍ୟକ।
ଗତମାସରେ ନବରଙ୍ଗପୁର ଜିଲ୍ଲାରେ ଘଟିଥିବା ଏକ ଘଟଣା—ଯେଉଁଠାରେ ଜଣେ ଆବାସିକ ସ୍କୁଲ ଛାତ୍ରକୁ ଗୁରୁତର ଅବସ୍ଥାରେ ପ୍ରଦୀପ ମାଝୀ ଉଦ୍ଧାର କରିଥିଲେ—ସମଗ୍ର ବ୍ୟବସ୍ଥାର ଦୁର୍ବଳତାକୁ ସାମ୍ନାକୁ ଆଣିଥିଲା। ସେଠାରୁ ଏହି ପ୍ରଶ୍ନ ଉଠିଲା—ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ କେଉଁଠି ଥିଲା?

କାଗଜର ନିୟମ ନୁହେଁ, ଭୂମିତଳରେ ପ୍ରୟୋଗ
କେନ୍ଦ୍ର ସରକାରଙ୍କ ଏହି କଠୋର ନିର୍ଦ୍ଦେଶନାମା ଏକ ସଠିକ୍ ଦିଗରେ ପଦକ୍ଷେପ। କିନ୍ତୁ ଅସଲ ପରୀକ୍ଷା ହେଉଛି—ଏହା କେବଳ ଫାଇଲ୍ ଓ ସର୍କୁଲାରରେ ସୀମିତ ରହିବ କି, ନା ଭୂମିତଳରେ ସଠିକ୍ ଭାବେ ପ୍ରୟୋଗ ହେବ?
‘ଭିଆଇପି କଲଚର’ ଯଦି ସତରେ ବନ୍ଦ ହୁଏ, ଯଦି ଛାତ୍ରୀନିବାସରେ ସୁରକ୍ଷା ନିଶ୍ଚିତ ହୁଏ, ଯଦି ରାଜନୈତିକ ହସ୍ତକ୍ଷେପ ଦୂରେ ରହେ—ତେବେ ଏହା ଜନଜାତି ଶିକ୍ଷା ପାଇଁ ଏକ ନୂଆ ଅଧ୍ୟାୟ ହେବ। ନହେଲେ, ଏହା ଆଉ ଏକ ନିୟମପୁସ୍ତିକା ହୋଇ ରହିଯିବ—ଯାହାକୁ ସମୟ ସହିତ ସମସ୍ତେ ଭୁଲିଯିବେ, କିନ୍ତୁ ଯାହାର ମୂଲ୍ୟ ଦେବେ ଛାତ୍ରଛାତ୍ରୀମାନେ। ଶିକ୍ଷା ମାନେ ଭବିଷ୍ୟତ। ଆଉ ଜନଜାତି ପିଲାଙ୍କ ଶିକ୍ଷା—ସମାଜର ସବୁଠୁ ବଡ଼ ଦାୟିତ୍ୱ।
also read https://purvapaksa.com/rewarding-the-guilty-in-a-peoples-government/
Rewarding the Guilty in a People’s Government? ।। ଲୋକଙ୍କ ସରକାରରେ ଦୋଷୀକୁ ପୁରସ୍କାର?


