ଧରାପୃଷ୍ଠକୁ ମା’ଙ୍କ ଆଗମନ ଶରତ ଋତୁରେ ହୋଇଥାଏ। ସେତେବେଳେ ମା‘ଙ୍କ ଆଗମନ ପାଇଁ ଦେଶବାସୀ ଉତ୍ଫୁଲିତ ହୋଇ ଅପେକ୍ଷା କରିଥାଆନ୍ତି। ଆମେ ଯେଉଁ ମା’ଙ୍କ କଥା କହୁଛି, ସେ ଦେବୀ ମା’ ନୁହଁନ୍ତି, ନେତୃତ୍ୱ ସଂକଟରେ ପଡ଼ିଥିବା ବିଜୁ ଜନତା ଦଳକୁ ଉଦ୍ଧାର କରିବା ପାଇଁ ତ୍ରାଣକର୍ତ୍ତୀ ମା’ ସୁଜାତା ରାଉତ କାର୍ତ୍ତିକେୟନ ଆସୁଛନ୍ତି। ତେଣୁ ତାଙ୍କୁ ସ୍ୱାଗତ କିପରି କରାଯିବ ସେ ନେଇ ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାମାନେ ତତ୍ପର ହୋଇଉଠିଲେଣି। ଏପରିକି ନବୀନ ବାବୁ ଯାହା ନିଷ୍ପତ୍ତି ନେବେ ସେମାନେ ମାନିବେ ବୋଲି ବିଧାନସଭାରେ ଦଳର ମୁଖ୍ୟସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି। ଯଦି ସୁଜାତାଙ୍କୁ ଦାୟିତ୍ୱ ଦିଅନ୍ତି, ତେବେ ତାଙ୍କୁ ବି ମାନିବୁ ବୋଲି ବିଜୁ ମହିଳା ଜନତା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି।
ମହିଳା ବ୍ରିଗେଡ଼ର ଅଚାନକ ସକ୍ରିୟ
ବିଜେଡିର ୨୯ତମ ପ୍ରତିଷ୍ଠା ଦିବସ ପାଳନକୁ ଆଉ ମାତ୍ର ଦିନେ ବାକି ଥିବାବେଳେ ଦଳର ଆଭ୍ୟନ୍ତରୀଣ କନ୍ଦଳ ଚରମ ସୀମାରେ ପହଞ୍ଚିଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବ୍ଲାକମେଲ୍ ଓ ଚାପ ସୃଷ୍ଟି କରିବା ପାଇଁ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ଆରମ୍ଭ ହୋଇଛି । ପାଣ୍ଡିଆନ ଦମ୍ପତିଙ୍କ ନବୀନ ନିବାସରୁ ରହସ୍ୟମୟ ଦୂରତ୍ୱ ଓ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ୱରେ ମହିଳା ବ୍ରିଗେଡ଼ର ଅଚାନକ ସକ୍ରିୟତା ବିଜେଡି ରାଜନୀତିରେ କମ୍ପନ ସୃଷ୍ଟି କରିଛି ।
ପାଣ୍ଡିଆନଙ୍କ ପ୍ରେସର ପଲିଟିକ୍ସ
ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କୁ ଦଳର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେବା ପାଇଁ ଏହି ‘ପ୍ରେସର ପଲିଟିକ୍ସ’କୁ ସୁଚିନ୍ତିତ ଢଙ୍ଗରେ କାର୍ଯ୍ୟକାରୀ କରାଯାଉଥିବା ସୂଚନା ମିଳିଛି । ତେବେ ନବୀନଙ୍କ ନାଁ ନେଇ ସ୍ନେହାଙ୍ଗିନୀ କିଭଳି ଦଳୀୟ ନେତ୍ରୀମାନଙ୍କୁ ଏକଜୁଟ କରୁଛନ୍ତି ଓ ଅପରାହ୍ନରେ ନବୀନଙ୍କୁ ଭେଟିବା ପାଇଁ ତାଙ୍କୁ କିଏ କିଭଳି ଅନୁମତିର ବ୍ୟବସ୍ଥା କରାଇଲା ତାହା ଏବେ ବିଜେଡି ନେତାମାନଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ଇଙ୍ଗିତରେ ତାଙ୍କର ଖାସ୍ ଅନୁଗତ ଥିବା ନବୀନ ନିବାସର ଜଣେ ବରିଷ୍ଠ ଅଧିକାରୀ ହିଁ ଏହି ଭେଟଘାଟର ଆୟୋଜନ କରିଥିବା ଜଣାପଡ଼ିଛି ।
ସ୍ନେହାଙ୍ଗିନୀଙ୍କ କାନ୍ଧରେ ବନ୍ଧୁକ, ଋଣ ପରିଶୋଧ କରୁଛନ୍ତି କି?
ଦଳର ୨୯ତମ ପ୍ରତିଷ୍ଠା ଦିବସ ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ମାତ୍ରାଧିକ ଚାପ ଓ ତାଙ୍କୁ ଘେରିବା ପାଇଁ ଚକ୍ରବ୍ୟୁହ ପ୍ରସ୍ତୁତ ହୋଇଛି । ସ୍ନେହାଙ୍ଗିନୀ ଗତକାଲି ଅପରାହ୍ନ ସାଢ଼େ ୪ଟାରେ ଦଳର ବରିଷ୍ଠ ନେତ୍ରୀମାନଙ୍କୁ ଧରି ନବୀନ ନିବାସ ଯାଇ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ବିଜେଡି ସୂତ୍ର ଅନୁସାରେ, ଗତ ସୋମବାର ଅପରାହ୍ନରୁ ସ୍ନେହାଙ୍ଗିନୀ ନିଜେ ଦଳର ବିଭିନ୍ନ ନେତ୍ରୀମାନଙ୍କୁ ଫୋନ୍ କରି “ନବୀନ ବାବୁ ଡକାଇଛନ୍ତି” ବୋଲି କହି ଏକଜୁଟ କରିଛନ୍ତି । ନବୀନ ନିବାସରୁ କୌଣସି ଅଫିସିଆଲ୍ ଡାକରା ନ ଥାଇ ସ୍ନେହାଙ୍ଗିନୀ ନିଜ ଆଡୁ ଏହି ମେଳି କରିବା ଘଟଣା ସନ୍ଦେହ ଘେରରେ ।
ପ୍ରାୟୋଜିତ ନାଟକର ମୂଳ ଲକ୍ଷ୍ୟ ଚାପ
ଯଦିଓ ନବୀନ ପଟ୍ଟନାୟକ କାହାକୁ ଡାକିଲେ ତାଙ୍କ ବ୍ୟକ୍ତିଗତ କମର୍ଚାରୀ କିମ୍ବା ନବୀନ ନିବାସରୁ ସିଧାସଳଖ ଫୋନ୍ ଯାଇଥାଏ, କିନ୍ତୁ ସ୍ନେହାଙ୍ଗିନୀଙ୍କ ମାଧ୍ୟମରେ ଏହି ଡାକରା ଆସିବା ପଛରେ ଏକ ସୁଚିନ୍ତିତ ରଣନୀତି ଥିବା କୁହାଯାଉଛି। ସୁଜାତାଙ୍କୁ ଦଳର ନେତୃତ୍ୱ ଦେବା ଅଥବା ତାଙ୍କୁ ରାଜ୍ୟସଭା ପଠାଇବା ପାଇଁ ନବୀନଙ୍କ ଉପରେ ସାମୂହିକ ଚାପ ପକାଇବା ହିଁ ଏହି ‘ପ୍ରାୟୋଜିତ ନାଟକ’ର ମୂଳ ଲକ୍ଷ୍ୟ ବୋଲି ଚର୍ଚ୍ଚା ।
ନୂଆପଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀଙ୍କ ଲଜ୍ଜାଜନକ ପରାଜୟ ବିଜେଡି ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ହୋଇ ରହିଛି । ଦଳର ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ସେଠାରେ ପ୍ରାର୍ଥୀ ହୋଇଥିଲେ ମଧ୍ୟ ଦଳ ସେଠାରେ ତୃତୀୟ ସ୍ଥାନରେ ରହିବାକୁ ବିଜେଡିର କର୍ମୀ-ନେତାମାନେ ସହଜରେ ହଜମ କରିପାରିନାହାନ୍ତି। ନୂଆପଡ଼ାବାସୀଙ୍କୁ ଅପମାନିତ କରି ଜିଲ୍ଲା ବାହାରରୁ ସ୍ନେହାଙ୍ଗିନୀଙ୍କୁ ପ୍ରାର୍ଥୀ କରାଯିବା ଯୋଗୁ ଦଳର ବିପର୍ଯ୍ୟୟ ହେବାକୁ ନେତାମାନେ ସିଧାସଳଖ ସ୍ୱୀକାର କରୁଥିଲେ ମଧ୍ୟ ତାଙ୍କୁ କିଏ ପ୍ରାର୍ଥୀ କରିଥିଲା ତାହା ଆଜିର ଘଟଣାକ୍ରମ ପରେ ସ୍ପଷ୍ଟ ହେବାରେ ଲାଗିଛି ।
ସୁଜାତାଙ୍କ ସପକ୍ଷରେ ଲବି କରିବାର ନେତୃତ୍ୱ ସ୍ନେହାଙ୍ଗିନୀ ଉପରେ
ଦଳର ନେତାମାନଙ୍କ ପରାମର୍ଶକୁ ଅଣଦେଖା କରି ସ୍ନେହାଙ୍ଗିନୀକୁ ପ୍ରାର୍ଥୀ ଭାବେ ଲଦି ଦେବା ପାଇଁ ପାଣ୍ଡିଆନ ଦମ୍ପତି ହିଁ ଷଡ଼ଯନ୍ତ୍ର କରି ସଫଳ ହୋଇଥିଲେ । ଏବେ ସେହି ପାଣ୍ଡିଆନ ଦମ୍ପତିଙ୍କ ଇସାରାରେ ନବୀନ ନିବାସ ଯାଇ ସୁଜାତାଙ୍କ ସପକ୍ଷରେ ଲବି କରିବାର ନେତୃତ୍ୱ ସ୍ନେହାଙ୍ଗିନୀ ନେଇଥିବା ଚର୍ଚ୍ଚା ହେଉଛି ।
ପାଣ୍ଡିଆନଙ୍କ ‘ସାଇଲେଣ୍ଟ ୱାର’, ବବିଙ୍କ ପାରାଲାଲ ‘ପାୱାର’
ପାଣ୍ଡିଆନ ଓ ତାଙ୍କ ଖାସ୍ ଅନୁଗତ ପ୍ରଣବପ୍ରକାଶ ଦାସ ଓରଫ ବବିଙ୍କ ମଧ୍ୟରେ ଆନୁଷ୍ଠାନିକ ବିଜେଡି ଦଖଲକୁ ନେଇ ଚାଲିଥିବା ଛକାପଞ୍ଝା ମଧ୍ୟରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ତାଙ୍କ ହାତଗଢ଼ା ଦଳରେ କୋଣଠେସା ସହ ଏକଘରିକିଆ କରିବାକୁ ମଧ୍ୟ ଷଡ଼ଯନ୍ତ୍ର ଆରମ୍ଭ ହୋଇଛି । ଦଳରେ ସୁଜାତାଙ୍କ ଆନୁଷ୍ଠାନିକ ଏଣ୍ଟ୍ରିକୁ ନବୀନ ‘ଗ୍ରୀନ୍ ସିଗନାଲ’ ଦେଉନଥିବାରୁ ପାଣ୍ଡିଆନ ଦମ୍ପତି ଏବେ ‘ଇମୋସନାଲ ଅତ୍ୟାଚାର’ ଆରମ୍ଭ କରିଦେଇଥିବା ଚର୍ଚ୍ଚା ହେଉଛି। ନବୀନଙ୍କ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖିଥିବା ପାଣ୍ଡିଆନ ହଠାତ୍ ଚଳିତମାସ ମଧ୍ୟରେ ମାତ୍ର ୩-୪ଦିନ ନବୀନ ନିବାସ ଆସିବା ଏବଂ ତାଙ୍କ ଅନୁପସ୍ଥିତିରେ ନିୟମିତ ନବୀନ ନିବାସ ଆସୁଥିବା ସୁଜାତା ବିଗତ ଦୁଇସପ୍ତାହ ଧରି ଆଉ ନ ଆସିବା ଏହାର ବିରାଟ ସଙ୍କେତ ବୋଲି କୁହାଯାଉଛି।
ମାରାତ୍ମକ ରଣନୀତି
ନବୀନ ବୟାସାଧିକ୍ୟ ଶାରୀରିକ ଅସୁସ୍ଥତା ଓ ଅସହାୟତାର ସୁଯୋଗ ନେଇ ତାଙ୍କୁ ମାନସିକ ସ୍ତରରେ ଦୁର୍ବଳ କରିବା ଓ ବାଧ୍ୟ ହୋଇ ସୁଜାତାଙ୍କୁ ‘ସେକେଣ୍ଡ ଇନ୍ କମାଣ୍ଡ’ ଘୋଷଣା କରାଇବା ପାଇଁ ଏହି ମାରାତ୍ମକ ରଣନୀତି ପ୍ରୟୋଗ ସହ ସ୍ନେହାଙ୍ଗିନୀଙ୍କୁ ବି ମୋହରା କରାଯାଇଛି ବୋଲି ଚର୍ଚ୍ଚା ହେଉଛି।
ଅସଲ ରୂପ ଦେଖାଉଛନ୍ତି ବବି
ଅନ୍ୟପକ୍ଷରେ ପାଣ୍ଡିଆନଙ୍କ ଏହି ଚାପ ରଣନୀତିକୁ କାଉଣ୍ଟର କରିବାକୁ ଯାଇ ବବି ନିଜର ଅସଲ ରୂପ ଦେଖାଇବା ଆରମ୍ଭ କରିଛନ୍ତି । ଦଳର କାର୍ଯ୍ୟକାରୀ ସଭାପତି ପଦ ହାତେଇବାକୁ ବବି ପରଦା ପଛରେ ରହି ଦଳରେ ଅସ୍ଥିରତା କରୁଥିବା ଚର୍ଚ୍ଚା ହେଉଛି। ନବୀନଙ୍କ ନିର୍ଦ୍ଦେଶ ଓ କଟକଣାକୁ ଫୁ’ କରି ଝୁମୁକା ଫାର୍ମହାଉସରେ ୫୦ରୁ ଅଧିକ ପରାଜିତ ନେତାଙ୍କୁ ଏକାଠି କରି ବବିଙ୍କ ଅନୁଗତ ଗୋଷ୍ଠୀ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ପ୍ରଣବ ବଳବନ୍ତରାୟ ଓ ସମ୍ବିତ ରାଉତରାୟଙ୍କ ଭଳି ବବିଙ୍କ ଅନୁଗତମାନେ ଖୋଲାଖୋଲି ଦଳୀୟ ଅନୁଶାସନକୁ ଚ୍ୟାଲେଞ୍ଜ କରିବା ସହ ସୁଜାତାଙ୍କ ଏଣ୍ଟ୍ରିକୁ ମଧ୍ୟ ବିରୋଧ କରିଛନ୍ତି ।
ତେବେ ବବି-ପାଣ୍ଡିଆନ ଲଢ଼େଇ ମଧ୍ୟରେ ଦଳର ବରିଷ୍ଠ ନେତାମାନଙ୍କ ସମେତ ପିଏସି ଓ ଦେବୀ ମିଶ୍ରଙ୍କ ନେତୃତ୍ୱାଧୀନ କୋରକମିଟି କାହିଁକି ନିରବ ରହିଛି ତଥା ଦଳକୁ ବିଭାଜନ ପାଇଁ ପ୍ରୋତ୍ସାହିତ କରାଉଛି ତାହାବି ସନ୍ଦେହ ଘେରରେ ।
ବିଜେଡି ଏବେ ଦୁଇ ଫାଳ
ପାଣ୍ଡିଆନ ଓ ବବିଙ୍କ କ୍ଷମତା ଲଢ଼େଇରେ ବିଜେଡି ଏବେ ଦୁଇ ଫାଳ ହେବାକୁ ବସିଛି। ଗୋଟିଏପଟେ ସ୍ନେହାଙ୍ଗିନୀଙ୍କୁ ମୋହରା କରି ପାଣ୍ଡିଆନ ଗୋଷ୍ଠୀର ‘ବ୍ଲାକମେଲିଂ’ ଓ ଅନ୍ୟପଟେ ବବିଙ୍କ ବିଦ୍ରୋହ ଓ ଅସ୍ଥିରତାର ପ୍ରୟାସ । ସୁଜାତାଙ୍କ ଏଂଟ୍ରି ନହେଲେ ଦଳ ବୁଡ଼ିଯିବ ବୋଲି ନବୀନଙ୍କୁ ଡରାଇ ତାଙ୍କ ନେତୃତ୍ୱକୁ ଦୁର୍ବଳ କରାଯାଉଛି । ଦୀର୍ଘବର୍ଷ ଧରି ଏକଚାଟିଆ ଶାସନ କରିଥିବା ନବୀନ ପଟ୍ଟନାୟକ ଆଜି ନିଜ ଦଳରେ କୋଣଠେସା ହୋଇପଡ଼ିଛନ୍ତି, ଯାହା ରାଜ୍ୟ ରାଜନୀତି ପାଇଁ ଏକ ବଡ଼ ଚେତାବନୀ ବୋଲି ଚର୍ଚ୍ଚା ହେଉଛି ।
AlsoRead; http://purvapaksa.com/new-look-for-three-parties-in-the-new-year/
http://purvapaksa.com/new-look-for-three-parties-in-the-new-year/

