ନୂଆପଡ଼ା ଉପନିର୍ବାଚନ ଫଳାଫଳ ସହିତ ବିହାର ନିର୍ବାଚନର ଗଣନା ଶେଷ ହୋଇ ଫଳାଫଳ ଚୁଡ଼ାନ୍ତ ଭାବରେ ସାମ୍ନାକୁ ଆସିଛି। ଦୁଇଟି ରାଜ୍ୟ, ଦୁଇ ପ୍ରକାର ରାଜନୈତିକ ଗଠନ, ଦୁଇ ପୃଷ୍ଠଭୂମି- କିନ୍ତୁ ଫଳ ଗୋଟିଏ; ବିଜେପିର ଏକପାଖିଆ ବିଜୟ।
ଓଡ଼ିଶାରେ ନୂଆପଡ଼ା- ଯାହା ଗତ କିଛିମାସ ଧରି ରାଜ୍ୟର ରାଜନୈତିକ ତାପମାତ୍ରାକୁ ବଢ଼ାଇ ରଖିଥିଲା; ସେଠାରେ ବିଜେପିର ଅଭୁତପୂର୍ବ ବିଜୟ ହାସଲ କରିଛି। ନୂଆପଡ଼ା ସହିତ ବିହାରରେ ଏନଡିଏର ବିପୁଳ ବିଜୟ, ଯାହାକୁ ଗଢ଼ିବାରେ ପରଦାର ପଛରୁ ମୁଖ୍ୟ ଭୂମିକା ନେଇଥିଲେ ଓଡ଼ିଆ ନେତା ଧର୍ମେନ୍ଦ୍ର ପ୍ରଧାନ।
)
ଏକ ଦିନରେ ଦୁଇଟି ବଡ଼ ନିର୍ବାଚନ ବିଜୟ- ନିଶ୍ଚୟ ଓଡ଼ିଶା ବିଜେପି ପାଇଁ ‘ଡବଲ ଖୁସି’
କିନ୍ତୁ ଏହି ବିଜୟ କେବଳ ଭୋଟରେ ଯୋଗ-ବିଯୋଗର ସରଳ ଗଣିତ ନୁହେଁ; ଏହା ଆଗାମୀ ରାଜନୀତିକ ଘଟଣାକୁ ଗଭୀର ଭାବରେ ପ୍ରଭାବିତ କରିବାକୁ ସକ୍ଷମ ଏକ ବଡ଼ ସଙ୍କେତ। ନିର୍ବାଚନ ଫଳାଫଳ ଯେତେ ମହତ୍ତ୍ୱପୂର୍ଣ୍ଣ ହେଉଛି ଏହାପରେ ରାଜ୍ୟ ରାଜନୀତିରେ ହେବାକୁ ଯାଉଥିବା ପରିଣାମ ମଧ୍ୟ ସେତେ ଉତ୍କଣ୍ଠାପୂର୍ଣ୍ଣ ହେବ। ଉଭୟ ନିର୍ବାଚନରେ କଂଗ୍ରେସ ସମେତ ଆଞ୍ଚଳିକଦଳମାନେ ମାଟି କାମୁଡ଼ି ପଡ଼ିଛନ୍ତି। ସେମାନଙ୍କର ଭୋଟ ଚୋରୀ, ପ୍ରାର୍ଥୀ ଚୋରୀ ଓ ଏସଆଇଆର ବିରୋଧକୁ ମତଦାତାମାନେ ସମ୍ପୂର୍ଣ୍ଣ ଭାବରେ ଖାରଜ କରିଦେଇଛନ୍ତି।
ନୂଆପଡ଼ା ଉପନିର୍ବାଚନ: ମୋହନ–ମନମୋହନ ଯୋଡ଼ିର ପ୍ରଥମ ପରୀକ୍ଷା, ପ୍ରଥମ ସଫଳତା
ନୂଆପଡ଼ା ଉପନିର୍ବାଚନ ବିଜେପି ପାଇଁ ମାତ୍ର ଗୋଟିଏ ନିର୍ବାଚନ ନୁହେଁ, ଏହା ପାର୍ଟିର ଆନ୍ତରିକ ଏବଂ ବାହ୍ୟ ଆତ୍ମସମ୍ମାନର ପ୍ରଶ୍ନ ହୋଇ ପଡ଼ିଥିଲା। କାରଣ; ଏହି ନିର୍ବାଚନ ହେଉଛି ନୂଆ ସରକାର ଗଠନର ପରେ ପ୍ରଥମ ବଡ଼ ପରୀକ୍ଷା। ଏହି ନିର୍ବାଚନକୁ ନେଇ ବିରୋଧୀ ଦଳମାନେ “ବିଜେପିର ଅନ୍ତର୍ଦ୍ଦ୍ୱନ୍ଦ୍ୱ” ଓ “ପ୍ରାର୍ଥୀ ଖୋଜିବାରେ ଅସୁବିଧା” ଭଳି ଅଭିଯୋଗ ଉଠାଇଥିଲେ। ସେଥିପାଇଁ ମଧ୍ୟ ରାଜ୍ୟର କିଛି ବିଜେପି ନେତା ମୋହନ–ମନମୋହନଙ୍କ ନେତୃତ୍ୱକୁ ନେଇ ଅସନ୍ତୁଷ୍ଟ ଥିବା କଥା ମଧ୍ୟ ପ୍ରଚାର କରାଯାଉଥିଲା। ଏତେ ବାଦବିବାଦ ମଧ୍ୟରେ, ମୋହନ ମାଝୀ–ମନମୋହନ ସାମଲ–ସୁନୀଲ ବଂଶଲ ତିନିଜଣ ଯେଉଁ ରଣନୀତି ଗଢ଼ିଥିଲେ, ସେହି ଦିଗରୁ ବିଜେପିର ରାଜ୍ୟ ସଂଗଠନ ଏବେ ନିଶ୍ଚୟ ଭାବରେ ପୁନଃମୂଲ୍ୟାୟନ ହେଉଛି।

ଘୋଡ଼ାକୁ ଯୋଡ଼ା ସରି ନୁହେଁ
ନୂଆପଡ଼ାର ପରିସ୍ଥିତି ମତଦାତାଙ୍କ ମନୋଭାବ ପାଇଁ ଏକ ଦୃଢ଼ ପରୀକ୍ଷା ହେବା ସତ୍ତ୍ୱେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଯେଉଁ ବିପୁଳ ବ୍ୟବଧାନରେ ବିଜୟୀ ହୋଇଛନ୍ତି, ତାହା ଦଳର ଅନ୍ତର୍ନିହିତ ଅସମନ୍ୱୟ ତଥା ବିରୋଧୀଙ୍କ ଆକଳନକୁ ସମ୍ପୂର୍ଣ୍ଣ ଭାବରେ ଖାରଜ କରି ଦେଇଛି। ଜୟ ଢୋଲକିଆଙ୍କ ଏତେ ବଡ଼ ଭୋଟ ବ୍ୟବଧାନ ରହିଛି ଯାହା ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ଭୋଟ ମିଶିଲେ ମଧ୍ୟ କମ ହେବ। କୁହାଯାଏ ଯୋଡ଼ାକୁ ଘୋଡ଼ା ସରି ନୁହେଁ, କିନ୍ତୁ ନୂଆପଡ଼ାରେ ବିଜେପି ପ୍ରମାଣିତ କଲା ଘୋଡ଼ାକୁ ଯୋଡ଼ା ସରି ନୁହେଁ। କାରଣ ଜୟ ଢୋଲକିଆ ୧ଲକ୍ଷ ୨୩ ହଜାର ୮୬୯ ଭୋଟ ପାଇଛନ୍ତି। ସେ ନିକଟତମ ପ୍ରତିଦ୍ୱନ୍ଦ୍ୱିଙ୍କଠାରୁ ୮୨ ହଜାରରୁ ଅଧିକ ଭୋଟ ପାଇଛନ୍ତି। ଏହି ବ୍ୟବଧାନ ରାଜ୍ୟର ଭାବୀ ରାଜନୀତି ପାଇଁ ଏକ ନୂଆ ସଙ୍କେତ ଦେଇଛି।
ବିଜେଡି–କଂଗ୍ରେସର ଦୁର୍ଦ୍ଦଶା
ଗତଥର ଏଠାରେ ବିଜେଡି ଯେଉଁ ଭୋଟ ପାଇ ପ୍ରାର୍ଥୀକୁ ବିଜୟୀ କରିଥିଲା, ଏଥର ସେହି ଦଳ ତୃତୀୟ ସ୍ଥାନକୁ ପହଞ୍ଚିବା ଅସାଧାରଣ ପରିବର୍ତ୍ତନ। କଂଗ୍ରେସ ପ୍ରାର୍ଥୀ ଘାସିରାମଙ୍କ ଭୋଟ ଗତଥର ତୁଳନାରେ ୧୦,୦୦୦ରୁ ଅଧିକ କମିଯିବା- ଏହା ମତଦାତାଙ୍କ ଧାରା ପରିବର୍ତ୍ତନର ସ୍ପଷ୍ଟ ଉଦାହରଣ।
ପ୍ରାର୍ଥୀ ବିବାଦ ଓ ବସନ୍ତ ପଣ୍ଡାଙ୍କ ଭୂମିକା
ଦଳରେ ଅନ୍ତର୍ଦ୍ୱନ୍ଦ୍ୱ, ପ୍ରାର୍ଥୀ ଚୟନରେ ଦଳୀୟ ବିବାଦ ଓ ଅଭିନନ୍ଦନ ପଣ୍ଡାକୁ ପ୍ରାର୍ଥୀ କରିନଥିବାରୁ କ୍ଷୋଭ- ଏସବୁ ଗାଲୁଗପ ନିର୍ବାଚନ ପୂର୍ବରୁ ରାଜ୍ୟରେ ଘୁରି ବୁଲୁଥିଲା। କିନ୍ତୁ ବସନ୍ତ ପଣ୍ଡାଙ୍କ ନରମ ମନୋଭାବ, ଦଳ ପ୍ରତି ନିଷ୍ଠା ଓ ପ୍ରାର୍ଥୀଙ୍କ ପକ୍ଷରେ ପ୍ରଚାର; ଏସବୁ ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବରେ ଭୁଲ ପ୍ରମାଣ କରିଦେଲା। ଏହା ବିଜେପିର ପାଇଁ ଆନ୍ତରିକ ଏକତାର ବଡ଼ ଉଦାହରଣ।
ବିହାରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ‘ସଂଗଠନ ମାଷ୍ଟର୍ଷ୍ଟ୍ରୋକ’
ବିହାର ଏକ ଜଟିଳ ରାଜନୀତିକ ରାଜ୍ୟ ଯେଉଠି ଜାତି ସମୀକରଣ, ଗ୍ରାସରୁଟ୍ ନେଟୱାର୍କ, ଅଞ୍ଚଳ ଭିତ୍ତିକ ଦଳୀୟ ପ୍ରଭାବରୁ ଏଠାରେ ଜିତିବା ପାଇଁ କେବଳ କେନ୍ଦ୍ରୀୟ ନେତାଙ୍କ ଅଭିଯାନ ପର୍ଯ୍ୟାପ୍ତ ନୁହେଁ। ଏଥିପାଇଁ ଦରକାର ସାଂଗଠନିକ ନିୟନ୍ତ୍ରଣ + କାର୍ଯ୍ୟକ୍ଷମ ଦଳ ବିନ୍ୟାସ + ଭୂମିସ୍ତରରେ ନେଟୱାର୍କକୁ କାର୍ଯ୍ୟକ୍ଷମ କରିବା।
ଏହି ତିନି ଦିଗରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଦକ୍ଷତା ବିଜେପି ପୂର୍ବରୁ ମଧ୍ୟ ଅନେକ ରାଜ୍ୟରେ ସଫଳତାର ସହିତ ପରୀକ୍ଷା କରିସାରିଛି। ବିହାରରେ ଏବେ ତାଙ୍କ ରଣନୀତିକୁ ବିଶେଷ ପ୍ରଶଂସା ମିଳୁଛି।
କଂଗ୍ରେସ–ଆରଜେଡିର ‘ଭିତ୍ତି’ ଉପାଡ଼ି ଦେଲେ ଧର୍ମେନ୍ଦ୍ର
ଏହା ଅତିଶୟୋକ୍ତି ନୁହେଁ- ବିହାରରେ ଏଥର ବିଜେପି–ଏନଡିଏର ବିଜୟ ଏତେ ବିଶାଳ ଯେ, କଂଗ୍ରେସ ଓ ଆରଜେଡିର ଗୋଟିଏ ସୁଦୀର୍ଘ ଭୋଟଭିତ୍ତିକୁ ଉପାଡ଼ି ଫୋପାଡ଼ିବାରେ ଧର୍ମନ୍ଦ୍ରଙ୍କ ସାଂଗଠନିକ ଯୋଜନା ପ୍ରଧାନ ଭୂମିକା ନେଇଛି।
କଂଗ୍ରେସ ଓ ଆରଜେଡି ତରଫରୁ ଯେଉଁ ଭୋଟ ଚୋରି ଅଭିଯୋଗ ଆସୁଥିଲା- ତାହାକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ସାଂଗଠନିକ ରଣନୀତି ପ୍ରତ୍ୟକ୍ଷ ଭାବରେ ଭୁଲ ପ୍ରମାଣ କରିଦେଲା।
ଦିଲ୍ଲୀରେ ବଢ଼ୁଥିବା ଧର୍ମେନ୍ଦ୍ରଙ୍କ ଭରସା
ବିହାର ବିଜୟ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦିଲ୍ଲୀରେ ଆହୁରି ସଶକ୍ତ କରିବ। ତାଙ୍କ ସାଂଗଠନିକ ଦକ୍ଷତା ଏବେ ପୁନର୍ବାର ପାର୍ଟି ଶୀର୍ଷସ୍ତରରେ ପ୍ରଶଂସାର କେନ୍ଦ୍ରବିନ୍ଦୁ ପାଲଟିଛି। ଆଗାମୀ ଦିନରେ ଦଳ ତାଙ୍କୁ କିଛି ବଡ଼ ଧରଣର ସାଂଗଠନିକ ଦାୟିତ୍ୱ ଦେଇପାରେ ବୋଲି ଆଲୋଚନା ହେଉଛି।
ନୂଆପଡ଼ାର ଫଳାଫଳର ପ୍ରଭାବ; ମୋହନ–ମନମୋହନଙ୍କ ଭୂମିକା ଆହୁରି ମଜବୁତ ହେବ
ନୂଆପଡ଼ା ଉପନିର୍ବାଚନ ଫଳାଫଳ ପରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି- ରାଜ୍ୟ ଶାସନରେ ମୋହନ–ମନମୋହନଙ୍କ ଭୂମିକା। ଗତ କିଛି ସପ୍ତାହରୁ ଦଳ ଭିତରେ ଶୁଣାଯାଉଥିବା ଶବ୍ଦ- “ଓଡ଼ିଶାରେ ଅଦୃଶ୍ୟ ଶକ୍ତି”, “ମନ୍ତ୍ରିମଣ୍ଡଳର କିଛି ସଦସ୍ୟଙ୍କ ମନମାନି”, “ନୂଆ ନେତୃତ୍ୱ ଚାହିଁଥିବା ଗୋଷ୍ଠୀ’’ ଏବେ ନୂଆପଡ଼ାର ଜନାଦେଶ ପରେ ଧୀରେ ଧୀରେ କମିବା ନିଶ୍ଚିତ।
ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ସମ୍ଭାବନା
ରାଜନୀତିକ ମହଲରେ ଏକ ଧାରଣା ସଞ୍ଚାରିତ- କିଛି ମନ୍ତ୍ରୀ ମୋହନ–ମନମୋହନଙ୍କ ପରାମର୍ଶକୁ ଗୁରୁତ୍ୱ ଦେଉନାହାନ୍ତି। ତାଙ୍କୁ ‘ବାଇପାସ୍’ କରି ଅନ୍ୟ ଶକ୍ତିକେନ୍ଦ୍ର କୌଣସି ନୀତି ନିର୍ଣ୍ଣୟରେ ପ୍ରଭାବ ପକାଇବାକୁ ଚେଷ୍ଟା କରୁଛି।
ଏବେ ନୂଆପଡ଼ାର ପରିଣାମ ପରେ ଯାହା ଜଣାପଡ଼ୁଛି ମୋହନ ଓ ମନମୋହନଙ୍କୁ ସମ୍ପୂର୍ଣ୍ଣ ଶୀର୍ଷ ସମର୍ଥନ ମିଳିଛି।
ଏହାର ଫଳ; ଆଗାମୀ ଦିନରେ ମନ୍ତ୍ରିମଣ୍ଡଳରେ କେତେକ ପରିବର୍ତ୍ତନ ହେବ। ଯେଉଁମାନେ ସାଂଗଠନିକ ନୀତି ଅନୁଯାୟୀ କାମ କରିବେ ନାହିଁ; ସେମାନଙ୍କୁ ବାହାର ରାସ୍ତା ଦେଖାଇବାର ସମ୍ଭାବନା ବଢ଼ିଛି।
ବିଜେପିର ଡବଲ ବିଜୟର ରାଜନୈତିକ ଅର୍ଥ
ଏହି ଦୁଇଟି ବିଜୟ ନିମ୍ନଲିଖିତ ପାଞ୍ଚଟି ବଡ଼ ମେସେଜ୍ ଦେଉଛି-
୧) ବିଜେପିର ଅନ୍ତର୍ଦ୍ଦ୍ୱନ୍ଦ୍ୱ ଅଭିଯୋଗକୁ ମତଦାତା ଖାରଜ କରିଛନ୍ତି। ନୂଆପଡ଼ାର ଫଳାଫଳ ଦେଖାଇଲା ଯେ ବିଜେପି ଭିତରେ କିଛି ଅସମତି ଥିଲେ ମଧ୍ୟ ମତଦାତା ପର୍ଯ୍ୟନ୍ତ ସେହି ଦ୍ୱନ୍ଦ୍ୱ ପହଞ୍ଚିନାହିଁ।
୨) ମୋହନ–ମନମୋହନଙ୍କ ନେତୃତ୍ୱ ଆହୁରି ମଜବୁତ। ଏହି ବିଜୟ ଦୁହିଁଙ୍କ ସାଂଗଠନିକ ଦକ୍ଷତାକୁ ପୁନଃ କ୍ଷମତା ଦେଇଛି।
୩) ବିଜେଡି–କଂଗ୍ରେସ ପାଇଁ ଭବିଷ୍ୟତ ରାସ୍ତା କଠିନ ହେବ। ବିଜେଡିର ତୃତୀୟ ସ୍ଥାନ; କଂଗ୍ରେସର ଭୋଟ କମିବା ଏହା ଦୁହିଁଙ୍କ ପାଇଁ ଗଭୀର ଆତ୍ମପର୍ଯ୍ୟାଲୋଚନାର ସମୟ।
୪) ଧର୍ମେନ୍ଦ୍ର ପ୍ରଧାନର ସାଂଗଠନିକ ମୂଲ୍ୟ ଆହୁରି ବଢ଼ିଲା। ବିହାରର ଫଳାଫଳ ଜାତୀୟ ସ୍ତରରେ ତାଙ୍କର ସାଂଗଠନିକ ମେଣ୍ଟର୍ର ସ୍ଥାନକୁ ଆହୁରି ମଜବୁତ କରିଛି।
୫) ଭବିଷ୍ୟତରେ ରାଜ୍ୟର ନୀତି–ନିର୍ଦ୍ଦେଶରେ ବଡ଼ ପରିବର୍ତ୍ତନ ସମ୍ଭାବନା ରହିଛି। ନୂଆପଡ଼ା ଫଳାଫଳ ପରେ ରାଜ୍ୟ ପ୍ରଶାସନ + ଦଳ ସଂଗଠନ + ମନ୍ତ୍ରିମଣ୍ଡଳ ତିନିଟି ସ୍ତରରେ ନୂଆ ଶୃଙ୍ଖଳାବଦ୍ଧ କାର୍ଯ୍ୟପ୍ରଣାଳୀ ଆସିବ ବୋଲି ରାଜନୀତିକ ମହଲର ଧାରଣା।
ନୂଆ ରାଜନୈତିକ ସମୀକରଣର ଆରମ୍ଭ
ଓଡ଼ିଶା ଓ ବିହାର ଦୁଇଟି ରାଜ୍ୟରେ ବିଜେପିର ଏହି ବିପୁଳ ବିଜୟ କେବଳ ଦଳୀୟ ସଫଳତା ନୁହେଁ; ଏହା ଆଗାମୀ ଦିନର ରାଜ୍ୟ–କେନ୍ଦ୍ର ସମ୍ବନ୍ଧ, ସାଂଗଠନିକ ନିୟନ୍ତ୍ରଣ, ନୂଆ ନୀତି ନିର୍ଦ୍ଦେଶ ପାଇଁ ବିଶାଳ ବାର୍ତ୍ତା ନେଇ ଆସିଛି।
ନୂଆପଡ଼ା ଉପନିର୍ବାଚନରେ ମୋହନ–ମନମୋହନଙ୍କ ପ୍ରଥମ ପରୀକ୍ଷାର ସଫଳତା ଓ ବିହାରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଶିଷ୍ଟ ରଣନୀତି ଓଡ଼ିଶା ବିଜେପି ପାଇଁ ଏହା ଗୋଟିଏ ଡବଲ ଉତ୍ସବ।
ଏବେ ରାଜ୍ୟର ଆଗାମୀ ରାଜନିତିକ ଗଣିତକୁ ବିଜେପି କିପରି ପରିଚାଳନା କରିବ, ମନ୍ତ୍ରିମଣ୍ଡଳର ପୁନଃଗଠନ କିପରି ହେବ ତାହା ଆଗାମୀ କିଛି ସପ୍ତାହରେ ଓଡ଼ିଶା ରାଜନୀତିର କେନ୍ଦ୍ର ଆଲୋଚନା ହେବ।
କିନ୍ତୁ ଏକଥା ସ୍ଥିର- ନୂଆପଡ଼ା ଓ ବିହାର- ଦୁଇଟି ରାଜ୍ୟରେ ବିଜେପିର ଅଭୁତପୂର୍ବ ବିଜୟ ଓଡ଼ିଶାର ରାଜନୈତିକ ସମୀକରଣକୁ ପରବର୍ତ୍ତୀ ଅଧ୍ୟାୟରେ ପ୍ରବେଶ କରାଇ ଦେଲା।
also read https://purvapaksa.com/naveens-left-hand-magic-not-work/
Naveen’s left hand magic not work ।। ନବୀନଙ୍କ ବାମହାତ ହଲା ଯାଦୁ ଗାଏବ


