ନୂଆପଡ଼ା ଉପନିର୍ବାଚନର ଫଳାଫଳ ଆସିଗଲା। ଫଳାଫଳ ମାତ୍ର ଘାସିରାମ ମାଝୀଙ୍କ ଭବିଷ୍ୟତ ନୁହେଁ, ସମଗ୍ର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ନେତୃତ୍ୱ ଉପରେ ପୁନର୍ବିଚାର କରିବାକୁ ବାଧ୍ୟ କରିଛି।
ଘାସିରାମ ମାଝୀଙ୍କ ହାର ଏବେ କେବଳ ନୂଆପଡ଼ା ନୁହେଁ- ସମଗ୍ର ଓଡ଼ିଶାରେ ଭକ୍ତ ଦାସଙ୍କ ନେତୃତ୍ୱ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି।
ନିର୍ବାଚନ ଫଳାଫଳ: ତୃତୀୟ ସ୍ଥାନରେ କଂଗ୍ରେସ

ନୂଆପଡ଼ାରେ ଏଥର ଭୋଟ ଗଣନା ଫଳ ଆସିବା ସହିତ ଯେପରି ଚିତ୍ର ଦେଖାଗଲା, ତାହା କଂଗ୍ରେସ ପାଇଁ ଅତ୍ୟନ୍ତ ନିରାଶାଜନକ।
କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ମାତ୍ର ୪୦ ହଜାର ଭୋଟ ଭିତରେ ସୀମିତ ହେଲେ, ଯେଉଁଠାରେ ୨୦୨୪ ଲୋକସଭା ନିର୍ବାଚନରେ ସେ ସ୍ୱାଧୀନ ପ୍ରାର୍ଥୀ ହୋଇ ୫୦ ହଜାରରୁ ଅଧିକ ଭୋଟ ପାଇଥିଲେ ଓ ଦ୍ୱିତୀୟ ସ୍ଥାନରେ ଥିଲେ।
ଅର୍ଥାତ୍, ଦଳୀୟ ଟିକଟ ମିଳିବା ସତ୍ତ୍ୱେ ମାଝୀଙ୍କ ଭୋଟ ୧୦ ହଜାର କମିଗଲା।
ଏହାର ଅର୍ଥ ହେଉଛି- ଦଳୀୟ ଯୋଜନା, ପ୍ରଚାର ନୀତି ଓ ନେତୃତ୍ୱ ଆଭିମୁଖ୍ୟ ସଫଳ ହୋଇନାହିଁ।
କାମ ଦେଲା ନାହିଁ ଭକ୍ତଙ୍କ ଭୋଟ ଚୋରୀ ଉପାଖ୍ୟାନ
କଂଗ୍ରେସ ନିର୍ବାଚନ ହାରିବା ସହିତ ୨ୟ ସ୍ଥାନରେ ରହିବ ବୋଲି ଭକ୍ତ ଦାସ ନିର୍ବାଚନ ପୂର୍ବରୁ ଅନୁମାନ କରିନେଇଥିଲେ। ସେଥିପାଇଁ ସେ ଆଦିବାସୀ ମହିଳା ମତଦାତା ଜୟନ୍ତୀ ଛତ୍ରିଆଙ୍କ ମାଧ୍ୟମରେ ଭୋଟ ଚୋରୀ ଅଭିଯୋଗ ଆଣିଥିଲେ। କିନ୍ତୁ ଏହି ଅଭିଯୋଗକୁ ନିର୍ବାଚନ ଅଧିକାରୀ ମିଛ ବୋଲି ପ୍ରମାଣିତ କରିବା ସହିତ ସେ ନିଜେ ଭୋଟ ଦେଇଥିବା କହିଛନ୍ତି। ଏହି ମିଛ ଧରା ପଡ଼ିବା ପରେ ଭକ୍ତ କହିଛନ୍ତି ଯଦି ଭୋଟ ଚୋରି ହୋଇନଥାଏ ତେବେ କଂଗ୍ରେସ ନିଶ୍ଚିତ ଜିତିବ ବୋଲି କହିଛନ୍ତି। ଏହାର ଅର୍ଥ ହେଲା କଂଗ୍ରେସ ହାରୁଛି ବୋଲି ଜାଣିବା ପରେ ଭକ୍ତ ଦାସ ବିଭିନ୍ନ ଆଳ ଦେଖାଉଛନ୍ତି ବୋଲି କଂଗ୍ରେସ ମହଲରେ ଆଲୋଚନା ହେଉଛି।
“ଏକଲା ଚାଲୋ” ନୀତିରେ ଭକ୍ତ ଦାସ
ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱ ଓ ନିର୍ବାଚନ ପରିଚାଳନା ପଦ୍ଧତି ଉପରେ ଏବେ ଦଳ ମଧ୍ୟରେ ଗଭୀର ଅସନ୍ତୋଷ ରହିଛି। ଏହି ଉପନିର୍ବାଚନରେ ସେ ଦଳର ବରିଷ୍ଠ ଓ ଯୁବ ନେତାମାନଙ୍କୁ ପ୍ରଚାର ଅଭିଯାନରେ ସାମିଲ କରିନଥିଲେ।
ସୂତ୍ରମାନଙ୍କ କହିବା ଅନୁଯାୟୀ, ଭକ୍ତ ଦାସ ପ୍ରଚାର ତାଲିକାରେ ବିଧାୟକ ରମେଶ ଜେନା ଓ କଟକ ବିଧାୟିକା ସୋଫିଆ ଫିରଦୌସଙ୍କ ନାମ ସାମିଲ କରିନଥିଲେ।
ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନାଙ୍କ ନାମ ତାଲିକାରେ ଥିଲେ ବୋଲି କହାଯାଉଥିଲା, କିନ୍ତୁ ତାଙ୍କ ପାଇଁ ଏମିତି “ଅସୁବିଧାପୂର୍ଣ୍ଣ” ପରିସ୍ଥିତି ତିଆରି ହୋଇଥିଲା ଯେ ସେମାନେ ନୂଆପଡ଼ା ଯିବାକୁ ଇଚ୍ଛା କରିନଥିଲେ।
କେବଳ ସେତିକି ନୁହେଁ ବିଭିନ୍ନ ରାଜ୍ୟର କଂଗ୍ରେସ ମୁଖ୍ୟମନ୍ତ୍ରୀ ଓ ଛତିଶଗଡ଼ର ଅନେକ ପ୍ରଭାବଶାଳୀ କଂଗ୍ରେସ ନେତାଙ୍କ ନାମ ପ୍ରଚାର ତାଲିକାରେ ଥିଲେ ମଧ୍ୟ ଭକ୍ତଙ୍କ ହାମବଡ଼ା ନୀତି ପାଇଁ ସେମାନେ ପ୍ରଚାର ଅଭିଯାନରେ ସାମିଲ ହେବାକୁ ଉଚିତ ମନେକରିନଥିଲେ ବୋଲି ଆଲୋଚନା ହେଉଛି।
ପରେ ଦଳର ଭିତରେ ଅସନ୍ତୋଷ ବଢ଼ିବା ପରେ, ଶେଷ ମୁହୂର୍ତ୍ତରେ ସେମାନେ ଯାଇଥିଲେ ବି, ପରିଣାମ ନିରାଶାଜନକ ହେଲା।
ଭକ୍ତଙ୍କ ଆତ୍ମବିଶ୍ୱାସ ବନାମ ବାସ୍ତବତା
ଭକ୍ତ ଦାସଙ୍କ ନିକଟତମ ସୂତ୍ର କହିଛନ୍ତି, ସେ ଏହି ନିର୍ବାଚନକୁ ନିଜ ପ୍ରତିଷ୍ଠା ସହ ଯୋଡ଼ି ଦେଇଥିଲେ। ସେ ଭାବିଥିଲେ ଯେ ଘାସିରାମ ମାଝୀଙ୍କର ବିଜୟ ନିଶ୍ଚିତ ଓ ଏହି ବିଜୟର ଶ୍ରେୟ ସେ ଏକାକୀ ନେଇପାରିବେ। ଏହି ଭାବନାର ମୂଳରେ ଥିଲା ରାହୁଲ ଗାନ୍ଧୀଙ୍କର ବିଶ୍ୱାସ ଜିତିବାର ଚେଷ୍ଟା।
କିନ୍ତୁ ନୂଆପଡ଼ା ଫଳ ଭକ୍ତଙ୍କ ସେହି ଆଶାକୁ ଭାଙ୍ଗିଦେଲା-ତାଙ୍କର ନେତୃତ୍ୱ ଶୈଳୀକୁ ଏବେ ନିଜ ଦଳର ନେତାମାନେ ଖୋଲାଖୋଲି ଭାବେ ପ୍ରଶ୍ନ କରୁଛନ୍ତି।
“ଭକ୍ତ ହଟାଅ” ଅଭିଯାନର ମଞ୍ଚ ତିଆରି

ନିର୍ବାଚନୀ ବିପର୍ଯ୍ୟୟ ପରେ ଦଳର ଭିତରେ ଏକ ନୂଆ ଅଭିଯାନ ଆରମ୍ଭ ହେବା ନିଶ୍ଚିତ- “ଭକ୍ତ ହଟାଅ ଅଭିଯାନ”।
ଦଳୀୟ ମହଲରେ ଆଲୋଚନା ଚାଲିଛି ଯେ ଏହି ଅଭିଯାନକୁ ନେତୃତ୍ୱ ଦେବେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ପୂର୍ବତନ ବିଧାୟକ ମହମ୍ମଦ ମୋକିମ, ସହ ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନା। ଏହି ଚାରିଜଣ ବରିଷ୍ଠ ନେତା ମିଶି ପିସିସିରେ ନେତୃତ୍ୱ ପରିବର୍ତ୍ତନ ପାଇଁ ଚାପ ତିଆରି କରିପାରନ୍ତି।
ଜଣେ କଂଗ୍ରେସ ନେତା ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି- “ଭକ୍ତ ଦାସଙ୍କ ନୀତି ଓ ନେତୃତ୍ୱ ଦଳକୁ ଗୋଟିଏ ସଂଗଠନ ଭଳି ନୁହେଁ, ଗୋଟିଏ ବ୍ୟକ୍ତିଗତ ପ୍ରକଳ୍ପ ଭଳି ଚଲାଇଲା। ଏହାର କୁପରିଣାମ ନୂଆପଡ଼ାରେ ଦେଖାଗଲା।”
ଦଳ ଭିତରେ ଦଳ: ବିଶ୍ୱାସରେ ବିଷ
ଓଡ଼ିଶା କଂଗ୍ରେସ ଗତ କିଛିବର୍ଷ ଧରି ଦଳୀୟ ଗୋଷ୍ଠୀ ବିବାଦ ଓ ଭିତରେ ଭିତରେ ବିଶ୍ୱାସ ଭଙ୍ଗର ସମସ୍ୟାରେ ଜର୍ଜରିତ।
ନବୀନ ପଟ୍ଟନାୟକ ନେତୃତ୍ୱ ରାଜ୍ୟରେ ୨୪ ବର୍ଷ ଧରି ଶାସନ କ୍ଷମତରେ ରହିବା ସମୟରେ ରାଜ୍ୟ କଂଗ୍ରେସ କେନ୍ଦ୍ରୀୟ ନେତାଙ୍କ ସ୍ୱାର୍ଥ ପାଇଁ ନିଜ ଆତ୍ମପରିଚୟ ହଜାଇସାରିଛି।
ସେହି ପରିପେକ୍ଷରେ ଭକ୍ତ ଦାସଙ୍କ ନିକଟରେ ଥିଲା ଗୋଟିଏ ସୁଯୋଗ- ନୂଆ ପିଢ଼ିକୁ ଦଳରେ ଆଣିବା ଓ ଯୁବ ନେତାମାନଙ୍କୁ ଦଳୀୟ ମଞ୍ଚରେ ସକ୍ରିୟ କରିବା।
କିନ୍ତୁ ସେ ଆପଣା ଆପଣା ଗୋଷ୍ଠୀ ତିଆରି କରି, ଅନ୍ୟ ଗୋଷ୍ଠୀଗୁଡ଼ିକୁ ପ୍ରଚାରରେ କିମ୍ବା ଦଳୀୟ କାର୍ଯ୍ୟକ୍ରମରେ ସାମିଲ କଲେ ନାହିଁ। ଏହା ଫଳରେ ଏବେ ଦଳ ଭିତରେ “ଏକାଧିକ ଶିବିର” ସକ୍ରିୟ ହୋଇଛି।
କେନ୍ଦ୍ରୀୟ ନେତୃତ୍ୱର ଦୃଷ୍ଟି ଓଡ଼ିଶା ଉପରେ
ନୂଆପଡ଼ା ଫଳାଫଳ ପରେ କେନ୍ଦ୍ରୀୟ କଂଗ୍ରେସ ନେତୃତ୍ୱ ମଧ୍ୟ ଓଡ଼ିଶା ଉପରେ ଦୃଷ୍ଟି ଦେବାକୁ ବାଧ୍ୟ ହେବ। ରାହୁଲ ଗାନ୍ଧୀଙ୍କ ସଂଗଠନ ଟିମ ଏବେ ରାଜ୍ୟ ସଭାପତିଙ୍କ କାର୍ଯ୍ୟଦକ୍ଷତା ଅନୁପାତିକ ରିପୋର୍ଟ ଚାହିଁବ।
ଏହା ସ୍ପଷ୍ଟ ଯେ, ଭକ୍ତ ଦାସ ତାଙ୍କ ପଦ ରକ୍ଷା ପାଇଁ ଏକ କଠିନ ସମସ୍ୟାରେ ପଡ଼ିବେ ବୋଲି ପିସିସିର ଜଣେ ବରିଷ୍ଠ ନେତା କହିଛନ୍ତି- “ଭକ୍ତ ଦାସ ରାହୁଲ ଗାନ୍ଧୀଙ୍କ ନିକଟରେ ନିଜ ପ୍ରଭାବ ଦେଖାଇବା ଚେଷ୍ଟା କରିଥିଲେ। କିନ୍ତୁ ନୂଆପଡ଼ା ଫଳ ଦେଖାଇଲା ଯେ ଜନମାନସ ଓ ତୃଣମୂଳ ସ୍ତରରେ ତାଙ୍କ ନେତୃତ୍ୱ ଗ୍ରହଣୀୟ ହେଉନାହିଁ।”
ବିହାରର ପ୍ରଭାବ ଓ ଓଡ଼ିଶାର ନିୟତି
ନୂଆପଡ଼ା ଫଳାଫଳ ଆସିବା ସମୟରେ ଦେଶରେ ଆଉ ଏକ ଚିତ୍ର ଦେଖାଯାଇଲା- ବିହାର ନିର୍ବାଚନ।
ସେଠାରେ ଫଳାଫଳ ଆସିବା ପୂର୍ବରୁ ତିନିଜଣ ବରିଷ୍ଠ କଂଗ୍ରେସ ନେତା ଦଳ ଛାଡ଼ିଦେଇଛନ୍ତି। ଦଳୀୟ ଅସନ୍ତୋଷ, ନେତୃତ୍ୱ ଦୂରଭିମୁଖତା ଓ ମନୋବଳ ଅଭାବ ଏହାର କାରଣ ଥିଲା। ଏବେ ଓଡ଼ିଶାରେ ମଧ୍ୟ ସେହି ଭାବନା ମଜବୁତ ହେଉଛି।
ଦଳୀୟ ସୂତ୍ରମାନେ ଭବିଷ୍ୟବାଣୀ କରୁଛନ୍ତି- “ନୂଆପଡ଼ା ଫଳାଫଳ ପରେ ଓଡ଼ିଶାରେ ମଧ୍ୟ ବିହାର ଭଳି ନେତାଙ୍କ ଦଳ ଛାଡ଼ିବା ପ୍ରକ୍ରିୟା ଆରମ୍ଭ ହେବ। କେହି ରାଜନୀତିକ ଅସନ୍ତୋଷରୁ, କେହି ନେତୃତ୍ୱ ପ୍ରତି ଅବିଶ୍ୱାସରୁ ଦଳ ଛାଡ଼ିବାକୁ ବାଧ୍ୟ ହେବେ।”
ନୂଆପଡ଼ା ଫଳର ରାଜନୀତିକ ବାର୍ତ୍ତା
ନୂଆପଡ଼ା ମାମଲାରେ ତିନିଟି ମୁଖ୍ୟ ବାର୍ତ୍ତା ମିଳିଛି –
୧. ଦଳୀୟ ଯୋଜନା ବିନା ଜନତାଙ୍କ ସମର୍ଥନ ମିଳିବ ନାହିଁ।
୨. ଘାସିରାମ ମାଝୀ ସ୍ୱାଧୀନ ଥିବାବେଳେ ଯେଉଁ ଭୋଟ ମିଳିଥିଲା, ସେହି ସମର୍ଥନ କଂଗ୍ରେସ ଚିହ୍ନ ତଳେ ରହିଲା ନାହିଁ।
୩. ନେତୃତ୍ୱ ଓ ସାଂଗଠନିକ ସମ୍ପୃକ୍ତି ନିହାତି ଆବଶ୍ୟକ।
୪. ଯେଉଁଠାରେ ଭକ୍ତ ଦାସ ଏକାକୀ ଚେଷ୍ଟା କଲେ, ସେଠି ଦଳୀୟ ଯୋଜନା ଭାଙ୍ଗିଗଲା।
୫. କେନ୍ଦ୍ରୀୟ ଦଳୀ ନିରୀକ୍ଷଣ ବିନା ରାଜ୍ୟ ନେତୃତ୍ୱ ନିଜ ଆଶା ଅନୁସାରେ ଚାଲିପାରେ ନାହିଁ। ଏହି ଫଳ କେନ୍ଦ୍ରୀୟ ନେତୃତ୍ୱକୁ ମଧ୍ୟ ସଜାଗ କରିଦେବ।
କାହାର ସହଯୋଗ ମିଳିଲା ନାହିଁ
ଅପରପକ୍ଷେ ଘାସିରାମ କହିଛନ୍ତି ଟଙ୍କା ଦ୍ୱାରା ଭୋଟ କିଣା ହୋଇଗଲେ। ମାଟିର ପୁଅକୁ ଭୁଲିଗଣେ ଭୋଟର। ତଥାପି ସେ ଆଶା ଛାଡ଼ି ନାହାନ୍ତି। ଆବ୍ରାହମ ଲିଙ୍କନ୍ଙ୍କ ପରି ସେ ୯ ଥର ହାରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ଘାସିରାମ। ୬ଥର ହାରିବା ତାଙ୍କ ମନୋବଳକୁ ହ୍ରାସ କରି ନାହିଁ ବୋଲି କହିଛନ୍ତି ଘାସିରାମ। ଏଣୁ ସେ ଆହୁରି ତିନିଥର ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ବୋଲି କହିଛନ୍ତି।
ରାଜ୍ୟ କଂଗ୍ରେସ ଏହି ନିର୍ବାଚନ ଜିତିବା ଲାଗି ଅନେକ ପ୍ରୟାସ କରିଥିଲା। ରାଜ୍ୟ ସଭାପତି ଓ ପ୍ରଭାରୀ ନୂଆପଡ଼ାରେ ରହିଥିଲେ। କିନ୍ତୁ ଅର୍ଥ ମିଳିଲା ନାହିଁ ବୋଲି କହିଛନ୍ତି ଘାସିରାମ। କେନ୍ଦ୍ରୀୟ ନେତା ଆସିଲେ ନାହିଁ କି ସହାୟତା କରିଲେ ନାହିଁ ବୋଲି କହି କ୍ଷୋଭ ପ୍ରକାଶ କରିଛନ୍ତି ଘାସିରାମ।
କେନ୍ଦ୍ରୀୟ ନେତା ଆସିଥିଲେ ହୁଏତ ଆହୁରି ଭୋଟ ମିଳିପାରି ଥାଆନ୍ତା। କିନ୍ତୁ ସ୍ୱାଧୀନ ଭାବେ ଯେତିକି ଭୋଟ ଘାସିରାମ ପାଇଥିଲେ ତା’ଠୁ ବି କମ୍ ଭୋଟ ପାଇବାକୁ ଯାଉଥିବାରୁ ଏହା ଏକ ବଡ଼ କ୍ଷତି ବୋଲି କୁହାଯାଉଛି।
ଭକ୍ତଙ୍କ ଭବିଷ୍ୟତ ଅସ୍ଥିର
ନୂଆପଡ଼ା ଉପନିର୍ବାଚନ ଫଳ ମାତ୍ର ଏକ ସୀମିତ ଘଟଣା ନୁହେଁ- ଏହା ଓଡ଼ିଶା କଂଗ୍ରେସର ଆଗାମୀ ପଥର ଦିଗ ନିର୍ଦ୍ଦେଶ କରୁଛି।
ଭକ୍ତ ଦାସ ପାଇଁ ଏହା ଏକ ସ୍ପଷ୍ଟ ବାର୍ତ୍ତା- ଦଳ ଅପେକ୍ଷା କରୁଛି ବ୍ୟକ୍ତିଗତ ଶୋ ନୁହେଁ, ସଶକ୍ତ ନେତୃତ୍ୱ।
ଯଦି ଭକ୍ତ ଏବେ ମଧ୍ୟ ଦଳୀୟ ସମ୍ମେଳନ ଓ ମାନସିକ ସମ୍ବନ୍ଧ ସୁଦୃଢ଼ କରିବେ, ତେବେ ସେ ତାଙ୍କ ପଦ ରକ୍ଷା କରିପାରିବେ।
ନ ହେଲେ ଓଡ଼ିଶାର ରାଜନୀତିକ ପରିଦୃଶ୍ୟରେ ଖୁବ ଶୀଘ୍ର ଏକ ନୂଆ ଅଧ୍ୟାୟ ଲିଖାଯିବ- ଯେଉଁଠି ଶିରୋନାମ ହେବ, “ଭକ୍ତ ହଟାଅ ଅଭିଯାନ ସଫଳ।”
also read https://purvapaksa.com/fewer-votes-for-independent-candidates-despite-note/


