ନୂଆପଡ଼ାରେ ଏବେ ତିନି ଦଳର ନେତାମାନେ ରାଜନୀତିକ ତାପମାତ୍ରା ମାପିବାରେ ବ୍ୟସ୍ତ, କିନ୍ତୁ ଭୋଟରମାନେ ନିରବ। ଭୋଟଗ୍ରହଣକୁ ଆଉମାତ୍ର ୧୩ ଦିନ ବାକି ଅଛି, ତଥାପି ରାଜନୀତିକ ଦଳଗୁଡ଼ିକ ଭୋଟରମାନଙ୍କ ମନୋଭାବ ବୁଝିବାରେ ସଫଳ ହୋଇନାହାନ୍ତି। ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ନିରବ ନିରୀକ୍ଷଣ ଚାଲିଛି। ବିଶେଷକରି ଯୁବଭୋଟରମାନେ ନିରବ, ଯେଉଁମାନେ ମତାମତ ପ୍ରକାଶ କରିବାରେ ଅଗ୍ରଣୀ ଭୂମିକା ନେଇଥାନ୍ତି। ଏହାକୁ ନେଇ ଦଳଗୁଡ଼ିକ ଏବେ ଦ୍ୱନ୍ଦ୍ୱରେ—କାହା ଭୋଟ୍ କେଉଁଠିକୁ ଯିବ, ଏହା ଏପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି।
/odishatv/media/media_files/2025/10/25/nuapada-by-election-campaigning-intensifies-as-14-candidates-remain-in-fray-2025-10-25-10-16-17.jpg)
ଭୌଗୋଳିକ ଗଣିତ ଓ ରାଜନୀତିକ ସମୀକରଣ
ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳିରେ ମୋଟ ତିନିଟି ମୁଖ୍ୟ ଅଞ୍ଚଳ — କୋମନା, ନୂଆପଡ଼ା ଓ ଖରିଆର ରୋଡ୍। କୋମନା ବ୍ଲକର ୧.୩୦ ଲକ୍ଷ ଭୋଟର ଉପରେ ବିଜେଡିର ନଜର ସର୍ବାଧିକ ରହିଛି। ଏଠାରେ ଦଳ ସବୁ ହେଭିୱେଟ ନେତାଙ୍କୁ ନିୟୋଜିତ କରି ଗାଁ ଗାଁରେ ମେଳା କରୁଛି। ନୂଆପଡ଼ା ବ୍ଲକର ଏକ ଲକ୍ଷ ଭୋଟର ଓ ଖରିଆର ରୋଡ୍ ଏବଂ ନୂଆପଡ଼ା ଏନଏସିର ସହରାଞ୍ଚଳରେ ୩୪ ହଜାର ଭୋଟର ଅଛନ୍ତି। ଏହି ସହର ଭୋଟ୍ ବିଜେପି ପକ୍ଷରେ ଥିବା ଆଲୋଚନା ହେଉଛି। ସେଥିପାଇଁ ଗ୍ରାମାଞ୍ଚଳ ଭୋଟ୍ ଯିଏ ଯେତେ ହାତେଇବ, ସେହି ଦଳ ପାଇଁ ବିଜୟ ସମ୍ଭାବନା ସେତେ ଅଧିକ ହେବ।
ବିଜେଡି: ନବୀନ ଫ୍ୟାକ୍ଟର ଓ ମାଷ୍ଟର ପ୍ଲାନ
ବିଜେଡି ଆରମ୍ଭରୁ ଏହି ଉପନିର୍ବାଚନକୁ “ଇମେଜ୍ ରେଷ୍ଟୋରେସନ୍” ଭାବେ ଦେଖୁଛି। ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ଏହି ଦଳ ଏକ ବଡ଼ ଚ୍ୟାଲେଞ୍ଜରେ ରହିଛି। ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଜିଲ୍ଲା ବାହାରର ହେଉଥିବାରୁ ଆରମ୍ଭରେ ଦଳ ହାଲୁକା ଚାପରେ ଥିଲା। କିନ୍ତୁ ନବୀନଙ୍କ ଗସ୍ତ ଯେପରିକି ୩ ଓ ୭ ତାରିଖରେ ନିର୍ଦ୍ଧାରିତ ହେଉଛି, ସେହି ମୁହୂର୍ତ୍ତ ଦଳ ପାଇଁ “ଗେମ୍ ଚେଞ୍ଜର” ହୋଇପାରେ।
ନବୀନଙ୍କ ରୋଡ୍ ଶୋ’, ସାଧାରଣ ସଭା ଏବଂ ଆଖିଦୃଶିଆ ପ୍ରଚାର ଯୋଜନା ସହିତ ବିଜେଡି ଏବେ ଗ୍ରାସରୁଟ୍ ସ୍ତରରେ ଜୋର ଦେଉଛି। ସଞ୍ଜୟ ଦାସବର୍ମା ଏବଂ ପ୍ରଣବ ପ୍ରକାଶ ଦାସ (ବବି) ରଣନୀତିର ମୁଖ୍ୟ ଭାବେ ନିୟୋଜିତ ହୋଇଛନ୍ତି। ଦଳର “ଅଘୋଷିତ ସର୍ବେସର୍ବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ” ପରଦା ପଛରେ ରହି ସବୁ ରଣନୀତିକୁ ସଂଗଠିତ କରୁଥିବା ଖବର ମିଳୁଛି।
ବିଜେଡି ଏବେ ପଞ୍ଚାୟତ ଓ ଏନଏସି ସ୍ତରରେ ଦାୟିତ୍ୱ ବଣ୍ଟନ କରି ଗ୍ରାମାଞ୍ଚଳରେ ଜନସମର୍ଥନ ବଢ଼ାଇବାରେ ଲାଗିଛି। ପ୍ରାୟ ୧୦୦ ରାଜ୍ୟସ୍ତରୀୟ ନେତା ନୂଆପଡ଼ାରେ ଶିବିର କରି ଗଣସମ୍ପର୍କ ଅଭିଯାନ ଚାଲାଉଛନ୍ତି। ସଂଗଠିତ ରଣନୀତି ଏବଂ ନବୀନଙ୍କ ଇମେଜ୍ ଆଶା କରାଯାଉଛି ଯେ ବିଜେଡିକୁ ପୁଣିଥରେ ଟ୍ରାକକୁ ଫେରାଇ ଆଣିବ।
ବିଜେପି: ସହାନୁଭୂତି ଫ୍ୟାକ୍ଟର ଓ ଅନ୍ତଃକନ୍ଦଳର ଛାୟା
ଶାସକ ବିଜେପି ପାଇଁ ଏହି ଉପନିର୍ବାଚନ “ପ୍ରେଷ୍ଟିଜ ଫାଇଟ୍”ଭାବେ ଚିନ୍ତା କରାଯାଉଛି। ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରି ଦଳ ସହାନୁଭୂତି ଭୋଟ୍ ହାତେଇବା ଆଶା ରଖିଛି। କିନ୍ତୁ ଏଠି ଦଳୀୟ ଗୋଷ୍ଠୀକନ୍ଦଳ ବିଜେପିକୁ ବେଶ୍ ମହଙ୍ଗା ପଡ଼ିପାରେ। ଜିଲ୍ଲାର ଏକ ବଡ଼ ଗୋଷ୍ଠୀ ଜୟଙ୍କ ପ୍ରତି ସମ୍ପୂର୍ଣ୍ଣ ସମର୍ଥନ ଦେବାକୁ ଆଗ୍ରହୀ ନୁହେଁ।
ଏହି ଅନ୍ତଃକନ୍ଦଳ ଯୋଗୁଁ ବିଜେପି ଏପର୍ଯ୍ୟନ୍ତ ଯେଭଳି ନିର୍ବାଚନୀ ହାୱା ସୃଷ୍ଟି କରିବାକୁ ଥିଲା, ସେହିପରି କରିପାରିନାହିଁ। ସହାନୁଭୂତି ଫ୍ୟାକ୍ଟର ସେବେବେଳେ ଲାଭଦାୟକ ହେବ ଯଦି ଗ୍ରାସରୁଟରେ ଦଳ ସଂଗଠନ ଏକଜୁଟ ରଖିପାରିବ। ବିଜେପି ଗ୍ରାମାଞ୍ଚଳରେ ଆକ୍ରମଣାତ୍ମକ ପ୍ରଚାର ଓ ସ୍ଥାନୀୟ ପ୍ରସଙ୍ଗକୁ ଯଦି ବଢ଼ାଏ, ତେବେ ଯାଇ ବିଜେଡିକୁ କାଉଣ୍ଟର କରିପାରିବ। ନଚେତ ସହାନୁଭୂତିର ଖେଳ ଆତ୍ମଘାତି ହୋଇପାରେ।
କଂଗ୍ରେସ: ସ୍ଥିର ଭୋଟ୍ ବ୍ୟାଙ୍କ, କିନ୍ତୁ ଫିକା ରଣନୀତି
ଉପନିର୍ବାଚନ ଘୋଷଣାବେଳେ କଂଗ୍ରେସ ବେଶ୍ ଭଲ ସ୍ଥିତିରେ ଥିଲା। ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରି ଦଳ ଏକ “ଲୋକାଲ ଫେସ୍” ଦେଇଥିଲା, ଯାହା ତୃଣମୂଳ ସ୍ତରରେ ସଠିକ ସନ୍ଦେଶ ଦେଇଥିଲା। ପ୍ରାୟ ୬୦ ହଜାର ସ୍ଥାୟୀ ଭୋଟ୍ ଦଳ ପାଖରେ ରହିଛି। କିନ୍ତୁ ରଣନୀତି ତ୍ରୁଟି, ରାଜ୍ୟସ୍ତରୀୟ ସମନ୍ୱୟ ଅଭାବ ଓ ମନୋବଳ ହ୍ରାସ କଂଗ୍ରେସକୁ ଏବେ “ଡିଫେନ୍ସିଭ୍ ମୋଡ୍”ରେ ରଖିଛି।
ପିସିସି ସଭାପତି ଭକ୍ତଚରଣ ଦାସ ନିଜେ ନୂଆପଡ଼ାରେ ନିର୍ବାଚନ ପରିଚାଳନା ମଙ୍ଗ ଧରିଛନ୍ତି, କିନ୍ତୁ ଆଦିବାସୀ ଓ ଦଳିତ ଭୋଟ୍ ଧାରାକୁ ଏକଜୁଟ ରଖିବା ଏବେ ଚ୍ୟାଲେଞ୍ଜ। ବିଜେପିର ଅନ୍ତଃକନ୍ଦଳ ଓ ବିଜେଡିର ଆକ୍ରମଣାତ୍ମକ ଅଭିଯାନ ଯୋଗୁ କଂଗ୍ରେସର ସ୍ଥାନୀୟ ସଫଳତା ସୀମିତ ହୋଇପାରେ। ଦଳ ଯଦି “ଆଦିବାସୀ ପରିଚୟ” ଓ “ସ୍ଥାନୀୟ ପ୍ରସଙ୍ଗକୁ ଅଧିକ ଯୋର ଦେଇଥାନ୍ତା, ତାହା ଗେମ୍ ଚେଞ୍ଜର ହୋଇପାରିଥାନ୍ତା।
ଭୋଟର ନିରବତା: ଅସନ୍ତୋଷ ନା ଚିନ୍ତିତ ଅପେକ୍ଷା?
ନୂଆପଡ଼ାର ଭୋଟର ଏବେ ନିରବ। ଏହି ନିରବତାରେ ଲୁଚିଛି ତାଙ୍କର ଅସନ୍ତୋଷ ଓ ଅପେକ୍ଷା। ସରକାରୀ ସୁବିଧା, ଆଞ୍ଚଳିକ ଉନ୍ନୟନ, ରାସ୍ତା-ଜଳ-ଶିକ୍ଷା ଇତ୍ୟାଦି ପ୍ରସଙ୍ଗରେ ଭୋଟରଙ୍କ ଆଶା ଅଧିକ, କିନ୍ତୁ ଦଳଗୁଡ଼ିକ ଅଭିଯାନରେ ଆକର୍ଷଣୀୟ ପ୍ରତିଶ୍ରୁତି ଦେଉଥିବା ସତ୍ତ୍ୱେ ଲୋକଙ୍କ ଉପରେ ଏହାର ପ୍ରଭାବ ଅପେକ୍ଷାକୃତ କମ୍। ଏହି ନିରବତା ଯଦି ଭୋଟରେ “ସରପ୍ରାଇଜ୍” ଭାବେ ପରିଣତ ହୁଏ, ତେବେ ସମସ୍ତ ରାଜନୀତିକ ସମୀକରଣ ବଦଳିଯିବ।
ଏବେ ମୋହନ-ନବୀନଙ୍କୁ ଅପେକ୍ଷା

ଏହି ଉପନିର୍ବାଚନ କେବଳ ଏକ ଆସନର ଯୁଦ୍ଧ ନୁହେଁ—ଏହା ହେଉଛି ମୋହନ ମାଝୀ ନେତୃତ୍ୱରେ ଶାସକ ବିଜେପି ଓ ନବୀନ ପଟ୍ଟନାୟକ ନେତୃତ୍ୱରେ ବିଜେଡି ମଧ୍ୟରେ ରାଜନୀତିକ ଯୁଦ୍ଧ। ଏକପକ୍ଷରେ ଶାସନ ଓ ସମ୍ମାନର ଯୁଦ୍ଧ, ଅନ୍ୟପକ୍ଷରେ ଦଳୀୟ ଅସ୍ତିତ୍ୱ ଓ ଅଭିମାନର ଯୁଦ୍ଧ। ମୋହନ ମାଝୀଙ୍କ ପାଇଁ ଏହି ଆସନ ରାଜନୀତିକ ମୂଲ୍ୟାଙ୍କନର ପରୀକ୍ଷା, ଯେଉଁଠାରେ ନବୀନ ପଟ୍ଟନାୟକ ପାଇଁ ଏହା ହେଉଛି ଦଳୀୟ ଇମେଜ୍ ପୁନଃସ୍ଥାପନର ସୁଯୋଗ।
ସେହିପରି ଭୋଟରମାନେ ନିଜ ନିରବତା ରଖିଥିଲେ ମଧ୍ୟ, ସେମାନଙ୍କ ନିଷ୍ପତ୍ତି ହେବ ନୂଆପଡ଼ା ଓ ରାଜ୍ୟ ରାଜନୀତିର ନୂତନ ଦିଗ୍ ନିର୍ଣୟ କରିବାର ମୁଖ୍ୟ ମୋଡ଼। ଆସନ୍ତା ଦିନରେ ନବୀନଙ୍କ ଗସ୍ତ, ବିଜେପିର ଅନ୍ତିମ ଧାରା ଓ କଂଗ୍ରେସର ଗ୍ରାମସମ୍ପର୍କ ଅଭିଯାନ—ଏହି ତିନିଟି ତତ୍ତ୍ୱ ନିର୍ଣୟ କରିବେ ନୂଆପଡ଼ାର ରାଜନୀତିକ ଭବିଷ୍ୟତ।
• ବିଜେଡି ନବୀନ ଫ୍ୟାକ୍ଟର ଉପରେ ଆଶା କରୁଛି।
• ବିଜେପି ସହାନୁଭୂତି ଓ ସଂଗଠନୀୟ ଏକତା ମଧ୍ୟରେ ସନ୍ତୁଳନ ଖୋଜୁଛି।
• କଂଗ୍ରେସ ନିଜ ପୁରୁଣା ଭୋଟ୍ ବ୍ୟାଙ୍କ ସୁରକ୍ଷିତ ରଖିବାରେ ବ୍ୟସ୍ତ।
• ଭୋଟରମାନେ ଅପେକ୍ଷାରେ ଅଛନ୍ତି — ନବୀନ ଆସିବେ କି, ମୋହନ ମାଝୀ ତାଙ୍କୁ ଚ୍ୟାଲେଞ୍ଜ କରିପାରିବେ କି?
ନୂଆପଡ଼ା ଏବେ ରାଜନୀତିର ହଟସ୍ପଟ୍। ନିରବ ଭୋଟରଙ୍କ ନିଷ୍ପତ୍ତି ୧୩ ଦିନ ପରେ କେବଳ ଏକ ଆସନ ନୁହେଁ, ସମଗ୍ର ରାଜ୍ୟର ରାଜନୀତିକ ଦିଗ୍ ପରିବର୍ତ୍ତନ କରିପାରିବ।
also read https://purvapaksa.com/47-year-old-riots-that-claimed-184-lives/
47-year-old riots that claimed 184 lives ।। ୪୭ ବର୍ଷ ପୁରୁଣା ଦଙ୍ଗା ଯେଉଁଥିରେ ୧୮୪ ଜଣଙ୍କ ଜୀବନ ଯାଇଥିଲା


