ଏଫ୍ଏମ୍ କଲେଜ୍ ଛାତ୍ରୀ ସୌମ୍ୟାଶ୍ରୀ ଓ ବଳଙ୍ଗାରେ ଜଣେ ନାବାଳିକାଙ୍କୁ ଜିଅନ୍ତା ଜାଳି ହତ୍ୟା ଉଦ୍ୟମ ବର୍ତମାନ ସମୟର ସବୁଠୁ ବେଶୀ ଚର୍ଚ୍ଚିତ ବିଷୟ। । ପୀଡ଼ିତା ସଙ୍କଟାପନ୍ନ ଅବସ୍ଥାରେ ଦିଲ୍ଲୀରେ ଚିକିତ୍ସାଧୀନ ଅଛନ୍ତି । ଘଟଣାର ତଦନ୍ତ ଆରମ୍ଭ ହୋଇଛି । କେତେ ଦିନ ପରେ ଅଭିଯୁକ୍ତ ଧରାପଡ଼ିବେ, ତେବେ ଦୋଷୀ ସାବ୍ୟସ୍ତ ହେବେ, କି ଦଣ୍ଡବିଧାନ ହେବ, ରାଜନୀତି କେଉଁ ମୋଡ଼ ନେବ, ତାହା ଭିନ୍ନ କଥା । କିନ୍ତୁ ଲଗାତାର ନିଆଁ ଓ ଜୀବନ ମୃତ୍ୟୁ ଭିତରେ ଆରମ୍ଭ ହୋଇଥିବା ଏହି ଅଭୂତପୂର୍ବ ନାରକୀୟ ଖେଳ ପାଇଁ ଶାନ୍ତି ପ୍ରିୟ ଓଡ଼ିଶା ଯେ ଜାତୀୟସ୍ତରରେ ନିନ୍ଦିତ ହୋଇଛି ଏହା ସ୍ଵୀକାର କରିବାକୁ ପଡ଼ିବ । ଦୁର୍ଯୋଗବଶତଃ ଦୁଇଟିଯାକ ଘଟଣା ଶନିବାର ଦିନ ହିଁ ଘଟିଛି ।
ଉପରୋକ୍ତ ଘଟଣାକୁ ରାଜନୀତି ବିଶାରଦମାନେ କେଉଁ ଦୃଷ୍ଟିରୁ ବିଶ୍ଲେଷଣ କରିବେ କେଉଁ ନିଷ୍କର୍ଷରେ ପହଞ୍ଚିବେ ତାହା ଅଳ୍ପବହୁତ ବୁଝାପଡ଼ୁଛି । କିନ୍ତୁ ସମାଜବିଜ୍ଞାନୀଙ୍କ ମତରେ ଗୋପାଳପୁର ଗଣଦୁଷ୍କର୍ମ ଅଘଟଣରୁ ସଦ୍ୟତମ ବଳଙ୍ଗା ପର୍ଯ୍ୟନ୍ତ ଗତ ପ୍ରାୟ ଏକମାସର ଘଟଣାବଳୀକୁ ତର୍ଜମା କଲେ ରାଜ୍ୟରେ ସାମାଜିକ ମୂଲ୍ୟବୋଧର ଗୁରୁତ୍ୱ ଅବକ୍ଷୟ ଘଟିଚାଲିଛି ।

ଏହିସବୁ ଘଟଣାବଳୀକୁ ତର୍ଜମା କଲେ ଲାଗୁଛି ମଣିଷ ମାନବିକତା ହରାଇଛି ଏବଂ ଆଇନ, ବିଚାର, ଦଣ୍ଡବିଧାନ ପ୍ରତି ଭୟ ତା’ ମନରୁ ଦୂରେଇ ଯାଇଛି । ଯଦି ଏହି ନାରକୀୟ ଧାରା ଜାରି ରହେ ତେବେ ଓଡ଼ିଶା ଖୁବ୍ ଶୀଘ୍ର ବିହାରର ଜଙ୍ଗଲରାଜ କିମ୍ବା ମଣିପୁର ହେବାକୁ ବେଶୀ ବିଳମ୍ବ ହେବ ନାହିଁ । ଯେତେବେଳେ ଜନତାଙ୍କ ମନରୁ ଆଇନ ଶୃଙ୍ଖଳାର ଭୟ ଦୂରେଇ ଯାଏ ସେତେବେଳେ ରାଜ୍ୟ କିମ୍ବା ଦେଶ ଅରାଜକତା ଦିଗକୁ ଯାଉଛି ବୋଲି ବୁଝାଯାଏ । ଓଡ଼ିଶା ପରିପ୍ରେକ୍ଷୀରେ ଏତେ ଶୀଘ୍ର କୌଣସି ନିଷ୍କର୍ଷରେ ପହଞ୍ଚିବା ଉଚିତ ନ ହେଲେ ମଧ୍ୟ ଅବଚେତନ ମନରେ ଏହି ଧାରଣାଟିଏ କ୍ରମଶଃ ଦୃଢ଼ୀଭୂତ ହେଉଛି ।
ଏବେ କିନ୍ତୁ ବାଲେଶ୍ଵରରୁ ବଳଙ୍ଗା ପର୍ଯ୍ୟନ୍ତ ଘଟଣାକ୍ରମକୁ ଅନୁଶୀଳନ କଲେ ପେଟ୍ରୋଲ୍ କିରାସିନି ଆଦି ଦହନଶୀଳ ପଦାର୍ଥ ଅପରାଧର ନୂଆ ଆୟୁଧ ହୋଇଛି । ବୋଧହୁଏ ଅପରାଧୀ ଚାହୁଁଛି ତା’ ଆରେ ଶତ୍ରୁ ସାଜିଥିବା ବ୍ୟକ୍ତିଟିକୁ ସେ କେବଳ ହତ୍ୟା କରିବ ନାହିଁ, ବରଂ କଲବଲ କରି ହତ୍ୟା କରିବ । ହଠାତ୍ ଏ ପୈଶାଚିକ ମାନସିକତା ଜନ୍ମ ନେଲା କେଉଁଠୁ ଏବଂ କିପରି ?
ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଏହାର ନିରାକରଣ ହେବ କେମିତି ଏବଂ କରିବ କିଏ? କେତେକ ମହଲର ମତ ଯେ ଏଭଳି ମାନସିକତାଧାରୀ ଲୋକଙ୍କୁ ଆଇନ ଅନୁଯାୟୀ ଦଣ୍ଡ ଅପେକ୍ଷା ଏନକାଉଣ୍ଟର ହତ୍ୟା ବା ଯେସାକୁ ତେସା ଭଳି ଦଣ୍ଡବିଧାନ ସର୍ବାଦୌ ଉଚିତ ବିକଳ୍ପ । ସେହି ଅଧିକାରର ଯିଏ ଯେଳି ହଳନ କରୁଛି ତା’କୁ ସେଭଳି ଦଣ୍ଡିତ ନ କରିବା ପର୍ଯ୍ୟନ୍ତ ସମାଜର କଳୁଷିତ ମାନସିକତାରେ ସୁଧାର ଆସିବ ନାହିଁ । କିନ୍ତୁ ଏ ଦିଗରେ ପ୍ରତିବନ୍ଧକ ସାଜିଥ୍ୟାବା ବିଭିନ୍ନ ତଥାକଥ୍ୟ ସଂସ୍ଥାମାନେ ଏହା ହୃଦୟଙ୍ଗମ କରିବା ଦରକାର ।

ବସ୍ତୁତଃ ଆଜି ଝିଅଟିଏ କିମ୍ବା ଯୁବତୀଟିଏ ଘରେ, ବାହାରେ, କାର୍ଯ୍ୟାଳୟରେ କେଉଁଠାରେ ମଧ୍ୟ ସୁରକ୍ଷିତ ନୁହେଁ । ଘରେ ପାରିବାରିକ ହିଂସା ବଢ଼ି ଚାଲୁଥିବା ବେଳେ କର୍ମକ୍ଷେତ୍ରରେ ଯୌନ ଓ ମାନସିକ ନିର୍ଯାତନା ଆଜିକାଲି ଏକ ସାଧାରଣ କଥା ହୋଇଗଲାଣି । ବାଲେଶ୍ୱର ଏଫ୍ଏମ୍ କଲେଜରେ ବିଭାଗୀୟ ମୁଖ୍ୟଙ୍କ ପରେ ସମ୍ବଲପୁର ଡିଏମ୍ କଲେଜର ଆଉ ଜଣେ ଅଧ୍ୟାପକଙ୍କ କଳାକାରନାମା ସାମ୍ନାକୁ ଆସିଛି ।
ଅଧ୍ୟାପକ/ ପ୍ରଧାପକମାନଙ୍କ ମାନସିକ ନିର୍ଯାତନାକୁ ସହି ନ ପାରି ଏବଂ ସେମାନଙ୍କ ଯୌନଲାଳସାକୁ ଚରିତାର୍ଥ ନ କରିପାରି ଅନେକ ମେଧାବୀ ଛାତ୍ରୀ ଅଧାରୁ ପାଠ ପଢ଼ା ଓ ଗବେଷଣାରୁ ଓହରି ଯିବାକୁ ବାଧ୍ୟ ହୋଇଥିବାର ଉଦାହରଣ ମଧ୍ୟ ବହୁଳ । ଚାରିକାନ୍ଥ ଭିତରେ ଯେଉଁଠି ଝିଅଟିଏ ସୁରକ୍ଷିତ ନୁହେଁ, ରାସ୍ତାଘାଟରେ ସୁରକ୍ଷା ବିଷୟ ଉଠୁଛି କେଉଁଠୁ? ତେବେ କ’ଣ ସମାଜ ପୁଣି ସେହି ମଧ୍ୟଯୁଗୀୟ ସମୟକୁ ଫେରିଯିବାକୁ ବାଧ୍ୟ ହେବ ଯେଉଁଠାରେ ମହିଳାମାନଙ୍କୁ ଲୌହପରଦା ଆଢୁଆଳରେ ରହିବାକୁ ପଡ଼ୁଥୁଲା ? ଏଫ୍ଏମ୍ କଲେଜ୍ ଓ ଡିଏମ୍ କଲେଜରେ ଯୈାନ ନିର୍ଯାତନା ଘଟଣା ପଦାକୁ ଆସିବା ପରେ ଯାଇ ବୋଧହୁଏ ସରକାର ଚେତିଛନ୍ତି ।
ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଛାତ୍ରୀଙ୍କ ନିରାପତ୍ତା ଲାଗି ‘ଶକ୍ତିଶ୍ରୀ’ ନାମରେ ଏକ ଯୋଜନା ଘୋଷଣା କରିଛି । ଏହି ଯୋଜନା କେବଳ ଦନ୍ତହୀନ ବ୍ୟାଘ୍ର ହୋଇ ରହିଯିବ କି ପ୍ରଭାବଶାଳା ହେବ ତାହା ରୂପାୟନ ଓ ଅଭିଯୋଗ ପରବର୍ତ୍ତୀ ତତ୍କାଳ କଠୋର କାର୍ଯ୍ୟାନୁଷ୍ଠାନ ଉପରେ ନିର୍ଭର କରୁଛି । ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ଉଦାସୀନତା ଓ ସରକାରଙ୍କ ନିଷ୍ଠାର ଅଭାବ ଯୋଗୁଁ କମିଂ ଭଳି ଅମାନୁଷିକ କଳୁଷିତ ପରମ୍ପରା ଅନେକ କଠୋର କଟକଣା ସେତ୍ତ୍ୱେ ପ୍ରାୟ ସବୁ ଶିକ୍ଷାନୁଷ୍ଠାନରେ ଜାରିରହିଛି । ତେଣୁ ଯୋଜନା ଅପେକ୍ଷା ରୂପାୟନ ହିଁ ଅଧିକ ଗୁରୁତ୍ୱ ରଖେ । ଆଶା ସରକାର ଏ ଦିଗଟିକୁ ଅଧିକ ଗୁରୁତ୍ୱ ଦେବେ ।
ଯେତେବେଳେ ପ୍ରତିପତ୍ତି, ବାହୁବଳ ଓ ଅର୍ଥବଳ ଆଗରେ ସରକାର ବ୍ୟବସ୍ଥା ଓ ଆଇନଶୃଙ୍ଖଳା ବିବଶ ହୋଇପଡ଼େ ସେତେବେଳେ ଜନଆକ୍ରୋଶ ଅତିକ୍ରିୟାର ରୂପ ନିଏ ‘ଗଙ୍ଗାଜଳ’ ଭଳି ଚଳଚ୍ଚିତ୍ର କାହାଣୀର ଆଧାର ପାଲଟିଯାଏ ।
ALSO READ https://purvapaksa.com/quran-study-now-mandatory-for-israeli-intelligence-soldiers/


