ପକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟୋ ସମ୍ପ୍ରତି ଜୈଶ ଏ ମହମ୍ମଦର ପ୍ରତିଷ୍ଠାତା ମୌଲାନା ମାସୁଦ ଆଝାର ପାକିସ୍ତାନରେ ନାହିଁ କିମ୍ବା ପାକିସ୍ତାନ ସରକାର ତାକୁ ଚିହ୍ନିନାହାନ୍ତି। ସମ୍ଭବତଃ ସେ ଅଫଗାନିସ୍ଥାନରେ ଥାଇପାରେ। ତେଣୁ ମାସୁଦକୁ ସମର୍ପଣ କରିବା ସକାଶେ ଭାରତ ସରକାର ପାକିସ୍ତାନକୁ ବାରମ୍ବାର କରୁଥିବା ଅନୁରୋଧର କୌଣସି ଆଧାର ନାହିଁ । ବିଲାୱଲ ଭୂଟୋଙ୍କ ଏହି ଉକ୍ତି ସର୍ବକାଳୀନ ନହେଲେ ସୁଦ୍ଧା ଚଳିତ ବର୍ଷ ପାକିସ୍ତାନୀ ନେତାମାନେ ଆତଙ୍କବାଦ ସମ୍ପର୍କରେ ଦେଇଥିବା ମତ ଓ ମନ୍ତବ୍ୟ ଭିତରୁ ସବୁଠାରୁ ହାସ୍ୟାସ୍ପଦ ବୋଲି ବିବେଚନା କରାଯାଇପାରେ।
ବିଲାୱଲ ଭୁଟୋ ଜଣେ ଅଭିଜ୍ଞ ନେତା ଏବଂ ଦେଶର ଏକ ମର୍ଯ୍ୟାଦାବନ୍ତ ରାଜନୈତିକ ପରିବାର ସଦସ୍ୟ ହେବା ସହିତ ସେ ଅଧୁନା ପାକିସ୍ତାନ ପିପୁଲ୍ ପାର୍ଟିର ଅଧ୍ୟକ୍ଷ ଅଛନ୍ତି ଓ ଦେଶର ବୈଦେଶିକ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି ।
ତେଣୁ ସେ ଦେଉଥିବା ଯେକୌଣସି ମନ୍ତବ୍ୟ ନିଶ୍ଚିତ ଭାବରେ ମହତ୍ବ ବହନ କରେ। ଭାରତକୁ ଆତଙ୍କବାଦର ମୁକାବିଲା କ୍ଷେତ୍ରରେ ସହଯୋଗ କରିବାକୁ ପାକିସ୍ତାନ ପ୍ରସ୍ତୁତ ଅଛି। କିନ୍ତୁ ଭାରତ ଖୋଜୁଥିବା ଆତଙ୍କବାଦୀମାନେ ପାକିସ୍ଥାନରେ ନାହାନ୍ତି। ତେଣୁ ପାକିସ୍ତାନ ନାଚାର। ଭୁଟୋଙ୍କ ଏତାଦୃଶ ମନ୍ତ୍ରବ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଛି।
ଭାରତ ଯେଉଁ ଆଦଙ୍କବାଦୀମାନଙ୍କୁ ପ୍ରତ୍ୟର୍ପଣ ସକାଶେ ପାକିସ୍ତାନ ନିକଟରେ ବାରମ୍ବାର ଦାବି କରିଆସୁଛି ସେମାନେ ଅତୀତରେ ଭାରତରେ ଘଟିଥିବା ଏକାଧିକ ଜଘନ୍ୟ ଆତଙ୍କବାଦୀ କାଣ୍ଡରେ ଲିପ୍ତ। କେବଳ ଭାରତ ଦୃଷ୍ଟିରେ ନୁହେଁ ମିଳିତ ଜାତିସଂଘ ମଧ୍ୟ ଢେର୍ ପୂର୍ବରୁ ସେମାନଙ୍କୁ ବିଶ୍ବ ଆତଙ୍କବାଦୀ ବୋଲି ଘୋଷଣା କରିସାରିଛି। ଖାଲି ସେତିକି ନୁହେଁ ସେମାନଙ୍କ ବିରୁଦ୍ଧରେ ରେଡ ଆଲର୍ଟ ଜାରିକରିଛି। କିନ୍ତୁ ଦୁର୍ଭାଗ୍ୟର କଥା ଯେ ପାକିସ୍ତାନରୁ ସେମାନଙ୍କୁ ଗିରଫ କରିବା ସକାଶେ କୌଣସି ପ୍ରୟାସ କରିନାହିଁ । କାରଣ ସେଠାରେ ସେଭଳି ବ୍ୟବସ୍ଥା ନାହିଁ ।
ତିନି ଦଶନ୍ଧି ପୂର୍ବରୁ ଯେଉଁ ଆତଙ୍କବାଦୀମାନେ ପାକିସ୍ତାନରେ ସୃଷ୍ଟି ହୋଇଥିଲେ ସେମାନଙ୍କୁ ପାକିସ୍ତାନ ବର୍ତ୍ତମାନ ଭାରତ ବିରୁଦ୍ଧରେ ଉପଯୋଗ କରୁଛି । ୧୯୯୯ ମସିହାରେ ଭାରତ ପ୍ରତ୍ୟର୍ପଣ କରିଥିବା ମୌଲାନା ମାସୁଦ ଆଝାର ପରବର୍ତୀ ସମୟରେ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ଗଠନ କରିଥିଲା। ସେହିଭଳି ହାଫିଜ ସୟିଦ ଗଠନ କରିଥିଲା ଲସ୍କର- ଏ – ତୋଇବା ସଂଗଠନ। ସେହିସବୁ ସଂଗଠନ ଭାରତରେ ସଂସଦ ଭବନ, ପଠାନକୋଟ ବାୟୁସେନା ଘାଟି ଆକ୍ରମଣ, ପୁଲଓ୍ବାମା ବୋମା ବିସ୍ଫୋରଣ ଆଦି ଘଟଣାରେ ଲିପ୍ତ ।
ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାରେ ସୁଦ୍ଧା ସେମାନଙ୍କ ପ୍ରତ୍ୟକ୍ଷ ହାତ ରହିଛି। ଏହି ସବୁ ଆକ୍ରମଣ ପାଇଁ ପାକିସ୍ତାନୀ ସେନା ଓ ଗୁପ୍ତଚର ସଂସ୍ଥା ସେମାନଙ୍କୁ ସାହାଯ୍ୟ ସହଯୋଗ କରି ଆସୁଛନ୍ତି। । ଅନ୍ୟ ଅର୍ଥରେ କହିଲେ ପାକିସ୍ତାନ ସରକାରଙ୍କ ଛତ୍ରଛାୟା ତଳେ ରହି ସେମାନେ ଭାରତ ପାଇଁ ସମସ୍ୟା ସୃଷ୍ଟି କରୁଛନ୍ତି । ସଦ୍ୟ ଜାରି କରାଯାଇଥିବା ବିଶ୍ଵ ଆତଙ୍କ ସୂଚୀରେ ପାକିସ୍ତାନକୁ ଆତଙ୍କବାଦର ଚରାଭୂଇଁ ଭାବରେ ଚିତ୍ରିତ କରାଯାଇଥିବାରୁ ବିଲାୱଲ ଭୂଟୋ ଏଭଳି ସଫେଇ ଦେଇ ଆତଙ୍କବାଦୀଙ୍କୁ ଘଣ୍ଟ ଘୋଡ଼ାଇବାକୁ ପ୍ରୟାସ କରୁଛନ୍ତି । ସମ୍ଭବତଃ ସେ ତାଙ୍କ ମାଆ ବେନଜୀର ଭୁଟୋଙ୍କ ହତ୍ୟା ଖବରକୁ ଭୁଲି ସାରିଛନ୍ତି। ବୋଧହୁଏ, ଅତୀତରେ ପାକିସ୍ତାନ ଭୂଇଁରୁ ଯେତେ ଯେତେ ବିଶ୍ଵ ଆତଙ୍କବାଦୀ ଧରାପଡ଼ିଛନ୍ତି ତାହା ତାଙ୍କ ସ୍ମୃତିରେ ନାହିଁ ! ଏପରିକି ଗତ ମେ’ ମାସରେ ଭାରତ ବହାୱଲପୁରସ୍ଥିତ ଓ ଅନ୍ୟ ଆତଙ୍କବାଦୀ ତାଲିମକେନ୍ଦ୍ରମାନଙ୍କ ଉପରେ ଯେଉଁ ପ୍ରଚଣ୍ଡ ଆକ୍ରମଣ କରିଥିଲା ତାହା ମଧ୍ୟ ତାଙ୍କ ଜ୍ଞାନ ବହିର୍ଭୂତ !
ସିନ୍ଧୁ ନଦୀର ଜଳ ଭାରତ ଛାଡ଼ିବା ପ୍ରସଙ୍ଗକୁ ନେଇ ବିଲାୱଲ ମାତ୍ର ଦୁଇମାସ ପୂର୍ବେ ରକ୍ତର ନଦୀ ବହିବ ବୋଲି ଭାରତକୁ ଧମକ ଦେଇଥିଲେ ଏବଂ ପରେ ନିଜ ଛେପ ଢୋକିବାକୁ ବାଧ୍ୟ ହୋଇଥିଲେ। ଏବେ ସେ ପୁଣି ଥରେ ନିଜର ପୁରୁଣା ଖୋଇ ଦେଖାଇ ପାକିସ୍ଥାନରେ ମୌଲାନା ଆଝାର କି ହାଫିଜ ସୟିଦ୍ ନାହାନ୍ତି ବୋଲି ସଫେଇ ଦେଉଛନ୍ତି। କିନ୍ତୁ ବିଶ୍ଵ ଆଗରେ ଆହୁରି ଯୁକ୍ତି ବାଢ଼ୁଛନ୍ତି ଯେ ଅନ୍ୟ ଯେକୌଣସି ଦେଶ ପରି ପାକିସ୍ଥାନ ମଧ୍ୟ ଆତଙ୍କବାଦର ଶିକାର ‘ହେଉଛି । ଶିରୋନାସ୍ତି ଶିରୋପୀଡ଼ା ନ୍ୟାୟରେ ଯଦି ଆତଙ୍କବାଦୀ ନାହାତି ତେବେ ପାକିସ୍ତାନ କିପରି ଆତଙ୍କବାଦର ଶିକାର ହେଲା ? ସୀମା ପାର ହୋଇ ଯେଉଁ ଆତଙ୍କବାଦୀମାନେ ଭାରତରେ ଏଭଳି ନାରକୀୟ କାଣ୍ଡ ଘଟାଇଛଟି ସେମାନେ କେଉଁଠୁ ଆସୁଛନ୍ତି ?
ଆହୁରି ମଧ୍ୟ, ପାକିସ୍ତାନ ସରକାରଙ୍କ ଯେଉଁ ମନ୍ତ୍ରୀମାନେ ଆତଙ୍କବାଦୀଙ୍କୁ ଆଶ୍ରୟ-ପ୍ରଶ୍ରୟ ଦେଉଥିବା କଥା ସ୍ଵୀକାର କରୁଛନ୍ତି ସେ ସମ୍ପର୍କରେ ଶ୍ରୀ ଭୁଟୋ ଅବଗତ ଅଛତି ତ ? ଭାରତକୁ ଭୁଆଁ ବୁଲାଇବାର ଏହା ସଦ୍ୟତମ ନମୁନା। ଆତଙ୍କବାଦୀଙ୍କ କୌଣସି ଆକ୍ରମଣକୁ ଯୁଦ୍ଧ ବୋଲି ବିବେଚନା କରାଯିବ ବୋଲି ଭାରତ ତା’ର ଚରମ ବାଣୀ ପାକିସ୍ଥାନକୁ ଶୁଣାଇ ସାରିଛି ଏବଂ ଭାରତର କାର୍ଯ୍ୟପନ୍ଥାକୁ ମଧ୍ୟ ପାକିସ୍ତାନ ଦେଖିସାରିଛି । ତେଣୁ ବିଲାୱଲ ଭୁଟୋଙ୍କ ସଫେଇ କେତେ ଦୂର ବିଶ୍ୱାସଯୋଗ୍ୟ ତାହା ଦେଖିବାର କଥା।
Also Read https://purvapaksa.com/indian-households-are-more-in-debt-than-ever-before/
Indian households are more in debt than ever before ।। ପୂର୍ବ ଅପେକ୍ଷା ଅଧିକ ଋଣ କରୁଛନ୍ତି ଭାରତୀୟ ପରିବାର
