ମୁମ୍ବାଇରେ ଚିକିତ୍ସିତ ହେଉଥିବା ବିଜେଡି ସଭାପତି ନବୀନ ପଟ୍ଟନାୟକ ଦ୍ରୁତ ଆରୋଗ୍ୟ ଲାଭ କରୁଥିବାବେଳେ ଆସନ୍ତା ୩ ତାରିଖରେ ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିବା ନେଇ ସୂଚନା ମିଳୁଛି । ଏହି ମଉକାରେ ପତିଆରା ଲଢ଼େଇ ପାଇଁ ବିଜେଡିର ବିଭିନ୍ନ ଗୋଷ୍ଠୀ ସକ୍ରିୟ ସଜବାଜ ଚଳାଇଥିବା ବେଳେ ମାମଲତକାରମାନେ ବି ସକ୍ରିୟ ହୋଇଉଠିଛନ୍ତି । ନବୀନ ସୁସ୍ଥ ହୋଇ ଫେରିବା ସମୟରେ ତାଙ୍କୁ ଏକ ବିଶାଳ ରାଲିରେ ପାଛୋଟି ଆଣିବା ପାଇଁ ବିଜେଡି ଶିବିରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।
ଚଳିତ ମାସ ୨୦ ତାରିଖରେ ନବୀନ ପଟ୍ଟନାୟକ ମୁମ୍ବାଇ ଯାଇ ସେଠାକାର କୋକିଲାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି । ସଫଳ ଅସ୍ତ୍ରୋପଚାର ପରେ ସେ ଦ୍ରୁତ ଆରୋଗ୍ୟ ଲାଭ କରୁଥିବା ତାଙ୍କ ବଡ଼ଭାଇ ପ୍ରେମ ପଟ୍ଟନାୟକ ସୂଚନା ଦେଇଥିଲେ । ଏହାପରେ ରଥଯାତ୍ରାକୁ ନେଇ ନବୀନ ଦୁଇ ଦୁଇଟି ଭିଡିଓ ଜାରି କରିଛନ୍ତି ।
ନବୀନ କେତେ ଶୀଘ୍ର ଆରୋଗ୍ୟଲାଭ କରି ଓଡ଼ିଶା ଫେରିବେ ତାହାକୁ ବିଜେଡି କର୍ମୀ, ନେତାଙ୍କ ସମେତ ସାଧାରଣ ଜନତା ଚାହିଁ ବସିଛନ୍ତି । ତେବେ ସୂଚନାନୁଯାୟୀ, ଜୁଲାଇ ୩ ତାରିଖରେ ନବୀନ ମୁମ୍ବାଇରୁ ଓଡ଼ିଶା ଫେରିବେ । ନବୀନଙ୍କ ମୁମ୍ବାଇ ଫେରିବାକୁ ସ୍ମରଣୀୟ କରିବା ପାଇଁ ବିଜେଡିର ମାମଲତକାରମାନେ ଏବେଠାରୁ ଲାଗିପଡ଼ିଛନ୍ତି । ବିମାନବନ୍ଦରରୁ ନବୀନ ନିବାସ ପର୍ଯ୍ୟନ୍ତ ଲୋକ ଠୁଳ କରିବା ପାଇଁ ଯୋଜନା ହେଉଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ବିଜେଡି କର୍ମୀମାନଙ୍କୁ ଆଣିବା ପାଇଁ ବି ପ୍ରସ୍ତୁତି ଚାଲିଛି । ଏଥିପାଇଁ ଦଳୀୟ ବିଧାୟକଙ୍କ ସମେତ ଜିଲ୍ଲା ସଭାପତି ଓ ଦଳରେ ବିଭିନ୍ନ ପଦପଦବୀରେ ଥିବା ନେତାମାନଙ୍କୁ କୁହାଯାଇଛି।
ନବୀନ ସୁସ୍ଥ ହୋଇ ଫେରିବା ସମୟରେ ନିଜ ନିଜର ପତିଆରା ପ୍ରଦର୍ଶନ ପାଇଁ ବି ବିଜେଡି ନେତାମାନେ ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି । ବିଶେଷକରି ଯେଉଁମାନେ ନବୀନଙ୍କୁ ଦେଖିବା ପାଇଁ ମୁମ୍ବାଇ ଯାଇ ବିନା ଦର୍ଶନରେ ହୋଟେଲରେ ରହି ଓଡ଼ିଶା ଫେରିଛନ୍ତି, ସେମାନେ ନବୀନ ଫେରିବା ଦିନ ତାଙ୍କ ସହ କିଭଳି ଫଟୋଟିଏ ଉଠାଇ ଛାଡ଼ିବେ ସେଥିପାଇଁ ଲାଗିପଡ଼ିଛନ୍ତି । ଏହା ନ ହେଲେ ସେମାନଙ୍କ ମୁମ୍ବାଇ ଗସ୍ତକୁ ନେଇ ଯେଉଁ ଅପପ୍ରଚାର ଚାଲିଛି, ତାହା ଅଧିକ ଘନୀଭୂତ ହୋଇ କ୍ଷତି କରିବ ବୋଲି ନେତାଙ୍କ ଚେଲାଚାମୁଣ୍ଡାମାନେ କହିବୁଲୁଛନ୍ତି ।
ଏଭଳି ପତିଆରା ଲଢ଼େଇ ପ୍ରତିଯୋଗିତା ସହ ଦଳରେ କୋଣଠେସା ହୋଇଥିବା କିଛି ମାମଲତକାର ବିଶେଷକରି ଗତ ନିର୍ବାଚନରେ ହାକିମାତି ଦେଖାଇ ଚିତ୍ପଟାଙ୍ଗ ମାରିଥିବା ନେତାମାନେ ନବୀନଙ୍କୁ ପାଛୋଟିବାକୁ ସ୍ୱତନ୍ତ୍ର ଉଦ୍ୟମ ଚଳାଇଛନ୍ତି । ଉପରେ ପଡ଼ି ନିଜ ନିଜ ଅଞ୍ଚଳରୁ ଲୋକ ଆଣିବାକୁ କହିଛନ୍ତି । ତେବେ ଦଳରେ ଚାଲିଥିବା ଆନ୍ତଃକନ୍ଦଳ ଯୋଗୁଁ ଏହି ରାଲି କିଭଳି ସଫଳ ହେବ, ତାହାକୁ ନେଇ ଦଳର ବରିଷ୍ଠମାନେ ଚିନ୍ତାରେ ଅଛନ୍ତି । କାରଣ ଏହି ମାମଲତକାରମାନେ ଶେଷ ମୁହୂର୍ତ୍ତରେ ହତାଶ କରିଦେବାର ବହୁ ନଜିର ରହିଛି ବୋଲି ଖୋଦ ଦଳୀୟ କର୍ମୀମାନେ କହୁଛନ୍ତି । ତେଣୁ ସମସ୍ତେ ଏବେ ନବୀନଙ୍କ ଫେରିବା ବାଟକୁ ଚାହିଁ ରହିଥିବା ବେଳେ ବିଜେଡିର ନେତାମାନେ କିନ୍ତୁ ନିଜ ନିଜ ଯୋଜନାରେ ଥିବା ଲକ୍ଷ୍ୟ କରାଯାଉଛି।
ALSO READ https://purvapaksa.com/administrators-play-is-a-curse-for-the-government/
Administrator’s play is a curse for the government ।। ପ୍ରଶାସକଙ୍କ ଲୀଳା ସରକାରଙ୍କ ପାଇଁ କୀଳା
