ବୁଧବାର ବିଜୁ ଜନତା ଦଳର ମୁଖିଆଙ୍କ ଗଣମାଧ୍ୟମରେ ଆବିର୍ଭାବ ପରେ ଏବେ ଦଳରେ ତରୁଣତୁର୍କୀଙ୍କ ମଧ୍ୟରେ ନୀରବତା ଆଣିଛି। ଏହା ଝଡ଼ ପୂର୍ବର ନୀରବତା ହୋଇପାରେ ଅବା ପୁଣି ନ୍ୟୁ-ନର୍ମାଲର ସୂଚନା। ଅର୍ଥାତ୍ ବିଜେଡିର ପୁରୁଣା, ନବାଗତଙ୍କ ଭିତରେ ଭାଗବଣ୍ଟା ହୋଇପାରେ ବା ପାଣ୍ଡିଆନ୍ଙ୍କୁ ନେଇ ଚଳିବାର ଶିକ୍ଷା ଦେଇପାରେ। ଏ ବିଷୟକୁ ଆଧାର କରି ଆଜିର ଆଲୋଚନା।
ଏପ୍ରିଲ୍ ୩ ତାରିଖ ସନ୍ଧ୍ୟାରୁ ରାଜ୍ୟ ରାଜନୀତିରେ ପୁଣିଥରେ ମୁଣ୍ଡ ଟେକିଥିଲା ବିଜେଡିରେ ବିଭାଜନ ଭୟ। ହଠାତ୍ ଜଣେ ସଂଖ୍ୟାଲଘୁ ସାଂସଦ ବିଜେପି ଏଜେଣ୍ଡାକୁ ସମର୍ଥନ କରି ଦଳ ଆଭିମୁଖ୍ୟ ବିରୁଦ୍ଧରେ ଭୋଟ ଦେବା ନେଇ ସୃଷ୍ଟି ହୋଇଥିଲା ସ୍ପଷ୍ଟ ଧୂଆଁ। ଏହା ଦୀର୍ଘ ଦିନ ଧରି ବିଜେଡି ନେତାଙ୍କ ହୃଦୟରେ କୋହଳୁଥିବା ଅଭିମାନ, ରାଗ ଓ ରୋଷର ପ୍ରତୀକ ହୋଇଥାଇପାରେ, ଯାହା ୨୦୨୪ ନିର୍ବାଚନ ସମୟରୁ ହିଁ କୁହୁଳୁଥିଲା।
ଏହି ପାଉଁଶ ତଳର ନିଆଁରେ କିନ୍ତୁ ନିଜର ରାଜନୀତିକ ରୁଟି ସେକିବାକୁ ଚାହିଁଥିଲେ ଦଳର ଗୋଟିଏ ନିର୍ଦ୍ଦିଷ୍ଟି ଗୋଷ୍ଠୀର ନେତା। ଏହି ନେତାଙ୍କ ଭିତରେ ପାଣ୍ଡିଆନ୍ଙ୍କ ସମୟରେ ଦଳରେ ଅନେକ ଫାଇଦା ଲାଭ କରିଥିବା ନେତା ରହିଛନ୍ତି ଏବଂ ତାଙ୍କ ଦ୍ୱାରା ନିନ୍ଦିତ ହୋଇ ତଳିତଳାନ୍ତ ହୋଇଥିବା ବରିଷ୍ଠ ସଦସ୍ୟ ବି ରହିଛନ୍ତି। ଆଉ ସେମାନେ ମେଳି କରି ପାଣ୍ଡିଆନ୍ଙ୍କ ବିରୁଦ୍ଧରେ ବିଷମଞ୍ଜି ବୁଣିବାକୁ ଚାହିଁଲେ। ୭ ଦିନ ଏ ପ୍ରକ୍ରିୟା ଚାଲିଲା। ଏମିତି ପ୍ରତୀତ ହେଲା ଯେମିତି ଏ ମଞ୍ଜି ଅଙ୍କୁରୋଦ୍ଗମ୍ କରି ବିଶାଳ ଦ୍ରୁମଟିଏ ହୋଇଗଲାଣି। ଯେଉଁ ଦ୍ରୁମ ଆଗରେ ନବୀନଙ୍କ ୨୮ ବର୍ଷର ରାଜନୀତିକ ଅଭିଜ୍ଞତା ଓ ପାଣ୍ଡିଆନ୍ଙ୍କ ନେତାଙ୍କୁ ନିୟନ୍ତ୍ରଣ କରିବା ଦକ୍ଷତା ପ୍ରଶମିତ ହୋଇଥିବା ବି ଲୋକେ କହିଲେ। ମିଡିଆରେ ଘନ ଘନ ଚର୍ଚ୍ଚା ଚାଲିଛି।
ଏଠି ପାଣ୍ଡିଆନ୍ କିଏ କହିବାର ଆବଶ୍ୟକତା ନାହିଁ। ତଥାପି ଆପଣଙ୍କ ସୂଚନାର୍ଥେ ସ୍ପଷ୍ଟ କରିବାକୁ ଚାହୁଁଛି, ଭୈରବ କାର୍ତ୍ତିକେୟନ କାର୍ତ୍ତିକେୟ ପାଣ୍ଡିଆନ୍ ହେଉଛନ୍ତି ଜଣେ ପୂର୍ବତନ ଆଇଏଏସ୍ ଅଧିକାରୀ। ୧୦ବର୍ଷ ଧରି ଓଡ଼ିଶାରେ ସେବା କରିବା ପରେ ସେ ୨୦୨୩ ଅକ୍ଟୋବର ମାସରେ ଚାକିରିରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିଲେ। ୨୦୨୪ ନିର୍ବାଚନକୁ ସେ ପ୍ରତ୍ୟକ୍ଷଭାବେ ନିୟନ୍ତ୍ରଣ କରିଥିଲେ। ତାଙ୍କ ଭାଷାରେ ନବୀନଙ୍କୁ ଏହା ସହାୟତା ଥିଲା।
କିନ୍ତୁ ବାସ୍ତବରେ ଟିକଟ ବଣ୍ଟାଠାରୁ ଆରମ୍ଭ କରି ଦଳୀୟ ପ୍ରଚାର ପର୍ଯ୍ୟନ୍ତ, ବୁଥ ପରିଚାଳନାଠାରୁ ନେତାଙ୍କ ପରିଚାଳନା ସବୁକିଛି ପାଣ୍ଡିଆନ୍ଙ୍କ ହାତରେ ନିର୍ଦ୍ଧାରଣ ହେଉଥିଲା। ଏହି ପରିଚାଳନାରେ ବିଜେଡିକୁ ୪୧ ପ୍ରତିଶତ ଭୋଟ ସହ ୫୧ ଆସନ ମିଳିଥିଲା। ବିଜେଡି କ୍ଷମତା ହରାଇ ବିରୋଧୀ ଦଳକୁ ଗଲା। ଏହି ନିର୍ବାଚନରେ ବିଜେପିକୁ ପ୍ରଥମଥର ପାଇଁ ୭୮ ଆସନ ମିଳିଥିଲା କିନ୍ତୁ ସମୁଦାୟ ଭୋଟ ହାର ଥିଲା ମାତ୍ର ୪୪ ପ୍ରତିଶତ ଅର୍ଥାତ୍ ବିଜେଡିଠାରୁ ମାତ୍ର ୩ ପ୍ରତିଶତ ଅଧିକ। କିନ୍ତୁ ଗଣତନ୍ତ୍ରର ସଂଖ୍ୟା ଗଣିତରେ ପାଣ୍ଡିଆନ୍ ହାରିଯାଇଥିଲେ।
ପାଣ୍ଡିଆନ୍ଙ୍କ ଥିଓରୀରେ ଏ ନିର୍ବାଚନରେ ତାଙ୍କ ଜନ୍ମସ୍ଥାନକୁ ନେଇ ଭୁଲ୍ ବାର୍ତ୍ତା ପ୍ରସାରିତ ହେଲା। ତାମିଲନାଡ଼ୁର ମଦୁରାଇରେ ଜନ୍ମିତ ପାଣ୍ଡିଆନ୍ ଏକ ସରକାରୀ ସ୍କୁଲରେ ପଢ଼ି ଆଇଏଏସ୍ ପାଇବାକୁ ଉଲ୍ଲେଖନୀୟ ସଫଳତା ଭାବେ ଗ୍ରହଣ କରନ୍ତି। ନବୀନଙ୍କୁ ସେ ଗୁରୁଭାବେ ଗ୍ରହଣ କରନ୍ତି। କୌଣସି ରାଜନୀତିକ ପଦପଦବୀରେ ନ ରହି ମଧ୍ୟ ସେ ଓଡ଼ିଶାର ସେବା କରିବା ପାଇଁ ନବୀନଙ୍କ ଆକାଂକ୍ଷାକୁ ଚରିତାର୍ଥ କରିବା ଲାଗି ସେ ଏଠାରେ ରହିଛନ୍ତି। ଖାଲି ସେତିକି ନୁହେଁ ତାଙ୍କ ମତରେ ତାଙ୍କ ପରିବାର ହେଉଛି ଓଡ଼ିଶାରେ। ସେ କେନ୍ଦ୍ରାପଡ଼ାର ଝିଅ ସୁଜାତା ରାଉତଙ୍କୁ ବିବାହ କରିଛନ୍ତି। ସୁଜାତା ମଧ୍ୟ ଜଣେ ଆଇଏଏସ୍ ଅଧିକାରୀ ଥିଲେ। ସେ ବି ପାଣ୍ଡିଆନ୍ଙ୍କ ଭଳି ଚାକିରି ଛାଡ଼ିଛନ୍ତି।
ଉଭୟେ ବିଦେଶ ଯିବେ ବୋଲି ଚର୍ଚ୍ଚା ହୋଇଛି। କେହି ମୁହଁ ଖୋଲି ଏ ନେଇ ସ୍ପଷ୍ଟ କରିନାହାନ୍ତି। ପାଣ୍ଡିଆନ୍ ବିଦେଶ ଯିବେ ବୋଲି ସୂଚନା ମିଳିବା ପରେ କିଛି ଗଣମାଧ୍ୟମରେ ସେ ବିଜେଡିର ସମସ୍ତ ଅର୍ଥକୁ ନେଇଯିବେ ବୋଲି ଚର୍ଚ୍ଚା ହେଉଥିଲା। ଏପରିକି ସୁଜାତା ଦଳର ପରବର୍ତ୍ତୀ ସଭାପତି ହେବେ ବୋଲି ମଧ୍ୟ ଚର୍ଚ୍ଚା ହେଲା।
ଏବେ ବିଜେଡିରେ ପାଣ୍ଡିଆନ୍ ବିରୋଧୀଙ୍କ ଗୁରୁତ୍ୱ ବଢ଼ିବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ହେଲେ ସବୁକିଛି କେବଳ ଚର୍ଚ୍ଚାରେ ରହିଛି। ଆଉ ଯେତେବେଳେ ରାଜ୍ୟସଭାରେ ବିଜେଡି ନେତା ସସ୍ମିତ ପାତ୍ର ୱାକଫ୍ ବିଧେୟକରେ ବିବେକାନୁମୋଦିତ ଭୋଟ୍ ଦେବା କହି ବିଜେପିକୁ ସମର୍ଥନ କଲେ ସେତେବେଳେ ଏହା ପଛରେ ପାଣ୍ଡିଆନ୍ଙ୍କ ହାତ ରହିଛି ବୋଲି କିଛି ବିଜେଡି ନେତା ଅଭିଯୋଗ କରି ଏ ଚର୍ଚ୍ଚାକୁ ନିଜ ଆଡ଼କୁ ମୋଡ଼ିବାକୁ ଲାଗିଲେ। ବିଭିନ୍ନ ନେତାଙ୍କ ଘରେ, ହୋଟେଲରେ ପାର୍ଟି ଅଫିସରେ ବୈଠକ ହେଲା। ନବୀନ ନିବାସରେ ପାଣ୍ଡିଆନ୍ ବିରୋଧୀ ସ୍ଲୋଗାନ୍ ହେଲା। ନବୀନ ନିବାସରେ ନବୀନଙ୍କୁ ସଂଖ୍ୟାଲଘୁ ଗୋଷ୍ଠୀଙ୍କ ପ୍ରତିନିଧି ଆଙ୍ଗୁଠି ଦେଖାଇଲେ। ହେଲେ ନବୀନ କିଛି ବି ପ୍ରତିକ୍ରିୟା ଦେଲେ ନାହିଁ। ୭ ଦିନ ଧରି ରାଜ୍ୟ ରାଜନୀତି ପଡ଼ିଲା ଉଠିଲା।
ବୁଧବାର ଦିନ ନବୀନ ଯେତେବେଳେ ଏ ସମ୍ପର୍କରେ ତିନିଧାଡ଼ି କହିଲେ ସେତେବଳେ ସବୁକିଛି ଶାନ୍ତ ପଡ଼ିଗଲା ଭଳି ଲାଗୁଛି।
ଆଜି ବି ସେଇ ନୀରବତା ତରୁଣତୁର୍କୀଙ୍କ ମଧ୍ୟରେ ରହିଛି। ଯେମିତି ମହାବାତ୍ୟା ପରେ ବାହାରର ରିଲିଫ୍କୁ ଅପେକ୍ଷା କରିଛନ୍ତି, ଦୁଃଖ କହିବାକୁ କେହି ସାହାରା ଖୋଜୁଛନ୍ତି। ହେଲେ ସହଭାଗୀଟିଏ ସେମାନଙ୍କୁ ମିଳୁ ନାହାନ୍ତି। ଅଥବା ଏ ପରିସ୍ଥିତି ଅପେକ୍ଷା କରୁଛି ଏକ ଝଡ଼କୁ। ସବୁ ପବନକୁ ବନ୍ଦ କରି ଅପେକ୍ଷା କରିଛି ମହାବାତ୍ୟାକୁ।
ହେଲେ ଏହା ସ୍ପଷ୍ଟ ଯେ, ବିଜେଡି ଆଉ ଛୋଟ ଶିଶୁଟିଏ ହୋଇ ନାହିଁ। ବିଜେଡି ଏବେ ଯୁବକ ଅବସ୍ଥାରେ ପହଞ୍ଚିଛି। ଏହି ଅବସ୍ଥାରେ ନିଜର ନିଷ୍ପତ୍ତି ନେବାକୁ ନିଜେ ସକ୍ଷମ। ଆଉ ଏହି ସକ୍ଷମତାରେ ଆଉ ପୁରୁଣା ନୁହେଁ ଏଣିକି ଏକ ନୂତନତା ଆସିବାକୁ ଯାଉଛି। ତାହା ହୋଇପାରେ ବିଜେଡିର ନ୍ୟୁ-ନର୍ମାଲ୍। ଆପଣ ଗ୍ରହଣ କରିପାରନ୍ତି ବା ଗ୍ରହଣ କରିନପାରନ୍ତି। ହେଲେ ଏହା ସତ୍ୟ ଯେ ନବୀନ ସ୍ପଷ୍ଟ କହିଛନ୍ତି ପାଣ୍ଡିଆନ୍ ହିଁ ହେଉଛନ୍ତି ବିଜେଡିର ଭବିଷ୍ୟତ। ଆଉ ଯାହାସବୁ ଅତୀତ। ସବୁ ବର୍ତ୍ତମାନକୁ ଭୁଲି ଏହି ଭବିଷ୍ୟତରେ ତାଳ ଦେବାକୁ ଯେଉଁମାନେ ସକ୍ଷମ କେବଳ ସେଇମାନେ ହିଁ ବିଜେଡିର ଦାୟାଦ। ଆଉ ସବୁ ଅଲୋଡ଼ା, ଘରଭଙ୍ଗା। ପାଣ୍ଡିଆନ ଦଳରେ ନ ଥିଲେ ବି ଦଳରେ ଅଛନ୍ତି। ପାଣ୍ଡିଆନ୍ ଯାହା କହିବେ ତାହା ନବୀନଙ୍କ ଭାଷା। ପାଣ୍ଡିଆନ୍ ଯାହା ଇଙ୍ଗିତ କରିବେ ତାହା ନବୀନ ପଟ୍ଟନାୟକଙ୍କ ଇଙ୍ଗିତ। ଏଣୁ ଏହି ନ୍ୟୁ-ନର୍ମାଲକୁ ଗ୍ରହଣ କରିବାକୁ ଚାହୁଁଥିବା ଲୋକେ ବିଜେଡିର ରହନ୍ତୁ; ଗ୍ରହଣ ନ କରିପାରିଲେ ଦଳ ଛାଡ଼ନ୍ତୁ, ନିଜ ବାଟ ଆପଣାନ୍ତୁ।
Also readhttps://purvapaksa.com/the-religious-pool-is-moving-away-from-the-goal/
