Gridco Odisha: ଜନଶୁଣାଣି ବେଳେ ଗ୍ରିଡ୍କୋର ପ୍ରସ୍ତାବ
ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଖୁଚୁରା ବିଦ୍ୟୁତ୍ ମୂଲ୍ୟ ନିରୂପଣ ନେଇ ଓଇଆର୍ସିରେ ଚାଲିଥିବା ଜନଶୁଣାଣିର ତୃତୀୟ ଦିନରେ ଗ୍ରିଡ୍କୋ ବିଦ୍ୟୁତ୍ ୟୁନିଟ୍ ପିଛା ୫୪ ପଇସା ବୃଦ୍ଧି କରିବାକୁ ପ୍ରସ୍ତାବ ରଖିଛି। ଏହା ଉପରେ ହୋଇଥିବା ଶୁଣାଣିରେ ୧୭ ଜଣ ଅଭିଯୋଗକାରୀ ଆପତ୍ତି ଉଠାଇଛନ୍ତି। ପରିଚାଳନା ନିର୍ଦ୍ଦେଶକ ତ୍ରିଲୋଚନ ପଣ୍ଡାଙ୍କ ଜରିଆରେ ଗ୍ରିଡ୍କୋ ରଖିଥିବା ଆବେଦନ ଆଧାରରେ ଚଳିତବର୍ଷ ଓଡ଼ିଶା ପାଇଁ ଯେତିକି ବିଦ୍ୟୁତ୍ ଉପଲବ୍ଧ ଅଛି ଆସନ୍ତା ବର୍ଷ ପ୍ରାୟ ସେତିକି ଅର୍ଥାତ୍ ୪୩୯୫୦ ନିୟୁତ ବିଦ୍ୟୁତ୍ ଉପଲବ୍ଧ ହେବ। ସେଥିରୁ ୩୮୮୧୪ ନିୟୁତ୍ ୟୁନିଟ ଚାରିଟି ଆବଣ୍ଟନ କମ୍ପାନୀକୁ ବିକ୍ରି ହେବ। ଚଳିତବର୍ଷ ତୁଳନାରେ ଆସନ୍ତାବର୍ଷ ପାଇଁ ପ୍ରାୟ ୧୭୦୦ କୋଟି ଟଙ୍କା ଅଧିକ ରାଜସ୍ୱ ଆବଶ୍ୟକତା ଅଛି।
ତେଣୁ ଗ୍ରିଡ୍କୋର ପାଇକାରୀ ବିଦ୍ୟୁତ୍ ମୂଲ୍ୟ ୟୁନିଟ୍ ପିଛା ୫୪ ପଇସା ବୃଦ୍ଧିକରି ରାଜସ୍ୱ ଆବଶ୍ୟକତାକୁ ପୂରଣ କରିବାକୁ ଗ୍ରିଡ୍କୋ ଯୋଜନା କରିଛି। ଏଥିପାଇଁ ୧୪୮୨୦ କୋଟି ଟଙ୍କାରେ ରାଜସ୍ୱ ଆବଶ୍ୟକତାକୁ ଅନୁମୋଦନ କରିବାକୁ ଓଇଆର୍ସିରେ ଆବେଦନ କରିଛି। ଏହି ପାଇକାରୀ ମୂଲ୍ୟ ବୃଦ୍ଧିକୁ ଉପଭୋକ୍ତା ମହାସଂଘ ସଭାପତି ରମେଶ ଶତପଥୀଙ୍କ ସମେତ ପ୍ରସନ୍ନ ବିଷୋୟୀ ଓ ୯ଟି ଶିଳ୍ପସଂସ୍ଥାଙ୍କ ପକ୍ଷରୁ ବିଭୁ ସ୍ୱାଇଁ ଯୁକ୍ତି ଉପସ୍ଥାପନ କରିଥିଲେ କି ବାଧ୍ୟତାମୂଳକ ଅକ୍ଷୟ ଶକ୍ତି କ୍ରୟ କରିବାରେ ଗ୍ରିଡ୍କୋ ବିଫଳ ହୋଇଛି।
ଓଡିଶାର ଶସ୍ତା ସିପିପି ବିଦ୍ୟୁତ୍କୁ ବ୍ୟବସାୟ କରିପାରୁ ନାହିଁ। ଭର୍ଚୁଆଲ୍ ମୋଡ୍ରେ ଉପସ୍ଥିତ ଅଭିଯୋଗକାରୀ ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର କହିଥିଲେ, ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ଗୁଜରାଟ ଭଳି ଯେଉଁ ରାଜ୍ୟରେ ଗ୍ରିଡ୍କୋ ଭଳି ସଂସ୍ଥା ଅଛନ୍ତି ସେଠାରେ ବିଦ୍ୟୁତ୍ ଆବଣ୍ଟନ ବ୍ୟବସ୍ଥା ଘରୋଇକରଣ ହୋଇନାହିଁ। ସେମାନେ ଗ୍ରିଡ୍କୋ ଭଳି ରାଜସ୍ୱ ଆବଶ୍ୟକତା ମଞ୍ଜୁରି ପାଇଁ ଆବେଦନ କରୁନାହାନ୍ତି। ବିଦ୍ୟୁତ୍ ଆଇନ ଅନୁସାରେ ଗ୍ରିଡ୍କୋ ୟୁନିଟ୍ ପିଛା ଅତି ବେଶିରେ ୭ ପଇସା ପାଇବା କଥା। କିନ୍ତୁ ବାରମ୍ବାର ଉଲ୍ଲଂଘନ ହୋଇଆସୁଛି। ପୂର୍ବବର୍ଷ ଗ୍ରିଡ୍କୋ ବିଦ୍ୟୁତ୍ ବ୍ୟବସାୟରୁ ୧୦୧୦ କୋଟି ଟଙ୍କା ଲାଭ କରିଛି।
ଏତେ ବୃହତ୍ ପରିମାଣର ଲାଭ କରିବା ପାଇଁ ବିଦ୍ୟୁତ୍ ଆଇନରେ ବ୍ୟବସ୍ଥା ନାହିଁ। ଟ୍ରେଡିଂ ମାର୍ଜିନ୍ ହିସାବରେ ଲାଭ ଅତିବେଶିରେ ୨୮୨ କୋଟି ଟଙ୍କା ହେବା କଥା। ବାକି ୭୨୮ କୋଟି ଟଙ୍କା ଲାଭ ବେଆଇନ ଭାବରେ ହୋଇଛି। ଏହି ଅର୍ଥ(୭୨୮ କୋଟି ଟଙ୍କା)କୁ ବିଦ୍ୟୁତ୍ ମୂଲ୍ୟ ହ୍ରାସପାଇଁ ବିନିଯୋଗ କରାଯାଉ। ଗ୍ରିଡ୍କୋର ଚରମ ବିଫଳତା ପାଇଁ ଉପଭୋକ୍ତା ଜାତୀୟ ହାରାହାରି ମୂଲ୍ୟ ଠାରୁ ଅଧିକ ବିଦ୍ୟୁତ୍ ବିଲ୍ ପଇଠ କରୁଛନ୍ତି, ହେଲେ ଭରସାଯୋଗ୍ୟ ବିଦ୍ୟୁତ୍ ସେବା ପାଉନାହାନ୍ତି। ତେଣୁ ଗ୍ରିଡ୍କୋ ଭଳି ସଂସ୍ଥାର ଆଉ ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି। ଶକ୍ତି ବିଭାଗ ପକ୍ଷରୁ ସୋନାଲୀ ପଟ୍ଟନାୟକ କନ୍ସୋଲିଡେଟେଡ୍ ରିପୋର୍ଟ ଦାଖଲ କରିବାକୁ କହିଥିଲେ।
previous article: https://purvapaksa.com/rusikulya-become-heaven-of-olive-ridley/
