ଡୋନାଲ୍ଡ ଟ୍ରମ୍ପ ସୋମବାର ଦିନ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି । ୨ୟ ଥର କ୍ଷମତାକୁ ଆସିବା ମାତେ୍ର ରାଷ୍ଟ୍ରପତି ଟ୍ରମ୍ପ ଅନେକ କଠୋର ନିଷ୍ପତ୍ତି ନେଇଛନ୍ତି । ଏହାରି ମଧ୍ୟରେ ସେ ଆମେରିକାର ଜନ୍ମାଧିକାର ନାଗରିକତା ଆଇନକୁ ରଦ୍ଦ କରିବା ଭଳି ଏକ ବଡ଼ ନିଷ୍ପତି ନେଇଛନ୍ତି ।
ଆମେରିକାରେ ଗତ ୧୫୦ ବର୍ଷ ଧରି ଜନ୍ମ ଅଧିକାର ନାଗରିକତା ଆଇନ ବଳବତ୍ତର ରହିଛି । ଏହି ଆଇନ ଅନୁଯାୟୀ ଯଦି ଅନ୍ୟ ଦେଶର କୌଣସି ଦମ୍ପତି ଆମେରିକାରେ ପିଲା ଜନ୍ମ କରନ୍ତି ତେବେ ସେହି ପିଲାଙ୍କୁ ଆମେରିକାର ନାଗରିକତା ପ୍ରଦାନ କରଯାଇଥାଏ । କିନ୍ତୁ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଏକ ନିର୍ଦ୍ଦେଶନାମା ଜାରି କରି ତାହା ରଦ୍ଦ କରିଛନ୍ତି । ଟ୍ରମ୍ପ ଦସ୍ତଖତ କରିଥିବା ନିର୍ଦ୍ଦେଶନାମାରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଆମେରିକାରେ ଜନ୍ମ ହେଉଥିବା ପିଲାଙ୍କୁ ଆଉ ଆପେଆପେ ନାଗରିକତା ମିଳି ପାରିବ ନାହିଁ । ଯଦି ପିଲାଟିର ବାପା ମା’ଙ୍କ ମଧ୍ୟରୁ ଜଣେ ଆମେରିକାର ନାଗରିକ ହୋଇଥିବେ, ସେମାନଙ୍କ ପାଖରେ ଆଇନଗତ ସ୍ଥାୟୀ ଠିକଣା(ଗ୍ରୀନ କାର୍ଡଧାରୀ) କିମ୍ବା ଆମେରିକା ସେନାର ସଦସ୍ୟ ଥିବା ଲୋକଙ୍କଠାରୁ ଜନ୍ମିତ ପିଲାଙ୍କୁ ହିଁ ନାଗରିକତା ମିଳିବ ।
ଜନ୍ମାଧିକାର ନାଗରିକତା କ’ଣ?
ଆମେରିକାର ନାଗରିକତ୍ୱ ଆଇନ ଅନୁଯାୟୀ, ଯଦି ଆମେରିକାରେ ଏକ ଶିଶୁ ଜନ୍ମ ହୁଏ, ତେବେ ସେ ସ୍ୱୟଂଚାଳିତ ଭାବରେ ଆମେରିକାର ନାଗରିକ ହୋଇଯାଏ । ତାଙ୍କ ବାପା ମା’ ପାଖରେ ଆମେରିକାର ନାଗରିକତା ନଥିଲେ କିମ୍ବା ସେମାନେ ଶରଣାର୍ଥୀ ହୋଇଥିଲେ ମଧ୍ୟ ସେମାନଙ୍କ ପିଲାମାନଙ୍କୁ ଆମେରିକାର ନାଗରିକତା ମିଳିଥାଏ । କହିରଖୁଛୁ ଯେ , ଏହି ସାମ୍ବିଧାନିକ ସଂଶୋଧନ ଆମେରିକାରେ ୧୮୬୮ ମସିହାରେ କାର୍ଯ୍ୟକାରୀ କରାଯାଇଥିଲା । ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସମସ୍ତଙ୍କୁ ସମାନ ଅଧିକାର ଦେବା ।
କାହିଁକି ଟ୍ରମ୍ପ ଏହାକୁ ଶେଷ କରିବାକୁ ଚାହୁଁଛନ୍ତି?
ବିଶେଷକରି ଚୀନ, ଭାରତ, ମେକ୍ସିକୋ ଓ କାନାଡା ସୀମାରୁ ଅନେକ ପ୍ରବାସୀ ବେଆଇନ ଭାବେ ଆମେରିକାରେ ପ୍ରବେଶ କରୁଛନ୍ତି । ଏଥିଯୋଗୁ ଆମେରିକାରେ ଶରଣାର୍ଥୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାସହ ସେମାନେ ଏଠାରେ ରହି ଆମେରିକାର ମୂଳବାସିନ୍ଦାଙ୍କୁ ମିଳୁଥିବା ସୁବିଧାର ଫାଇଦା ମଧ୍ୟ ଉଠାଉଥିବା ବେଳେ ତାହାର ଦୁରୁପଯୋଗ କରି ଅନେକ ସମସ୍ୟା ସୃଷ୍ଟି କରୁଛନ୍ତି ।
ଭାରତ କିପରି ପ୍ରଭାବିତ ହେବ
ଟ୍ରମ୍ପ୍ଙ୍କ ଏଭଳି ନିଷ୍ପତି ଯୋଗୁ ଏବେ ଭାରତ ଅନେକ ମାତ୍ରାରେ ପ୍ରଭାବିତ ହେବାକୁ ଯାଉଛି। ଆମେରିକାରେ ବର୍ତ୍ତମାନ ୫ ନିୟୂତରୁ ଅଧିକ ଭାରତୀୟ ଅଛନ୍ତି, ଯାହା ଆମେରିକାର ମୋଟ୍ ଜନସଂଖ୍ୟାର ୧.୪୭ ପ୍ରତିଶତ । ତେବେ ୫ ନିୟୂତରୁ ୩୪ ପ୍ରତିଶତ ଲୋକ, ଆମେରିକାରେ ଜନ୍ମ ହୋଇଥିବା ବେଳେ ପାଖାପାଖି ଦୁଇ ତୃତୀୟାଂଶ ଇମିଗ୍ରାଣ୍ଟ ହିସାବରେ ରହିଛନ୍ତି । ଏଥିସହ ଅଧିକାଂଶ ଭାରତୀୟ ଅସ୍ଥାୟୀ ୱାର୍କ ଭିସାରେ (H1-B ଭିସା) ଥିବା ବେଳେ ସେମାନଙ୍କ ପିଲାମାନେ ଆମେରିକାରେ ଜନ୍ମ ହେଉଛନ୍ତି । କିନ୍ତୁ ବାର୍ଥ ରାଇଟ୍ ଉପରେ ଟ୍ରମ୍ପଙ୍କ ଏକ୍ଜିକୁ୍ୟଟିଭ୍ ନିର୍ଦ୍ଦେଶନାମା ପରେ ଏବେ ଆଉ ଭାରତୀୟ ନାଗରିକଙ୍କଠାରୁ ଜନ୍ମିତ ପିଲାମାନେ ସ୍ୱୟଂଚାଳିତ ଭାବରେ ଆମେରିକାର ନାଗରିକତା ହାସଲ କରିପାରିବେ ନାହିଁ । ଏହାଦ୍ୱାରା ପ୍ରତିବର୍ଷ ଆମେରିକାରେ ଭାରତୀୟ ପ୍ରବାସୀଙ୍କଠାରୁ ଜନ୍ମ ହେଉଥିବା ହଜାର ହଜାର ଶିଶୁ ପ୍ରଭାବିତ ହେବେ ବୋଲି ଅନୁମାନ କରାଯାଉଛି ।
ପୁରା ଦୁନିଆକୁ ନିୟନ୍ତ୍ରଣ କରୁଛନ୍ତି ବିଶ୍ୱର ହାତ ଗଣତି କିଛି କମ୍ପାନୀ !

