ଲିବରାଲ ପାର୍ଟି ନେତା ଏବଂ ପ୍ରଧାନମନ୍ତ୍ରୀ ପଦବୀରୁ ଟ୍ରୁଡୋ ଇସ୍ତଫା ଦେବା ପରେ କାନାଡା ରାଜନୀତିରେ ହଲଚଲ ସୃଷ୍ଟି ହେବା ସହିତ ଏବେ ନୂଆ ନେତା କିଏ ହେବ ତାହାକୁ ନେଇ ତର୍ଜମା ଚାଲିଛି। ମାର୍ଚ୍ଚ ୨୪ ସୁଦ୍ଧା ନୂଆ ନେତା ନିର୍ବାଚିତ କରିବାକୁ କାନାଡା ସଂସଦର ପ୍ରାବଧାନ ରହିଥିଲାବେଳେ ଏହି ସ୍ଥାନ ଭାରତୀୟ ବଂଶୋଦ୍ଭବ ସୁନୀତା ଆନନ୍ଦ ନେଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ନୂଆ ନେତା ନିର୍ବାଚିତ ହେବା ଯାଏଁ କାନାଡା ସଂସଦ ମୁଲତବୀ ରହିବ।
ତେଣୁ ଯଥାଶୀଘ୍ର ନେତା ନିର୍ବାଚିତ କରିବାକୁ ସାଂସଦମାନେ ଉଦ୍ୟମ ଆରମ୍ଭ କରିଛନ୍ତି। ତେବେ ବର୍ତ୍ତମାନ କାନାଡାର ପରିବହନ ମନ୍ତ୍ରୀ ରହିଥିବା ସୁନୀତାଙ୍କୁ ଟ୍ରୁଡୋଙ୍କ ସ୍ଥାନ ଦେବାକୁ ସର୍ବାଧିକ ସାଂସଦ ସହମତ ରହିଥିବା କୁହାଯାଇଛି। ସୁନୀତା ଗତ ପାଞ୍ଚ ବର୍ଷ ଭିତରେ ପରିବହନ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ ବ୍ୟତୀତ ପ୍ରତିରକ୍ଷା ଏବଂ ଅର୍ଥ ବିଭାଗରେ କାର୍ଯ୍ୟ କରି ସୁନାମ ଅଜୋନ କରିଛନ୍ତି। କେହି କେହି ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପାଇଁ ପୂର୍ବରୁ ଉପ ପ୍ରଧାନମନ୍ତ୍ରୀ ରହିଥିବା କ୍ରିଷ୍ଟିଆ ଫ୍ରିଲାଣ୍ଡଙ୍କ ନାମ ନେଉଥିଲେ ମଧ୍ୟ ସୁନୀତାଙ୍କ ପ୍ରତି ଅଧିକାଂଶ ସାଂସଦଙ୍କ ସମର୍ଥନ ରହିଥିବା କୁହାଯାଉଛି।
କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜ ପଦରୁ ଗତକାଲି ଇସ୍ତଫା ଘୋଷଣା କରିଛନ୍ତି। କିନ୍ତୁ ତାଙ୍କର ଏହି ଘୋଷଣା ପରେ କାନାଡା ଜନସାଧାରଣଙ୍କ ଭିତରେ ଯେଭଳି ମାହୋଲ ସୃଷ୍ଟି ହୋଇଛି ତାହା ଟ୍ରୁଡୋଙ୍କ ପ୍ରତି ରହିଥିବା ଦୀର୍ଘ ଦିନର ଅସନ୍ତୋଷକୁ ଦର୍ଶାଇଛି। ନିଜ ଦଳର ନେତାଙ୍କ ନେତାଙ୍କ ବିରୋଧ ଚାପରେ ଟ୍ରୁଡୋ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହିତ ଲିବରାଲ ପାର୍ଟି ନେତା ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। କିନ୍ତୁ କେବଳ ଦଳୀୟ ନେତାଙ୍କ କଥା ନୁହେଁ, ସାଧାରଣ ଜନତା ମଧ୍ୟ ଟ୍ରୁଡୋଙ୍କୁ ନେଇ ଯେ ଅସନ୍ତୁଷ୍ଟ ଥିଲେ ତାହା ବିଭିନ୍ନ ଘଟଣାରୁ ସ୍ପଷ୍ଟ ହୋଇଛି।
ଟ୍ରୁଡୋ ଇସ୍ତଫା ଦେଇଥିବା ସୂଚନା ମିଳିବା ପରେ କାନାଡାର ପ୍ରତିଷ୍ଠିତ ଫୁଡ୍ କମ୍ପାନୀ ‘ଡେରୀ କୁଇନ’ ଅନଲାଇନ ଶୋ’ରେ ଏକ ବଡ଼ ଫଟୋରେ ନିଜ ଲୋଗୋ ସହିତ ‘ ଗ୍ରୀଲ ଚିଲ୍ ଟ୍ରୁଡୋ ରେଜିଗନେସନ ସ୍ପେଶାଲ ଡଲାର ୨ ବର୍ଗର ଡ୍ରାଇଭ୍’ ବୋଲି ଉଲ୍ଲେଖ କରି ପ୍ରସାରଣ କରିଛି। ଡେରୀ କୁଇନର ଏହି ପ୍ରସାରଣ ପରେ ସାଧାରଣରେ ଏହି ଅଭିଯାନକୁ ବହୁ ସମର୍ଥନ ମିଳିଥିବା କୁହାଯାଇଛି। ଏହାଦ୍ୱାରା ଟ୍ରୁଡୋଙ୍କ ପ୍ରତି ସାଧାରଣ ଲୋକଙ୍କ କେତେ ଅସନ୍ତୋଷ ଥିଲା ତାହା ପ୍ରମାଣିତ ହୋଇଛି।
Also readhttps://purvapaksa.com/no-gst-on-prepaid-voucher-and-gift-card/
