- ୧୫୪୨ ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତିର ଶୁଭାରମ୍ଭ
- ପ୍ରତିଷ୍ଠା ହେବ ୭୭ ଆଦର୍ଶ ପାକ୍ସ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ୧୫୪୨ଟି ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତିର ଶୁଭାରମ୍ଭ କରିଛନ୍ତି । ଲୋକ ସେବା ଭବନର କନଭେନସନ ସେଣ୍ଟର ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ସମବାୟ ସମିତି ଗୁଡିକର ଶୁଭାରମ୍ଭ କରିଛନ୍ତି । ରାଜ୍ୟରେ ସମୁଦାୟ ୨୭୧୧ଟି ପାକ୍ସ (PACS)ଥିବା ବେଳେ, ରାଜ୍ୟ ସରକାର ଆଉ ୧୫୪୨ଟି ନୂଆ ବହୁମୁଖୀ ପାକ୍ସ ( MPACS) ଗଠନ କରିଛନ୍ତି । ଏହା ଦ୍ୱାରା ରାଜ୍ୟର ସମୁଦାୟ ପ୍ୟାକ୍ସ ସଂଖ୍ୟା ୪୨୫୩ରେ ପହଞ୍ଚିଲା।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସମବାୟ ଆନ୍ଦୋଳନକୁ ଲୋକାଭିମୁଖୀ କରିବା ପାଇଁ କେନ୍ଦ୍ର ସରକାରଙ୍କ ସମବାୟ ବିଭାଗ ଆନୁକୂଲ୍ୟରେ ବିଭିନ୍ନ ନୂତନ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ପାଇଁ ଆମ ସରକାର ପ୍ରାଧାନ୍ୟ ଦେଉଛନ୍ତି। ଏଥିରେ ସମୁଦାୟ ୫୪ ଟି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏଗୁଡିକ ମଧ୍ୟରୁ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ହେଉଛି, PACS ଓ LAMPCS ଗୁଡିକୁ ବହୁମୁଖୀ କରିବା ପାଇଁ ମଡେଲ ବାଇ-ଲ ପ୍ରଚଳନ; କମ୍ପ୍ୟୁଟରିକରଣ ମାଧ୍ୟମରେ PACS ଗୁଡିକୁ ସ୍ୱଚ୍ଛ ଓ ମଜଭୁତ କରିବା, ସାର ଓ ବିହନ ଯୋଗାଣ, ଜନ ଔଷଧୀ କେନ୍ଦ୍ର ଓ କମନ୍ ସର୍ଭିସ ସେଣ୍ଟର ସ୍ଥାପନ, କୃଷି ସେବା କେନ୍ଦ୍ର ସ୍ଥାପନ, Consumer Store ସ୍ଥାପନ, ବୈଜ୍ଞାନିକ ପଦ୍ଧତିରେ ଶସ୍ୟ ସଂରକ୍ଷଣ କେନ୍ଦ୍ର ସ୍ଥାପନ ଇତ୍ୟାଦି ।
ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୭୭ଟି ପାକ୍ସକୁ ମଡେଲ୍ ପ୍ୟାକ୍ସ ଭାବରେ ବିକଶିତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହି ମଡେଲ ପାକ୍ସ ଗୁଡିକ ଗୋଟିଏ ଗୋଟିଏ One-Stop Shop ଭଳି କାର୍ଯ୍ୟ କରିବ, ଅର୍ଥାତ ଗୋଟିଏ ଛାତ ତଳେ କୃଷି ସମ୍ବନ୍ଧୀୟ ସବୁ ପ୍ରକାର ସୁବିଧା ମିଳିବ ବୋଲି ସେ କହିଥିଲେ । Model PACS ଓ LAMPCS ଗୁଡିକ ସମବାୟ ସମିତି ମାନଙ୍କୁ ସଶକ୍ତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ, ୨୦୧୫ ମସିହାରୁ ବନ୍ଦ ହୋଇ ପଡିଥିବା ଭୁବନେଶ୍ୱର ସହରାଞ୍ଚଳ ସମବାୟ ବ୍ୟାଙ୍କର (Bhubaneswar Urban Cooperative Bank) ସମସ୍ତ ଜମାକାରୀମାନଙ୍କୁ ଜମାରାଶି ଫେରସ୍ତ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ଦ୍ୱାରା ସମବାୟ ବ୍ୟାଙ୍କ ଉପରେ ଲୋକମାନଙ୍କ ଆସ୍ଥା ପୁନଃ ପ୍ରତିଷ୍ଠାରେ ସହାୟକ ହେବ ବୋଲି ସେ କହିଥିଲେ ।
ନୂଆ ସରକାର ସମବାୟ କ୍ଷେତ୍ରକୁ କ୍ରିୟାଶୀଳ ଓ ଚଳଚଞ୍ଚଳ କରିବା ପାଇଁ ପ୍ରତିଶୃତିବଦ୍ଧ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସମବାୟ ସଂସ୍ଥା ଉପରେ ଲୋକଙ୍କ ଆସ୍ଥା ଫେରାଇ ଆଣିବା ସହିତ ଏହାକୁ ଗ୍ରାମ୍ୟ ଅର୍ଥନୀତି ବିକାଶର ଏକ ପ୍ରମୁଖ ଇଞ୍ଜିନ ଭାବରେ ପରିଣତ କରିବା ପାଇଁ ଆମର ଉଦ୍ୟମ ଜାରି ରହିବ । ସମବାୟ ସଂସ୍ଥା ଗୁଡିକ ଚାଷୀ ମାନଙ୍କ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦେଇ ସେମାନଙ୍କ ସମସ୍ୟାର ରିଅଲ୍ ଟାଇମ୍ ସେଟଲମେଣ୍ଟ (Real Time Settlement) କରିବା ଆବଶ୍ୟକ । ନହେଲେ କମ୍ପ୍ୟୁଟରୀକରଣର କୌଣସି ଅର୍ଥ ନାହିଁ । ଅନେକ ସଂସ୍ଥା ଏବେ ବି ଏକ୍ସେଲ ସିଟ (Excel Sheet) ରେ ହିସାବ କିତାବ କରି upload କରୁଛନ୍ତି। ଏହା ଦ୍ଵାରା ଦୁର୍ନୀତି ପ୍ରଶ୍ରୟ ପାଇବ। ତେଣୁ ସବୁ ପ୍ରାଥମିକ ସମବାୟ ସମିତିର ଖାତାପତ୍ର ଅଡିଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କୃଷକଙ୍କ ସହିତ ପଶୁପାଳନ, ମତ୍ସ୍ୟଚାଷ, ବାସଗୃହ, ବୟନ ଶିଳ୍ପ ତଥା ମହିଳାଙ୍କ ପାଇଁ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି । ଏହି ଯୋଜନାକୁ ହିତାଧିକାରୀଙ୍କ ପହଞ୍ଚାଇବା କାମ ହେଉଛି ପ୍ରାଥମିକ କୃଷି ସମବାୟ ସମିତି, କିମ୍ବା LAMPCS (Large Area Multipurpose Cooperative Society) ପରି ସଂସ୍ଥା ଗୁଡିକର ।ଓଡିଶାର କୃଷି କ୍ଷେତ୍ରରେ ସମବାୟ ସଂସ୍ଥା ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ଓଡିଶା ବୋଧହୁଏ ଏକମାତ୍ର ରାଜ୍ୟ ଯେଉଁଠି ମୋଟ ଫସଲ ଋଣର ୬୦ ପ୍ରତିଶତରୁ ଅଧିକ ସମବାୟ ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥାଏ ଏବଂ ବ୍ୟବସାୟିକ ବ୍ୟାଙ୍କମାନେ ପ୍ରାୟ ୩୦ ପ୍ରତିଶତ ପ୍ରଦାନ କରିଥାନ୍ତି ।
କୃଷକ ମାନଙ୍କୁ ଠିକ୍ ସମୟରେ ଋଣ ଦେବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ କିଛି ବର୍ଷ ହେବ ଋଣ ନାଁରେ ever-greening ରୀତି ଚାଲିଥିଲା। ଆଶା କରୁଛି, ଯେ ବର୍ତ୍ତମାନ ଏହା ଆଉ ହେଉନାହିଁ, ଏବଂ ଚାଷୀମାନେ ପ୍ରକୃତରେ ଋଣ ପାଉଛନ୍ତି। ସେ କହିଥିଲେ ଯେ, ଆମ ରାଜ୍ୟର ଶତକଡ଼ା ନବେ ଭାଗରୁ ଅଧିକ କୃଷି ପରିବାରର ସଭ୍ୟମାନଙ୍କୁ ପ୍ରାଥମିକ କୃଷି ଋଣ ସମବାୟ ସମିତି ଗୁଡ଼ିକ ମାଧ୍ୟମରେ କୃଷି କାର୍ଯ୍ୟ ନିମନ୍ତେ ବିଭିନ୍ନ ପ୍ରକାର ସେବା ଯୋଗାଇ ଦିଆଯାଉଛି । ଓଡିଶାର ଚାଷୀମାନେ ଏକ ଲକ୍ଷ ଟଙ୍କା ବିନା ସୁଧରେ ଫସଲ ଋଣ ପାଉଛନ୍ତି ।
ରାଜ୍ୟରେ ଦୁଗ୍ଧ ଚାଷୀ ମାନଙ୍କ ପାଇଁ ଓମଫେଡ୍ ଏକ ମେରୁଦଣ୍ଡ ସଦୃଶ ହୋଇଛି ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦୁଗ୍ଧ ଚାଷୀ ମାନଙ୍କୁ ସଶକ୍ତ କରିବା ପାଇଁ ରାଜ୍ୟ କ୍ୟାବିନେଟରେ କାମଧେନୁ ସହିତ ଗୋ-ମାତା ଯୋଜନା କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଗୁଜରାଟ ପରି ମୋଦିଜୀଙ୍କ ମାର୍ଗ ଦର୍ଶନରେ ଓଡିଶାରେ ସମବାୟ ଆନ୍ଦୋଳନକୁ ଏକ ଗଣ ଆନ୍ଦୋଳନରେ ପରିଣତ କରାଯିବ ।
ମୁଖ୍ୟମନ୍ତ୍ରୀ କେତେକ ସମବାୟ ସଂସ୍ଥାର ସଦସ୍ୟ ମାନଙ୍କୁ Micro ATM ଓ Rupay Card ପ୍ରଦାନ କରିଥିଲେ। ସମବାୟ, ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ସମବାୟ କ୍ଷେତ୍ରର ଉନ୍ନତି ପାଇଁ ବିଭାଗ ପକ୍ଷରୁ ନିଆ ଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ନାବାର୍ଡ,ଉପ ପରିଚାଳନା ନିର୍ଦ୍ଦେଶକ, ଡଃ ଅଜୟ କୁମାର ସୁଦ୍ କହିଥିଲେ ଯେ ୧୮୯୮ ମସିହାରେ ଦେଶର ପ୍ରଥମ ସମବାୟ ସଂସ୍ଥା ଓଡ଼ିଶାରେ ଗଠିତ ହୋଇଥିଲା। ସମବାୟର ବିକାଶ ପାଇଁ ଉତ୍ତମ ପ୍ରଶାସନିକ ଦକ୍ଷତା ( governance), ଆର୍ଥିକ ସମ୍ବଳ ଓ ଟେକ୍ନୋଲୋଜିର ଆବଶ୍ୟକତା ଅଛି ବୋଲି ସେ କହିଥିଲେ। ଏ ଦିଗରେ ଉଦ୍ୟମ ଆହୁରି ଜୋରଦାର ହେବା ଆବଶ୍ୟକ ବୋଲି ସେ କହିଥିଲେ।
previous article:https://purvapaksa.com/vajpayee-was-an-age-old-man/
