ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ଲୋକଙ୍କ ଦ୍ୱାରା ଅଭିଯୁକ୍ତକୁ ପିଟିପିଟି ହତ୍ୟା କରାଯାଇଥିବା ଘଟଣା ସମଗ୍ର ଓଡ଼ିଶାକୁ ଚିନ୍ତାରେ ପକାଇ ଦେଇଛି। ଦୁଇ ମହିଳାଙ୍କୁ ରାସ୍ତାରେ ଧକ୍କା ମାରି ନିର୍ମମ ଭାବେ ଆକ୍ରମଣ, ଅଶ୍ଳୀଳ ବ୍ୟବହାର ଓ ଦୁଷ୍କର୍ମ ଚେଷ୍ଟା ଅଭିଯୋଗ ପରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ହିଂସ୍ର ରୂପ ନେଇଥିଲା। ଏହି ଘଟଣାରେ ଜଣେ ଯୁବକ ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଲିସର ନିଷ୍କ୍ରିୟତାକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି।
ଘଟଣାରେ ଆହତ ହୋଇଥିବା ଦୁଇ ମହିଳା ମଧ୍ୟରୁ ଜଣେ ନିଜର ଭୟଙ୍କର ଅନୁଭବ ବର୍ଣ୍ଣନା କରିଛନ୍ତି। ତାଙ୍କ କହିବା ଅନୁସାରେ, ସେମାନେ ସ୍କୁଟିରେ ଯାଉଥିବା ବେଳେ ଦୁଇ ଯୁବକ ପଛପଟୁ ଆସି ଧକ୍କା ମାରିଥିଲେ। ଏଥିରେ ସେମାନେ ରାସ୍ତାରେ ପଡ଼ିଯାଇଥିଲେ। ଏହାପରେ ଅଭିଯୁକ୍ତମାନେ ମାଡ଼ ମାରିବା ସହ ଅଶ୍ଳୀଳ ବ୍ୟବହାର କରିଥିଲେ।
“ଜଣେ କନଷ୍ଟେବଲ୍ କେମିତି ରାସ୍ତା ମଝିରେ ଆମକୁ ଅଟକାଇ ପଛରୁ ଧକ୍କା ମାରିପାରିବେ? ସରକାରୀ କର୍ମଚାରୀ ହୋଇ ଝିଅମାନଙ୍କ ସହ ଏମିତି ବ୍ୟବହାର କେମିତି କରିପାରିବେ?” ବୋଲି ପ୍ରଶ୍ନ କରିଛନ୍ତି ପୀଡ଼ିତା।
ସେ ଅଭିଯୋଗ କରିଛନ୍ତି ଯେ, ଅଭିଯୁକ୍ତମାନେ ତାଙ୍କ ମୁଣ୍ଡରେ ଆକ୍ରମଣ କରିଥିଲେ ଓ ସାର୍ବଜନୀନ ସ୍ଥାନରେ ପୋଷାକ ଚିରି ଦେଇଥିଲେ। ଅନ୍ୟ ଜଣେ ମହିଳାଙ୍କ ଗୋଡ଼ ଗୁରୁତର ଭାବେ ଆହତ ହୋଇଥିବା ବେଳେ ପୀଡ଼ିତାଙ୍କ ମୁଣ୍ଡରେ ଗଭୀର କ୍ଷତ ଲାଗିଥିବାରୁ ଡାକ୍ତର ଏମ୍ଆରଆଇ କରିବାକୁ ପରାମର୍ଶ ଦେଇଛନ୍ତି।
“ମୁଁ କିଛି ସମୟ ପରେ ଅଚେତ ହୋଇଯାଇଥିଲି। ଚେତା ଫେରିବା ପରେ ଦେଖିଲି ସ୍ଥାନୀୟ ଲୋକେ ମୋ ଶରୀରକୁ କପଡ଼ାରେ ଘୋଡାଇ ଦେଇଛନ୍ତି। ମୋ ଗୋଡ଼ରେ ଭୟଙ୍କର ଆଘାତ ଲାଗିଥିଲା,” ବୋଲି ସେ କହିଛନ୍ତି।
ଅନ୍ୟ ଜଣେ ଆହତ ମହିଳା କହିଛନ୍ତି ଯେ, ଦୁଇ ଯୁବକ ପ୍ରଥମେ ସେମାନଙ୍କୁ ଅଟକାଇ ପରେ ସ୍କୁଟିକୁ ଧକ୍କା ମାରିଥିଲେ। ତାପରେ ଜଣେ ଯୁବକ ସେଙ୍କ ସାଙ୍ଗକୁ ମାଡ଼ ମାରିବା ସହ ଜବରଦସ୍ତି ଚୁମ୍ବନ କରିଥିଲେ।
“ସେମାନେ ମୋ ସାଙ୍ଗକୁ ଜବରଦସ୍ତି କୌଣସି ଘରକୁ ନେବାକୁ ଚେଷ୍ଟା କରୁଥିଲେ। ମୁଁ ଚିତ୍କାର କରିବା ପରେ ସ୍ଥାନୀୟ ଲୋକ ଆସି ଆମକୁ ବଞ୍ଚାଇଥିଲେ,” ବୋଲି ସେ କହିଛନ୍ତି।
ପୀଡ଼ିତାମାନେ କହିଛନ୍ତି ଯେ, ସେମାନେ ଅଭିଯୁକ୍ତମାନଙ୍କୁ ପୂର୍ବରୁ କେବେ ଦେଖିନଥିଲେ ଓ ସେମାନେ ନିଶାଗ୍ରସ୍ତ ଅବସ୍ଥାରେ ଥିଲା ଭଳି ଆମେ ଅନୁମାନ କରୁଛୁ। ଜଣେ ପୀଡ଼ିତା ଦୁଷ୍କର୍ମ ଚେଷ୍ଟା ଅଭିଯୋଗ ମଧ୍ୟ କରିଛନ୍ତି।
ଏପଟେ, ଏହି ଘଟଣା ପରେ ଉତ୍ତେଜିତ ସ୍ଥାନୀୟ ଲୋକ ଦୁଇ ଯୁବକଙ୍କୁ ଧରି ମାଡ଼ ମାରିଥିଲେ। ଏଥିରେ ସୌମ୍ୟ ରଞ୍ଜନ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ତେବେ ଏହି ମବ୍ ଆକ୍ରମଣ ସମୟରେ ପୁଲିସ ଉପସ୍ଥିତ ଥିଲେ ମଧ୍ୟ ସମୟୋଚିତ ହସ୍ତକ୍ଷେପ କରିନଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ଗୁରୁତର ଆହତ ସୌମ୍ୟଙ୍କୁ ଆମ୍ବୁଲାନ୍ସ କିମ୍ବା ପୁଲିସ ଗାଡ଼ିରେ ନେବା ପରିବର୍ତ୍ତେ ଏକ ମିନି ଟ୍ରକରେ ହସ୍ପିଟାଲକୁ ପଠାଯାଇଥିଲା। ତାଙ୍କ ହାତ ଓ ଗୋଡ଼ ବାନ୍ଧାଯାଇଥିବା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଘଟଣା ସମୟରେ ବରିଷ୍ଠ ପୁଲିସ ଅଧିକାରୀମାନେ କ୍ରାଇମ୍ ରିଭ୍ୟୁ ମିଟିଂରେ ବ୍ୟସ୍ତ ଥିବାରୁ ତୁରନ୍ତ ଅତିରିକ୍ତ ପୁଲିସ ବଳ ପଠାଯାଇନଥିବା ସୂତ୍ରରୁ ଜଣାପଡ଼ିଛି।
ଘଟଣାକୁ ନେଇ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗ ତଦନ୍ତ ଆରମ୍ଭ କରିଛି। ଆୟୋଗର ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିବା ସହ ପୀଡ଼ିତାଙ୍କ ଘରକୁ ଯାଇ ବୟାନ ରେକର୍ଡ କରିଛନ୍ତି।
“ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶରେ ଆମେ ତଦନ୍ତ କରୁଛୁ। ଘଟଣାରେ ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ମହିଳାଙ୍କ ଉପରେ ଆକ୍ରମଣ ଓ ମବ୍ ଲିଞ୍ଚିଂ—ଉଭୟ ଘଟଣାର ନିରପେକ୍ଷ ତଦନ୍ତ କରାଯିବ,” ବୋଲି କହିଛନ୍ତି ଶୋଭନା ମହାନ୍ତି।
ଏହି ମଧ୍ୟରେ ଓଡ଼ିଶା ଡିଜିପି ୱାଇ.ବି. ଖୁରାନିଆ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରି ସମୀକ୍ଷା କରିଛନ୍ତି।
ପୀଡ଼ିତାମାନେ ସ୍ଥାନୀୟ ଲୋକଙ୍କୁ ଗିରଫ ନକରିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି। “ସ୍ଥାନୀୟ ଲୋକ ନଥାନ୍ତେ ଆମେ ବଞ୍ଚିନଥାନ୍ତୁ। ସେମାନେ ଆମକୁ ବଞ୍ଚାଇଛନ୍ତି। ସେମାନେ କାହାକୁ ମାରିବାକୁ ଚାହୁଁନଥିଲେ, କିନ୍ତୁ ଘଟଣା ଦେଖି ରାଗିଯାଇଥିଲେ,” ବୋଲି ପୀଡ଼ିତା କହିଛନ୍ତି।
ବର୍ତ୍ତମାନ ପୁଲିସ ମହିଳାଙ୍କ ଉପରେ ଆକ୍ରମଣ, ଦୁଷ୍କର୍ମ ଚେଷ୍ଟା, ମବ୍ ଲିଞ୍ଚିଂ ଓ ପୁଲିସର ଭୂମିକା—ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି।
AlsoRead; https://purvapaksa.com/odisha-cabinet-fails-to-resolve-flat-registration-dilemma/


