ଓଡ଼ିଶା ରାଜନୀତିରେ ଏପ୍ରିଲ ୧୬ ତାରିଖରେ ଯେଉଁ ବଡ଼ ଝଡ଼ ସୃଷ୍ଟି ହୋଇଥିଲା ତାହା ଏବେ ମହାବାତ୍ୟା ଆଡ଼କୁ ମୁହାଁଇଛି। ଯେଉଁ ଖେଳ ରାଜ୍ୟସଭା ନିର୍ବାଚନ ଦିନ ଆରମ୍ଭ ହୋଇଥିଲା, ତାହା ଏବେ ବିଧାନସଭାର ବାଚସ୍ପତିଙ୍କ କକ୍ଷରେ ପହଞ୍ଚିଛି। ବିରୋଧୀ ଦଳ ବିଜେଡି ଏବେ ‘ଆଣ୍ଟି-ଡିଫେକ୍ସନ ଲ’ ବା ଦଳବଦଳ ବିରୋଧୀ ଆଇନର ବ୍ରହ୍ମାସ୍ତ୍ର ଧରି ବାହାରିଛି।
ବିଜେଡିର ଏକ ଶକ୍ତିଶାଳୀ ପ୍ରତିନିଧି ଦଳ ୨୭ ଏପ୍ରିଲରେ ବାଚସ୍ପତି ସୁରମା ପାଢ଼ୀଙ୍କୁ ଭେଟି ଦଳର ୮ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଦାବି କରିଛନ୍ତି। କାରଣ? ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ। ଦଳ କହୁଛି, ଏମାନେ କେବଳ ଦଳର ନିର୍ଦ୍ଦେଶ ଅବମାନନା କରିନାହାଁନ୍ତି, ବରଂ ନିଜ ଆଚରଣ ଦ୍ୱାରା ଦଳର ସଦସ୍ୟତା ନିଜେ ଛାଡ଼ିଛନ୍ତି।
ରାଜନୈତିକ ଷଡ଼ଯନ୍ତ୍ର ନା ଆଦର୍ଶର ଲଢ଼େଇ?
ସମ୍ବିଧାନର ଦଶମ ଅନୁସୂଚୀ ବା Tenth Schedule କୁହେ ଯେ, ଯଦି କୌଣସି ନିର୍ବାଚିତ ପ୍ରତିନିଧି ନିଜ ଦଳର ‘ହୁଇପ୍’ (Whip) କୁ ଅମାନ୍ୟ କରନ୍ତି, ତେବେ ତାଙ୍କ ସଦସ୍ୟତା ରହିବ ନାହିଁ। ବିଜେଡି ଏବେ ଏହି ଆଇନକୁ ଆୟୁଧ କରିଛି। ଦଳର ଯୁକ୍ତି ହେଉଛି – “Cross-voting amounts to voluntarily giving up membership.” ଅର୍ଥାତ୍ ଯଦି ଆପଣ ନିଜ ଦଳର ପ୍ରାର୍ଥୀଙ୍କୁ ହରାଇ ବିରୋଧୀ ଦଳର ପ୍ରାର୍ଥୀଙ୍କୁ ଭୋଟ୍ ଦେଉଛନ୍ତି, ତେବେ ଆପଣ ପରୋକ୍ଷରେ ଦଳ ଛାଡ଼ି ସାରିଛନ୍ତି।
ବିଜେଡି ନେତାମାନେ ବାଚସ୍ପତିଙ୍କୁ ଦେଇଥିବା ପିଟିସନରେ ସ୍ପଷ୍ଟ କରିଛନ୍ତି ଯେ, ଏହି ୮ ଜଣ ବିଧାୟକ ଦଳ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଅଛନ୍ତି। କିନ୍ତୁ ପ୍ରଶ୍ନ ଉଠୁଛି – ଶାସକ ଦଳ ବିଜେପି ଏବଂ ବାଚସ୍ପତି କ’ଣ ଏହି ଦାବିକୁ ଗ୍ରହଣ କରିବେ? କାରଣ ବାଚସ୍ପତିଙ୍କ କୋର୍ଟରେ ଏବେ ବଲ୍ ଅଛି।
ହିମାଚଳ ପ୍ରଦେଶ ନଜିର – ରାଜନୀତିର କଳା ଅଧ୍ୟାୟ
ବିଜେଡି ନିଜ ଦାବିକୁ ଶକ୍ତିଶାଳୀ କରିବା ପାଇଁ ଦୁଇଟି ବଡ଼ ଉଦାହରଣ ଦେଇଛି। ପ୍ରଥମଟି ହେଉଛି ହିମାଚଳ ପ୍ରଦେଶ। ଫେବୃଆରୀ ୨୦୨୪ ଘଟଣାକୁ ମନେ ପକାନ୍ତୁ। ସେଠାରେ ବାଚସ୍ପତି କୁଲଦୀପ ସିଂହ ପଠାନିଆ ୬ ଜଣ କଂଗ୍ରେସ ବିଧାୟକଙ୍କୁ ତୁରନ୍ତ ଅଯୋଗ୍ୟ ଘୋଷଣା କରିଥିଲେ। ସେମାନଙ୍କର ଅପରାଧ ଥିଲା – ରାଜ୍ୟସଭା ନିର୍ବାଚନରେ ବିଜେପି ସପକ୍ଷରେ କ୍ରସ୍ ଭୋଟିଂ କରିବା ଏବଂ ବଜେଟ୍ ଅଧିବେଶନରେ ଦଳର ହୁଇପ୍ ମାନି ନ ଥିବା।
ହିମାଚଳର ଏହି ଘଟଣା ପ୍ରମାଣ କଲା ଯେ, ଯଦି ସରକାର ଅସ୍ଥିର କରିବାକୁ ଚେଷ୍ଟା କରାଯାଏ କିମ୍ବା ଦଳର ସୀମା ଲଂଘନ କରାଯାଏ, ତେବେ ବିଧାୟକ ପଦବୀ ରକ୍ଷା କରିବା କଷ୍ଟକର। ବିଜେଡି ଏବେ ବାଚସ୍ପତିଙ୍କୁ ଏହି କଥା ମନେପକାଇ ଦେଇଛି ଯେ, ଯଦି ହିମାଚଳରେ ଏହା ହୋଇପାରୁଛି, ତେବେ ଓଡ଼ିଶାରେ କାହିଁକି ନୁହେଁ? ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ଓ ସେହି ଦଳର ବାଚସ୍ପତି ଅଛନ୍ତି। କଂଗ୍ରେସ ପକ୍ଷରୁ ଅଭିଯୋଗ ଆସିବା ପରେ ବାଚସ୍ପତି ତାହାକୁ ତୁରନ୍ତ ଗ୍ରହଣ କରିନେଲା। ଓଡ଼ିଶାରେ କିନ୍ତୁ ପରିସ୍ଥିତି ଭିନ୍ନ। ରାଜ୍ୟରେ ବିଜେଡି ସରକାରରେ ନାହିଁ। ବାଚସ୍ପତି ବିଜେପି ଦଳର ସଦସ୍ୟ। ତେଣୁ ସେ ବିଜେଡି ଦାବିକୁ ଗ୍ରହଣ କରି ବିଧାୟକମାନଙ୍କୁ ଅଡ଼ୁଆରେ ପକାଇବା ସମ୍ଭାବନର କ୍ଷୀଣ ରହିଛି।
ଶରଦ ଯାଦବ ମାମଲା – ଆଚରଣ ହିଁ ପ୍ରମାଣ
ଦ୍ୱିତୀୟ ବଡ଼ ନଜିର ହେଉଛି ଶରଦ ଯାଦବ। ଡିସେମ୍ବର ୨୦୧୭ ରେ ତତ୍କାଳୀନ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ଜେଡିୟୁ ନେତା ଶରଦ ଯାଦବଙ୍କ ସଦସ୍ୟତା ରଦ୍ଦ କରିଥିଲେ। କାହିଁକି? କାରଣ ଶରଦ ଯାଦବ ବିରୋଧୀ ଦଳର ଏକ ରାଲିରେ ଯୋଗ ଦେଇଥିଲେ, ଯାହାକୁ ଦଳବିରୋଧୀ କାର୍ଯ୍ୟ ବୋଲି ଧରାଯାଇଥିଲା।
ଆଜି ଓଡ଼ିଶାରେ ବିଜେଡି ଏହି ଦୁଇଟି ଉଦାହରଣକୁ ରଖି ଏକ ବଡ଼ ରାଜନୈତିକ ଏବଂ ଆଇନଗତ ଜାଲ ବିଛାଇଛି। ଦଳ କହୁଛି ଯେ ୮ ବିଧାୟକଙ୍କ ଭୋଟ୍ ଦେବାର ଶୈଳୀ ପ୍ରମାଣ କରୁଛି ଯେ ସେମାନେ ଆଉ ବିଜେଡିର ସଦସ୍ୟ ହୋଇ ରହିବାକୁ ଚାହାଁନ୍ତି ନାହିଁ।
କିନ୍ତୁ ବିଜେଡି ଯେଉଁ ଆଠଜଣ ବିଧାୟକଙ୍କ କଥା କହୁଛି ସେମାନଙ୍କ ମଧ୍ୟରୁ ଦୁଇଜଣ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ଦଳ ପୂର୍ବରୁ ନିଲମ୍ବିତ କରିସାରିଛି। ଏପରି କ୍ଷେତ୍ରରେ ସେହି ଦୁଇଜଣ ବିଧାୟକଙ୍କ ଉପରେ ଦଳୀୟ ହ୍ୱିପ କାମ କରିବ କି ନାହିଁ ତାହା ତର୍ଜମାର ବିଷୟ।
ରାଜ୍ୟସଭା ନିର୍ବାଚନରେ ହ୍ୱିପ୍ ଜାରି କରାଯାଇପାରିବ କି?
ସାଧାରଣତଃ ବିଧାନସଭା ବା ସଂସଦର ଅନ୍ୟ କାର୍ଯ୍ୟଧାରା ପାଇଁ ଦଳ ହ୍ୱିପ୍ ଜାରି କରିଥାଏ, କିନ୍ତୁ ରାଜ୍ୟସଭା ନିର୍ବାଚନ କ୍ଷେତ୍ରରେ ଏହା ସାମାନ୍ୟ ଭିନ୍ନ।
ରାଜ୍ୟସଭା ନିର୍ବାଚନ ଭୋଟ୍ ଏକ ‘ଖୋଲା ବାଲାଟ୍’ ବ୍ୟବସ୍ଥା। ଏଠାରେ ଜଣେ ବିଧାୟକ ନିଜ ଦଳର ଅଧିକୃତ ଏଜେଣ୍ଟଙ୍କୁ ନିଜର ଭୋଟ୍ ଦେଖାଇବା ବାଧ୍ୟତାମୂଳକ।
ତେବେ, ସୁପ୍ରିମକୋର୍ଟଙ୍କ କୁଲଦୀପ ନାୟାର ବନାମ ଭାରତ ସରକାର (୨୦୦୬) ମାମଲାର ନିଷ୍ପତ୍ତି ଅନୁଯାୟୀ, ରାଜ୍ୟସଭା ନିର୍ବାଚନରେ ଦଳ ହ୍ୱିପ୍ ଜାରି କରିପାରିବ। କିନ୍ତୁ ଏହି ହ୍ୱିପ୍ ମାନିବା ବା ନ ମାନିବା ସମ୍ପୂର୍ଣ୍ଣ ଭାବେ ବିଧାୟକଙ୍କ ଉପରେ ନିର୍ଭର କରେ।
ଏହା ସମ୍ବିଧାନ ସମ୍ମତ କି?
ହଁ, ରାଜ୍ୟସଭା ନିର୍ବାଚନରେ ହ୍ୱିପ୍ ଜାରି କରିବା ସମ୍ବିଧାନ ବିରୋଧୀ ନୁହେଁ। କିନ୍ତୁ ଏହାର ପ୍ରୟୋଗ ସୀମିତ। ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟସଭା ନିର୍ବାଚନ ଏକ ‘ସ୍ୱତନ୍ତ୍ର ନିର୍ବାଚନ’, ଏହା ବିଧାନସଭାର ଦୈନନ୍ଦିନ କାର୍ଯ୍ୟଧାରାର ଅଂଶ ନୁହେଁ। ତେଣୁ ଦଳୀୟ ହ୍ୱିପ୍ ଜାରି ହେଲେ ମଧ୍ୟ ଏହା ବିଧାୟକଙ୍କୁ ଭୋଟ୍ ଦେବାରୁ ରୋକିପାରିବ ନାହିଁ।
ହ୍ୱିପ୍ ନ ମାନିଲେ ସଭ୍ୟ ପଦ ରଦ୍ଦ ହେବ କି?
ଏହି ପ୍ରଶ୍ନର ଦୁଇଟି ଦିଗ ରହିଛି:
• ସ୍ୱୟଂଚାଳିତ ଭାବେ ରଦ୍ଦ ହେବ ନାହିଁ: ସମ୍ବିଧାନର ଦଶମ ଅନୁସୂଚୀ (Anti-Defection Law) ଅନୁଯାୟୀ, ରାଜ୍ୟସଭା ନିର୍ବାଚନରେ କେବଳ ‘କ୍ରସ୍ ଭୋଟିଂ’ କରିବା କାରଣରୁ ଜଣେ ବିଧାୟକଙ୍କୁ ସିଧାସଳଖ ଅଯୋଗ୍ୟ ଘୋଷଣା କରାଯାଇପାରିବ ନାହିଁ। ଯଦି ଜଣେ ବିଧାୟକ ନିଜ ଦଳର ନିର୍ଦ୍ଦେଶ ବିରୋଧରେ ଭୋଟ୍ ଦିଅନ୍ତି, ତେବେ ସେଥିପାଇଁ ତାଙ୍କ ବିଧାୟକ ପଦ ସଙ୍ଗେ ସଙ୍ଗେ ଚାଲିଯାଏ ନାହିଁ।
ଦଳୀୟ କାର୍ଯ୍ୟାନୁଷ୍ଠାନ
• ହ୍ୱିପ୍ ଉଲ୍ଲଂଘନ କଲେ ଦଳ ସେହି ବିଧାୟକଙ୍କୁ ଦଳରୁ ନିଲମ୍ବନ କିମ୍ବା ବହିଷ୍କାର କରିପାରିବ। ଦଳରୁ ବହିଷ୍କୃତ ହେଲେ ବିଧାୟକ ଜଣକ ସ୍ୱାଧୀନ ସଦସ୍ୟ ଭାବେ ଗୃହରେ ରହିପାରିବେ।
ଅଯୋଗ୍ୟତା ପାଇଁ ଆଇନଗତ ପନ୍ଥା
• ଯଦି ବିଧାୟକଙ୍କ କାର୍ଯ୍ୟକଳାପରୁ ଏହା ସ୍ପଷ୍ଟ ହୁଏ ଯେ ସେ ‘ସ୍ୱେଚ୍ଛାକୃତ ଭାବେ ନିଜ ଦଳର ସଦସ୍ୟତା ତ୍ୟାଗ କରିଛନ୍ତି’, ତେବେ ତାଙ୍କ ବିରୋଧରେ ବାଚସ୍ପତିଙ୍କ ପାଖରେ ଅଯୋଗ୍ୟତା ପିଟିସନ୍ ଦାୟର କରାଯାଇପାରେ। ସାମ୍ପ୍ରତିକ ହିମାଚଳ ପ୍ରଦେଶ ନଜିର ଅନୁଯାୟୀ, ଯଦି କ୍ରସ୍ ଭୋଟିଂ ସହ ଅନ୍ୟାନ୍ୟ ଦଳ ବିରୋଧୀ ଆଚରଣ ରହେ, ତେବେ ବାଚସ୍ପତି ତାଙ୍କୁ ଅଯୋଗ୍ୟ ଘୋଷଣା କରିବାର କ୍ଷମତା ରଖନ୍ତି।
ରାଜ୍ୟସଭା ନିର୍ବାଚନରେ ହ୍ୱିପ୍ ଜାରି ହୋଇପାରେ, କିନ୍ତୁ ସେହି ହ୍ୱିପ୍ ଉଲ୍ଲଂଘନ ପାଇଁ ତୁରନ୍ତ ସଦସ୍ୟତା ରଦ୍ଦ ହେବାର ପ୍ରାବଧାନ ନାହିଁ। ତେବେ ଯଦି ବାଚସ୍ପତି ଅନୁଭବ କରନ୍ତି ଯେ ଏହି କାର୍ଯ୍ୟ ଦ୍ୱାରା ସମ୍ବିଧାନର ଦଶମ ଅନୁସୂଚୀ ଉଲ୍ଲଂଘନ ହୋଇଛି, ତେବେ ସେ ଅଯୋଗ୍ୟତା ନିଷ୍ପତ୍ତି ନେଇପାରନ୍ତି, ଯାହା ପରବର୍ତ୍ତୀ ସମୟରେ କୋର୍ଟରେ ଚ୍ୟାଲେଞ୍ଜ କରାଯାଇପାରେ।
ଆଗକୁ କ’ଣ? ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଲଢ଼େଇ!
ବିଜେଡି ଏବେ ‘ଆର୍ପାର୍’ ଲଢ଼େଇ ମୁଡ୍ରେ ଅଛି। ଦଳ ସ୍ପଷ୍ଟ କରିଛି ଯେ, ଯଦି ବାଚସ୍ପତି ଏହି ପିଟିସନକୁ ଗ୍ରହଣ ନ କରନ୍ତି କିମ୍ବା ବିଳମ୍ବ କରନ୍ତି, ତେବେ ସେମାନେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯିବାକୁ ପ୍ରସ୍ତୁତ। ବିଜେଡି ଚାହୁଁଛି ସେହି ୮ ଜଣଙ୍କୁ ଏକ ଶିକ୍ଷା ଦେବାକୁ, ଯେମିତି ଆଗକୁ କେହି ଦଳ ସହ ବିଶ୍ୱାସଘାତକତା କରିବାକୁ ସାହସ ନ କରନ୍ତି।
କିନ୍ତୁ ରାଜନୀତିରେ ଯାହା ଦେଖାଯାଏ, ତାହା ପ୍ରକୃତରେ ସତ ହୋଇନଥାଏ। ବାଚସ୍ପତି କେତେ ଶୀଘ୍ର ଏହି ନିଷ୍ପତ୍ତି ନେବେ? କ’ଣ ବିଜେପି ଏହି ବିଧାୟକମାନଙ୍କୁ ସୁରକ୍ଷା ଦେବ? କିମ୍ବା ହିମାଚଳ ଭଳି ଏଠାରେ ମଧ୍ୟ ବିଧାୟକ ପଦବୀ ଶୂନ୍ୟ ହୋଇଯିବ? ଏହା କେବଳ ସମୟ କହିବ।
AlsoRead; https://purvapaksa.com/if-bapu-were-alive-he-would-have-chased-them-away-with-his-staff/


