ପଶ୍ଚିମବଙ୍ଗ ରାଜନୀତି ଏବେ ସରଗରମ। ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆପଣ ବଙ୍ଗଳାର ରାସ୍ତାରେ ସାଧାରଣ ଲୋକଙ୍କ ସହ ଜଳଖିଆ ଖାଉଥିବାର ଦେଖୁଥିବେ, ତ ଅନ୍ୟପଟେ ଗୃହମନ୍ତ୍ରୀ ଅମିତ ଶାହ ମହିଳାମାନଙ୍କୁ ମାସିକ ୩୦୦୦ ଟଙ୍କା ଦେବାର ବଡ଼ ପ୍ରତିଶ୍ରୁତି ଦେଉଛନ୍ତି।
କିନ୍ତୁ ପ୍ରଶ୍ନ ଉଠୁଛି, ଯେଉଁ ଦଳ ଭାରତର ଅଧାରୁ ଅଧିକ ରାଜ୍ୟରେ ଶାସନ କରୁଛି, ସେହି ବିଜେପି ପାଇଁ ପଶ୍ଚିମବଙ୍ଗ ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି? କାହିଁକି ୨୦୨୧ ପରଠାରୁ ବିଜେପି ଏହି ରାଜ୍ୟ ଉପରେ ନିଜର ପୂରା ଶକ୍ତି ଲଗାଇ ଦେଇଛି?
ବିଜେପି ପାଇଁ ପଶ୍ଚିମବଙ୍ଗରେ ଫୋକସ୍ କରିବାର ପ୍ରଥମ ଏବଂ ସବୁଠାରୁ ବଡ଼ କାରଣ ହେଉଛି ‘କ୍ଷମତା’। ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ଏକ ବଡ଼ ଶକ୍ତ ଧକ୍କା ଲାଗିଥିଲା। ଯେଉଁଠି ଲକ୍ଷ୍ୟ ୪୦୦ ପାର୍ ଥିଲା, ସେଠାରେ ଦଳ ମାତ୍ର ୨୪୦ ସିଟ୍ରେ ଅଟକି ଯାଇଥିଲା। ବିଶେଷ କରି ଉତ୍ତର ଭାରତ ବା ‘ହିନ୍ଦୀ ବେଲ୍ଟ’ରେ ବିଜେପିର ଆସନ କମିଛି। ଏଭଳି ସ୍ଥିତିରେ ପଶ୍ଚିମବଙ୍ଗର ୪୨ଟି ଲୋକସଭା ଆସନ ବିଜେପି ପାଇଁ ଏକ ବଡ଼ ସୁଯୋଗ । ଯଦି ୨୦୨୬ ବିଧାନସଭା ନିର୍ବାଚନରେ ବିଜେପି ଜିତେ, ତେବେ ୨୦୨୯ ଲୋକସଭା ନିର୍ବାଚନରେ ଏହି ୪୨ଟି ଆସନକୁ ଦଖଲ କରିବା ସହଜ ହୋଇଯିବ। ଫଳରେ କେନ୍ଦ୍ରରେ ସରକାର ଗଢ଼ିବା ପାଇଁ ବିଜେପିକୁ କେବଳ ହିନ୍ଦୀ ଭାଷୀ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ ।
ଦ୍ୱିତୀୟ କାରଣଟି ହେଉଛି ବିଚାରଧାରା। ଇତିହାସକୁ ଦେଖିଲେ, ପଶ୍ଚିମବଙ୍ଗରେ ବିଜେପି କେବେବି ଶାସନ କରିନାହିଁ । ୧୯୭୭ରୁ ଦୀର୍ଘ ଦିନ ଧରି ଏଠାରେ ବାମପନ୍ଥୀ ବା କମ୍ୟୁନିଷ୍ଟ ବିଚାରଧାରାର ପ୍ରଭାବରେ ଥିଲା।
ଏହା ପରେ ୨୦୧୧ରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଆଞ୍ଚଳିକ ଗୌରବ ଏବଂ କଲ୍ୟାଣକାରୀ ରାଜନୀତି ମାଧ୍ୟମରେ ନିଜର ସ୍ଥାନ ପକ୍କା କରିଥିଲା । ବିଜେପି ଏଠାରେ ରାଷ୍ଟ୍ରବାଦ (Nationalism) ଏବଂ କେନ୍ଦ୍ରୀୟ ଯୋଜନାକୁ ନେଇ ଏକ ନୂଆ ନାରେଟିଭ୍ ତିଆରି କରୁଛି । ଯଦି ବିଜେପି ବଙ୍ଗଳାରେ ଜିତେ, ତେବେ ଏହା ପ୍ରମାଣିତ ହେବ ଯେ ବିଜେପି ଯେକୌଣସି ଆଞ୍ଚଳିକ ଶକ୍ତିକୁ ମଧ୍ୟ ପରାସ୍ତ କରିପାରେ । ଏହା ଦଳ ପାଇଁ ଏକ ବଡ଼ ସାଙ୍କେତିକ ବିଜୟ ହେବ।
ପଶ୍ଚିମବଙ୍ଗ ହେଉଛି ଏକ ‘ବ୍ରିଜ୍’ ପରି, ଯାହା ଉତ୍ତର-ପୂର୍ବ ଭାରତକୁ (North East India) ମୁଖ୍ୟ ଭାରତ ସହ ଯୋଡ଼ିଥାଏ । ଯଦି ବଙ୍ଗଳାରେ ବିଜେପି କ୍ଷମତାକୁ ଆସେ, ତେବେ ଆସାମ, ତ୍ରିପୁରା ଏବଂ ଅନ୍ୟାନ୍ୟ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକୁ ନିୟନ୍ତ୍ରଣ କରିବା ଏବଂ ସେଠାରେ ବିକାଶ କାର୍ଯ୍ୟ କରିବା ବହୁତ ସହଜ ହୋଇଯିବ । ଏହା କେବଳ ଏକ ନିର୍ବାଚନୀ ବିଜୟ ନୁହେଁ, ବରଂ ଏକ ଦୀର୍ଘକାଳୀନ ରାଜନୈତିକ ନିବେଶ ।
ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ବେଦନଶୀଳ ପ୍ରସଙ୍ଗ ହେଉଛି ‘ରାଷ୍ଟ୍ରୀୟ ସୁରକ୍ଷା’। ପଶ୍ଚିମବଙ୍ଗର ବାଂଲାଦେଶ ସହ ଏକ ବଡ଼ ସୀମା ରହିଛି। ଅଭିଯୋଗ ହେଉଛି ଯେ ବର୍ତ୍ତମାନର ଟିଏମସି ସରକାର ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ବେଆଇନ ଅନୁପ୍ରବେଶକାରୀଙ୍କୁ ପ୍ରଶ୍ରୟ ଦେଉଛନ୍ତି । ବିଜେପି ଏହି ଅନୁପ୍ରବେଶକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଚାହୁଁଛି । ଦେଶର ସୁରକ୍ଷା ଦୃଷ୍ଟିରୁ ବିଜେପି ପାଇଁ ବଙ୍ଗଳା ଜିତିବା ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଛି ।
![]()
କ୍ଷମତା, ବିଚାରଧାରା ଏବଂ ରାଷ୍ଟ୍ରୀୟ ସୁରକ୍ଷା – ଏହି ତିନୋଟି ଦିଗକୁ ଦେଖିଲେ ବୁଝାପଡ଼େ କାହିଁକି ବିଜେପି ପାଇଁ ପଶ୍ଚିମବଙ୍ଗ ଏତେ ଜରୁରୀ । ଯଦିଓ ବିଜେପି ବଙ୍ଗଳା ବିନା ମଧ୍ୟ ଦେଶରେ ଶକ୍ତିଶାଳୀ, କିନ୍ତୁ ବଙ୍ଗଳା ବିଜୟ ସେମାନଙ୍କ ଶକ୍ତିକୁ ଦ୍ୱିଗୁଣିତ କରିଦେବ। ତାହାଲେ ଏବେ ୨୦୨୬ରେ ବଙ୍ଗଳାରେ କ’ଣ ହେବ ପରିବର୍ତ୍ତନ ? ପୁଣିଥରେ ‘ଦିଦି’ ଫେରିବେ ନା ବିଜେପିର ‘ପଦ୍ମ’ ଫୁଟିବ !
also read : https://purvapaksa.com/warning-super-el-nino-is-coming-what-will-be-the-impact-on-odisha-and-india/


