ଏହା ଏମିତି ଏକ ବିଷୟ ଯାହା କେବଳ ଖବର ନୁହେଁ, ବରଂ ଆମ ସମସ୍ତଙ୍କ ଜୀବନ ସହିତ ଜଡ଼ିତ । ସାରା ବିଶ୍ୱରେ ଏବେ ଏକ ଚେତାବନୀ ଶୁଣାଯାଉଛି – ‘ସୁପର ଏଲ୍ ନିନୋ’ (Super El Niño) ଆସୁଛି । କୁହାଯାଉଛି ଯେ ୧୫୦ ବର୍ଷ ପରେ ଏଭଳି ଏକ ସ୍ଥିତି ସୃଷ୍ଟି ହେବାକୁ ଯାଉଛି, ଯାହା ପୂର୍ବରୁ ପୃଥିବୀର ୪% ଜନସଂଖ୍ୟାକୁ ଶେଷ କରିଦେଇଥିଲା । ଆଜିର ୭୫୦ କୋଟି ଜନସଂଖ୍ୟା ହିସାବରେ ଯଦି ୪% ଲୋକ ପ୍ରଭାବିତ ହୁଅନ୍ତି, ତେବେ ଏହା ଏକ ଭୟଙ୍କର ସଂଖ୍ୟା ହେବ । ତେବେ ଏହି ‘ସୁପର ଏଲ୍ ନିନୋ’ କ’ଣ ଏବଂ ଭାରତ ତଥା ଓଡ଼ିଶା ଉପରେ ଏହାର କି ପ୍ରଭାବ ପଡ଼ିବ ?”

ଗତ କିଛି ଦିନ ହେବ ଦେଶ ଓ ରାଜ୍ୟରେ ଅନୁଭୁତ ହେଉଛି ପ୍ରବଳ ଗୁଳୁଗୁଳି ସହ ପ୍ରଚଣ୍ଡ ଖରା , ଯାହା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଲାଣି । ରାଜସ୍ଥାନ, ମଧ୍ୟପ୍ରଦେଶ ଠାରୁ ଆରମ୍ଭ କରି ଓଡ଼ିଶା ପର୍ଯ୍ୟନ୍ତ ସବୁଠି ପାରଦ ୪୫ ଡିଗ୍ରୀ ଉପରେ ରହୁଛି । ଦିଲ୍ଲୀରେ ଖରା ପାଇଁ ପ୍ରତି ୪୫ ମିନିଟରେ ସ୍କୁଲରେ ଘଣ୍ଟି ବଜାଇ ପିଲାଙ୍କୁ ପାଣି ପିଇବା ପାଇଁ ମନେ ପକାଇ ଦିଆଯାଉଛି । କିନ୍ତୁ ଏହି ଖରା କେବଳ ଏକ ପ୍ରାକୃତିକ ପରିବର୍ତ୍ତନ ନୁହେଁ, ଏହା ପଛରେ ରହିଛି ଏକ ବଡ଼ ଭୌଗୋଳିକ କାରଣ – ଯାହାକୁ କୁହାଯାଏ ‘ଏଲ୍ ନିନୋ’।”
ଏହି ‘ଏଲ୍ ନିନୋ’ କେଉଁ ରାକ୍ଷସର ନାମ? ଏହା ଏକ ସାମୁଦ୍ରିକ ଘଟଣା । ସାଧାରଣତଃ ପ୍ରଶାନ୍ତ ମହାସାଗରର ଗରମ ପାଣି ଅଷ୍ଟ୍ରେଲିଆ ଏବଂ ଏସିଆ ଆଡ଼କୁ ଆସେ, ଯାହା ଦ୍ୱାରା ଭାରତରେ ଭଲ ବର୍ଷା ହୁଏ । କିନ୍ତୁ ଯେତେବେଳେ ‘ଏଲ୍ ନିନୋ’ ସ୍ଥିତି ଆସେ, ଏହି ଗରମ ପାଣି ଓଲଟା ଦିଗରେ ବହିବାକୁ ଲାଗେ ଏବଂ ଦକ୍ଷିଣ ଆମେରିକା ଆଡ଼କୁ ଚାଲିଯାଏ। ଫଳରେ ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ ଏବଂ ଭାରତରେ ବର୍ଷା କମିଯାଏ ଏବଂ ମରୁଡ଼ି ପରି ସ୍ଥିତି ସୃଷ୍ଟି ହୁଏ । ୨୦୨୬-୨୭ ମସିହାରେ ଯେଉଁ ଏଲ୍ ନିନୋ ଆସିବାକୁ ଯାଉଛି, ତାହା ଅତ୍ୟନ୍ତ ଶକ୍ତିଶାଳୀ ବା ‘ସୁପର ଏଲ୍ ନିନୋ’ ହେବ ବୋଲି ଅନୁମାନ କରାଯାଉଛି । ଏହାର ଅର୍ଥ ହେଉଛି – ଅତ୍ୟଧିକ ଗରମ, କମ୍ ବର୍ଷା ଏବଂ ଭୟଙ୍କର ଜଳ ସଙ୍କଟ ।

ଏହି ସଙ୍କଟର ପ୍ରଭାବ ଏବେଠାରୁ ହିଁ ଦେଖାଗଲାଣି । କେନ୍ଦ୍ରୀୟ ଜଳ ଆୟୋଗଙ୍କ ରିପୋର୍ଟ ଅନୁସାରେ, ଭାରତର ୧୬୬ଟି ପ୍ରମୁଖ ଜଳାଶୟରେ ଜଳସ୍ତର ହାରାହାରି ୪୪% କୁ ଖସି ଆସିଲାଣି । ଗଙ୍ଗା, ଗୋଦାବରୀ ଏବଂ କାବେରୀ ଭଳି ବଡ଼ ନଦୀ ମାନଙ୍କରେ ସେମାନଙ୍କ କ୍ଷମତାର ଅଧାରୁ କମ୍ ପାଣି ରହିଛି । ଯଦି ଏହି ‘ସୁପର ଏଲ୍ ନିନୋ’ ର ପ୍ରଭାବ ଅଧିକ ରହେ, ତେବେ ଆଗାମୀ ଦିନରେ ଚାଷ କାର୍ଯ୍ୟ ଏବଂ ପାନୀୟ ଜଳ ପାଇଁ ବଡ଼ ସମସ୍ୟା ଦେଖାଦେବ।
ଖରା କେବଳ ଦେହକୁ କଷ୍ଟ ଦିଏ ନାହିଁ, ଏହା ଦେଶର ଅର୍ଥନୀତିକୁ ମଧ୍ୟ ଦୋହଲାଇ ଦିଏ । ଅତ୍ୟଧିକ ଗରମ ଯୋଗୁଁ ପର୍ଯ୍ୟଟନ ଶିଳ୍ପ ବାଧାପ୍ରାପ୍ତ ହୁଏ, ଲୋକମାନେ ଘରୁ ବାହାରି ପାରନ୍ତି ନାହିଁ, ଯାହା ଦ୍ୱାରା ବ୍ୟବସାୟ ଓ କାମ କରିବାର ସମୟ କମିଯାଏ । ପାଣିର ଅଭାବ ଏବଂ ଶକ୍ତିର ବ୍ୟବହାର ବଢିବା ଯୋଗୁଁ ମହଙ୍ଗା ମାଡ଼ ମଧ୍ୟ ବଢିଥାଏ ।

ପ୍ରକୃତି ସହ ଖେଳିବାର ପରିଣାମ ଦେଶବାସୀ ଭୋଗିଛନ୍ତି । କିନ୍ତୁ ଏହି ଗ୍ରୀଷ୍ମ ପ୍ରବାହରୁ ବଞ୍ଚିବା ପାଇଁ କିଛି ସାଧାରଣ ସତର୍କତା ସବୁ ଅବଲମ୍ବନ କରିବା ଜରୁରୀ:
- ଦ୍ୱିପ୍ରହର ୧୨ଟାରୁ ୩ଟା ପର୍ଯ୍ୟନ୍ତ ଅତି ଜରୁରୀ ନହେଲେ ବାହାରକୁ ଯାଆନ୍ତୁ ନାହିଁ।
- ଖାଲି ପେଟରେ ରୁହନ୍ତୁ ନାହିଁ ଏବଂ ଅଧିକରୁ ଅଧିକ ପାଣି ପିଅନ୍ତୁ।
- ସୂତା କପଡ଼ା ବ୍ୟବହାର କରନ୍ତୁ ଏବଂ ତାଜା ଫଳ ଖାଆନ୍ତୁ।
- ଗଛ କାଟନ୍ତୁ ନାହିଁ, ବରଂ ଅଧିକ ଗଛ ଲଗାଇ ପରିବେଶକୁ ବଞ୍ଚାନ୍ତୁ।
ଶେଷରେ ଏତିକି କୁହାଯାଇପାରେ ଯେ, ଜଳବାୟୁ ପରିବର୍ତ୍ତନ ଏକ ବଡ଼ ସତର୍କ ଘଣ୍ଟି । ‘ସୁପର ଏଲ୍ ନିନୋ’ ର ପ୍ରଭାବକୁ କମ୍ କରିବା ପାଇଁ ଆମକୁ ଏବେଠାରୁ ସଚେତନ ହେବାକୁ ପଡ଼ିବ ।


