ଭାରତୀୟ ସେନାର ବଢ଼ୁଥିବା ମହାଶକ୍ତିଶାଳୀ ଡ୍ରୋନ୍ ଶକ୍ତି ଏବଂ ଆଧୁନିକ ରଣନୀତି ଏବେ ପଡ଼ୋଶୀ ପାକିସ୍ତାନର ନିଦ ହଜାଇ ଦେଇଛି। ଭାରତ ସହିତ ଯଦି ଆଗାମୀ ଦିନରେ କୌଣସି ସଂଘର୍ଷ ବା ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୁଏ, ତେବେ ଭାରତୀୟ ଡ୍ରୋନ୍ ସେନା ଯେଉଁଭଳି ଭାବେ ଆକାଶ ମାର୍ଗରୁ ଆକ୍ରମଣ କରିବ, ତାକୁ ରୋକିବା ପାକିସ୍ତାନ ପାଇଁ ଅସମ୍ଭବ ମନେହେଉଛି। ଆଉ ଏହି ଭୟ ଏବେ ପାକିସ୍ତାନକୁ ଏଭଳି ଗ୍ରାସ କରିଛି ଯେ, ସେ ଭାରତୀୟ ଡ୍ରୋନ୍କୁ ଆକାଶରେ ହିଁ ଧ୍ୱଂସ କରିବା ପାଇଁ ଏକ ନୂଆ ଯୁଦ୍ଧ ରଣନୀତି ପ୍ରସ୍ତୁତ କରିଛି।
ଆନ୍ତର୍ଜାତୀୟ ପ୍ରତିରକ୍ଷା ଗଣମାଧ୍ୟମ ଏବଂ ପାକିସ୍ତାନୀ ମିଡିଆରୁ ମିଳିଥିବା ସର୍ବଶେଷ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ନିଜର ଆକାଶ ସୁରକ୍ଷାକୁ ମଜବୁତ କରିବା ପାଇଁ ତୁର୍କୀର ପ୍ରସିଦ୍ଧ ଏବଂ ଅତ୍ୟାଧୁନିକ ଆଣ୍ଟି-ଡ୍ରୋନ୍ ସିଷ୍ଟମ ‘ASELSAN ŞAHİN’ (ଆସେଲସାନ୍ ଶାହୀନ) ୪୦ ଏମ୍ଏମ୍ କାଉଣ୍ଟର-ୟୁଏଏସ୍ (Counter-UAS) ସିଷ୍ଟମକୁ ନିଜ ସେନାରେ ମୁତୟନ କରିଦେଇଛି। ଏହାକୁ ବିଶ୍ୱ ପ୍ରତିରକ୍ଷା ବଜାରରେ ଏକ ଭୟାନକ ‘ଡ୍ରୋନ୍ କିଲର୍’ (Drone Killer) ବୋଲି କୁହାଯାଏ। କିନ୍ତୁ ପ୍ରଶ୍ନ ଉଠୁଛି, ପାକିସ୍ତାନ ହଠାତ୍ ଚୀନ୍ ସିଷ୍ଟମକୁ ଛାଡ଼ି ତୁର୍କୀର ଏହି ଆଣ୍ଟି-ଡ୍ରୋନ୍ ସିଷ୍ଟମ ଉପରେ କାହିଁକି ଏତେ ଭରସା କରୁଛି? ଏବଂ ଭାରତର କେଉଁ ଗୁପ୍ତ ଅପରେସନ୍ ଯୋଗୁଁ ପାକିସ୍ତାନ ଏବେ ଏଭଳି ଆତଙ୍କିତ ଅବସ୍ଥାରେ ଅଛି?
ପାକିସ୍ତାନର ଏହି ଭୟ ପଛରେ ରହିଛି ଗତବର୍ଷ ମେ ମାସରେ ଘଟିଥିବା ଏକ ଭୟାନକ ଘଟଣା। ସେତେବେଳେ ସୀମାରେ ଉତ୍ତେଜନା ଚାଲିଥିବା ସମୟରେ ଭାରତୀୟ ସେନା ଏକ ଗୁପ୍ତ ଅପରେସନ୍ କରିଥିଲା, ଯାହାକୁ ‘ଅପରେସନ୍ ସିନ୍ଦୂର’ ବୋଲି କୁହାଯାଉଛି। ଏହି ଅପରେସନ୍ ସମୟରେ ଭାରତୀୟ ସେନାର କମାଣ୍ଡୋମାନେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କାମିକାଜେ ଡ୍ରୋନ୍ (Kamikaze Drones) କିମ୍ବା ଆତ୍ମଘାତୀ ଡ୍ରୋନ୍ ସାହାଯ୍ୟରେ ପାକିସ୍ତାନର ଲାହୋର ଭିତରକୁ ପଶି ଏକ ବଡ଼ ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିଲେ।
ଆଶ୍ଚର୍ଯ୍ୟର କଥା ହେଉଛି, ପାକିସ୍ତାନ ନିଜର ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚୀନ୍ଠାରୁ ଏକ ଅତ୍ୟାଧୁନିକ ଏୟାର ଡିଫେନ୍ସ ସିଷ୍ଟମ କିଣିଥିଲା, ଯାହାର ନାଁ ହେଉଛି HQ-9B। ପାକିସ୍ତାନ ଭାବୁଥିଲା କି ଚୀନ୍ର ଏହି ମିସାଇଲ୍ ସିଷ୍ଟମ ଭାରତର ଯେକୌଣସି ଆକ୍ରମଣକୁ ରୋକିଦେବ। କିନ୍ତୁ ଭାରତୀୟ ସେନାର ଛୋଟ ଛୋଟ ଡ୍ରୋନ୍ ବା ସ୍ୱାର୍ମ ଡ୍ରୋନ୍ଗୁଡ଼ିକ ଚୀନ୍ର ଏହି ରାଡାର୍ର ଆଖିରେ ଧୂଳି ଦେଇ ଲାହୋର ଭିତରକୁ ପ୍ରବେଶ କଲେ ଏବଂ ଚୀନ୍ର ସେହି ମଲ୍ଟି-ମିଲିୟନ ଡଲାରର HQ-9B ଏୟାର ଡିଫେନ୍ସ ସିଷ୍ଟମର ମୁଖ୍ୟ ରାଡାର୍କୁ ବୋମା ମାଡ଼ କରି ଉଡ଼ାଇ ଦେଲେ।
ଚୀନ୍ର ସିଷ୍ଟମ ଭାରତୀୟ ଡ୍ରୋନ୍କୁ ଟ୍ରାକ୍ ମଧ୍ୟ କରିପାରିଲାନାହିଁ। ଏହି ଘଟଣା ପରେ ପାକିସ୍ତାନୀ ସେନାର ହୋସ୍ ଉଡ଼ିଗଲା। ସେମାନେ ବୁଝିଗଲେ କି ଚୀନ୍ର ଯୁଦ୍ଧାସ୍ତ୍ର ଭାରତର ଆଧୁନିକ ଡ୍ରୋନ୍ ଟେକ୍ନୋଲୋଜି ଆଗରେ ସମ୍ପୂର୍ଣ୍ଣ ଅଦରକାରୀ ବା ବିଫଳ ସାବ୍ୟସ୍ତ ହୋଇଛି। ଭାରତ ଗତ ଗୋଟିଏ ବର୍ଷ ଭିତରେ ବହୁତ ବଡ଼ ପରିମାଣରେ ମିନି (Mini) ଏବଂ ମାଇକ୍ରୋ (Micro) ଅନମ୍ୟାନ୍ଡ ଏରିଆଲ ସିଷ୍ଟମ (UAS) ବା କ୍ଷୁଦ୍ର ଡ୍ରୋନ୍କୁ ନିଜ ସେନାରେ ସାମିଲ କରିଛି। ପାକିସ୍ତାନକୁ ଡର ଅଛି କି, ଆଗାମୀ ସଂଘର୍ଷରେ ଭାରତୀୟ ଡ୍ରୋନ୍ଗୁଡ଼ିକ ତାଙ୍କର ସମସ୍ତ ସାମରିକ ଘାଟିକୁ ଧ୍ୱଂସ କରିଦେବେ। ସେଥିପାଇଁ ପାକିସ୍ତାନ ଚୀନ୍ ଉପରୁ ଭରସା ତୁଟାଇ ଏବେ ତୁର୍କୀର ଶରଣ ପଶିଛି।
ତୁର୍କୀର ଏହି ନୂଆ ‘ଡ୍ରୋନ୍ କିଲର୍’ ସିଷ୍ଟମ କ’ଣ ଏବଂ ଏହାର କ୍ଷମତା କେତେ? ଏହି ସିଷ୍ଟମକୁ ତୁର୍କୀର ସବୁଠାରୁ ପ୍ରସିଦ୍ଧ ପ୍ରତିରକ୍ଷା କମ୍ପାନୀ ‘ ଆସେଲସାନ୍’ ନିର୍ମାଣ କରିଛି, ଆଉ ଏହାର ନାଁ ରଖାଯାଇଛି ŞAHİN (ଶାହୀନ) 40mm Counter-UAS System। ଏହାକୁ ‘ହାର୍ଡ-କିଲ୍’ (Hard-Kill) ଆଣ୍ଟି-ଡ୍ରୋନ୍ ସିଷ୍ଟମ କୁହାଯାଏ।
ଏହାର ବିଶେଷତ୍ୱ ଏବଂ କାର୍ଯ୍ୟଦକ୍ଷତା ବିଷୟରେ ଜାଣନ୍ତୁ:
• ଆକାଶରେ ହିଁ ବ୍ଲାଷ୍ଟ: ସାଧାରଣ ଆଣ୍ଟି-ଡ୍ରୋନ୍ ସିଷ୍ଟମଗୁଡ଼ିକ ଡ୍ରୋନ୍ର ସିଗନାଲ୍କୁ ଜାମ୍ (Jam) କରିଥାନ୍ତି, ଯାହାକୁ ‘ସଫ୍ଟ-କିଲ୍’ କୁହାଯାଏ। କିନ୍ତୁ ଏହି ‘ଶାହୀନ’ ସିଷ୍ଟମ ଡ୍ରୋନ୍କୁ କେବଳ ଜାମ୍ କରେନାହିଁ, ବରଂ ତାକୁ ସିଧାସଳଖ ଗୁଳି ମାରି କିମ୍ବା ଆକାଶରେ ବ୍ଲାଷ୍ଟ କରି ସମ୍ପୂର୍ଣ୍ଣ ଧ୍ୱଂସ କରିଦିଏ।
• ଅତ୍ୟାଧୁନିକ ରାଡାର୍ ଓ କ୍ୟାମେରା: ଏହା ଏକ ରିମୋଟ୍-କଣ୍ଟ୍ରୋଲ୍ଡ ଅସ୍ତ୍ର ପ୍ରଣାଳୀ, ଯାହା ଅତ୍ୟାଧୁନିକ ରାଡାର୍ ଏବଂ ଥର୍ମାଲ୍ କ୍ୟାମେରା ସହ ଜଡ଼ିତ। ବହୁତ କମ୍ ଉଚ୍ଚତାରେ ଉଡ଼ୁଥିବା ଛୋଟ ଓ ଅତି କ୍ଷୁଦ୍ର ଡ୍ରୋନ୍ କିମ୍ବା କ୍ୱାଡ୍କପ୍ଟରକୁ ଏହା ଅତି ସହଜରେ ଟ୍ରାକ୍ କରିନିଏ।
• ATOM ୪୦ଏମ୍ଏମ୍ ଗୋଳାବାରୁଦ: ଏହି ସିଷ୍ଟମରେ ବିଶେଷ ଧରଣର ‘ATOM 40mm’ ପ୍ରୋଗ୍ରାମେବଲ୍ ଗୋଳାବାରୁଦ ବ୍ୟବହାର କରାଯାଏ। ଏହି ଗୋଳିଗୁଡ଼ିକ ଡ୍ରୋନ୍ର ବିଲ୍କୁଲ୍ ନିକଟରେ ପହଞ୍ଚି ହଠାତ୍ ପବନରେ ଏକ ବଡ଼ ଛର୍ରା ବା ଖଣ୍ଡ ବିଖଣ୍ଡିତ ଧାତୁ ରୂପରେ ବିସ୍ଫୋରଣ ହୁଅନ୍ତି। ଯାହାଫଳରେ ତୀବ୍ର ଗତିରେ ଦିଶା ବଦଳାଉଥିବା ଛୋଟ ଭାରତୀୟ ଡ୍ରୋନ୍ଗୁଡ଼ିକର ବଞ୍ଚିବାର କୌଣସି ସମ୍ଭାବନା ରହେନାହିଁ।
• ୩୬୦ ଡିଗ୍ରୀ ସୁରକ୍ଷା ଓ ୭୦୦ ମିଟର ରେଞ୍ଜ: ଏହି ସିଷ୍ଟମଟି ଚାରିଆଡ଼କୁ ୩୬୦ ଡିଗ୍ରୀ ବୁଲିପାରେ ଏବଂ ପ୍ରାୟ ୭୦ମିଟର ଦୂରତାରେ ଥିବା ମାଇକ୍ରୋ ଡ୍ରୋନ୍କୁ ସଠିକ ଭାବେ ନିଶାନା ବନାଇପାରେ।
ପାକିସ୍ତାନୀ ସେନା ଏହି ସିଷ୍ଟମକୁ ନିଜର ସାମରିକ ଘାଟି, ବାୟୁସେନା କେନ୍ଦ୍ର ଏବଂ ଭାରତୀୟ ସୀମାନ୍ତରେ ଥିବା ହାଇ-ଭାଲ୍ୟୁ ଟାର୍ଗେଟ୍ ଗୁଡ଼ିକର ସୁରକ୍ଷା ପାଇଁ ମୁତୟନ କରିବା ଆରମ୍ଭ କରିଦେଇଛି।
ପାକିସ୍ତାନ ଏବଂ ତୁର୍କୀ ମଧ୍ୟରେ ଥିବା ପ୍ରତିରକ୍ଷା ସମ୍ପର୍କ ଏବେ କେବଳ ଅସ୍ତ୍ରଶସ୍ତ୍ର କିଣାବିକା ମଧ୍ୟରେ ସୀମିତ ନାହିଁ। ରିପୋର୍ଟ ଅନୁସାରେ, ଦୁଇ ଦେଶ ମଧ୍ୟରେ ଏବେ ଟେକ୍ନୋଲୋଜି ଟ୍ରାନ୍ସଫର (Technology Transfer) ଏବଂ ମିଳିତ ସାମରିକ ସଙ୍ଗଠନକୁ ନେଇ ବଡ଼ ଧରଣର ଚୁକ୍ତି ହେଉଛି। ତୁର୍କୀ ଏବେ ପାକିସ୍ତାନକୁ ପାଶ୍ଚାତ୍ୟ ଏବଂ ଚୀନ୍ ଅସ୍ତ୍ରଶସ୍ତ୍ର ବଦଳରେ ଏକ ନୂଆ ବିକଳ୍ପ ଯୋଗାଇ ଦେଉଛି।
କିନ୍ତୁ ପ୍ରଶ୍ନ ଉଠୁଛି, ପାକିସ୍ତାନ ତୁର୍କୀଠାରୁ ଏହି ‘ଶାହୀନ’ ସିଷ୍ଟମ ଆଣି ଭାରତୀୟ ସେନାକୁ ଅଟକାଇ ପାରିବ କି? ଏହାର ଉତ୍ତର ହେଉଛି— ନା। କାରଣ ଭାରତୀୟ ସେନା ଏବେ କେବଳ ଗୋଟିଏ ପ୍ରକାରର ଡ୍ରୋନ୍ ଉପରେ ନିର୍ଭରଶୀଳ ନୁହେଁ। ଭାରତ ପାଖରେ ଏବେ ଏଭଳି ସ୍ୱାର୍ମ ଡ୍ରୋନ୍ (Swarm Drones) ଟେକ୍ନୋଲୋଜି ରହିଛି, ଯେଉଁଠି ଏକାସଙ୍ଗେ ଶତାଧିକ ଡ୍ରୋନ୍ ପାକିସ୍ତାନ ସୀମା ଭିତରକୁ ପଶି ଆକ୍ରମଣ କରିବେ। ତୁର୍କୀର ଏହି ‘ଶାହୀନ’ ସିଷ୍ଟମ ଗୋଟିଏ କିମ୍ବା ଦୁଇଟି ଡ୍ରୋନ୍କୁ ତ ଧ୍ୱଂସ କରିପାରେ, କିନ୍ତୁ ଯେତେବେଳେ ଶତାଧିକ ଡ୍ରୋନ୍ ଏକା ସାଙ୍ଗରେ ଆସିବେ (Saturation Attack), ସେତେବେଳେ ଏହି ସିଷ୍ଟମର ଗୋଳାବାରୁଦ ଶେଷ ହୋଇଯିବ ଏବଂ ଏହା ମଧ୍ୟ ଧ୍ୱଂସ ହୋଇଯିବ।
ଏହାଛଡ଼ା ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା DRDO ନିଜେ ମଧ୍ୟ ଅତ୍ୟାଧୁନିକ ଆଣ୍ଟି-ଡ୍ରୋନ୍ ସିଷ୍ଟମ ଏବଂ ‘D-4 ସିଷ୍ଟମ’ ପ୍ରସ୍ତୁତ କରିସାରିଛି, ଯାହା ପାକିସ୍ତାନର ଯେକୌଣସି ଡ୍ରୋନ୍କୁ ସାଫ୍ କରିଦେବ। ଭାରତର ପ୍ରତିରକ୍ଷା ରଣନୀତି ଏବେ ପାକିସ୍ତାନୀ ସେନାଠାରୁ ବହୁତ ଆଗରେ ରହିଛି।
ତେବେ, ପାକିସ୍ତାନ ଯେତେ ଚେଷ୍ଟା କଲେ ମଧ୍ୟ ଭାରତୀୟ ସେନାର ପରାକ୍ରମ ଏବେ ବିଶ୍ୱସ୍ତରୀୟ ହୋଇସାରିଛି। ଗତବର୍ଷର ସେହି ଗୁପ୍ତ ଅପରେସନ୍ରେ ଚୀନ୍ ସିଷ୍ଟମ ଧ୍ୱଂସ ହେବା ପରେ ପାକିସ୍ତାନର ଯେଉଁ ଭୟ ସୃଷ୍ଟି ହୋଇଛି, ତାହା ତୁର୍କୀର ଏହି ‘ଶାହୀନ’ ସିଷ୍ଟମ ମୁତୟନ ପରେ ସ୍ପଷ୍ଟ ଜଣାପଡ଼ୁଛି। କିନ୍ତୁ ଆଧୁନିକ ଯୁଦ୍ଧକ୍ଷେତ୍ରରେ କେବଳ ବିଦେଶୀ ଅସ୍ତ୍ର କିଣି କେହି ଯୁଦ୍ଧ ଜିତିପାରିବେ ନାହିଁ, ଏଥିପାଇଁ ଦରକାର ସ୍ୱଦେଶୀ ଶକ୍ତି ଏବଂ ଦୃଢ଼ ମନୋବଳ— ଯାହା ଆଜି ଭାରତ ପାଖରେ ରହିଛି।
AlsoRead; https://purvapaksa.com/america-spent-60-million-every-minute-on-the-iran-war/


