ଓଡ଼ିଶାର ଶିକ୍ଷା ଇତିହାସରେ ଗୋଦାବରୀଶ ମିଶ୍ର ନାମ କେବଳ ଏକ ସାହିତ୍ୟିକ ପରିଚୟ ନୁହେଁ- ଏହା ଏକ ଚିନ୍ତାଧାରା, ଏକ ସାମାଜିକ ଦାୟିତ୍ୱ ଓ ଏକ ଶିକ୍ଷାଦର୍ଶନର ପ୍ରତୀକ। ସେଇ ନାମକୁ ଆଧାର କରି ଯେତେବେଳେ ରାଜ୍ୟ ସରକାର “ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା” ଆରମ୍ଭ କରନ୍ତି, ସେଠାରେ ସ୍ୱାଭାବିକ ଭାବେ ଆଶା ବଢ଼ିଯାଏ। କିନ୍ତୁ ଆଶା ସହ ଆସେ ପ୍ରଶ୍ନ। ଏହି ଯୋଜନା କ’ଣ ସତରେ ଓଡ଼ିଶାର ପ୍ରାଥମିକ ଶିକ୍ଷାକୁ ମୂଳରୁ ବଦଳାଇବ, ନା କେବଳ କିଛି ଚୟନିତ ସ୍କୁଲକୁ ଆକର୍ଷଣୀୟ ଢାଞ୍ଚାରେ ପରିଣତ କରି ଏକ “ଆଦର୍ଶ” ଦେଖାଇ ଦାୟିତ୍ୱ ସମାପ୍ତ କରିଦେବ?
/odishatv/media/post_attachments/uploadimage/library/16_9/16_9_0/recent_photo_1752943679.jpg)
ଯୋଜନାଟି କ’ଣ? ଘୋଷଣା ଓ ଆକୃତି
ଗତ ବୁଧବାର ଦିନ ଓଡ଼ିଶାରେ ଆରମ୍ଭ ହୋଇଥିବା ଏହି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ମୂଳ ଢାଞ୍ଚା ସରଳ ଭାବରେ ଏପରି-
• ପ୍ରତ୍ୟେକ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ପ୍ରାୟ ୭ କୋଟି ଟଙ୍କା ଖର୍ଚ୍ଚ ହେବ
• ଅତି କମରେ ସ୍ଖୁଲ ପାଇଁ ୨ ଏକର ଜମି ରହିବ
• ପ୍ରାକ୍–ପ୍ରାଥମିକଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେବ
• ପ୍ରତି ବିଦ୍ୟାଳୟରେ ୧୦୦ ଛାତ୍ରଛାତ୍ରୀ ପାଠପଢ଼ିବେ
• ପ୍ରଥମ ପର୍ଯ୍ୟାୟରେ ୧୧୮ଟି ବିଦ୍ୟାଳୟ ନିର୍ମାଣ ହେବ
• ଦୀର୍ଘମ୍ୟାଦୀ ଲକ୍ଷ୍ୟ—ରାଜ୍ୟର ୬,୭୯୪ ଗ୍ରାମପଞ୍ଚାୟତ ପ୍ରତ୍ୟେକରେ ଗୋଟିଏ ମଡେଲ ସ୍କୁଲ ହେବ
କାଗଜକଲମରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଏକ ମେଗା ଯୋଜନା। ଅର୍ଥ, ଢାଞ୍ଚା, ନାମ—ସବୁକିଛି “ବଡ଼”। କିନ୍ତୁ ଶିକ୍ଷା କ’ଣ ମାତ୍ର ଢାଞ୍ଚା ଓ ଅର୍ଥରେ ମାପାଯାଏ?
ଜାତୀୟ ଶିକ୍ଷା ନୀତି ୨୦୨୦ ସହ ସମନ୍ୱୟ: ନୂଆ କଥା କି?
ଯୋଜନାର ଏକ ପ୍ରମୁଖ ଦାବି—ଏହା ଜାତୀୟ ଶିକ୍ଷା ନୀତି ୨୦୨୦ ସହ ସମନ୍ୱିତ ହେବ। ବିଶେଷ କରି ତୃତୀୟ ଶ୍ରେଣୀ ସୁଦ୍ଧା ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (Foundational Literacy and Numeracy) ହାସଲ କରିବା ଉପରେ ଗୁରୁତ୍ୱ ଦିଆଯିବ ।
ଏଠାରେ ପ୍ରଥମ ପ୍ରଶ୍ନ ଉଠେ-
• ପ୍ରାଥମିକ ଶିକ୍ଷାର ଉଦ୍ଦେଶ୍ୟ କ’ଣ ଏତେଦିନ ଭିନ୍ନ ଥିଲା?
• ଦେଶରେ ପ୍ରାଥମିକ ଶିକ୍ଷା ଆରମ୍ଭ ହେବା ପରଠାରୁ ପଠନ, ଲିଖନ ଓ ଗଣିତ ମୌଳିକ ଲକ୍ଷ୍ୟ ନ ଥଲା?
• ତେବେ ଏହି ଲକ୍ଷ୍ୟକୁ ଏବେ “ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ” ସହ ଯୋଡ଼ି ଦେଖାଇବାର ଅର୍ଥ କ’ଣ?
• ଏହା କ’ଣ ସ୍ୱୀକାରୋକ୍ତି ନୁହେଁ ଯେ ଓଡ଼ିଶାର ଅନ୍ୟ ହଜାର ହଜାର ପ୍ରାଥମିକ ବିଦ୍ୟାଳୟରେ ଏହି ମୌଳିକ ଲକ୍ଷ୍ୟ ପୂରଣ ହେଉନାହିଁ?
STEM, ବୃତ୍ତିମୂଳକ ଶିକ୍ଷା ଓ “ଜୀବନ ପାଇଁ ପ୍ରସ୍ତୁତି”
ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଦ୍ୱିତୀୟ ଦାବି-
• STEM ଆଧାରିତ ଶିକ୍ଷା ଦିଆଯିବ
• ବୃତ୍ତିମୂଳକ ତାଲିମ ଦିଆଯିବ
• ସୃଜନଶୀଳତା, ସମାଲୋଚନାମୂଳକ ଚିନ୍ତା କରାଯିବ
• ଜୀବନ ଦକ୍ଷତା ଦିଆଯିବ
ଏହା ଶୁଣିବାକୁ ଆଧୁନିକ, ଆକର୍ଷଣୀୟ ଓ ଆନ୍ତର୍ଜାତିକ ମାନଦଣ୍ଡ ସହ ସମନ୍ୱିତ। କିନ୍ତୁ ପ୍ରଶ୍ନ ହେଉଛି-
ଏହି ସବୁ କଥା କ’ଣ ୧୧୮ଟି ସ୍କୁଲରେ ମାତ୍ର ସମ୍ଭବ? ଯଦି STEM, ସୃଜନଶୀଳତା ଓ ଜୀବନ ଦକ୍ଷତା ଏତେ ଆବଶ୍ୟକ, ତେବେ ସେଗୁଡ଼ିକୁ ସମଗ୍ର ରାଜ୍ୟର ପ୍ରାଥମିକ ଶିକ୍ଷା ପ୍ରଣାଳୀରେ କାହିଁକି ଏକାଥରେ ଆଣାଯାଉ ନାହିଁ?
ଏଥିରେ ଅସୁବିଧା କ’ଣ ରହିଛି? ନାଁ ଏଥିରେ ପିସି ମାଧ୍ୟମରେ ଅଫିସରମାନଙ୍କ ପକେଟ ଗରମ ଏକାଥରକେ ହେଲେ ତାହା ବିରୋଧରେ ଜନମତ ପ୍ରକାଶ ପାଇବ?
ସଂଖ୍ୟାର ଗଣିତ: କେତେ ଛାତ୍ର, କେତେ ଲାଭ?

ଓଡ଼ିଶାରେ ପ୍ରାୟ ୭୫ ଲକ୍ଷ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀ ଅଛନ୍ତି।
ଏହି ଯୋଜନାର ପ୍ରଥମ ପର୍ଯ୍ୟାୟ-
୧୧୮ଟି ସ୍କୁଲର ପ୍ରତି ସ୍କୁଲ ପିଛା୧୦୦ ଛାତ୍ରଛାତ୍ରୀ ରହିଲେ ମୋଟ ମାତ୍ର ୧୧,୮୦୦ ଛାତ୍ରଛାତ୍ରୀ ପାଠପଢ଼ିବେ।
ଏହା ସମଗ୍ର ପ୍ରାଥମିକ ଛାତ୍ରସଂଖ୍ୟାର ଏକ ଅତ୍ୟନ୍ତ କ୍ଷୁଦ୍ର ଅଂଶ। ଏଠାରେ ପ୍ରଶ୍ନ ହେଲା- ଆମେ କ’ଣ ଏତେ ବଡ଼ ଖର୍ଚ୍ଚ କରି ଏକ କ୍ଷୁଦ୍ର ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ “ଶ୍ରେଷ୍ଠ” କରିବାକୁ ଚାହୁଁଛୁ, ନା ସମସ୍ତଙ୍କ ପାଇଁ ନ୍ୟୁନତମ ଗୁଣାତ୍ମକ ଶିକ୍ଷା ନିଶ୍ଚିତ କରିବାକୁ ଚାହୁଁଛୁ? ଏହାଦ୍ୱାରା ରାଜ୍ୟର ସରକାରୀ ସ୍କୁଲରେ ପାଠପଢ଼ୁଥିବା ଛାତ୍ରଛାତ୍ରୀଙ୍କ ମନରେ ହିନମନ୍ୟତା ସୃଷ୍ଟିହେବ ନାହିଁ ତ?
ଏଥିପାଇଁ ସରକାର ସେଚତନ ଅଛନ୍ତି ନା ଅଫିସରମାନଙ୍କ ଗୋଲାପି ଛିତ୍ରରେ ଭାସୁଛନ୍ତି। କାରଣ ବିଜେଡି ଶାସନ କାଳରେ ଏହି ଅଫିସରମାନେ ରାଜ୍ୟରେ ଘରୋଇ ସ୍କୁଲଗୁଡ଼ିକର ବ୍ୟବସାୟ ବୃଦ୍ଧି କରିବା ପାଇଁ ଏପରି ଯୋଜନା କରିଛନ୍ତି ଯେ ଶିକ୍ଷକ ଅଭାବରୁ ସରକାରୀ ସ୍କୁଲ ଓ କଲେଜମାନଙ୍କର ଛାତ୍ର ନାହାନ୍ତି। ବିଜେଡି ଶାସନ କାଳରେ ତିଆରି ହୋଇଥିବା ୩୧୫ଟି ଆଦର୍ଶ ବିଦ୍ୟାଳୟରେ ଏବେ ବି ୨୪୭୬ଟି ପ୍ରଧାନ ଶିକ୍ଷକ ଓ ଶିକ୍ଷକ ପଦବୀ ଖାଲି ପଡ଼ିଛି। ତେଣୁ ଭୟ ହେଉଛି “ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା” ପୂର୍ବର ଆଦର୍ଶ ବିଦ୍ୟାଳୟ ଭଳି ଅଧାପନ୍ତରିଆ ହେବ ନାହିଁ ତ?
ଅନ୍ୟ ୪୪,୮୮୨ଟି ପ୍ରାଥମିକ ବିଦ୍ୟାଳୟର କଥା କ’ଣ?
ରାଜ୍ୟରେ ପ୍ରାୟ ୪୫,୦୦୦ ପ୍ରାଥମିକ ବିଦ୍ୟାଳୟ ଅଛି। ୧୧୮ଟି “ମଡେଲ” ବିଦ୍ୟାଳୟ ବାହାରେ ରହିଗଲେ- ୪୪,୮୮୨ଟି ବିଦ୍ୟାଳୟ। ସରକାର କହୁଛନ୍ତି- ମଡେଲ ସ୍କୁଲ ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ହେବ।
କିନ୍ତୁ ଭାରତୀୟ ଶିକ୍ଷା ଇତିହାସ ଆମକୁ ଏକ ପ୍ରଶ୍ନ ପଚାରିବାକୁ ବାଧ୍ୟ କରେ-ଦୃଷ୍ଟାନ୍ତ ଦେଖିବାକୁ ଅନ୍ୟ ସ୍କୁଲ ଉନ୍ନତ ହୋଇଛି କି, ନା ସେମାନେ ସଦା ଦୂରରୁ ଦେଖିବାକୁ ବାଧ୍ୟ ହୋଇଛନ୍ତି?
ଢାଞ୍ଚା ବନାମ ଶିକ୍ଷକ: ମୂଳ ସମସ୍ୟା କେଉଁଠି?
ପ୍ରାଥମିକ ଶିକ୍ଷାର ସବୁଠୁ ବଡ଼ ସମସ୍ୟା-
• ଶିକ୍ଷକ ଅଭାବ
• ପ୍ରଶିକ୍ଷଣର ଅଭାବ
• ଅତିରିକ୍ତ ପ୍ରଶାସନିକ ଭାର
• ମଲ୍ଟି–ଗ୍ରେଡ୍ କ୍ଲାସ୍
ଏହି ଯୋଜନା ଏହି ସମସ୍ୟାଗୁଡ଼ିକୁ କେତେଦୂର ସମାଧାନ କରୁଛି?
୭ କୋଟି ଟଙ୍କାର ଆକର୍ଷଣୀୟ କୋଠା ହେଲେ ଶିକ୍ଷକଙ୍କ ଗୁଣାତ୍ମକତା ସ୍ୱତଃ ବୃଦ୍ଧି ପାଇଯିବ କି?
ଏହା କେବଳ ଅମଲା ଓ ଠିକାଦାରଙ୍କ ପକେଟ ଗରମ କରିବ।
ଲ୍ୟାଣ୍ଡମାର୍କ ସ୍କୁଲ: ଶିକ୍ଷା ନା ପ୍ରତୀକ?
ଏବେ ଲୋକମାନଙ୍କ ମନରେ ଉଠୁଥିବା ସବୁଠୁ ଗଭୀର ପ୍ରଶ୍ନ- ଏହା କ’ଣ ଶେଷରେ ଗ୍ରାମପଞ୍ଚାୟତରେ ନିର୍ମିତ କିଛି ଆକର୍ଷଣୀୟ କୋଠାରେ ପରିଣତ ହେବ, ଯାହାକୁ ଲ୍ୟାଣ୍ଡମାର୍କ ଭାବେ ଦେଖାଯିବ? ଓଡ଼ିଶା ପୂର୍ବରୁ ଏପରି ଅନୁଭବ କରିଛି- ଭଲ କୋଠା, ରିବନ୍ କଟିଂ, ଫଳକ, ତା’ପରେ ଧୀରେ ଧୀରେ ପୁରୁଣା ସମସ୍ୟା।
ଆଦର୍ଶ ନୁହେଁ, ସାଧାରଣକୁ ଶକ୍ତିଶାଳୀ କରନ୍ତୁ
ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଧାରଣାରେ ଖରାପ ନୁହେଁ। ଏହା ଆଶା, ଆକାଂକ୍ଷା ଓ ଉଚ୍ଚ ଲକ୍ଷ୍ୟର କଥା କହେ।
କିନ୍ତୁ ଶିକ୍ଷାରେ ସେତେବେଳେ ପରିବର୍ତ୍ତନ ଆସେ—
• ଯେତେବେଳେ ସାଧାରଣ ସ୍କୁଲ ଉନ୍ନତ ହୁଏ
• ଯେତେବେଳେ ପ୍ରତ୍ୟେକ ଶିକ୍ଷକ ସଶକ୍ତ ହୁଏ
• ଯେତେବେଳେ ପ୍ରତ୍ୟେକ ଶିଶୁ ନ୍ୟୁନତମ ଗୁଣାତ୍ମକ ଶିକ୍ଷା ପାଏ
୭ କୋଟି ଟଙ୍କା ଯଦି ଗୋଟିଏ ସ୍କୁଲ ପାଇଁ ଖର୍ଚ୍ଚ ହୋଇପାରେ, ସେଇ ଅର୍ଥର ଏକ ଅଂଶରେ କେତେ ଶିକ୍ଷକଙ୍କ ପ୍ରଶିକ୍ଷଣ, କେତେ ଶ୍ରେଣୀକକ୍ଷ ସୁଧାର, କେତେ ପୁସ୍ତକାଳୟ ଶକ୍ତିଶାଳୀ ହୋଇପାରନ୍ତା?
ନାମକୁ ସାର୍ଥକ କରିବାର ଚ୍ୟାଲେଞ୍ଜ
ଗୋଦାବରୀଶ ମିଶ୍ର ନାମ ମାତ୍ର ଏକ ଫଳକ ପାଇଁ ନୁହେଁ। ସେଇ ନାମ ଦାବି କରେ- ସାଧାରଣ ଶିଶୁ ପାଇଁ ସାଧାରଣ ସ୍କୁଲକୁ ଅସାଧାରଣ କରିବା।
ଯଦି ଏହି ଯୋଜନା ସେହି ଦିଗକୁ ଆଗେଇଯାଏ-
ସମଗ୍ର ପ୍ରାଥମିକ ଶିକ୍ଷା ପ୍ରଣାଳୀକୁ ଛୁଇଁପାରେ—ତେବେ ଏହା ଐତିହାସିକ ହେବ।
ନ ହେଲେ, ଏହା ଆଉ ଏକ “ଆଦର୍ଶ” ଭାବେ ଫାଇଲ ଓ ଫଳକରେ ରହିଯିବ।
କେବଳ କିଛି ଅମଲା ଓ ଠିକାଦାର ମିଳିମିଶି ସ୍କୁଲ ନିର୍ମାଣ ନାମରେ ସରକାରୀ ଅର୍ଥକୁ ଚଳୁ କରିବାର ବାଟ ଖୋଜିବେ। ଶିକ୍ଷାରେ ଆଦର୍ଶ ଦେଖାଇବା ସହଜ, ସାଧାରଣ ଛାତ୍ରକୁ ଶକ୍ତିଶାଳୀ କରିବା କଠିନ। ଓଡ଼ିଶାର ପ୍ରାଥମିକ ଶିକ୍ଷାର ଭବିଷ୍ୟତ ଏହି କଠିନ ପଥକୁ ବାଛିବ କି ନାହିଁ—ସେଇଠି ନିର୍ଭର କରିଛି ଏହି ଯୋଜନାର ସତ୍ୟ ସଫଳତା।
ଗୋଦାବରୀଶମିଶ୍ର , ଆଦର୍ଶବିଦ୍ୟାଳୟ , ଓଡ଼ିଶାଶିକ୍ଷା , ପ୍ରାଥମିକଶିକ୍ଷା , ଶିକ୍ଷାନୀତି , ଛାତ୍ରହିତ , ଶିକ୍ଷକଅଭାବ , ସରକାରୀବିଦ୍ୟାଳୟ , ଶିକ୍ଷାସଂସ୍କାରଢାଞ୍ଚାନୁହେଁଶିକ୍ଷା , ଅମଲାଠିକାଦାରମଡେଲ ,ନାମନୁହେଁନୀତି , ଶିକ୍ଷାରାଜନୀତି , ଫଳକରଶିକ୍ଷା , କାଗଜକଲମଯୋଜନା , OdishaEducation , EducationForAll ,PublicSchoolCrisis #NEP2020 #GroundReality #EducationDebate #mohanmajhi #nityanandagond #odianews #odishapoliticalanalysis #latestnews #latestupdate
also read https://purvapaksa.com/reports-of-grass-growing-in-bhubaneswar-airport-premises/


