ସଉଦୀ ଆରବର କ୍ରାଉନ ପ୍ରିନ୍ସ ମୋହମ୍ମଦ ବିନ ସଲମାନ (ଏମବିଏସ) ଏବଂ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ବୁଧବାର ଦିନ ଏକ ପ୍ରତିରକ୍ଷା ଚୁକ୍ତିରେ ହସ୍ତାକ୍ଷର କରିଛନ୍ତି। ଏହି ଚୁକ୍ତି ଅନୁଯାୟୀ, ଗୋଟିଏ ଦେଶ ଉପରେ ଆକ୍ରମଣକୁ ଅନ୍ୟ ଦେଶ ଉପରେ ଆକ୍ରମଣ ବୋଲି ଗଣାଯିବ। ଏହି ଖବର ପରେ ଭାରତ ଏବଂ ଉପସାଗରୀୟ ଦେଶଗୁଡ଼ିକର ସମ୍ପର୍କ ପୁନର୍ବାର ଚର୍ଚ୍ଚା ପରିସରକୁ ଆସିଛି । ଯଦିଓ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ କହିଛନ୍ତି ଯେ ଏହି ଚୁକ୍ତି ଅନୁଯାୟୀ ସଉଦୀ ଆରବକୁ ପରମାଣୁ କବଚ ମିଳିବ ନାହିଁ। ଏହା କେବଳ ପାକିସ୍ତାନ ପାଇଁ। ଆମେ ଅନ୍ୟ କୌଣସି ଦେଶକୁ ପରମାଣୁ ବୋମା ଦେଇ ପାରିବୁ ନାହିଁ। ଏହି ପରିପ୍ରେକ୍ଷୀରେ ଭାରତ ଏବଂ ଉପସାଗରୀୟ ଦେଶଗୁଡ଼ିକର ସମ୍ପର୍କ ଉପରେ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରଶ୍ନ ଉଠୁଛି ଯେ ଏପରି ପରିସ୍ଥିତିରେ ଉପଗାସରୀୟ ଦେଶଗୁଡ଼ିକ ମଧ୍ୟରେ ଭାରତ ପାଇଁ ସବୁଠାରୁ ବିଶ୍ୱସନୀୟ ଏବଂ ନିକଟତମ ବନ୍ଧୁ କିଏ?
ଉପଗାସରୀୟ ଦେଶ ସବୁ କିଏ?
ପଶ୍ଚିମ ଏସିଆରେ ଅବସ୍ଥିତ ଆରବ ଉପସାଗର ଯାହାକୁ ମଧ୍ୟ ପାରସ୍ୟ ଉପସାଗର କୁହାଯାଏ । ଏହି ଉପସାଗର ନିକଟରେ ଥିବା ଆରବ ଦେଶଗୁଡ଼ିକୁ ଉପଗାସରୀୟ ରାଷ୍ଟ୍ର ବୋଲି କୁହାଯାଏ। ଏଥିରେ ୭ଟି ଦେଶ,ଯଥା ସଉଦୀ ଆରବ, କତାର, ଇରାକ, ବାହାରିନ, କୁୱେତ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ଓମାନ ଅନ୍ତର୍ଭୁକ୍ତ। ଯଦିଓ ଇରାନ ଭୌଗୋଳିକ ଦୃଷ୍ଟିରୁ ଉପଗାସରୀୟ ଅଞ୍ଚଳରେ ଅଛି, କିନ୍ତୁ ଆରବ ଏବଂ ସୁନ୍ନୀ ନ ହୋଇଥିବା କାରଣରୁ ଏହାକୁ ଉପସାଗରୀୟ ରାଷ୍ଟ୍ର ସମୂହରେ ଅନ୍ତର୍ଭୁକ୍ତ କରାଯାଏ ନାହିଁ। ଭାରତର ଏହି ଦେଶଗୁଡ଼ିକ ସହିତ ଐତିହାସିକ, ସାଂସ୍କୃତିକ, ଶକ୍ତି ଏବଂ ବାଣିଜ୍ୟିକ ସମ୍ପର୍କ ଦୀର୍ଘ ସମୟ ଧରି ରହିଆସିଛି ଏବଂ ଏକ ବୃହତ ସଂଖ୍ୟାରେ ଭାରତୀୟ ଏଠାରେ ବସବାସ କରୁଛନ୍ତି। ଆସନ୍ତୁ ଏହାକୁ ବିସ୍ତୃତ ଭାବେ ବୁଝିବା।
ସଉଦୀ ଆରବ, ଭାରତର ପାରମ୍ପରିକ ସହଯୋଗୀ
ଭାରତ ଏବଂ ସଉଦୀ ଆରବ ମଧ୍ୟରେ ସମ୍ପର୍କ ଐତିହାସିକ ଭାବେ ଗଭୀର ରହିଆସିଛି। ଶକ୍ତି, ବାଣିଜ୍ୟ, ନିବେଶ ଏବଂ ସୁରକ୍ଷା। ଏହି ସମସ୍ତ କ୍ଷେତ୍ରରେ ଗତ ଦୁଇ ଦଶନ୍ଧି ମଧ୍ୟରେ ଦୁଇ ଦେଶ ସମ୍ପର୍କକୁ ଆହୁରି ମଜବୁତ କରିଛନ୍ତି। କ୍ରାଉନ ପ୍ରିନ୍ସ ମୋହମ୍ମଦ ବିନ ସଲମାନ (ଏମବିଏସ)ଙ୍କ କାର୍ଯ୍ୟକାଳରେ ସମ୍ପର୍କରେ ନୂଆ ଉଷ୍ଣତା ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ଏପ୍ରିଲରେ ତୃତୀୟ ଥର ପାଇଁ ସଉଦୀ ଆରବ ଗସ୍ତ କରିଥିଲେ, ଯେଉଁଠାରେ ପ୍ରତିରକ୍ଷା, ଶକ୍ତି ଏବଂ ଭିତ୍ତିଭୂମି ସମେତ ଅନେକ କ୍ଷେତ୍ରରେ ସହଯୋଗ ଉପରେ ସହମତି ହୋଇଥିଲା। ବର୍ତ୍ତମାନ ପ୍ରାୟ ୨୬ ଲକ୍ଷ ଭାରତୀୟ ସଉଦୀ ଆରବରେ ରହୁଛନ୍ତି, ଯେଉଁମାନେ ଦୁଇ ଦେଶ ମଧ୍ୟରେ ମଜବୁତ ସଂଯୋଗ ସ୍ଥାପନ କରୁଛନ୍ତି।
ୟୁଏଇ, ଯେଉଁଠି କାମ କରନ୍ତି ସର୍ବାଧିକ ଭାରତୀୟ
ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)କୁ ଭାରତର ସମ୍ଭବତଃ ସବୁଠାରୁ ବଡ଼ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ର କୁହାଯାଇପାରେ। ଏଠାରେ ପ୍ରାୟ ୪୩ ଲକ୍ଷ ଭାରତୀୟ ରହୁଛନ୍ତି, ଯାହା ଦେଶର ମୋଟ ଜନସଂଖ୍ୟାର ପ୍ରାୟ ୩୫%। ଏହି ସଂଖ୍ୟା ୟୁଏଇକୁ ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସହଭାଗୀ କରିଛି। ଭାରତ ଏବଂ ୟୁଏଇ ମଧ୍ୟରେ ବାଣିଜ୍ୟ ୨୦୨୧-୨୨ରେ ୨୮.୪ ବିଲିୟନ ଡଲାର ପର୍ଯ୍ୟନ୍ତ ପହଞ୍ଚିଥିଲା ଏବଂ ଅନୁମାନ କରାଯାଉଛି ଯେ ୨୦୨୬ ସୁଦ୍ଧା ଏହି ସଂଖ୍ୟା ୧୦୦ ବିଲିୟନ ଡଲାର ପର୍ଯ୍ୟନ୍ତ ଯାଇପାରେ। ଏତିକି ନୁହେଁ, ଭାରତକୁ ମିଳୁଥିବା ମୋଟ ରେମିଟାନ୍ସର ପ୍ରାୟ ୨୭% କେବଳ ୟୁଏଇରୁ ଆସେ। ରାଜନୈତିକ ସ୍ତରରେ ମଧ୍ୟ ଦୁଇ ଦେଶ ମଧ୍ୟରେ ଗଭୀର ନିକଟତା ରହିଛି। ପ୍ରଧାନମନ୍ତ୍ରୀ ମୋଦୀ ୨୦୧୫, ୨୦୧୮ ଏବଂ ୨୦୧୯ରେ ୟୁଏଇ ଗସ୍ତ କରିଥିଲେ, ଯେତେବେଳେ ଆବୁ ଧାବୀର କ୍ରାଉନ ପ୍ରିନ୍ସ ୨୦୧୭ ଏବଂ ୨୦୧୮ରେ ଭାରତ ଆସିଥିଲେ।
କତାର, କୁୱେତ, ବାହାରିନ ଏବଂ ଓମାନ
କତାରର କଥା କହିବାକୁ ଗଲେ, ଏଠାରେ ପ୍ରାୟ ୮ ଲକ୍ଷ ଭାରତୀୟ ରହୁଛନ୍ତି, ଯାହା ଦେଶର ୨୫% ଜନସଂଖ୍ୟା ସହ ସମାନ। କୁୱେତରେ ୧୦ ଲକ୍ଷରୁ ଅଧିକ ଭାରତୀୟ ଅଛନ୍ତି, ଅର୍ଥାତ୍ ୨୦% ଜନସଂଖ୍ୟା। ବାହାରିନରେ ୧୪ ଲକ୍ଷ ମୋଟ ଜନସଂଖ୍ୟାରୁ ୩.୫ ଲକ୍ଷ ଭାରତୀୟ, ଅର୍ଥାତ୍ ୩୦%। ଓମାନରେ ୯ ଲକ୍ଷ ଭାରତୀୟ ରହୁଛନ୍ତି, ଯାହା ଦେଶର ୨୦% ଜନସଂଖ୍ୟା ସହ ସମାନ। ଏହି ଦେଶଗୁଡ଼ିକରେ ଭାରତୀୟମାନେ କେବଳ ବଡ଼ ସଂଖ୍ୟାରେ କାମ କରୁନାହାନ୍ତି ବରଂ ସ୍ଥାନୀୟ ଅର୍ଥନୀତିରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛନ୍ତି। ଏହି କାରଣରୁ ଏହି ଦେଶଗୁଡ଼ିକ ସହିତ ଭାରତର ସମ୍ପର୍କ ମଜବୁତ ଭାବେ ରହିଛି।
ଇରାକ-ପେଟ୍ରୋଲର ସବୁଠାରୁ ବଡ଼ ଉତ୍ସ
ଯଦିଓ ଇରାକରେ ଭାରତୀୟ ସମୁଦାୟର ସଂଖ୍ୟା ଅଧିକ ନୁହେଁ (ପ୍ରାୟ ୧୫-୧୭ ହଜାର), କିନ୍ତୁ ଭାରତର ତୈଳ ଆବଶ୍ୟକତା ଦୃଷ୍ଟିରୁ ଇରାକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତ ତାହାର ମୋଟ ଅଶୌଧିତ ତୈଳର ୨୨% ଇରାକରୁ ଆମଦାନୀ କରେ, ଯାହା ଅନ୍ୟ ଯେ କୌଣସି ଉପଗାସରୀୟ ଦେଶଠାରୁ ଅଧିକ।
ଭାରତ- ଉପଗାସରୀୟ ରାଷ୍ଟ୍ର ସମ୍ପର୍କର ତିନୋଟି ମଜବୁତ ସ୍ତମ୍ଭ
ପ୍ରବାସୀ ଭାରତୀୟ (ଏନଆରଆଇ): ଉପସାଗରୀୟ ଦେଶଗୁଡ଼ିକରେ ପ୍ରାୟ ୮୯ ଲକ୍ଷ ଭାରତୀୟ ରହୁଛନ୍ତି।
ରେମିଟାନ୍ସ (ବୈଦେଶିକ ମୁଦ୍ରା): ପ୍ରତିବର୍ଷ ଭାରତକୁ ବିଶ୍ୱରେ ସବୁଠାରୁ ଅଧିକ ୮୦ ବିଲିୟନ ଡଲାର ଏନଆରଆଇଙ୍କଠାରୁ ମିଳେ, ଯେଉଁଥିରୁ ଅଧାରୁ ଅଧିକ ଉପଗାସରୀୟ ଦେଶଗୁଡ଼ିକରୁ ଆସେ।
ଶକ୍ତି ଏବଂ ବାଣିଜ୍ୟ: ଭାରତର ୬୦% ତେଲ ଆବଶ୍ୟକତା ଉପଗାସରୀୟ ଦେଶଗୁଡ଼ିକରୁ ପୂରଣ ହୁଏ। ଏହା ବ୍ୟତୀତ, ଉପସାଗରୀୟ ସହଯୋଗ ପରିଷଦ (ଜିସିସି) ଏବଂ ଭାରତ ମଧ୍ୟରେ ବାଣିଜ୍ୟ ୧୫୪ ବିଲିୟନ ଡଲାରର।
ଏହି ସମ୍ପର୍କ ଏକପାଖିଆ ନୁହେଁ। ଉପସାଗରୀୟ ଦେଶଗୁଡ଼ିକର ଖାଦ୍ୟ ଏବଂ ଶସ୍ୟ ଆବଶ୍ୟକତାର ୮୫% ଭାଗ ଭାରତରୁ ମିଳେ। ଚାଉଳ, ମସଲା, ସାମୁଦ୍ରିକ ଉତ୍ପାଦ ଏବଂ ମାଂସ ଏଥିରେ ସବୁଠାରୁ ପ୍ରମୁଖ। ଏହା ସହିତ, ଭାରତୀୟ ଯାତ୍ରୀ ଉପସାଗରୀୟ ଦେଶଗୁଡ଼ିକର ବିମାନ ସେବା ପାଇଁ ମଧ୍ୟ ସବୁଠାରୁ ବଡ଼ ଗ୍ରାହକ ସମୂହ।
ଭାରତର ପ୍ରକୃତ ନିକଟତମ ବନ୍ଧୁ କିଏ?
ସଉଦୀ ଆରବ ଏବଂ ପାକିସ୍ତାନର ନୂଆ ପ୍ରତିରକ୍ଷା ଚୁକ୍ତି ଭାରତ ପାଇଁ ଚିନ୍ତାର ବିଷୟ ନିଶ୍ଚିତ ଭାବେ, କିନ୍ତୁ ବାସ୍ତବତା ହେଉଛି ଭାରତ ଏବଂ ଉପସାଗରୀୟ ଦେଶଗୁଡ଼ିକର ସମ୍ପର୍କ ଅନେକ ଗଭୀର ଏବଂ ବହୁମୁଖୀ। ସଉଦୀ ଆରବ ଶକ୍ତି ଏବଂ ରାଜନୈତିକ ସହଯୋଗରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ୟୁଏଇ ପ୍ରବାସୀ ଏବଂ ବାଣିଜ୍ୟ ଦୃଷ୍ଟିରୁ ଭାରତର ସବୁଠାରୁ ନିକଟତମ ସହଭାଗୀ। କତାର, କୁୱେତ, ବାହାରିନ ଏବଂ ଓମାନ ମଧ୍ୟ ଭାରତୀୟ ସମୁଦାୟ ଏବଂ ଅର୍ଥନୈତିକ ସହଯୋଗ ହେତୁ ବିଶ୍ୱସନୀୟ ବନ୍ଧୁ ହୋଇ ରହିଛନ୍ତି। ଅର୍ଥାତ୍ ଉପସାଗରୀୟ ରାଷ୍ଟ୍ରଗୁଡ଼ିକଙ୍କ ସହିତ ଭାରତର ସମ୍ପର୍କ ଭିନ୍ନ ଭିନ୍ନ କ୍ଷେତ୍ରରେ ଅତ୍ୟନ୍ତ ମଜବୁତ। କିନ୍ତୁ ଯଦି ନିକଟତମ ବନ୍ଧୁର କଥା କୁହାଯାଏ, ତେବେ ୟୁଏଇ ଏବଂ ସଉଦୀ ଆରବ ସବୁଠାରୁ ଆଗରେ ଦେଖାଯାଉଛନ୍ତି।
ALSO READ https://purvapaksa.com/7-statements-by-sam-pitroda-that-embarrassed-the-congress-party/
