
ଭାସ୍କର ପରିଚ୍ଛ।
ଭୁବନେଶ୍ୱରରେ ଥିବା ଉତ୍କଳ ବିଶ୍ୱବିଦ୍ୟାଳୟର ବିସ୍ତୀର୍ଣ୍ଣ ପରିସର ଓଡ଼ିଶାରେ ଉଚ୍ଚ ଶିକ୍ଷା ବ୍ୟବସ୍ଥାର ରୂପକ । କ’ଣ ସୂଚାଉଛି ଏହି ରୂପକ? ପୁରୁଣା, ଉଚ୍ଚାଭିଳାଷୀ ଆଉ ନିଜକୁ ପୁନଃ- ଉଦ୍ଭାବନ କରିବାର ଲକ୍ଷ୍ୟ।
ରେଭେନ୍ସା ଏବଂ ବ୍ରହ୍ମପୁରଠାରୁ ଆରମ୍ଭ କରି ରାଉରକେଲା ଏବଂ କୋରାପୁଟର ନୂତନ ଯୁଗର ବୈଷୟିକ ପ୍ରତିଷ୍ଠାନ ପର୍ଯ୍ୟନ୍ତ – ରାଜ୍ୟରେ ଉଚ୍ଚ ଶିକ୍ଷା ଦ୍ରୁତ ପରିବର୍ତ୍ତନ ଦେଇ ଗତି କରୁଛି ସତ କିନ୍ତୁ ଏଥିରେ ଗୋଟିଏ ବିଡ଼ମ୍ବନା ବି ରହିଛି।
ଉନ୍ନତି ବିନା ସମ୍ପ୍ରସାରଣ – ଏହିଭଳି ଏକ ବୈପରୀତ୍ୟ ମଧ୍ୟରେ ଫସି ରହିଛି ଆଜିର ଓଡ଼ିଶାର ଉଚ୍ଚ ଶିକ୍ଷା। ବର୍ତ୍ତମାନ ୩୦ଟି ଜିଲ୍ଲାରେ ୩୬ଟି ବିଶ୍ୱବିଦ୍ୟାଳୟ ଏବଂ ୧୨୦୦ରୁ ଅଧିକ କଲେଜ ରହିଛି। ୨୦୦୦ ମସିହା ପ୍ରାରମ୍ଭରୁ ଏହି ବ୍ୟବସ୍ଥା ପ୍ରଭାବଶାଳୀ ଭାବରେ ବୃଦ୍ଧି ପାଇଛି। ପଚିଶି ବର୍ଷ ତଳେ ରାଜ୍ୟରେ ୨୦ରୁ କମ୍ ବିଶ୍ୱବିଦ୍ୟାଳୟ ଥିଲା। ସ୍ୱୟଂଶାସିତ କଲେଜ, ଘରୋଇ ବିଶ୍ୱବିଦ୍ୟାଳୟ ,କୃଷି, ଆଇନ ଏବଂ ସ୍ୱାସ୍ଥ୍ୟ ବିଜ୍ଞାନରେ ସ୍ୱତନ୍ତ୍ର ଅନୁଷ୍ଠାନ ସମେତ ଅନୁଷ୍ଠାନଗୁଡ଼ିକର ବ୍ୟାପକ ବିସ୍ତାର ଘଟିଛି।

ଶିକ୍ଷା ବିସ୍ତାରର ଅର୍ଥ ଅଧିକରୁ ଅଧିକ ଅଧିକ ପିଲାଙ୍କ ପାଖରେ ଏହା ପହଞ୍ଚିବା କଥା। କିନ୍ତୁ ଓଡିଶାରେ ଉଚ୍ଚଶିକ୍ଷାରେ ମୋଟ ନାମଲେଖା ଅନୁପାତ ବା ଗ୍ରସ ଏନରୋଲମେଣ୍ଟ ରେସିଓ ୧୮ରୁ ୨୩ ବର୍ଷ ବୟସର କଲେଜ ଯାଉଥିବା ଯୁବକମାନଙ୍କ କ୍ଷେତ୍ରରେ ଖୁବ କମ – ମାତ୍ର ୨୨.୧ ପ୍ରତିଶତ । ଜାତୀୟ ହାରାହାରି ୨୭.୮ ପ୍ରତିଶତ ତୁଳନାରେ ଏହା ନିଶ୍ଚିତ ଭାବରେ ନିରୁତ୍ସାହଜନକ। ଏହି ବ୍ୟବଧାନ ଛୋଟ ଲାଗୁଥାଇପାରେ, କିନ୍ତୁ ଏହାର ଅର୍ଥ ହେଉଛି ହଜାର ହଜାର ଓଡ଼ିଆ ଯୁବକ-ଯୁବତୀ ତୃତୀୟ ସ୍ତରୀୟ ବା ଟର୍ସିଆରି ଶିକ୍ଷା ପାଇବାରୁ ସାଂଘାତିକ ଭାବରେ ବଞ୍ଚିତ ହେଉଛନ୍ତି। ଗ୍ରାମାଞ୍ଚଳ ଏବଂ ଆଦିବାସୀ ବହୁଳ ଜିଲ୍ଲା ଯେପରିକି ମାଲକାନଗିରି, କନ୍ଧମାଳ ଏବଂ ନବରଙ୍ଗପୁରରେ ଏହି ସଂଖ୍ୟା ଆହୁରି ଅଧିକ ନିରାଶାଜନକ।
ଓଡ଼ିଶା ଅର୍ଥନୈତିକ ସର୍ଭେ ୨୦୨୩-୨୪ ଏହି ଅସଙ୍ଗତିକୁ ସ୍ୱୀକାର କରିଛି। ଶିକ୍ଷାନୁଷ୍ଠାନର ସଂଖ୍ୟା ବୃଦ୍ଧି ସତ୍ତ୍ୱେ, ପ୍ରାୟ ପ୍ରତି କଲେଜରେ ନାମଲେଖା ହ୍ରାସ ପାଉଛି।କିଛି ବର୍ଷ ପୂର୍ବେ କଲେଜ ପିଛା ହାରାହାରି ପ୍ରତିବର୍ଷ 680 ଛାତ୍ରଙ୍କ ତୁଳନାରେ ବର୍ତ୍ତମାନ ୫୭୩ ପିଲା ଆସୁଛନ୍ତି। ଏହି କଲେଜଗୁଡ଼ିକ ମଧ୍ୟରୁ ପୁଣି କେବଳ ୫ ପ୍ରତିଶତ ସ୍ନାତକୋତ୍ତର ପାଠ୍ୟକ୍ରମ ପ୍ରଦାନ କରନ୍ତି। ୧୨୦୦ କଲେଜ ଭିତରୁ ୩୦୦ରୁ କମ୍ ଅନୁଷ୍ଠାନ ଜାତୀୟ ଆକଳନ ଏବଂ ମାନ୍ୟତା ପରିଷଦ ବା ନାକ ଦ୍ୱାରା ସ୍ୱୀକୃତି ପାଇଛନ୍ତି।ବାକି ୯୦୦ କଲେଜର ଶୈକ୍ଷିକ ସ୍ଥିତି କ’ଣ ହୋଇଥିବ ସହଜରେ ଅନୁମାନ କରାଯାଇପାରିବ।
ଶିକ୍ଷାବିତମାନେ ଯୁକ୍ତି କରନ୍ତି ଯେ ଓଡ଼ିଶାର ଉଚ୍ଚ ଶିକ୍ଷାର କାହାଣୀ ସର୍ବ ଭାରତୀୟ କାହାଣୀ ଭଳି । ଅର୍ଥାତ୍ ଗୁଣବତ୍ତା ବିନା ଦ୍ରୁତ ପରିମାଣରେ ଉଚ୍ଚଶିକ୍ଷାର ବିସ୍ତାର ହୋଇ ଚାଲିଛି । ଅଧ୍ୟାପକ ନିଯୁକ୍ତି କଥା ଦେଖାଯାଉ। ପଦବୀ ଖାଲି ପଡ଼ିଥିବା କାରଣରୁ ସରକାରୀ କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକ ସାଂଘାତିକ ଭାବରେ ପ୍ରଭାବିତ ହେଉଛନ୍ତି। କେତେକ ଜିଲ୍ଲାରେ ତ ଅନୁମୋଦିତ ଶିକ୍ଷକ ପଦବୀ ମଧ୍ୟରୁ ୪୦ ପ୍ରତିଶତ ଖାଲି। ପରୀକ୍ଷାଗାରଗୁଡ଼ିକ ପୁରୁଣା ହୋଇଗଲାଣି, ପାଠାଗାରଗୁଡ଼ିକରେ ଆଗ ଅପେକ୍ଷା କମ୍ ବହି ମହଜୁଦ ରହୁଛି, ଏବଂ ଛାତ୍ରାବାସଗୁଡ଼ିକ ଅତ୍ୟଧିକ ଭିଡ଼ ଭିତରେ ସଢୁଛନ୍ତି। ଆଜିର ମିଶ୍ରିତ-ଶିକ୍ଷଣ ଯୁଗ ବା ହାଇବ୍ରିଡ଼ ଶିକ୍ଷା ପଦ୍ଧତିରେ ଡିଜିଟାଲ ଭିତ୍ତିଭୂମି ଏକ ପ୍ରମୁଖ ନିର୍ଣ୍ଣାୟକ ଛୋଟ ଛୋଟ ସହରରେ ଏହି ଡିଜିଟାଲ ଭିତ୍ତିଭୂମିର ଚିତ୍ର ଅସ୍ପଷ୍ଟ।
ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକରେ ସ୍ଥିତି ତ ଆହୁରି ଖରାପ। କେତେକ କଲେଜ ଗୁଣବତ୍ତା ବଜାୟ ରଖିବାରେ ସଫଳ ହୋଇଛନ୍ତି, ବିଶେଷ କରି ଯେଉଁମାନେ ବୈଷୟିକ କିମ୍ବା ବୃତ୍ତିଗତ ଶିକ୍ଷା କ୍ଷେତ୍ରରେ ଅଛନ୍ତି। କିନ୍ତୁ ଆଉ କିଛି ଅନୁଷ୍ଠାନ ବ୍ୟବସାୟିକ ସଫଳତା ପାଇଁ ସଂଘର୍ଷ କରୁଥିବାବେଳେ ସେମାନଙ୍କ ଉପରେ କୌଣସି ନିୟାମକର ପ୍ରଭାବ ରହୁନାହିଁ କି କୌଣସି ରକମର ତଦାରଖ ଭିତରେ ସେମାନେ ଆସୁ ନାହାନ୍ତି। ଫଳସ୍ୱରୂପ, ଓଡ଼ିଶାର ଉଚ୍ଚ ଶିକ୍ଷା କ୍ଷେତ୍ରରେ ଅସମାନତା ପରିଲକ୍ଷିତ ହେଉଛି । ଏହି ବୈଷମ୍ୟ କେବଳ ସରକାରୀ ଏବଂ ବେସରକାରୀ ମଧ୍ୟରେ ନୁହେଁ, ବରଂ ସହରାଞ୍ଚଳ-ଗ୍ରାମାଞ୍ଚଳ, ମୁଖ୍ୟ ସ୍ରୋତ ଏବଂ ଅବହେଳିତ ବର୍ଗ ମଧ୍ୟରେ ବି ରହିଛି।
ଏହି ସବୁ ଆହ୍ୱାନ ସତ୍ତ୍ୱେ, ରାଜ୍ୟ ଅନ୍ତର୍ଭୁକ୍ତି ଶିକ୍ଷା କ୍ଷେତ୍ରରେ ଅଗ୍ରଗତି କରିଛି। ଛାତ୍ରବୃତ୍ତି, ଛାତ୍ରାବାସ ଏବଂ ଲକ୍ଷ୍ୟବଦ୍ଧ ପ୍ରସାର ଯୋଗୁଁ ମହିଳା, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିଙ୍କ ପଞ୍ଜୀକରଣ କ୍ରମାଗତ ଭାବେ ବୃଦ୍ଧି ପାଇଛି। ଏସ୍ଇବିସି ମାନଙ୍କ ପାଇଁ ୧୧.୨୫ପ୍ରତିଶତ ସଂରକ୍ଷଣ ଆଉ ଏକ ବଡ ପଦକ୍ଷେପ। ତେବେ, ଗୁଣବତ୍ତା ବିନା ଏହି ଅନ୍ତର୍ଭୂକ୍ତିର କୌଣସି ମାନେ ନାହିଁ। ଏହା ଏକ ଦୁଇଧାରିଆ ଖଣ୍ଡା ଭଳି। ଛାତ୍ରମାନଙ୍କୁ କଲେଜକୁ ଆଣିବା କେବଳ ଅଧା ଯୁଦ୍ଧ ଲଢିବା ଭଳି । ବଡ଼ କାମ ହେଉଛି ସେମାନେ କିଭଳି ଦକ୍ଷତା ହାସଲ କରିବେ ଓ ନିଯୁକ୍ତି-ଯୋଗ୍ୟ ହୋଇ ପାରିବେ। ସାଧାରଣ ଡିଗ୍ରୀ କଲେଜରୁ ଯେଉଁ ସ୍ନାତକମାନେ ବାହାରୁଛନ୍ତି ତାଙ୍କ ନିଯୁକ୍ତି ଚିନ୍ତାର ବିଷୟ ହୋଇ ରହିଛି। ୨୦୨୩ ଇଣ୍ଡିଆ ସ୍କିଲ୍ସ ରିପୋର୍ଟ କହୁଛି ଯେ ଓଡ଼ିଶାରେ ମାତ୍ର ୪୨ ପ୍ରତିଶତ ସ୍ନାତକ ଛାତ୍ରଛାତ୍ରୀ ଶିଳ୍ପ କ୍ଷେତ୍ରରେ “ନିଯୁକ୍ତି ଯୋଗ୍ୟ” ହୋଇ ପାରୁଛନ୍ତି ଯାହାକି ଜାତୀୟ ହାରଠାରୁ ଢେର କମ୍।
ଇତି ମଧ୍ୟରେ ବ୍ୟବସ୍ଥାଗତ ଦୁର୍ବଳତାଗୁଡ଼ିକର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଅବଶ୍ୟ ଅନେକ ନୀତିଗତ ପଦକ୍ଷେପ ଗ୍ରହଣ କରିଛନ୍ତି। ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ, ୨୦୨୪ ଅନୁସାରେ ଭଲ ପ୍ରଦର୍ଶନ କରୁଥିବା କଲେଜଗୁଡ଼ିକ ଆପଣ ଛାଏଁ ବିଶ୍ୱବିଦ୍ୟାଳୟକୁ ଉନ୍ନୀତ ହୋଇଯାଇ ପାରିବେ। ତାଛଡ଼ା ଦୂର ଶିକ୍ଷା ଏବଂ ଅନଲାଇନ୍ ଶିକ୍ଷା ଢାଞ୍ଚା ପାଇଁ ମୂଳଦୁଆ କଥା ବି କୁହାଯାଉଛି। ଏହାର ଉଦ୍ଦେଶ୍ୟ ହେଉଛି ଦୁର୍ଗମ ଏବଂ ଆଦିବାସୀ ଅଞ୍ଚଳରେ ବିଦ୍ୟାର୍ଥୀଙ୍କ ନିକଟରେ ଶିକ୍ଷାକୁ ପହଞ୍ଚାଇବା, ଯେଉଁଠାରେ କ୍ୟାମ୍ପସ ଶିକ୍ଷା ସମ୍ଭବ ନୁହେ। ଅନ୍ୟ ଏକ ସଂସ୍କାର ହେଉଛି ଅନୁଷ୍ଠାନଗୁଡ଼ିକର ରାସନାଇଲେଜେସନ। ଚାକିରି-ଭିତ୍ତିକ କାର୍ଯ୍ୟକ୍ରମ ପାଇଁ ଅଧିକ ସମ୍ବଳ ବ୍ୟବସ୍ଥା କରିବା, କ୍ରମାଗତ ଭାବରେ କମ୍ ପଞ୍ଜୀକରଣ ହେଉଥିବା କଲେଜ କିମ୍ବା ପାଠ୍ୟକ୍ରମକୁ ମିଶ୍ରଣ କିମ୍ବା ପର୍ଯ୍ୟାୟକ୍ରମେ ତାହାକୁ ବାଦ ଦେବା ଏହି ସଂସ୍କାରର ଲକ୍ଷ୍ୟ।
ଅବଶ୍ୟ ଏହାକୁ ନେଇ ବିତର୍କ ବି ସୃଷ୍ଟି ହୋଇଛି; ଉଚ୍ଚ ଶିକ୍ଷା କ୍ଷେତ୍ରରେ ଦକ୍ଷତା ଆବଶ୍ୟକ ହେଉଥିବାବେଳେ ଏବଂ ମିଶ୍ରିତ ମଡେଲ୍ ଦ୍ୱାରା ଶିକ୍ଷାଦାନ ସନ୍ତୁଳିତ ନହେବା ପର୍ଯ୍ୟନ୍ତ ଗ୍ରାମୀଣ କଲେଜଗୁଡ଼ିକର ବନ୍ଦ କରିବା କ’ଣ ଠିକ? ଏହା ପ୍ରଥମ ପିଢ଼ିର ଉଚ୍ଚ ଶିକ୍ଷାର୍ଥୀମାନଙ୍କୁ ଆହୁରି ବିଚ୍ଛିନ୍ନ କରିବ ନାହିଁ କି? ତେଣେ ସରକାର ପ୍ରଶାସନିକ ନିୟମାବଳୀକୁ ମଧ୍ୟ କଠୋର କରୁଛନ୍ତି। ଏଫଏମ କଲେଜ ଘଟଣା ପରେ ସମସ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନକୁ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି) ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯାହାଦ୍ୱାରା ଛାତ୍ରୀ ଉତ୍ପୀଡ଼ନର ମୁକାବିଲା କରାଯାଇପାରିବ ଏବଂ କ୍ୟାମ୍ପସଗୁଡ଼ିକୁ ସୁରକ୍ଷିତ କରାଯାଇପାରିବ।
ଓଡିଶାରେ ଉଚ୍ଚଶିକ୍ଷାର ଉପଲବ୍ଧି ଏବଂ ସମାନତା ଅଗ୍ରଗତି କରିଛି ସତ ହେଲେ ଗବେଷଣା ଏବଂ ନବସୃଜନ ସବୁଠାରୁ ଦୁର୍ବଳ। କେବଳ ଅଳ୍ପ କେତେକ ବିଶ୍ୱବିଦ୍ୟାଳୟ ଜାତୀୟ ଗବେଷଣା ମାନ୍ୟତା ତାଲିକାରେ ସ୍ଥାନ ପାଇଛନ୍ତି। ଅବଶିଷ୍ଟ ଅଧିକାଂଶ ଶିକ୍ଷାନୁଷ୍ଠାନ ପାଇଁ ଗବେଷଣା ହେଉଛି ଅନାମଧେୟ କାର୍ଯ୍ୟକଳାପ ଯେଉଁଠି ପାଣ୍ଠି ନାହିଁ କି ପରାମର୍ଶଦାତା ନାହାନ୍ତି କି ସହଯୋଗ ବି ନାହିଁ।
/sambad-english/media/media_files/2025/02/15/7SMivhoIjqO17WFkDRS8.jpeg)
ଓଡ଼ିଶାରେ ଶିକ୍ଷା ଜଗତ ଏବଂ ଶିଳ୍ପ ଜଗତ ମଧ୍ୟରେ ଆଦୌ ସମ୍ପର୍କ ନଥିବା ଯେତିକି ସତ, ଥିବା ସମ୍ପର୍କ ବିଚ୍ଛିନ୍ନ ହେବା ମଧ୍ୟ ସେତିକି ସତ। ରାଜ୍ୟରେ ଖଣି, ଇସ୍ପାତ ଏବଂ ସେବା କ୍ଷେତ୍ର ବେଶ ବୃଦ୍ଧି ପାଇଛି ଓ ଓଡ଼ିଶାର ଅର୍ଥବ୍ୟବସ୍ଥାକୁ ଏହା ସୂଦୃଢ଼ କରିଛି। ତଥାପି ବିଶ୍ୱବିଦ୍ୟାଳୟଗୁଡ଼ିକ ଶିଳ୍ପକୁ ଆବଶ୍ୟକ ହେଉଥିବା ମାନବିକ ସମ୍ବଳ ଯୋଗାଇବାରେ ବିଫଳ। ଘରୋଇ କ୍ୟାମ୍ପସକୁ ଛାଡ଼ିଦେଲେ ଡାଟା ସାଇନ୍ସ, ଅକ୍ଷୟ ଶକ୍ତି, ଲଜିଷ୍ଟିକ୍ସ ଏବଂ ପରିବେଶ ଅଧ୍ୟୟନ ପାଠ୍ୟକ୍ରମ ବିରଳ।
ତେବେ, ଏହି ସଙ୍କଟର ମୂଳ କ’ଣ ? ଓଡ଼ିଶାର ବିଦ୍ୟାଳୟ ଶିକ୍ଷାରେ ଏବେ ମଧ୍ୟ ଉଚ୍ଚ ଡ୍ରପ୍ ଆଉଟ୍ ରହିଛି – ମାଧ୍ୟମିକ ସ୍ତରରେ (ନବମ-ଦଶମ ଶ୍ରେଣୀ) ଏହା ପ୍ରାୟ ୨୭ ପ୍ରତିଶତ। ଓଡିଶାର ଡ୍ରପ ଆଉଟ ହାର ଭାରତରେ ସର୍ବାଧିକ। ଫଳରେ କଲେଜକୁ ପ୍ରବେଶ କରୁଥିବା ଛାତ୍ରଛାତ୍ରୀମାନଙ୍କ ସଂଖ୍ୟା ଭୀଷଣ ଭାବରେ ସଂକୁଚିତ। ଉଚ୍ଚ ମାଧ୍ୟମିକ ଶିକ୍ଷା ସମାପ୍ତ କରୁଥିବା ଅନେକ ଛାତ୍ରଛାତ୍ରୀ ଉନ୍ନତ ସୁଯୋଗ ଅନ୍ୱେଷଣରେ ଅନ୍ୟ ରାଜ୍ୟ କିମ୍ବା ବିଦେଶକୁ ଚାଲି ଯାଉଛନ୍ତି।
ନିକଟରେ ପ୍ରକାଶିତ ଏକ ଶ୍ୱେତପତ୍ର ଚେତାବନୀ ଦେଇ କହିଛି ଯେ, ଯଦି ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ଶୀଘ୍ର ଉନ୍ନତିକରଣ ନ ହୁଏ, ତେବେ ୨୦୩୫ ମସିହା ସୁଦ୍ଧା ଓଡ଼ିଶା ପ୍ରାୟ ପାଞ୍ଚ ଲକ୍ଷ ଛାତ୍ରଛାତ୍ରୀଙ୍କୁ ହରାଇବ– ଯେଉଁମାନେ ବାହାର ବିଶ୍ୱବିଦ୍ୟାଳୟକୁ ଚାଲି ଯାଇଥିବେ। ଭୁବନେଶ୍ୱର ଏବଂ କଟକର କୋଚିଂ ହବଗୁଡ଼ିକରେ ସ୍ୟାଟ, ଆଇଇଏଲ୍ଟି. ଏବଂ ଜିଆରଇ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଏହାର ପ୍ରମାଣ । ସମସ୍ତେ ଏକଥା ଜାଣନ୍ତି ଯେ ରାଜ୍ୟର ଆର୍ଥିକ ଭବିଷ୍ୟତର ଚାବିକାଠି ହେଉଛି ଉଚ୍ଚ ଶିକ୍ଷା। ୨୦୩୬ରେ ରାଜ୍ୟ ଗଠନ ହେବାର ଶତବାର୍ଷିକୀ ପାଳନ ବେଳେ ପରିକଳ୍ପନା କରାଯାଇଛି ଯେ ଓଡ଼ିଶା ଏକ ଜ୍ଞାନ-ପରିଚାଳିତ ଅର୍ଥବ୍ୟବସ୍ଥାର ମୁଖ୍ୟ କେନ୍ଦ୍ର ହେବ ଯେଉଁଠାରେ ଉଦ୍ୟୋଗ, ନବସୃଜନ ଏବଂ ଅନ୍ତର୍ଭୂକ୍ତିକୁ ଗୁରୁତ୍ଵ ଦିଆଯିବ। ଏହି ରୋଡମ୍ୟାପରେ ଡିଜିଟାଲ ଲର୍ଣ୍ଣିଂ ପ୍ଲାଟଫର୍ମ, ଆନ୍ତଃବିଷୟକ ଗବେଷଣା କେନ୍ଦ୍ର ଏବଂ ଶିଳ୍ପ-ସଂଯୁକ୍ତ ପାଠ୍ୟକ୍ରମ ସାମିଲ। ପ୍ରକୃତ ପରିବର୍ତ୍ତନ ପାଇଁ କେବଳ ନୂତନ ଅନୁଷ୍ଠାନ କିମ୍ବା ନୀତି ଆବଶ୍ୟକ ତାହା ନୁହେଁ, ବରଂ ଏକ ସାଂସ୍କୃତିକ ପରିବର୍ତ୍ତନର ଆବଶ୍ୟକତା ବି ପଡ଼ିବ- ପରିଚୟରୁ ସାମର୍ଥ୍ୟ ଆଡ଼କୁ ଗତି କରିବା ଭଳି କଥା।
ଉଚ୍ଚଶିକ୍ଷାରେ ଓଡ଼ିଶାର ଯାତ୍ରା ଏବେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ପହଞ୍ଚିଛି। ଭିତ୍ତିଭୂମି ସମ୍ପ୍ରସାରିତ ହେଉଛି ଏବଂ ସମାବେଶୀତା ବୃଦ୍ଧି ପାଉଛି। କିନ୍ତୁ ଉତ୍କର୍ଷ ଅଧୁରା ରହିଛି। ଯଦି ଗୁଣବତ୍ତା, ନବସୃଜନ ଏବଂ ପ୍ରାସଙ୍ଗିକତା ଶିକ୍ଷା ସଂସ୍କାରର କେନ୍ଦ୍ରରେ ରଖାନଯାଏ, ତେବେ ରାଜ୍ୟ ଏଭଳି ସ୍ନାତକ ସୃଷ୍ଟି କରିବ ଯେଉଁମାନେ ଶିକ୍ଷିତ କିନ୍ତୁ ବେକାର।
ଜନ୍ମ ଶତବାର୍ଷିକୀ ପାଳନ ଆଡ଼କୁ ଅଗ୍ରସର ହେଉଥିବାବେଳେ, ରାଜ୍ୟର ଶ୍ରେଣୀଗୃହ, ପରୀକ୍ଷାଗାର ଏବଂ ଲେକ୍ଚର ହଲ୍ ସବୁ ନୂଆ ଯୁଗର ଆକାଂକ୍ଷାକୁ ପ୍ରତିଫଳିତ କରିବା ଉଚିତ– ଯେଉଁଠି ପିଲା କେବଳ ଜ୍ଞାନ ଅର୍ଜନ କରିବେ ତାହା ନୁହେଁ, ବରଂ ତାହାର ପ୍ରୟୋଗ ମଧ୍ୟ ହେବ। ପିଲାଙ୍କୁ ଡିଗ୍ରୀ ଦିଅ ଓ ତା ସହିତ ସେମାନଙ୍କ କ୍ଷମତା ବି ବୃଦ୍ଧି କର।


