ବୈଶ୍ୱିକ କୂଟନୀତି ଏବଂ ଆଞ୍ଚଳିକ ସୁରକ୍ଷା କ୍ଷେତ୍ରରେ ଭାରତକୁ ଏକ ବଡ଼ ସଫଳତା ମିଳିଛି। ଚୀନ୍ର ଅତ୍ୟନ୍ତ ନିକଟତର ବୋଲାଉଥିବା ପଡ଼ୋଶୀ ଦେଶ ମିଆଁମାର ଏବେ ଭାରତର ସୁରକ୍ଷା ସ୍ୱାର୍ଥ ସପକ୍ଷରେ ନିଜର ଦୃଢ଼ ଆଭିମୁଖ୍ୟ ପ୍ରକାଶ କରିଛି। ନୂଆଦିଲ୍ଲୀରେ ଭାରତ ଓ ମ୍ୟାନ୍ମାର ମଧ୍ୟରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ସ୍ତରୀୟ ଉଚ୍ଚସ୍ତରୀୟ ବୈଠକରେ ମ୍ୟାନ୍ମାର ସ୍ପଷ୍ଟ କରିଛି ଯେ, ସେ ନିଜର ସାର୍ବଭୌମ ଭୂମିକୁ ଭାରତ ବିରୋଧରେ କୌଣସି ପ୍ରକାରର ବେଆଇନ କାର୍ଯ୍ୟକଳାପ ବା ସୁରକ୍ଷା ବିପଦ ପାଇଁ ବ୍ୟବହାର କରିବାକୁ ଦେବନାହିଁ।

ଗୃହ ସଚିବ ସ୍ତରୀୟ ବୈଠକରେ ହେଲା ମହତ୍ତ୍ୱପୂର୍ଣ୍ଣ ଚୁକ୍ତି
କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ସରକାରୀ ବିବୃତି ଅନୁଯାୟୀ, ୭ ଏବଂ ୮ ଜୁଲାଇରେ ଅନୁଷ୍ଠିତ ଦୁଇ ଦିନିଆ ବୈଠକରେ ଭାରତ ପକ୍ଷରୁ କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ ଏବଂ ମ୍ୟାନ୍ମାର ପକ୍ଷରୁ ସେଠାକାର ଉପ-ଗୃହ ମନ୍ତ୍ରୀ ମେଜର ଜେନେରାଲ ମିନ୍ ଥୁ ନେତୃତ୍ୱ ନେଇଥିଲେ। ଏହି ବୈଠକରେ ଉଭୟ ଦେଶ ନିଜ ନିଜର ସାର୍ବଭୌମ ସୀମା ମଧ୍ୟରେ ପାରସ୍ପରିକ ସୁରକ୍ଷା ସ୍ୱାର୍ଥ ରକ୍ଷା କରିବା ଉପରେ ଜୋର୍ ଦେଇଛନ୍ତି। ମ୍ୟାନ୍ମାର ପକ୍ଷରୁ ଭାରତକୁ ସମ୍ପୂର୍ଣ୍ଣ ଭରସା ଦିଆଯାଇଛି ଯେ, ଭାରତର ସୁରକ୍ଷାକୁ ବିପନ୍ନ କରୁଥିବା କୌଣସି ବିଦ୍ରୋହୀ ସଂଗଠନ ବା ବେଆଇନ ଗୋଷ୍ଠୀକୁ ମ୍ୟାନ୍ମାର ମାଟିରେ ଆଶ୍ରୟ ମିଳିବ ନାହିଁ।

ଭାରତ-ମ୍ୟାନ୍ମାର ସୀମାରେ ଚୋରା ଚାଲାଣ ରୋକିବା ବଡ଼ ଆହ୍ୱାନ
ବର୍ତ୍ତମାନ ସମୟରେ ଭାରତ-ମ୍ୟାନ୍ମାର ସୀମାନ୍ତରେ ବେଆଇନ ଅସ୍ତ୍ରଶସ୍ତ୍ର, ମାଦକ ଦ୍ରବ୍ୟ ଏବଂ ମାନବ ଚୋରା ଚାଲାଣ ଭାରତର ଆଭ୍ୟନ୍ତରୀଣ ସୁରକ୍ଷା ଓ ଆର୍ଥିକ ସ୍ଥିରତା ପ୍ରତି ଏକ ଗମ୍ଭୀର ସମସ୍ୟା ପାଲଟିଛି। ସୀମାରେ ଉପୁଜୁଥିବା ଏହି ଅପରାଧିକ ନେଟୱର୍କକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିବା ପାଇଁ ଦୁଇ ଦେଶ ମଧ୍ୟରେ ଗୁପ୍ତଚର ସୂଚନା ଆଦାନପ୍ରଦାନ ଏବଂ କାର୍ଯ୍ୟକ୍ଷେତ୍ରରେ ସମନ୍ୱୟ ବୃଦ୍ଧି କରିବା ପାଇଁ ସହମତି ପ୍ରକାଶ ପାଇଛି।
ସୁରକ୍ଷା ସମ୍ପର୍କକୁ ଆହୁରି ମଜବୁତ କରିବେ ଉଭୟ ଦେଶ
ଏହି ବୈଠକର ନିଷ୍କର୍ଷକୁ ନେଇ ଉଭୟ ଭାରତ ଏବଂ ମ୍ୟାନ୍ମାର ସନ୍ତୋଷ ବ୍ୟକ୍ତ କରିଛନ୍ତି। ବର୍ତ୍ତମାନର ଦ୍ୱିପାକ୍ଷିକ ବ୍ୟବସ୍ଥାକୁ ଆଗକୁ ନେଇ ନିୟମିତ ଆଲୋଚନା, ସାମରିକ ତଥା ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ପାରସ୍ପରିକ ନିଷ୍ପତ୍ତିଗୁଡ଼ିକୁ ଠିକ୍ ସମୟରେ ଲାଗୁ କରିବା ପାଇଁ ଦୁଇ ଦେଶର ସୁରକ୍ଷା ଏଜେନ୍ସିଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରାଯିବ। ଦୀର୍ଘ ସମୟରୁ ଚାଲିଆସୁଥିବା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ରକ୍ଷା କରି ସୀମାନ୍ତ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା କରିବା ଏହି ମିଶନର ମୂଳ ଲକ୍ଷ୍ୟ ବୋଲତି ଗୃହ ମନ୍ତ୍ରାଳୟ ପ୍ରକାଶ କରିଛି।


