ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲଗାଇଛି । ଏହି ପରିପ୍ରେକ୍ଷୀରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରି ତାଙ୍କୁ ଜଣେ ବୁଦ୍ଧିମାନ ନେତା ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ନିଜ ଦେଶ ବିଷୟରେ ଚିନ୍ତା କରନ୍ତି । ପୁତିନଙ୍କ ଏହି ବୟାନ ପୂର୍ବତନ ଭାରତୀୟ କୂଟନୈତିକଙ୍କୁ ପସନ୍ଦ ଆସିନାହିଁ ଏବଂ ସେମାନେ ଦାବି କରିଛନ୍ତି ଯେ ପୁତିନଙ୍କ ଏଭଳି ବୟାନ ଭାରତର ସ୍ବାର୍ଥକୁ ହାନି ପହଞ୍ଚାଇ ପାରେ ।
ସମାଚାର ସଂସ୍ଥା ଏଏନଆଇକୁ ଦେଇଥିବା ସାକ୍ଷାତ୍କାରରେ ପୂର୍ବତନ ଭାରତୀୟ କୂଟନୀତିଜ୍ଞ କେପି ଫାବିଆନ କହିଛନ୍ତି, ‘ଆମେରିକା ସହିତ ଆମର ମତଭେଦ ବାବଦରେ ରୁଷ ରାଷ୍ଟ୍ରପତିଙ୍କ ସାର୍ବଜନୀନ ଟିପ୍ପଣୀକୁ ମୁଁ ପସନ୍ଦ କରୁନାହିଁ । ସେ ଆମକୁ ଏମିତି ଖୋଲା ସମର୍ଥନ କରିବା ଆମ ସ୍ୱାର୍ଥ ବିରୋଧୀ। ରୁଷ ଓ ଚୀନଠାରୁ ଆମେ ସମର୍ଥନ ପାଇବା, ଆମେ ମାଗିକରି ହେଉ କି ନ ମାଗି ହେଉ, ଆମ ସ୍ୱାର୍ଥରେ ନାହିଁ।
ଅନ୍ୟଜଣେ ପୂର୍ବତନ କୂଟନୀତିଜ୍ଞ ରାଜୀବ ଡୋଗରା କହିଛନ୍ତି, ‘ଆମେ ସତର୍କ ରହିବା ଆବଶ୍ୟକ ଯେ ଆମେ ସେମାନଙ୍କ କଥାରେ ନ ଫସି ଯାଉ। ବର୍ତ୍ତମାନ ସେ ଗମ୍ଭୀର ଅଛନ୍ତି ତଥାପି, ଆମେ ସାମ୍ପ୍ରତିକ ରିପୋର୍ଟଗୁଡ଼ିକୁ ମଧ୍ୟ ଧ୍ୟାନରେ ରଖିବା ଉଚିତ ଯେଉଁଥିରେ ରୁଷ ପାକିସ୍ତାନକୁ ଉନ୍ନତ ଯୁଦ୍ଧବିମାନ ଇଞ୍ଜିନ ହସ୍ତାନ୍ତର କରୁଛି ବୋଲି କୁହାଯାଇଛି। ସ୍ପଷ୍ଟ ଭାବେ, ପୁତିନଙ୍କର ଅନେକ ପାର୍ଶ୍ଵ ଅଛି।
ପୁତିନ ଏହି ବୟାନ ସୋଚିରେ ଭାଲଦାଇ ଡିସକସନ କ୍ଲବର ପୂର୍ଣ୍ଣ ଅଧିବେଶନରେ ଦେଇଥିଲେ। ସେଠାରେ ସେ ମଧ୍ୟ କହିଥିଲେ ଯେ ଭାରତ ଓ ରୁଷ ମଧ୍ୟରେ ଏକ ବିଶେଷ ସମ୍ପର୍କ ରହିଛି। ଏହି ବୟାନ ଏହି କାରଣରୁ ଗୁରୁତ୍ଵପୂର୍ଣ୍ଣ ବୋଲି ବିବେଚନା କରାଯାଉଛି କାରଣ ଭାରତ ଓ ରୁଷର ସମ୍ପର୍କ ଦୃଢ଼ ହୋଇଛି, ଯେତେବେଳେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ଵାରା ଭାରତ ଉପରେ ବଢ଼ାଯାଇଥିବା ଟାରିଫ ଯୋଗୁଁ ଆମେରିକା ଓ ଭାରତ ମଧ୍ୟରେ ମୁକ୍ତ ବ୍ୟାପାର ଚୁକ୍ତି (ଏଫଟିଏ) ଉପରେ ଆଲୋଚନା ବନ୍ଦ ହୋଇଯାଇଛି। ଏହା ବ୍ୟତୀତ ଗତ ସପ୍ତାହରେ ୮୦ତମ ଜାତିସଂଘ ମହାସଭା ଅଧିବେଶନରେ ନିଜ ସମ୍ବୋଧନରେ ଡୋନାଲ୍ଡ ଟ୍ରମ୍ପ ପୁନର୍ବାର ଚୀନ ଓ ଭାରତକୁ ଚାଲିଥିବା ୟୁକ୍ରେନ ଯୁଦ୍ଧର “ମୁଖ୍ୟ ଅର୍ଥପୋଷକ” ବୋଲି ଅଭିହିତ କରିଥିଲେ ଏବଂ ସେମାନଙ୍କ ଉପରେ ରୁଷର ତୈଳ କିଣି ଯୁଦ୍ଧକୁ ଆର୍ଥିକ ସାହାଯ୍ୟ କରୁଥିବା ଅଭିଯୋଗ ଲଗାଇଥିଲେ।
ରୁଷ ରାଷ୍ଟ୍ରପତି ପୁତିନ କ’ଣ କହିଥିଲେ?
ରୁଷିଆ ଟୁଡେ ସହ ଆଲୋଚନାରେ ପୁତିନ କହିଥିଲେ, ‘ମୋର ବିଶ୍ଵାସ ଯେ ଭାରତର ଲୋକମାନେ ଆମ ସମ୍ପର୍କକୁ ଭୁଲି ନାହାନ୍ତି। ପ୍ରାୟ ୧୫ ବର୍ଷ ପୂର୍ବେ ଆମେ ଏକ ବିଶେଷାଧିକାର ପ୍ରାପ୍ତ ରଣନୀତିକ ସାଙ୍ଗଠନିକ ସହଭାଗିତା ଘୋଷଣା କରିଥିଲୁ ଏବଂ ଏହା ହେଉଛି ସର୍ବୋତ୍ତମ ଉଦାହରଣ। ପ୍ରଧାନମନ୍ତ୍ରୀ ମୋଦୀ ଜଣେ ଅତ୍ୟନ୍ତ ବୁଦ୍ଧିମାନ ନେତା ଯିଏ ପ୍ରଥମେ ନିଜ ଦେଶ ବିଷୟରେ ଚିନ୍ତା କରନ୍ତି। ଯଦି ଭାରତ ରୁଷର ତୈଳ କିଣିବା ବନ୍ଦ କରିଦିଏ, ତେବେ ତାହା ପ୍ରାୟ ୯-୧୦ ବିଲିୟନ ଡଲାରର ଆର୍ଥିକ କ୍ଷତି ହେବ।’
ସେ ଆହୁରି କହିଥିଲେ, ‘ଏଠାରେ କୌଣସି ରାଜନୈତିକ ଦିଗ ନାହିଁ, ଏହା ପୂରାପୂରି ଏକ ଆର୍ଥିକ ଗଣନା। ଭାରତ କ’ଣ ଆମର ଶକ୍ତି ସମ୍ପଦକୁ ଛାଡ଼ି ଦେବ? ଯଦି ଏପରି ହୁଏ, ତେବେ କିଛି କ୍ଷତି ହେବ। ଅନୁମାନ ଭିନ୍ନ ଭିନ୍ନ, କେହି କେହି କହୁଛନ୍ତି ଏହା ପ୍ରାୟ ୯-୧୦ ବିଲିୟନ ଡଲାର ହୋଇପାରେ, କିନ୍ତୁ ଯଦି ଭାରତ ଏହାକୁ ମାନେ ନାହିଁ(ଆମେରିକାର ଦାବି), ତେବେ ପ୍ରତିବନ୍ଧକ ଲଗାଯିବ ଏବଂ କ୍ଷତି ସେହି ପରିମାଣରେ ହେବ। ଭାରତୀୟ ଲୋକମାନେ କେବେ କାହା ହାତରେ ନିଜକୁ ଅପମାନିତ ହେବାକୁ ଦେବେ ନାହିଁ। ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜାଣେ, ସେ ମଧ୍ୟ ଏପରି କୌଣସି ନିଷ୍ପତ୍ତି ନେବେ ନାହିଁ।’
