ଇରାନ ଓ ଇସ୍ରାଏଲ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଏବେ ଆହୁରି ତୀବ୍ର ହେଉଛି । ଜୁନ ୧୩, ୨୦୨୫ରୁ ଚାଲିଥିବା ଏହି ଲଢ଼େଇରେ ଉଭୟ ଦେଶ ପରସ୍ପରକୁ ପ୍ରତିଆକ୍ରମଣ କରି ଘେରିବାରେ ଲାଗିଛନ୍ତି । ଏହି ପରିପ୍ରେକ୍ଷୀରେ ଇସ୍ରାଏଲ ଡିଫେନ୍ସ ଫୋର୍ସେସ ଏକ ଭିଡିଓ ଜାରି କରି ବିଶ୍ୱକୁ ସତର୍କ କରିଛି । ଭିଡିଓରେ କୁହାଯାଇଛି ଯେ କେବଳ ଇସ୍ରାଏଲ ନୁହେଁ, ପାଶ୍ଚାତ୍ୟ ଦେଶମାନେ ମଧ୍ୟ ଇରାନକୁ ନେଇ ସତର୍କ ରହିଛନ୍ତି ।
ଇସ୍ରାଏଲ ଦାବି କରିଛି ଯେ ଇରାନ କେବଳ ଇସ୍ରାଏଲକୁ ନୁହେଁ, ବରଂ ସମଗ୍ର ପଶ୍ଚାତ୍ୟ ଜଗତକୁ ନଷ୍ଟ କରିବାର ପ୍ରସ୍ତୁତି କରୁଛି । ଏବଂ ଏଥିପାଇଁ ତାର ପାଖରେ ଏମିତି ଚାରୋଟି ଅସ୍ତ୍ର ରହିଛି , ଯାହା ଯେକୌଣସି ଦେଶକୁ ପରାସ୍ତ କରିବାର କ୍ଷମତା ରଖିଛି । ଇସ୍ରାଏଲ ଅନୁସାରେ, ଲସ ଏଞ୍ଜେଲସରୁ ନ୍ୟୁୟର୍କ ଯିବା ପାଇଁ ଉଡ଼ାଣରେ ୫.୫ ଘଣ୍ଟା ଲାଗେ, କିନ୍ତୁ ଇରାନରୁ ଇସ୍ରାଏଲ ପର୍ଯ୍ୟନ୍ତ ବାଲିଷ୍ଟିକ ମିସାଇଲ ଉଡ଼ିବାକୁ ୧୦ ମିନିଟ ଲାଗେ ।
୧. ବାଲିଷ୍ଟିକ ମିସାଇଲ: ମିନିଟରେ ଧ୍ୱଂସ
ଭିଡିଓ ଅନୁସାରେ, ଇରାନ ପାଖରେ ଏମିତି ବାଲିଷ୍ଟିକ ମିସାଇଲ ରହିଛି, ଯାହା ଭୂପୃଷ୍ଠରୁ ଭୂପୃଷ୍ଠକୁ ଟାର୍ଗେଟ କରିପାରେ ଏବଂ ଏହାର ପରିସର ୨୦୦୦ କିଲୋମିଟରରୁ ଅଧିକ । ଏଥିରେ ଶହ ଶହ କିଲୋ ବିସ୍ଫୋରକ ଭର୍ତ୍ତି ହୋଇପାରେ । ଏବଂ ସବୁଠାରୁ ବିପଦଜନକ କଥା ହେଉଛି, ଏହାକୁ ପିନ ପଏଣ୍ଟ ଟାର୍ଗେଟରେ ମଧ୍ୟ ନିଶାନା କରାଯାଇପାରେ । ଇସ୍ରାଏଲର କହିବା ଅନୁସାରେ, ଜୁନ ମାସରେ ଇରାନ ଆକ୍ରମଣ ଆରମ୍ଭ କରିବା ପରେ ଏହି ମିସାଇଲ ଦ୍ୱାରା ଅନେକ ସାଧାରଣ ନାଗରିକଙ୍କ ଜୀବନ ଯାଇଛି ଏବଂ ଡଜନ ଡଜନ ଆବାସିକ ଅଞ୍ଚଳ ଧ୍ୱଂସ ହୋଇଯାଇଛି।
୨. ଆତ୍ମଘାତୀ ଡ୍ରୋନ: ନିଶ୍ଚିତ ମୃତ୍ୟୁ
ଇରାନର ଦ୍ୱିତୀୟ ବଡ଼ ଶକ୍ତି ହେଉଛି UAV ବା ଡ୍ରୋନ । ଏହି ଡ୍ରୋନଗୁଡ଼ିକ ଆତ୍ମଘାତୀ ମିଶନ ପାଇଁ ପଠାଯାଏ। ଅର୍ଥାତ୍ ନିଜେ ଉଡ଼ି ଟକ୍କର ମାରେ ଓ ବିସ୍ଫୋରଣ ଘଟାଏ । ଇସ୍ରାଏଲର ଅଭିଯୋଗ ଅନୁସାରେ, ଇରାନ ନିରନ୍ତର ଏଭଳି ଡ୍ରୋନକୁ ସେମାନଙ୍କ ନାଗରିକ ଅଞ୍ଚଳ ଆଡ଼କୁ ପଠାଉଛି, ଯାହାଦ୍ୱାରା ନିରୀହ ଲୋକଙ୍କୁ ନିଶାନା କରାଯାଇ ପାରିବ । ଏହି ଡ୍ରୋନଗୁଡ଼ିକ ଶସ୍ତା, କିନ୍ତୁ ଏହାର ପ୍ରଭାବ ଅତ୍ୟନ୍ତ ବିପଦଜନକ କାରଣ ଏଗୁଡ଼ିକୁ ବଡ଼ ପରିମାଣରେ ସହଜରେ ପ୍ରସ୍ତୁତ କରାଯାଇପାରେ ।
୩. କ୍ରୁଜ ମିସାଇଲ: ରାଡାରକୁ ଚକମା, ନିଶାନା ଅଚୁକ
ତୃତୀୟ ନମ୍ବରରେ ଅଛି କ୍ରୁଜ ମିସାଇଲ, ଯାହା ଟେକ୍ନୋଲୋଜି ଦୃଷ୍ଟିରୁ ଅତ୍ୟନ୍ତ ଉନ୍ନତ ବୋଲି ବିବେଚନା କରାଯାଏ। ଏହି ମିସାଇଲଗୁଡ଼ିକ ରାଡାରକୁ ଚକମା ଦେଇ ଉଡ଼େ ଏବଂ ନିରବରେ ଟାର୍ଗେଟ ଉପରେ ଏକଦମ ସଠିକ ଆକ୍ରମଣ କରେ । ଏହାର ଉଦ୍ଦେଶ୍ୟ ହେଉଛି ଶତ୍ରୁର ଏୟାର ଡିଫେନ୍ସ ସିଷ୍ଟମକୁ ଚକମା ଦେଇ ସିଧାସଳଖ ଭିତରେ ପଶି ଆଘାତ କରିବା । ଇସ୍ରାଏଲର ଦାବି ଅନୁସାରେ, ଇରାନ ଏହି ମିସାଇଲଗୁଡ଼ିକ ଦ୍ୱାରା ସେମାନଙ୍କ ସମ୍ବେଦନଶୀଳ ସ୍ଥାନଗୁଡ଼ିକୁ ନିଶାନା କରିବାର ଚେଷ୍ଟା କରୁଛି ।
୪. ନ୍ୟୁକ୍ଲିୟର ବୋମା: ବିଶ୍ୱ ପାଇଁ ବିପଦର ଘଣ୍ଟି
ଇସ୍ରାଏଲ ପକ୍ଷରୁ ଜାରି ହୋଇଥିବା ଭିଡିଓରେ ସବୁଠାରୁ ବଡ଼ ବିପଦ ବୋଲି ଇରାନର ନ୍ୟୁକ୍ଲିୟର ପ୍ରୋଗ୍ରାମକୁ ଚିହ୍ନଟ କରାଯାଇଛି। ଇସ୍ରାଏଲ ଅନୁସାରେ, ଇରାନ ପାଖରେ ଏତେ ସମ୍ବର୍ଦ୍ଧିତ ୟୁରାନିୟମ ରହିଛି ଯେ ଏହା ୧୫ଟି ନ୍ୟୁକ୍ଲିୟର ବୋମା ତିଆରି କରିପାରେ। ଏବଂ ଏହା କେବଳ ଇସ୍ରାଏଲ ନୁହେଁ, ସମଗ୍ର ବିଶ୍ୱ ପାଇଁ ଧ୍ୱଂସର ସଙ୍କେତ। ଏହି ବିପଦକୁ ଦୃଷ୍ଟିରେ ରଖି ଇସ୍ରାଏଲ କହିଛି ଯେ ସେମାନେ ଇରାନର ନ୍ୟୁକ୍ଲିୟର ସ୍ଥାନଗୁଡ଼ିକୁ ନଷ୍ଟ କରିବା ପାଇଁ କାର୍ଯ୍ୟାନୁଷ୍ଠାନ କରୁଛନ୍ତି, ଯାହାଦ୍ୱାରା କେବଳ ସେମାନଙ୍କ ନୁହେଁ, ସମଗ୍ର ବିଶ୍ୱର ଭବିଷ୍ୟତ ସୁରକ୍ଷିତ ରହିପାରିବ ।
