ଓଡ଼ିଶାରେ ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟିର ଡବଲ ଇଞ୍ଜିନ ସରକାର ଗଠନ ହୋଇ ସାରିଛି। ବିଜେପି ନେତାମାନେ ବିଜୟ ଉତ୍ସବ ଦୁଇ ବର୍ଷ ହେଲା ମନାଉଛନ୍ତି। କିନ୍ତୁ ଆଜି ବି ଓଡ଼ିଶା ଆକାଶରୁ ଗୋଟିଏ ବଡ଼ ପ୍ରଶ୍ନର କଳାବାଦଲ ହଟୁନାହିଁ। ସେହି ଚର୍ଚ୍ଚା, ସେହି ସନ୍ଦେହ ହେଉଛି—ବିଜେପି ଏବଂ ବିଜେଡି ଅର୍ଥାତ୍ ବିଜୁ ଜନତା ଦଳ ମଧ୍ୟରେ କଣ ଏବେ ବି ଏକ ଅଘୋଷିତ, ଅଦୃଶ୍ୟ ମେଣ୍ଟ ଚାଲିଛି? କଣ ଉଭୟ ଦଳ ଏବେ ବି ପରସ୍ପରର ରାଜନୈତିକ ସ୍ୱାର୍ଥ ରକ୍ଷା କରୁଛନ୍ତି?
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ବଡ଼ ପ୍ରଚାର ଚାଲିଛି ଯେ, ବଡ଼ ବଡ଼ ପ୍ରଭାବଶାଳୀ ଅଫିସର ଏବଂ ନେତାମାନେ ପୁଣି ବିଜେଡିରେ ସକ୍ରିୟ ହେଉଛନ୍ତି, ଯାହା ଓଡ଼ିଶାର ସାଧାରଣ ଜନସାଧାରଣଙ୍କ ମନରେ ତୀବ୍ର ସନ୍ଦେହ, ସଂଶୟ ଏବଂ ଦ୍ୱନ୍ଦ୍ୱ ସୃଷ୍ଟି କରିଛି।
ଆଜିର ସବୁଠାରୁ ବଡ଼ ପ୍ରଶ୍ନ ହେଉଛି—ମହାରାଷ୍ଟ୍ରରେ ଶିବସେନା ଓ ଏନସିପି ଭଳି ଶକ୍ତିଶାଳୀ ଦଳକୁ ମୂଳପୋଛ କରିଦେଇଥିବା ବିଜେପି, ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ନାକରେ ଦମ କରିଦେଇଥିବା ବିଜେପି, ଓଡ଼ିଶାରେ ହାରିଯାଇଥିବା ବିଜେଡିକୁ କାହିଁକି ଭାଙ୍ଗୁ ନାହିଁ? ଏହା ପଛର ପ୍ରକୃତ ଗୁପ୍ତ ରହସ୍ୟ କଣ?
ଅନ୍ୟ ରାଜ୍ୟର ରଣନୀତି ଏବଂ ଓଡ଼ିଶାର ବ୍ୟତିକ୍ରମ
ଆପଣ ଯଦି ଭାରତର ସମକାଳୀନ ରାଜନୀତିକୁ ଟିକେ ନଜର ପକାଇବେ, ତେବେ ଜାଣିପାରିବେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ବିଜେପି, ପ୍ରତିଟି ଆଞ୍ଚଳିକ ଦଳକୁ ଭାଙ୍ଗିବା କିମ୍ବା ସେମାନଙ୍କୁ ସମ୍ପୂର୍ଣ୍ଣ ଦୁର୍ବଳ କରିବା ପାଇଁ ବେଶ୍ ଜଣାଶୁଣା। ଏହାର କିଛି ଜ୍ୱଳନ୍ତ ଉଦାହରଣ ଦେଖନ୍ତୁ:
• ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ଅହଂକାର ଏବଂ ଶରଦ ପାୱାରଙ୍କ ଆଭିମୁଖ୍ୟ ଯୋଗୁଁ ବିଜେପି ନିଜର ରାଜନୈତିକ ଆବଶ୍ୟକତା ଦୃଷ୍ଟିରୁ ଏକନାଥ ସିନ୍ଦେ ଏବଂ ଅଜିତ ପାୱାରଙ୍କୁ ବ୍ୟବହାର କଲା ଏବଂ ସେଠାକାର ଦୁଇଟି ଯାକ ବଡ଼ ଆଞ୍ଚଳିକ ଦଳକୁ ଦୁଇ ଭାଗ କରି ଭାଙ୍ଗିଦେଲା।
• ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ଯେତେବେଳେ କେନ୍ଦ୍ର ସରକାରଙ୍କୁ ସିଧାସଳଖ ଚ୍ୟାଲେଞ୍ଜ କଲେ, ବିଜେପି ସେଠାରେ ଟିଏମସିର ଅଗ୍ରଧାଡ଼ିର ସାଂସଦ ଏବଂ ବିଧାୟକମାନଙ୍କୁ ନିଜ ଆଡ଼କୁ ଟାଣି ଦଳକୁ ଭିତରୁ ଦୁର୍ବଳ କରିବାକୁ ଦିନରାତି ଏକ କରିଦେଲା।
• ପଞ୍ଜାବରେ ଆମ ଆଦମୀ ପାର୍ଟିର ବଢ଼ୁଥିବା ପ୍ରଭାବକୁ ରୋକିବା ପାଇଁ କେନ୍ଦ୍ରୀୟ ଏଜେନ୍ସିର ବ୍ୟବହାର ହେଉ କିମ୍ବା କଂଗ୍ରେସ-ଅକାଳୀ ଦଳର ବଡ଼ ବଡ଼ ନେତାଙ୍କୁ ଦଳରେ ସାମିଲ କରିବା, ବିଜେପି ନିଜର ଭୋଟ୍ ପ୍ରତିଶତ ବଢ଼ାଇବାକୁ ସବୁ ଚାଲ୍ ଖେଳିଲା।
ବିଜେଡିକୁ ଭାଙ୍ଗିବାର କୌଣସି ‘ରାଜନୈତିକ ଆବଶ୍ୟକତା’ ନାହିଁ
ଏହାର ପ୍ରଥମ ଗୁପ୍ତ କାରଣ ହେଉଛି—ଓଡ଼ିଶାରେ ବିଜେପି ପାଇଁ ବିଜେଡିକୁ ଭାଙ୍ଗିବାର ବର୍ତ୍ତମାନ କୌଣସି ‘ରାଜନୈତିକ ଆବଶ୍ୟକତା’ ହିଁ ନାହିଁ।
ଗତ ଲୋକସଭା ନିର୍ବାଚନରେ ଓଡ଼ିଶାବାସୀ ବିଜେଡିକୁ ସମ୍ପୂର୍ଣ୍ଣ ଭାବେ ଶୂନ୍ୟ କରିଦେଇଛନ୍ତି। ଲୋକସଭାରେ ବିଜେଡିର ଜଣେ ବି ସାଂସଦ ନାହାନ୍ତି। ତେଣୁ ଦିଲ୍ଲୀ ଦରବାରରେ କେନ୍ଦ୍ର ସରକାରଙ୍କ ପାଇଁ ବିଜେଡି ଆଉ କୌଣସି ବଡ଼ ଆହ୍ୱାନ ନୁହେଁ।
ଦ୍ୱିତୀୟ କଥା ହେଉଛି ରାଜ୍ୟସଭା। ରାଜ୍ୟସଭାରେ ବିଜେଡିର ଯେଉଁ କିଛି ସଦସ୍ୟ ଥିଲେ, ସେଥିମଧ୍ୟରୁ ବିଜେପି ନିଜ କାମ ହାସଲ କରିବା ପାଇଁ ସୁଜିତ କୁମାର, ମମତା ମହାନ୍ତ ଏବଂ ଦେବାଶିଷ ସାମନ୍ତରାୟଙ୍କ ଭଳି ନେତାଙ୍କୁ ସମୟ ଏବଂ ସୁବିଧା ଅନୁସାରେ ବ୍ୟବହାର କରିସାରିଛି। ବିଜେପିର ଶୀର୍ଷ ନେତୃତ୍ୱ ବେଶ୍ ଭଲଭାବେ ଜାଣନ୍ତି ଯେ, ଯେଉଁ ଦଳ ସମ୍ପୂର୍ଣ୍ଣରୂପେ ଦୁର୍ବଳ ଏବଂ ନିଷ୍କ୍ରିୟ ହୋଇଯାଇଛି, ତାକୁ ଭାଙ୍ଗି ନିଜ ଦଳର ପୁରୁଣା ନେତାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିବା କିମ୍ବା ନିଜର ଶୁଦ୍ଧ ଭୋଟ୍ ପ୍ରତିଶତ ନଷ୍ଟ କରିବା ବୋକାମୀ ସଦୃଶ ହେବ।
ବିଜେଡି ଏକ ‘ଅର୍ଦ୍ଧମୃତ’ ଦଳ!
ସବୁଠାରୁ ବଡ଼ ଏବଂ କଠୋର ସତ୍ୟ ହେଉଛି—ବର୍ତ୍ତମାନ ବିଜେଡି ଜୀବିତ ନାହିଁ କି ସମ୍ପୂର୍ଣ୍ଣ ମୃତ ନାହିଁ, ଏହା ଏକ ‘ଅର୍ଦ୍ଧମୃତ’ ଅବସ୍ଥାରେ ଆଇସିୟୁ (ICU) ବେଡ୍ରେ ପଡ଼ିଛି। ଏହି ଦଳ ଭିତରେ ବର୍ତ୍ତମାନ ପ୍ରବଳ ଅନ୍ତର୍ଦ୍ୱନ୍ଦ୍ୱ, କ୍ଷମତା ଯୁଦ୍ଧ ଏବଂ ଅବସାଦ ଚାଲିଛି। ବିଗତ ଦୁଇ ବର୍ଷର ଟ୍ରେଣ୍ଡକୁ ଦେଖନ୍ତୁ, ବିଜେଡି ନା ରାଜପଥରେ କୌଣସି ବଡ଼ ଜନ ଆନ୍ଦୋଳନ କରିପାରିଛି, ନା ବିଧାନସଭା ଭିତରେ ବିଜେପିର ମୋହନ ସରକାରଙ୍କୁ କୌଣସି ପ୍ରସଙ୍ଗରେ କଡ଼ା ଟକ୍କର ଦେଇ ଘେରିପାରିଛି।
ଏମାନଙ୍କର ସୋସିଆଲ ମିଡିଆ ‘ଆଇଟି ସେଲ୍’ (IT Cell) ଯେତେ ପ୍ରଖର ହେଲେ ମଧ୍ୟ, ଗ୍ରାଉଣ୍ଡ ଜିରୋରେ ବା ଭୂମି ସ୍ତରରେ ସେମାନଙ୍କର ସଂଗଠନ ଏବେ ପ୍ରାୟ ଶୂନ୍ୟ ହୋଇଯାଇଛି।
ଗୋଟିଏ ଦଳକୁ ଭାଙ୍ଗି ନୂଆ ସରକାର ଗଢ଼ିବା ପାଇଁ ସେଥିରେ ଏକନାଥ ସିନ୍ଦେ କିମ୍ବା ଅଜିତ ପାୱାରଙ୍କ ଭଳି ମେରୁଦଣ୍ଡ ଥିବା ଲୋକପ୍ରିୟ ନେତା ଦରକାର। କିନ୍ତୁ ବର୍ତ୍ତମାନର ବିଜେଡିରେ ଯେଉଁ ନେତାମାନେ ବଳିଛନ୍ତି, ସେମାନେ ସମସ୍ତେ ମେରୁଦଣ୍ଡ ବିହୀନ ଏବଂ ଭୟଭୀତ। ଏଭଳି ପରିସ୍ଥିତିରେ ବିଜେପି ହାଇକମାଣ୍ଡ ସେହି ଦୁର୍ବଳ ନେତାମାନଙ୍କୁ ଦଳକୁ ଆଣି ନିଜ ଘର ଭିତରେ ଅଯଥା କଳି-କନ୍ଦଳ କାହିଁକି ସୃଷ୍ଟି କରିବେ?
ଆତ୍ମପ୍ରଚାର ଏବଂ ନକାରାତ୍ମକ ପ୍ରତିକ୍ରିୟା
ସେପଟେ ବିଜେଡିର କିଛି ନେତା ଏବେ ବି ସେହି ପୁରୁଣା ହାବଭାବ ଓ ଆତ୍ମପ୍ରଚାର ମୋହରୁ ବାହାରି ପାରୁନାହାନ୍ତି। ଓଡ଼ିଶାରେ ଯେତେବେଳେ ବାତ୍ୟା କିମ୍ବା କୌଣସି ପ୍ରାକୃତିକ ବିପର୍ଯ୍ୟୟ ଆସୁଥିଲା, ସେତେବେଳେ ରାଜ୍ୟର କିଛି ଦକ୍ଷ ଅଫିସରମାନେ ଦିନରାତି ଏକ କରି ପ୍ରତ୍ୟକ୍ଷ ଭାବେ କାମ କରୁଥିଲେ। କିନ୍ତୁ ବିଜେଡିର କିଛି ବଡ଼ପଣ୍ଡା ରାଷ୍ଟ୍ରମୁଖ୍ୟଙ୍କ ସହ ଫଟୋ ଉଠାଇ, ସେହି ସଫଳତାର ସବୁ ଶ୍ରେୟ ନିଜେ ନେଇ ନିଜକୁ ‘ବିଶ୍ୱ ନେତା’ ଭାବେ ଦେଖାଇବାକୁ ଅପଚେଷ୍ଟା କରୁଥିଲେ।
ଏହି ଅହଂକାରୀ ପ୍ରଚାର ସାଧାରଣ ଓଡ଼ିଶାବାସୀଙ୍କ ମନରେ ଏକ ବଡ଼ ‘ନକାରାତ୍ମକ ପ୍ରତିକ୍ରିୟା’ ସୃଷ୍ଟି କରିଥିଲା, ଯାହା ଆଜି ବି ବିଜେଡିକୁ ତାର ସମାଧି ଆଡ଼କୁ ଟାଣି ନେଉଛି। ଯେଉଁ ଦଳ ନିଜ ଭୁଲ୍ ଏବଂ ଅହଂକାର ଯୋଗୁଁ ନିଜେ ଧ୍ୱଂସ ହେବାକୁ ଯାଉଛି, ତାକୁ ଭାଙ୍ଗିବା ପାଇଁ ବିଜେପିକୁ କୌଣସି ମେହନତ କରିବାର ଆବଶ୍ୟକତା ହିଁ ନାହିଁ।
ମୋହନ ସରକାରଙ୍କ ଆଭିମୁଖ୍ୟ ଏବଂ ଜନସାଧାରଣଙ୍କ ପ୍ରଶ୍ନ
କିନ୍ତୁ ଦର୍ଶକବନ୍ଧୁ, ଏଠାରେ କେବଳ ବିଜେଡିକୁ ଦୋଷ ଦେଲେ ହେବନାହିଁ। ବର୍ତ୍ତମାନର ମୋହନ ମାଝୀ ସରକାରଙ୍କ ଉପରେ ମଧ୍ୟ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ନିର୍ବାଚନ ପୂର୍ବରୁ ସ୍ୱୟଂ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ମାଟିରେ ଠିଆ ହୋଇ ଗର୍ଜନ କରି କହିଥିଲେ ଯେ—”ଓଡ଼ିଶାକୁ ଲୁଟ୍ କରିଥିବା ଲୁଟେରାମାନଙ୍କୁ ଛଡ଼ାଯିବ ନାହିଁ, ସେମାନଙ୍କୁ ଜେଲ୍ର ଚାରି କାନ୍ଥ ଭିତରକୁ ପଠାଯିବ।” ନବୀନ ସରକାର ସମୟରେ କେବଳ ଇଭେଣ୍ଟ ମ୍ୟାନେଜମେଣ୍ଟ ଏବଂ ପବ୍ଲିସିଟି ପାଇଁ ଜନସାଧାରଣଙ୍କ ରକ୍ତଝାଳ ବୁହା ଟଙ୍କାରୁ ଲକ୍ଷ ଲକ୍ଷ ନୁହେଁ, ବରଂ କୋଟି କୋଟି ଟଙ୍କା ପାଣି ଭଳି ବୁହାଯାଇଥିଲା। ପ୍ରାୟ ୨୪୭ କୋଟିରୁ ଅଧିକ ଟଙ୍କାର ବଡ଼ ଦୁର୍ନୀତି ଅଭିଯୋଗ ଆସିଥିଲା।
ଲୋକମାନେ ବିଜେପିକୁ ଭୋଟ୍ ଦେଇ ଜିତାଇଲେ ଯେ ଶାସନ ବଦଳିବ ଏବଂ ଭ୍ରଷ୍ଟାଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। କିନ୍ତୁ ଆଜି ବି ଓଡ଼ିଶା ପ୍ରଶାସନର ଚିତ୍ର ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି! ଆଜି ବି ଅନେକ ପୁରୁଣା ‘ପାଣ୍ଡିଆନ୍ ପନ୍ଥୀ’ ଅଧିକାରୀ ବଡ଼ ବଡ଼ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସେମିତି କ୍ଷମତା ଜାବୁଡ଼ି ବସିଛନ୍ତି।
• ଡି. କେ. ସିଂ: ଯିଏ ପୂର୍ବରୁ ପଞ୍ଚାୟତରାଜ ବିଭାଗରେ ଥିଲେ ଏବଂ ଯାହାଙ୍କ ସମୟରେ ମେଗା ପାଇପ୍ ୱାଟର ପ୍ରୋଜେକ୍ଟରେ ବ୍ୟାପକ ଅନିୟମିତତାର ଅଭିଯୋଗ ଆସିଥିଲା, ସେ ଆଜି ରାଜ୍ୟର ‘ଡେଭେଲପମେଣ୍ଟ କମିଶନର’ ବା ଉନ୍ନୟନ କମିଶନର ଭଳି ସର୍ବୋଚ୍ଚ ପଦରେ ବସିଛନ୍ତି!
• ହେମନ୍ତ ଶର୍ମା: ଶିଳ୍ପ ବିଭାଗର ସଚିବ ଭାବେ ଯିଏ ପୂର୍ବ ସରକାରଙ୍କ ଆଖି ଦୃଶିଆ ଚେହେରା ଥିଲେ, ସେ ଆଜି ବି ସେହି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସୁରକ୍ଷିତ ଅଛନ୍ତି।
• ଏହା ସହିତ ଶକ୍ତି ବିଭାଗ ଏବଂ ଜଳ ସମ୍ପଦ ବିଭାଗରେ ମଧ୍ୟ ସେହି ପୁରୁଣା ଅଫିସରମାନଙ୍କର ପ୍ରଭାବ ପୂର୍ବଭଳି ବଜାୟ ରହିଛି।
ଯଦି ସରକାର ବଦଳିବା ପରେ ବି ପ୍ରଶାସନିକ ବ୍ୟବସ୍ଥାରେ ଏବଂ ଅଫିସର ରାଜ୍ରେ କୌଣସି ପରିବର୍ତ୍ତନ ହେବନାହିଁ, ତେବେ ଓଡ଼ିଶାର ଭୋଟରମାନେ ଯେଉଁ ଆଶା ଏବଂ ବିଶ୍ୱାସ ରଖି ବିଜେପିକୁ କ୍ଷମତା ଦେଇଥିଲେ, ତାହା କେମିତି ପୂରଣ ହେବ? ମୋହନ ସରକାରଙ୍କୁ ଏହି ଉତ୍ତରଦାୟିତ୍ୱ ଖୁବ୍ ଶୀଘ୍ର ପୂରଣ କରିବାକୁ ପଡ଼ିବ, ନଚେତ୍ ଜନସାଧାରଣ ଭାବିବେ ଯେ ସେମାନଙ୍କ ସହ ଏହା ଏକ ବଡ଼ ରାଜନୈତିକ ପ୍ରତାରଣା!
ସମସ୍ତ ସମୀକରଣକୁ ଦେଖିଲେ ମୋର ସ୍ପଷ୍ଟ ନିଷ୍କର୍ଷ ହେଉଛି—ବିଜେପି ଏବଂ ବିଜେଡି ମଧ୍ୟରେ ବାହାରକୁ କୌଣସି ମେଣ୍ଟ ଦେଖାଯାଉନଥିଲେ ବି, ବିଜେଡିର ନିଷ୍କ୍ରିୟତା ହିଁ ବିଜେପିକୁ ସୁହାଇଛି। ‘ରାତ ଗୟୀ ବାତ ଗୟୀ, ବିଜେଡି ଗୟୀ ଗୟୀ’! ନବୀନ ବାବୁ କେବଳ ସୋସିଆଲ ମିଡିଆରେ ଦୁଇ ପଦ ଭାଷଣ ଦେଇ ନିଜ ଦାୟିତ୍ୱ ଶେଷ କରୁଛନ୍ତି। ବିଜେଡି ନିଜର ଅହଂକାର ଏବଂ କର୍ମ ଯୋଗୁଁ ଧୀରେ ଧୀରେ ନିଜେ ହିଁ ସମାପ୍ତ ହେବାକୁ ଯାଉଛି, ତେଣୁ ବିଜେପିକୁ ତାକୁ ଭାଙ୍ଗିବା ପାଇଁ ଅଯଥା ହାତ ମଇଳା କରିବାକୁ ପଡ଼ିବ ନାହିଁ।


