ଯେ କୌଣସି ସଭ୍ୟସମାଜର ଶିକ୍ଷା ହେଉଛି ମୂଳ ଅଧିକାର। କିନ୍ତୁ ଯେତେବେଳେ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନେ ମୃତ୍ୟୁମାଲାର ଶିକାର ହେଉଛନ୍ତି, ଭୟରେ ନିଜ ଅଭିଯୋଗ କହିପାରୁନାହାନ୍ତି। ଏଭଳି ଅଭିଯୋଗର ଅଭିଯୁକ୍ତ ଭାବରେ ସାମ୍ନାକୁ ଆସିଛି ରାଜ୍ୟର ଏକ ବହୁ ଚର୍ଚ୍ଚିତ କିଟ୍ ବିଶ୍ୱବିଦ୍ୟାଳୟ। କିଟ୍ ବିଶ୍ୱବିଦ୍ୟାଳୟକୁ ରାଜ୍ୟର ମନ୍ତ୍ରିମଣ୍ଡଳ ଓ ରାଜ୍ୟପାଳଙ୍କ ସକ୍ରିୟ ଗସ୍ତ କାର୍ଯ୍ୟକ୍ରମ ଦେଖାଯାଏ- ଶିକ୍ଷା ବ୍ୟବସ୍ଥାରେ ଯେତେ ସମସ୍ୟା ଥିଲେ ବି ଭୟ କାହାକୁ। ଏହା ହେଉଛି ରାଜ୍ୟ ପ୍ରଶାସନର ପ୍ରାମାଣିକତା, ପାରଦର୍ଶିତା ଓ ସବିଶେଷ ଦାୟିତ୍ୱର ସଙ୍କଟ। ବିଶେଷତଃ ଗୋଟିଏ ପରେ ଗୋଟିଏ ଛାତ୍ରୀ ଓ ଛାତ୍ରଙ୍କ ଅସମୟରେ, ସନ୍ଦେହଜନକ ଭାବରେ ମୃତ୍ୟୁ ପରେ

• ଏନଏଚଆରସିର ବାରମ୍ବାର ତାଗିଦ ପତ୍ର,
• ୟୁଜିସିର ତାଗିଦ୍,
• ଓଡ଼ିଶା ହାଇକୋର୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ରିପୋର୍ଟ ମାଗିବା,
• ଆଇନମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ ତଦନ୍ତ କମିଟିର ରିପୋର୍ଟକୁ ଗୋପନ କରାଯିବା,
ଏ ସବୁ ମିଶି ଗଢ଼ିଛି ଏକ ପ୍ରଶ୍ନ: କେଉଁ ଶକ୍ତି କିଟ୍କୁ ଏତେ ‘ସୁରକ୍ଷା’ ଦେଉଛି?
କିଟ୍ ବିଶ୍ୱବିଦ୍ୟାଳୟ: ଅଭିଯୋଗ ଓ ପ୍ରଶ୍ନର ସନ୍ଧିକ୍ଷଣରେ
ଭୁବନେଶ୍ୱରର ଏହି ଆଡ଼ମ୍ବରପୂର୍ଣ୍ଣ ବିଶ୍ୱବିଦ୍ୟାଳୟରେ ଗତ ୧୦ମାସ ମଧ୍ୟରେ
• ଏକାଧିକ ସନ୍ଦେହଜନକ ମୃତ୍ୟୁ,
• ହଷ୍ଟେଲ୍ ଶାସନ,
• ଆଧ୍ୟାପକ–ଛାତ୍ର ଅଭିଯୋଗ,
• ପରିବାରମାନଙ୍କ ଅଭିଯୋଗ,
• ଗୋପନୀୟ ଆଚରଣ
ମାତ୍ର ୧୦ ମାସ ଭିତରେ ଚରମସୀମାକୁ ପହଞ୍ଚିଛି କିନ୍ତୁ ଅଦ୍ଭୁତ ଭାବେ ଏମିତି ଗୁରୁତର ଅଭିଯୋଗ ସତ୍ତ୍ୱେ ସରକାର କିମ୍ବା ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଗୋଟିଏ ମଧ୍ୟ କଡ଼ା ପଦକ୍ଷେପ ନିଆଯାଇ ପାରିନାହିଁ।
ଏହା ଅନେକଙ୍କ ପ୍ରଶ୍ନ:
“କିଟ୍ କ’ଣ ଏକ ଘରୋଇ ବିଶ୍ୱବିଦ୍ୟାଳୟ, ନା ଶାସନ ବ୍ୟବସ୍ଥାର ଅନଧିକୃତ ଅଙ୍ଗ?”
ଏନଏଚଆରସି: ପତ୍ର ପଠାଇ ପଠାଇ କ୍ଲାନ୍ତ
ଜାତୀୟ ମାନବ ଅଧିକାର କମିଶନ କିଟ୍ ମାମଲାରେ ଯେତେବେଳେ ପତ୍ର ଦେଇ ସ୍ୟୁ ମୋଟୋ ମାମଲା ହାତକୁ ନେବାକୁ ପଡ଼ିଲା, ସେଥିରୁ ଏହା ସ୍ପଷ୍ଟ- ଏଠାରେ କିଛି ନିଷ୍ପତ୍ତି ନେବାର ପ୍ରାୟୋଜନ ଅତ୍ୟନ୍ତ ଜରୁରୀ।
କିନ୍ତୁ ପ୍ରତି ଥରରେ- “ରିପୋର୍ଟ ଆସୁଛି”, କୁହାଯାଉଛି “ଆମେ ଖୋଜୁଛୁ”, ଏବେ “ଯାଞ୍ଚ ଚାଲିଛି” । ଏହି ଭଳି ଦାୟିତ୍ୱହୀନ ଧରାବନ୍ଧା ଉତ୍ତର ରାଜ୍ୟ ସରକାର ପଠାଉଛି।
ଏନଏଚଆରସିର ଭାଷା ସ୍ପଷ୍ଟ- “ରାଜ୍ୟ ମାମଲା କରିବାରେ ଅବହେଳା କରିଛି।”
ଏହା ସରକାର ପାଇଁ ଏକ ଲଜ୍ଜାଜନକ ପରିସ୍ଥିତି।
ୟୁଜିସି ତାଗିଦ୍: ନିୟମ ଭଙ୍ଗିବା ଚାଲିଛି କି?
ୟୁଜିସି ବିକଳ୍ପ ନ ଥିବାରୁ ପ୍ରତିପ୍ରଶ୍ନ ପଠାଉଛି- କିଟ୍ ବିଶ୍ୱବିଦ୍ୟାଳୟରେ
• ହଷ୍ଟେଲ୍ ମ୍ୟାନେଜମେଣ୍ଟ,
• ଆଣ୍ଟି–ରାଗିଂ,
• କାଉନସେଲିଂ,
• ଛାତ୍ରସୁରକ୍ଷା ନୀତି
କ’ଣ ଠିକ୍ ହେଉଛି?
କିନ୍ତୁ ଓଡ଼ିଶାର ଉଚ୍ଚଶିକ୍ଷା ବିଭାଗ ମୃତପ୍ରାୟ, ଏମିତି ଲାଗୁଛି। କାରଣ ୟୁଜିସି ହୁଅନ୍ତୁ କି ଏନଏଚଆରସି କାହାର ପ୍ରଶ୍ନର ଉତ୍ତର ଦେବାକୁ ସରକାର ଚାହୁଁନାହାନ୍ତି। କିନ୍ତୁ କାହିଁକି? ସରକାର କ’ଣ କିଟ୍କୁ ଡରୁଛନ୍ତି।
ୟୁଜିସି ମଧ୍ୟ ସେଇ ଆପତ୍ତି ଜଣାଉଛି- “ଏହି ପରିବେଶ ଛାତ୍ରୀମାନଙ୍କୁ ଅସୁରକ୍ଷିତ କରୁଛି।”
ହାଇକୋର୍ଟ: କାର୍ଯ୍ୟାନୁଷ୍ଠାନ ଗ୍ରହଣ ରିପୋର୍ଟ ମାଗିବା ଏକ ଚେତାବନୀ
କେସ୍ର ଗୁରୁତ୍ୱ ବଢ଼ିବା ସହ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଲା- ସରକାରଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି।
ଏହା ଆପେ ଆପେ କହୁଛି-
ରାଜ୍ୟ ପକ୍ଷରୁ ଯଥେଷ୍ଟ କାର୍ଯ୍ୟାନୁଷ୍ଠାନ ହେଉନାହିଁ।
କୋର୍ଟ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ରିପୋର୍ଟ ମାଗେ?
ଯେତେବେଳେ ସରକାରୀ ନିଷ୍କ୍ରିୟତା ସନ୍ଦେହଜନକ ହୋଇଯାଏ ସେତେବେଳେ ମାଗିଥାଏ।
ତଦନ୍ତ କମିଟି: ଆଇନମନ୍ତ୍ରୀଙ୍କ ନେତୃତ୍ୱରେ ତଦନ୍ତ, କିନ୍ତୁ ରିପୋର୍ଟ ‘ସିଲ୍’
ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ନେତୃତ୍ୱରେ ତଦନ୍ତ ହେବା ମାନେ ମାମଲା ଗୁରୁତ୍ୱପୂର୍ଣ୍ଣ ଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ତଦନ୍ତ କାହିଁକି ରିପୋର୍ଟ ପ୍ରକାଶ ହୋଇନାହିଁ।
ତେବେ ପ୍ରଶ୍ନ ହେଉଛି-
କି ସତ୍ୟ ରହିଛି ସେଇ ରିପୋର୍ଟରେ ଯାହାକୁ ସରକାର ପ୍ରକାଶ କରିବାକୁ ଭୟ କରୁଛନ୍ତି ନା କିଟ୍କୁ ସୁରକ୍ଷା ଦିଆଯାଇଛି ଯାହାକୁ ପ୍ରକାଶ କଲେ ସରକାରଙ୍କ କଳାକାରନାମା ପ୍ରକାଶ ପାଇବା ଭୟରେ ସାର୍ବଜନୀନ କରାଯାଉନାହିଁ?
ଗୋପନ କରାଯାଇଥିବା ତଦନ୍ତର ଅର୍ଥ ହେଉଛି- କିଛି ଅସୁବିଧାଜନକ ସତ୍ୟ ରହିଛି।
ମନ୍ତ୍ରୀମାନଙ୍କ କିଟ୍–ପ୍ରେମ: ରାଜ୍ୟବାସୀ ପ୍ରଶ୍ନ
ସବୁଠୁ ବିବାଦୀୟ ଦୃଶ୍ୟ ହେଉଛି- ଛାତ୍ରୀମୃତ୍ୟୁ ମାମଲାରେ ଯେଉଁ ବିଶ୍ୱବିଦ୍ୟାଳୟର ନାମ ଚର୍ଚ୍ଚାରେ ଆସୁଛି, ସେଠିକୁ ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଆଡମ୍ବର ସହ ଯୋଗ ଦେଉଛନ୍ତି।
ସମ୍ପ୍ରତି ବିଭିନ୍ନ କାର୍ଯ୍ୟକ୍ରମରେ—
• ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
• ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ
• ଉପନମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ
• ରାଜ୍ୟପାଳ କେ. ହରିବାବୁ କମ୍ଭମପତି
ସବୁଠି ହସୁଛନ୍ତି, ମଞ୍ଚ ସେୟାର କରୁଛନ୍ତି।
ଏହା ମାତ୍ର “ଉପସ୍ଥିତି” ନୁହେଁ।
ଏହା ଏକ ସଂକେତ।
ଏକ ସଂରକ୍ଷଣର ସଂକେତ।
ଏକ ପ୍ରଭାବ ଓ ପ୍ରାବଲ୍ୟର ସଂକେତ।
ସାମାନ୍ୟ ଜନସାଧାରଣ ପ୍ରଶ୍ନ କରୁଛି-
“ଏତେ ଦୂର୍ନୀତି ଓ ମୃତ୍ୟୁ ତଥାପି ମନ୍ତ୍ରୀ–ରାଜ୍ୟପାଳ କ’ଣ ଜାଣିପାରୁନାହାନ୍ତି?”
କିଏ ବି ସେଇ ପ୍ରଶ୍ନକୁ ଉତ୍ତର ଦେଉନାହାନ୍ତି।
ସରକାରୀ ବିଶ୍ୱବିଦ୍ୟାଳୟକୁ କେତେଥର ମନ୍ତ୍ରୀ ଓ ରାଜ୍ୟପାଳଙ୍କ ଗସ୍ତ ହୋଇଛି?
ରାଜ୍ୟର ଯେତେସବୁ ସରକାରୀ ବିଶ୍ୱବିଦ୍ୟାଳୟ ରହିଛି, ସେ ସବୁର କୁଳାଧିପତି ହେଉଛନ୍ତି ରାଜ୍ୟପାଳ। ପ୍ରଶ୍ନ ହେଉଛି ରାଜ୍ୟପାଳ ରାଜ୍ୟର କେତୋଟି ସରକାରୀ ବିଶ୍ୱବିଦ୍ୟାଳୟକୁ ଯାଇ ତା’ର ସମୀକ୍ଷା କରିଛନ୍ତି। କିନ୍ତୁ କିଟ୍ ସରକାରୀ ବିଶ୍ୱବିଦ୍ୟାଳୟକୁ ଯାଇ ରାଜ୍ୟପାଳ ତା’ର ପାପକୁ ଧୋଇବାକୁ ସହାୟତା କରିନାହାନ୍ତି ତ?
ସେହିପରି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କର ବିଭାଗ ପ୍ରତି ଉତ୍ତରଦାୟିତ୍ୱ ଥିବା ମନେ ହୁଏ ନାହିଁ। ବୋଧହୁଏ ମୋହନ ସରକାର ତାଙ୍କୁ ବାଧ୍ୟ କରି ଏହି ବିଭାଗ ଦେଇଛନ୍ତି। ତେଣୁ ଉଚ୍ଚଶିକ୍ଷା ବିଭାଗ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି। ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଉଚ୍ଚଶିକ୍ଷା ବିଭାଗରେ ଦେଖିବାକୁ ପ୍ରାୟତଃ ମିଳେ ନାହିଁ। କାରଣ ସେ କଳିଙ୍ଗ ଷ୍ଟାଡିୟମକୁ ନିଜର କାର୍ଯ୍ୟାଳୟ କରି ସେହିଠାରୁ ହିଁ ଉଭୟ କ୍ରୀଡ଼ା ଓ ଯୁବକଲ୍ୟାଣ ବିଭାଗ ସମେତ ଉଚ୍ଚଶିକ୍ଷା ବିଭାଗକୁ ଚଳାଉଛନ୍ତି। ତେଣୁ ରାଜ୍ୟର ଘରୋଇ ବିଶ୍ୱବିଦ୍ୟାୟମାନଙ୍କରେ ଛାତ୍ରମୃତ୍ୟୁ ବାରମ୍ବାର ହେଉଥିଲେ ହେଁ ସେ ନିଦାବିଷ୍ଣୁ ସାଜି ବସିଛନ୍ତି।
ମୋହନ ସରକାର ପ୍ରତି ଦେଶବିଦେଶରେ ‘ଦୁର୍ବଳତା’ର ଛବି
ଏକ ନୂତନ ସରକାରଭାବେ ମୋହନ ସରକାରଠାରୁ ଥିଲା ଜନସାଧାରଣ ଯାହା ଆଶା କରୁଥିଲେ ତାହା ହେଲା, ଉଚ୍ଚଶିକ୍ଷାରେ ପରିବର୍ତ୍ତନର ଆଶା। କିନ୍ତୁ ଫଳ ଶୂନ।
କିନ୍ତୁ ଯେତେବେଳେ ଉଚ୍ଚଶିକ୍ଷାରେ ଏକ ଘରୋଇ ସଂସ୍ଥା-ଯାହା ଉପରେ ଗୁରୁତର ଅଭିଯୋଗ ଚାଲିଛି- ସେଇ ସଂସ୍ଥାକୁ ମନ୍ତ୍ରୀ, ରାଜ୍ୟପାଳ, ବିଭାଗୀୟ ଅଧିକାରୀମାନେ ସରକାରୀ ଭିଆଇପି ସାଜି ସାର୍ଟିଫିକେଟ ଦେବାକୁ ଯାଉଛନ୍ତି, ତା’ର ମେସେଜ୍ ସ୍ପଷ୍ଟ-
ସରକାର କାହାକୁ ଭୟ କରେ, କାହାକୁ ନୁହେଁ।
ଏହା ରାଜ୍ୟର ପ୍ରଶାସନିକ ଛବିକୁ ତାହାର ସବୁଠୁ ଦୁର୍ବଳ ଆକାରରେ ପ୍ରଦର୍ଶିତ କରିଛି।
କିଟ୍ର ଆଚରଣ: ‘ଅଛୁଆଁ’ ଭାବନା
ଅଭିଯୋଗ କିମ୍ବା ବିବାଦ କୌଣସି ସଂସ୍ଥାର ହୋଇପାରେ।
କିନ୍ତୁ ଏଠାରେ ଅସୁବିଧା ହେଲା-
କିଟ୍ କର୍ତ୍ତୃପକ୍ଷ ମଧ୍ୟ ନିଜ ଆଚରଣ, ନୀତି ଓ ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ କରିବାର କୌଣସି ଲକ୍ଷଣ ଦେଖାଉନାହାନ୍ତି।
କିନ୍ତୁ କାହିଁକି?
କାରଣ ସେମାନେ ଦେଖୁଛନ୍ତି-
• ସରକାର ପ୍ରଶ୍ନ କରୁନାହିଁ।
• ରାଜ୍ୟପାଳ, ମନ୍ତ୍ରୀପରିଷଦର ଅନେକ ମନ୍ତ୍ରୀ, ବଡ଼ ଅଧିକାରୀମାନେ ତ ପ୍ରତିଯୋଗୀତା କଲା ଭଳି ତାଙ୍କର ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଆସନ ଅଳଂକୃତ କରୁଛନ୍ତି।
• ମିଡିଆର କିଛି ଅଂଶ ସ୍ୱତଃସ୍ପୃହା ରକ୍ଷାକବଚ।
ଏହାକୁ ଲୋକମାନେ କହୁଛନ୍ତି-
“କିଟ୍ ହେଉଛି ଓଡ଼ିଶାର ନୂଆ ‘ଅଛୁଆଁ’ କ୍ଷମତା କେନ୍ଦ୍ର।” ଯାହାର ସରକାରୀ କଳ ଓ ଦଳ କିଛି କରିପାରିବେ ନାହିଁ। ଏମିତି ମନୋଭାବ ଅବଶ୍ୟ ବିପଜ୍ଜନକ।
କିଟ୍ ବନାମ ଛାତ୍ରଛାତ୍ରୀ: କେଉଁଠି ରାଜ୍ୟର ଦୃଷ୍ଟି?
ସମସ୍ୟାର ମୂଳ ଏଇଠି ରହିଛି-
କିଟ୍ର ନାମରେ ଛାତ୍ରଛାତ୍ରୀଙ୍କ ଜୀବନ ଓ ମରଣ ଅଲଗା ହୋଇପାରିନାହିଁ।
ଏକ ସଂସ୍ଥାକୁ ସୁରକ୍ଷା ଦେବା ପାଇଁ ଯଦି ରାଜ୍ୟ ମୃତ୍ୟୁ,ନ୍ୟାୟ, ତଦନ୍ତ, ପରିବାରର ଅଶ୍ରୁକୁ ଅବହେଳା କରେ, ସେଥିରୁ ଓଡ଼ିଶାର ଯୁବପିଢ଼ି କ’ଣ ବାର୍ତ୍ତା ପାଉଛି?
• ସୁରକ୍ଷା ନ ଥିବା ସଂସ୍ଥାରେ ଅଧ୍ୟୟନ କଲେ ମୃତ୍ୟୃ ସୁନିଶ୍ଚିତ!
• ଦୁର୍ବଳ ଶିକ୍ଷା ବିଧି–ବ୍ୟବସ୍ଥା ମାନିନିଅ?
• ତୁମର ମାମଲା ଚାଲିବ କି ନ ଚାଲିବ, ତାହା ‘କିଏ ପ୍ରଭାବଶାଳୀ’ ତାହା ଉପରେ ନିର୍ଭର କରେ?
ଏହା ଦୁଃଖଦ। ଏହା ଏକ ସାମାଜିକ ବିନାଶର ବିଜାଣୁ।
ସରକାରୀ ନୀତି: କିଟ୍ ପ୍ରତି ଅତ୍ୟଧିକ ସନ୍ଦେହଜନକ ସହାନୁଭୂତି
ଯେକୌଣସି ଘରୋଇ ବିଶ୍ୱବିଦ୍ୟାଳୟ ଏବେ ଗୋଟିଏ କର୍ପୋରେଟ୍ ସଂସ୍ଥା।
ସରକାର ଗୋଟିଏ ସାମ୍ବିଧାନିକ ସଂସ୍ଥା।
ତା ସତ୍ତ୍ୱେ ସରକାର ଯଦି ଏଭଳି ଘରୋଇ କର୍ପୋରେଟ୍ ସଂସ୍ଥାରେ ଅଧିକ ନିବେଶ ଦେଉଛି, ତେବେ ତା’ର ଚିନ୍ତାଧାରା ସନ୍ଦେହଜନକ ହୋଇଯାଏ।
କିଟ୍ ପ୍ରତି
• ଅସାମାନ୍ୟ ରାଜନୈତିକ ସହାୟତା,
• ଅତ୍ୟଧିକ ମନ୍ତ୍ରୀ–ଉପସ୍ଥିତି,
• ତଦନ୍ତରେ ଗୋପନୀୟତା,
• ସାମ୍ବିଧାନିକ ସଂଗଠନରୁ ଆସୁଥିବା ପତ୍ରଗୁଡ଼ିକୁ ଚର୍ଚ୍ଚା ନ କରିବା,
ଏକ ଭୟଙ୍କର ପ୍ରଶ୍ନ ଉଠାଉଛି-
“ସରକାର କାହାର?”
ବିଶ୍ୱବିଦ୍ୟାଳୟର କି ଛାତ୍ରଛାତ୍ରୀଙ୍କର?”
ଏହାର ପ୍ରଭାବ ଓଡ଼ିଶାର ଭବିଷ୍ୟତ ଚିନ୍ତାରେ
ଏହିପରି ଘଟଣା ଦୁଇଟି କ୍ଷେତ୍ରକୁ ଆଘାତ କରୁଛି

୧. ଶିକ୍ଷାର ନାମରେ ଓଡ଼ିଶାର ବିଦେଶୀ ଛବି ଧୂସର। ଛାତ୍ରଛାତ୍ରୀମୃତ୍ୟୁ, ତଦନ୍ତ ଅନୁପସ୍ଥିତି, ସରକାରୀ ଅନୁଦାନ ବଳବତ୍ତର ରହିଛି। ଏହା ବିଦେଶୀ ଷ୍ଟୁଡେଣ୍ଟ ମାର୍କେଟକୁ ନିଷ୍ଫଳ କରିଦେବ।
୨. ରାଜ୍ୟର ନୂଆ ସରକାରର ବିଶ୍ୱସନୀୟତା ହ୍ରାସ ପାଇବାରେ ଲାଗିଛି।
ମୋହନ ସରକାର ନୂଆ।
ହେଲେ- ଏହିପରି ମୂଳ ମାମଲାରେ ତାଙ୍କର ନିରବତା ସରକାରକୁ ଦେଖାଉଛି-“ଅତି ଅଭିଜ୍ଞ ନୁହେଁ, ଅତି ନିର୍ଭୀକ୍ ମଧ୍ୟ ନୁହେଁ।”
ଆଗକୁ କ’ଣ କରିବା ଦରକାର?
ଏଥିରୁ ମୁକ୍ତି ପାଇବାକୁ ହେଲେ
୧. ଆଇନମନ୍ତ୍ରୀ କମିଟି ରିପୋର୍ଟ ତତ୍କାଳ ପ୍ରକାଶ କରିବା ଆବଶ୍ୟକ। କାରଣ ପାରଦର୍ଶିତା ବିନା ନ୍ୟାୟ ନାହିଁ।
୨. କିଟ୍କୁ ନେଇ ସ୍ୱତନ୍ତ୍ର ନ୍ୟାୟିକ ତଦନ୍ତ କରାଯାଉ। ରାଜ୍ୟ ବିଭାଗ ଯଦି ଅସମର୍ଥ କିମ୍ବା ପ୍ରଭାବିତ, ତେବେ ରିଟାୟର୍ଡ ହାଇକୋର୍ଟ ନ୍ୟାୟାଧୀଶ ଦ୍ୱାରା ତଦନ୍ତ କରାଯାଉ।
୩. ଏନଏଚଆରସି, ୟୁଜିସିର ସବୁ ପତ୍ରର ଉତ୍ତର ଲୋକଙ୍କ ସମ୍ମୁଖରେ ରଖାଯାଉ।
ଏହା ହେଲେ ସରକାରୀ କଳର ସାର୍ବଜନୀନ ଦାୟିତ୍ୱବୋଧ ବଢ଼ିବ।
୪. ମନ୍ତ୍ରିମଣ୍ଡଳ ସଦସ୍ୟ ଓ ରାଜ୍ୟପାଳଙ୍କୁ ସ୍ୱାର୍ଥର ଦ୍ୱନ୍ଦ୍ୱ ନିର୍ଦ୍ଦେଶାବଳୀ ମାନିବାକୁ ପଡ଼ିବ। କାରଣ ଯେଉଁ ସଂସ୍ଥାରେ ମୃତ୍ୟୁ–ଅଭିଯୋଗ ଚାଲିଛି, ସେଠି ମନ୍ତ୍ରୀମାନଙ୍କ ଅତିଥି ହେବା ନିଷେଧ।
୫. ଛାତ୍ରଛାତ୍ରୀମାନଙ୍କ ପାଇଁ ରାଜ୍ୟସ୍ତରୀୟ ଛାତ୍ର ସୁରକ୍ଷା କମିଶନ ଗଠନ କରାଯାଉ।
ଏହା ସର୍ବସାଧାରଣର ପ୍ରଶ୍ନ- ନ୍ୟାୟ କାହା ପାଇଁ?
କିଟ୍ର ପ୍ରସଙ୍ଗ ମାତ୍ର ଏକ ବିଶ୍ୱବିଦ୍ୟାଳୟର ଘଟଣା ନୁହେଁ।
ଏହା ଓଡ଼ିଶାର
• ନ୍ୟାୟବ୍ୟବସ୍ଥା,
• ରାଜନୈତିକ ସ୍ୱାଧୀନତା,
• ପ୍ରଶାସନିକ ଦାୟିତ୍ୱ,
• ଯୁବପିଢ଼ୀର ସୁରକ୍ଷା,
• ଶିକ୍ଷାର ଗୁଣ
—ସବୁକୁ ସ୍ପର୍ଶ କରୁଥିବା ମୁଖ୍ୟ ସମସ୍ୟା।
ମୋହନ ସରକାର ଏଠି ଦୁଇଟି ରାସ୍ତାରେ ଠିଆ ହୋଇଛି- ନ୍ୟାୟର ପଥ କିମ୍ବା ପ୍ରଭାବୀ ସଂସ୍ଥାମାନଙ୍କ ପ୍ରେସରର ପଥ।
ରାଜ୍ୟ ଦେଖୁଛି।
ଯୁବପିଢ଼ି ଦେଖୁଛି।
ଦେଶ ମଧ୍ୟ ଦେଖୁଛି।
ଓଡ଼ିଶାର ଛାତ୍ରଛାତ୍ରୀ ଜୀବନର କୌଣସି କର୍ପୋରେଟ୍ ପ୍ରାଯୋଜକ ନାହିଁ।
ସେମାନଙ୍କ ପାଇଁ ଯଦି ସରକାର ଚିନ୍ତା କରିବା ନାହିଁ- ତେବେ ସରକାର କାହା ପାଇଁ?
ଛାତ୍ରଛାତ୍ରୀ ମୃତ୍ୟୁମାଲାରେ କିଟ୍ ବିଶ୍ୱବିଦ୍ୟାଳୟ ଅଭିଯୁକ୍ତର ଗୋଟିଏ ପକ୍ଷ
ଏନଏଚଆରସି ବାରମ୍ବାର ତାଗିଦ୍ କରିବା ପରେ ବି ରାଜ୍ୟର ଉଚ୍ଚଶିକ୍ଷା ବିଭାଗ କୌଣସି ପଦକ୍ଷେପ ନେଇ ନାହାନ୍ତି।
ୟୁଜିସି ପକ୍ଷରୁ ବାରମ୍ବାର ତାଗିଦ୍ ପରେ ବି ସରକାରୀ କଳର ସମାନ ଅବସ୍ଥା।
ଓଡ଼ିଶା ହାଇକୋର୍ଟ ମଧ୍ୟ ସରକାରଙ୍କୁ ଆକ୍ସନ ଟେକେନ ରିପୋର୍ଟ ମାଗି ସାରିଛି।
ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ନେତୃତ୍ୱରେ ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ ହୋଇଥିଲେ ବି ତା’ର ରିପୋର୍ଟ ସାର୍ବଜନୀନ କରୁନାହାନ୍ତି ସରକାର ।
ଏପରି କ୍ଷେତ୍ରରେ ଛାତ୍ରୀମୃତ୍ୟୁ ମାମଲାରେ ଅଭିଯୁକ୍ତ ହୋଇଥିବା କିଟ୍ ବିଶ୍ୱବିଦ୍ୟାଳୟର ବିଭିନ୍ନ ଉତ୍ସବରେ ରାଜ୍ୟର, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ଓ ରାଜ୍ୟପାଳ କେ ହରିବାବୁ କମ୍ଭମପତି ଯୋଗଦେଉଛନ୍ତି।
ଯାହାଫଳରେ କିଟ୍ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତାର ଆଚରଣରେ ପରିବର୍ତ୍ତନ ଆଣିବା ପରିବର୍ତ୍ତେ ଏଭଳି ଖାମଖିଆଲି ମନୋଭାବ ଚଳାଇଛି। ଯାହାକି ରାଜ୍ୟର ମୋହନ ସରକାରକୁ ଦେଶବିଦେଶରେ ଏକ ଦୁର୍ବଳ ସରକାରର ଆଖ୍ୟା ହେଉଛି।
also read https://purvapaksa.com/kiit-nepal-student-death/


