ଗତ କିଛି ଦିନ ହେବ ବନ୍ୟାପାଣିର ତାଣ୍ଡବଲୀଳାରେ ଭଦ୍ରକ ଜିଲ୍ଲାବାସୀ ଅନ୍ତରସନ୍ତୁଡ଼ି ହେଉଥିବା ବେଳେ ଏବେ ସେମାନଙ୍କ ପାଇଁ ଆସିଛି ଆଉ ଏକ ନୂଆ ଏବଂ ପ୍ରାଣଘାତୀ ବିପଦ। ବନ୍ୟାଜଳ କ୍ରମଶଃ ହ୍ରାସ ପାଉଥିଲେ ସୁଦ୍ଧା ଗାଁ ଗାଁରେ ଏବେ ମାଡ଼ିଚାଲିଛି ସାପ ଆତଙ୍କ। ନଦୀନାଳ, ଗୁମ୍ଫା, ଏବଂ ଜଙ୍ଗଲିଆ ନିମ୍ନଞ୍ଚଳ ଭାସିଯିବା ଯୋଗୁଁ ନାଗ, ଚନ୍ଦନବୋଡ଼ା, ଅହିରାଜ ଏବଂ ସିଆର ଚନ୍ଦନ ଭଳି ଅତି ବିଷାକ୍ତ ସାପମାନେ ନିଜର ପ୍ରାକୃତିକ ବାସସ୍ଥଳୀ ହରାଇ ସୁରକ୍ଷିତ ଆଶ୍ରୟ ଖୋଜିବା ପାଇଁ ଲୋକଙ୍କ ଘର, ଚାଳପ୍ରାନ୍ତ, ନଦୀବନ୍ଧ, ଏବଂ ବନ୍ୟା ଆଶ୍ରୟସ୍ଥଳୀଗୁଡ଼ିକରେ ପଶିଯାଉଛନ୍ତି।
/odishatv/media/media_files/2026/07/29/floodwaters-bring-deadly-threat-snakes-spotted-across-bhadrak-2026-07-29-14-04-46.jpg)
ଏହି ସାଂଘାତିକ ପରିସ୍ଥିତି ଯୋଗୁଁ ଜିଲ୍ଲାର ଧାମନଗର, ଭଣ୍ଡାରୀପୋଖରୀ, ଚାନ୍ଦବାଲି, ଏବଂ ସିମୁଳିଆ ବ୍ଲକ୍ର ଶହ ଶହ ଗ୍ରାମବାସୀ ଦିନରାତି ଆତଙ୍କିତ ଅବସ୍ଥାରେ କାଟୁଛନ୍ତି।
ଘର ଭିତରେ ଓ ଖଟ ତଳେ ବିଷାକ୍ତ ସାପ
ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ବନ୍ୟାପାଣି ଘର ଭିତରକୁ ପଶିଯିବା ଯୋଗୁଁ ଘରର ଆସବାବପତ୍ର, ସୁଖିଲା କାଠ, ବିଛଣା, ଏବଂ ଚୁଲି ନିକଟରେ ସାପମାନେ ଲୁଚି ରହୁଛନ୍ତି। ବିଶେଷ କରି ରାତି ସମୟରେ ବିଜୁଳି ନଥିବା ଯୋଗୁଁ ଏହି ସରୀସୃପମାନେ ଅନ୍ଧାରର ସୁଯୋଗ ନେଇ ଲୋକଙ୍କୁ ଦଂଶନ କରୁଛନ୍ତି।

ଗତ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରୁ ଏକାଧିକ ସାପ ଦଂଶନ ମାମଲା ସାମ୍ନାକୁ ଆସିଛି। ପାଣି ଜମି ରହିଥିବା ଯୋଗୁଁ ଏହି ଅସୁସ୍ଥ ଲୋକଙ୍କୁ ତୁରନ୍ତ ହସ୍ପିଟାଲ୍ ନେବାରେ ମଧ୍ୟ ବ୍ୟାପକ ସମସ୍ୟା ସୃଷ୍ଟି ହେଉଛି। ପ୍ରକୃତିର ଏହି ଦୁଇଟିଯାକ ପ୍ରକୋପ ଗୋଟିଏ ପଟେ ବନ୍ୟାପାଣି ଓ ଅନ୍ୟପଟେ ବିଷାକ୍ତ ସାପ ଗ୍ରାମବାସୀଙ୍କ ଶୋଇବା ହରାମ କରିଦେଇଛି।
ସ୍ନେକ୍ ରିସ୍କ୍ୟୁ ଟିମ୍ ଓ ସ୍ୱେଚ୍ଛାସେବୀଙ୍କ ତତ୍ପରତା
ଜିଲ୍ଲାରେ ସାପ ପ୍ରାଦୁର୍ଭାବ ବୃଦ୍ଧି ପାଇବା ପରେ ‘ସ୍କେନ୍ ରିସ୍କ୍ୟୁ ଟିମ୍’ ର ସଦସ୍ୟମାନେ ପଦାକୁ ଆସିଛନ୍ତି। ଦିନରାତି ଏକ କରି ସେମାନେ ବନ୍ୟା ପ୍ରଭାବିତ ଗାଁଗୁଡ଼ିକରୁ ବିଷାକ୍ତ ସାପମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ଜଙ୍ଗଲ ଓ ଉଚ୍ଚା ସ୍ଥାନରେ ଛାଡ଼ୁଛନ୍ତି।
ସ୍ନେକ୍ ହେଲ୍ପଲାଇନ୍ର କର୍ମକର୍ତ୍ତାମାନେ ଲୋକଙ୍କୁ ସଚେତନ କରି କହିଛନ୍ତି ଯେ, “ବନ୍ୟାପାଣିରେ ସାପମାନେ ନିଜର ରହିବା ସ୍ଥାନ ହରାଇ ଭୟଭୀତ ଅଛନ୍ତି। ତେଣୁ ସେମାନଙ୍କୁ ନପିଟି କିମ୍ବା ନଛୁଇଁ ଆମକୁ ତୁରନ୍ତ ଖବର ଦିଅନ୍ତୁ। ଅନ୍ଧାରରେ ଟର୍ଚ୍ଚ ଲାଇଟ୍ ବ୍ୟବହାର କରନ୍ତୁ ଏବଂ ଶୋଇବା ସମୟରେ ମଶାରୀ ବ୍ୟବହାର କରନ୍ତୁ।”
ହସ୍ପିଟାଲଗୁଡ଼ିକରେ ସର୍ପଦଂଶନ ଔଷଧ ମହଜୁଦ୍
ସାରା ଜିଲ୍ଲାରେ ସର୍ପଦଂଶନ ସମସ୍ୟା ବୃଦ୍ଧି ପାଉଥିବା ଦୃଷ୍ଟିରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକୁ ସତର୍କ ଅବସ୍ଥାରେ ରଖାଯାଇଛି।

ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ସମସ୍ତ ସରକାରୀ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଆଣ୍ଟି-ସ୍ନେକ୍ ଭେନମ୍ ଇଞ୍ଜେକ୍ସନ୍ ମହଜୁଦ୍ ରହିଛି। ଗୁଣିଗାରଡ଼ି, ଝାଡ଼ଫୁଙ୍କା କିମ୍ବା ବୈଦ୍ୟଙ୍କ ପାଖକୁ ନଯାଇ ସର୍ପଦଂଶନର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ବିନା ବିଳମ୍ବରେ ଗ୍ରାମୀଣ ଆମ୍ବୁଲାନ୍ସ କିମ୍ବା ଡଙ୍ଗା ସାହାଯ୍ୟରେ ତୁରନ୍ତ ନିକଟସ୍ଥ ମେଡିକାଲକୁ ଆଣିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଆକୁଳ ଅନୁରୋଧ କରିଛି।
ପ୍ରଶାସନର ସତର୍କତା ନିର୍ଦ୍ଦେଶାବଳୀ
ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରାମାଞ୍ଚଳରେ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଉଛି। ଝୁପୁଡ଼ି ଘର, କଚ୍ଚା ଘର ଏବଂ ନଦୀବନ୍ଧରେ ଆଶ୍ରୟ ନେଇଥିବା ଲୋକଙ୍କୁ ବ୍ଲିଚିଂ ପାଉଡର୍, କାର୍ବୋଲିକ୍ ଏସିଡ୍ ଏବଂ କିରୋସିନ୍ ସିଞ୍ଚନ କରିବାକୁ ପରାମର୍ଶ ଦିଆଯାଉଛି, ଯାହାଦ୍ୱାରା ସାପମାନେ ନିକଟତର ହେବେ ନାହିଁ।


