ପୃଥିବୀର ମାନଚିତ୍ରରେ ଏବେ ଯେଉଁ ନିଆଁ ଜଳୁଛି, ତାହାର ତାତି କେବଳ ୟୁକ୍ରେନ୍ କିମ୍ବା ରୁଷ୍ରେ ସୀମିତ ନାହିଁ, ବରଂ ଏହାର କଳା ଧୂଆଁ ସମଗ୍ରୟୁରୋପ ଏବଂ ପୂରା ବିଶ୍ୱକୁ ଆକ୍ରାନ୍ତ କରୁଛି। ରୁଷ୍ର ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ଆଉ କୌଣସି ସଂକୋଚ କରୁନାହାନ୍ତି; ସେ ଏବେ ସମ୍ପୂର୍ଣ୍ଣ ବିଧ୍ୱଂସର ପଥ ଆପଣାଇଛନ୍ତି।
ସେପ୍ଟେମ୍ବର ମାସର ଶେଷ ରବିବାରଟି ୟୁକ୍ରେନର ରାଜଧାନୀ କିଭ୍ ପାଇଁ ଏକ ଅଭିଶପ୍ତ ରାତି ଥିଲା। ରୁଷ୍ ପ୍ରଥମ କରି ରାଜଧାନୀ କିଭ୍ ଉପରେ ୩ଟନ୍ ଓଜନର ବିଶାଳ FAB-3000 ଗ୍ଲାଇଡ୍ ବମ୍ ମାଡ଼ କରିଛି। ଏହି ବମ୍ ଏତେ ଶକ୍ତିଶାଳୀ ଥିଲା ଯେ, ଏହା ବିସ୍ଫୋରଣ ହେବାକ୍ଷଣି ଏକ ପରମାଣୁ ବିସ୍ଫୋରଣ ଭଳି ବିଶାଳ Mushroom Cloud ବା ମେଘ ସୃଷ୍ଟି ହୋଇଥିଲା। Sukhoi-34 ଯୁଦ୍ଧବିମାନରୁ ଛଡ଼ାଯାଇଥିବା ଏହି ବମ୍ରେ ୧.୫ ଟନ୍ ଓଜନର ଅତି ଶକ୍ତିଶାଳୀ ବିସ୍ଫୋରକ ରହିଛି, ଯାହା ଯେକୌଣସି ବଡ଼ ବଙ୍କର ଏବଂ କୋଠାବାଡ଼ିକୁ ମାଟିରେ ମିଶାଇ ଦେବା ପାଇଁ ଯଥେଷ୍ଟ ।
ପୁତିନ୍ ଏବେ କେବଳ ସାମରିକ ଘାଟି ନୁହେଁ, ବରଂ ୟୁକ୍ରେନର ଅର୍ଥନୈତିକ ମେରୁଦଣ୍ଡ ଏବଂ ଜନସାଧାରଣଙ୍କ ଦୈନନ୍ଦିନ ଜୀବନ ସହ ଜଡ଼ିତ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ୍ କରୁଛନ୍ତି।
ଗତ କିଛିଦିନ ଭିତରେ ରୁଷ୍ କିଭରେ Vodafone ଏବଂ Starlinkର ଡାଟା ସେଣ୍ଟରଗୁଡ଼ିକୁ ଧ୍ୱଂସ କରିଦେଇଛି। କେବଳ ସେତିକି ନୁହେଁ, ୟୁକ୍ରେନର ସବୁଠାରୁ ବଡ଼ ଆଇସ୍କ୍ରିମ୍ ତିଆରି କମ୍ପାନୀ Rudyର ବିଶାଳ ପ୍ଲାଣ୍ଟ ଏବଂ ଗୋଦାମକୁ ମଧ୍ୟ ମାଟିରେ ମିଶାଇ ଦିଆଯାଇଛି। ଏହି କମ୍ପାନୀର ଆଇସ୍କ୍ରିମ୍ ପାଖାପାଖି ୩୬ଟି ଦେଶକୁ ରପ୍ତାନି ହେଉଥିଲା ଏବଂ ଏହା ୟୁକ୍ରେନର ଏକ ବଡ଼ ଆୟର ଜରିଆ ଥିଲା।
ଏହାର ଜବାବରେ ଜେଲେନସ୍କି ଯେତେବେଳେ McDonald’s ଗୋଦାମ ଉପରେ ହୋଇଥିବା ଆକ୍ରମଣକୁ NATO ଉପରେ ଆକ୍ରମଣ ବୋଲି କହିଲେ ଏବଂ ନାଟୋକୁ ରୁଷ ବିରୁଦ୍ଧରେ ଯୁଦ୍ଧକୁ ଓହ୍ଲାଇବାକୁ ଆହ୍ୱାନ କଲେ, ସେତେବେଳେ ପରସ୍ଥିତି ଆହୁରି ହାସ୍ୟାସ୍ପଦ ଏବଂ ଜଟିଳ ହୋଇପଡ଼ିଲା। କିନ୍ତୁ ପ୍ରକୃତ କଥା ହେଲା, ରୁଷ୍ Odesa ପ୍ରାନ୍ତରେ ମଧ୍ୟ Itaq’s ଭଳି ବଡ଼ ବଡ଼ ପ୍ୟାକେଜିଂ ଫ୍ୟାକ୍ଟ୍ରିଗୁଡ଼ିକୁ ଜାଳି ପୋଡ଼ି ପାଉଁଶ କରିଦେଇଛି, ଯାହା ସମଗ୍ର ୟୁରୋପର ଫୁଡ୍ ଇଣ୍ଡଷ୍ଟ୍ରିକୁ ଖାଦ୍ୟ ସାମଗ୍ରୀ ଯୋଗାଉଥିଲା।
ରୁଷ୍ ଏହି ଆକ୍ରମଣଗୁଡ଼ିକ ପାଇଁ ୧୭୦ରୁ ଅଧିକ Geran ଡ୍ରୋନ୍, Zircon ଏବଂ Iskander ଭଳି ଭୟଙ୍କର ମିସାଇଲଗୁଡ଼ିକର ବ୍ୟବହାର କରୁଛି। ଏବେ ସ୍ପଷ୍ଟ ହୋଇଯାଇଛି ଯେ, ରୁଷ୍ ଏହି ଯୁଦ୍ଧକୁ ଶୀଘ୍ର ସମାପ୍ତ କରିବା ମୁଡରେ ନାହିଁ ।
ଏପରି ଏକ ଭୟଙ୍କର ପରିସ୍ଥିତିରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେନସ୍କି ଆଜି ଗଭୀର ଦ୍ୱନ୍ଦ୍ୱ ଏବଂ ଅସହାୟତାର ସମ୍ମୁଖୀନ ହୋଇଛନ୍ତି। ଯେଉଁ ଡ୍ରୋନ୍ ଯୁଦ୍ଧରେ ସେ ପୂରା ବିଶ୍ୱ ଆଗରେ ଗର୍ବ କରୁଥିଲେ, ଆଜି ରୁଷ୍ ସେହି ଡ୍ରୋନ୍ ଯୁଦ୍ଧରେ ତାଙ୍କୁ ବହୁ ପଛରେ ପକାଇଦେଇଛି। ରୁଷ୍ ଏବେ ନିଜର Mi-28 ଏବଂ K-52 ହେଲିକପ୍ଟରରେ ଅଟୋ-ଗନ୍ ଫିଟ୍ କରି ଆକାଶରେ ୟୁକ୍ରେନର ଡ୍ରୋନଗୁଡ଼ିକୁ ଖତମ କରିଚାଲିଛି।
ଯେତେବେଳେ ଆମେରିକା ଏବଂ ୟୁରୋପର ୨୬ଟି ଦେଶର ଚାପ ଏବଂ ସାହାଯ୍ୟ ମଧ୍ୟ ପୁତିନଙ୍କୁ ଅଟକାଇ ପାରିଲା ନାହିଁ, ସେତେବେଳେ ଜେଲେନସ୍କି ଏକ ବଡ଼ ୟୁ-ଟର୍ଣ୍ଣ ନେଇ Global South ଦେଶଗୁଡ଼ିକର ଦ୍ୱାରସ୍ଥ ହୋଇଛନ୍ତି। ସେ ଭାରତ, ଚୀନ୍, ଦକ୍ଷିଣ ଆଫ୍ରିକା ଏବଂ ବ୍ରାଜିଲ୍କୁ ଅନୁରୋଧ କରିଛନ୍ତି ଯେ, ସେମାନେ ରୁଷ୍ ସହ ଆଲୋଚନା କରି ଏହି ଯୁଦ୍ଧକୁ ବନ୍ଦ କରାନ୍ତୁ, କାରଣ ଏହି ଦେଶଗୁଡ଼ିକର କଥା ପୁତିନ୍ ଶୁଣିଥାଆନ୍ତି।
କିନ୍ତୁ ପୁତିନଙ୍କ ସର୍ତ୍ତଗୁଡ଼ିକ ଅତି ସ୍ପଷ୍ଟ:
- ୟୁକ୍ରେନ୍ ଡୋନବାସ୍ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ଛାଡ଼ିଦେଉ ।
- ୟୁକ୍ରେନ୍ କେବେବି ନାଟୋର ସଦସ୍ୟ ହେବ ନାହିଁ ବୋଲି ଗ୍ୟାରେଣ୍ଟି ଦେଉ।
- କ୍ରିମିଆ ଏବଂ ଡୋନବାସ୍କୁ ବିଶ୍ୱ ରୁଷର ଅଞ୍ଚଳ ବୋଲି ସ୍ୱୀକାର କରୁ।
- ୟୁକ୍ରେନ୍ ନିଜର ସେନା କମାଉ ଏବଂ ରୁଷୀୟ ଭାଷାକୁ ସମ୍ମାନ ଦେଉ।
ଅନ୍ୟପଟେ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଧ୍ୟ ଜେଲେନସ୍କିଙ୍କୁ ବାରମ୍ବାର ଚେତାବନୀ ଦେଉଛନ୍ତି ଯେ, ଭୟଙ୍କର ଶୀତଋତୁ ଆସିବା ପୂର୍ବରୁ ସେ ପୁତିନଙ୍କ ସହ ଏକ ଡିଲ୍ କରିନିଅନ୍ତୁ, ନଚେତ୍ ଥଣ୍ଡାରେ ଏବଂ ବିଦ୍ୟୁତ୍, ଗ୍ୟାସ୍ ଅଭାବରୁ ହଜାର ହଜାର ୟୁକ୍ରେନୀୟ ନାଗରିକ ମୃତ୍ୟୁବରଣ କରିବେ।
ଏହି ଯୁଦ୍ଧ ଏବେ କେବଳ ୟୁକ୍ରେନ୍ ମଧ୍ୟରେ ସୀମିତ ନାହିଁ। ଆମେରିକାର ଗୁଇନ୍ଦା ସଂସ୍ଥା ସତର୍କ କରାଇଛି ଯେ ରୁଷ୍ ଯେକୌଣସି ମୁହୂର୍ତ୍ତରେ ନାଟୋ ଦେଶଗୁଡ଼ିକର ସୀମା ଭିତରକୁ ପ୍ରବେଶ କରିପାରେ। ଜର୍ମାନୀ, ପୋଲାଣ୍ଡ ଏବଂ ବାଲଟିକ୍ ଦେଶଗୁଡ଼ିକରେ ଏବେଠାରୁ ପ୍ୟାନିକ୍ ବା ଭୟର ବାତାବରଣ ସୃଷ୍ଟି ହୋଇଛି। ଜର୍ମାନୀରେ ୧୮ ବର୍ଷରୁ ଅଧିକ ଯୁବକମାନଙ୍କୁ ସାମରିକ ପ୍ରଶିକ୍ଷଣ ପାଇଁ ଡାକରା ଦିଆଯାଉଛି, ଯାହାକୁ ନେଇ ସହରଗୁଡ଼ିକରେ ଛାତ୍ରମାନେ ରାଜସ୍ୱାମୀକୁ ଓହ୍ଲାଇଛନ୍ତି।
ଏଠାରେ ଆଉ ଏକ ସବୁଠାରୁ ବଡ଼ ବିପଦ ରହିଛି, ଯାହାକୁ କୁହାଯାଏ—Suwalki Gap। ଏହି ୬୫ କିଲୋମିଟର ଲମ୍ବା ଏବଂ ୧୦୦ କିଲୋମିଟର ଚଉଡ଼ା ସଂକୀର୍ଣ୍ଣ ଗଳାଟି ଚୋଟିଏ ପଟେ ରୁଷର Kaliningrad, ଆଉ ପଟେ ପୋଲାଣ୍ଡ, ବେଲାରୁସ୍ ଏବଂ ଲିଥୁଆନିଆକୁ ଯୋଡ଼ିଥାଏ। ରୁଷ୍ ଯଦି ଏହି ଛୋଟ ଗ୍ୟାପ୍ଟିକୁ କାବୁ କରିନିଏ, ତେବେ ବାଲଟିକ୍ ଦେଶଗୁଡ଼ିକ ବାକି ନାଟୋ ଦେଶଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯିବେ। ଏହାକୁ ନାଟୋର ‘ସବୁଠାରୁ ଦୁର୍ବଳ ନାଡ଼ୀ’ ବୋଲି କୁହାଯାଏ। ଯଦି ଏହାକୁ ନେଇ କିଛି ଅଘଟଣ ଘଟେ, ତେବେ ଏହା ସିଧାସଳଖ ଏକ ପରମାଣୁ ଯୁଦ୍ଧ ବା ତୃତୀୟ ବିଶ୍ୱଯୁଦ୍ଧର ରୂପ ନେଇପାରେ
ରୁଷ-ୟୁକ୍ରେନ୍ ଯୁଦ୍ଧ ଆଜି ଏପରି ଏକ ମୋଡ଼ରେ ପହଞ୍ଚିଛି ଯେଉଁଠାରୁ ପଛକୁ ଫେରିବା ପାଇଁ କାହାରି ପାଖରେ ସମୟ ନାହିଁ। ପୁତିନଙ୍କ ଜିଦ୍ ଏବଂ ଜେଲେନସ୍କିଙ୍କ ଅତିମାତ୍ରାରେ ପଶ୍ଚିମ ଦେଶମାନଙ୍କ ଉପରେ ନିର୍ଭରଶୀଳତା ଆଜି ସମଗ୍ର ବିଶ୍ୱକୁ ଏକ ବିପଜ୍ଜନକ ମୋଡ଼ରେ ଆଣି ଠିଆ କରିଛି। ଆଜି ଯଦି କୂଟନୈତିକ ସ୍ତରରେ କୌଣସି ଠୋସ୍ ପଦକ୍ଷେପ ନ ନିଆଯାଏ, ତେବେ ଏହି ଆଞ୍ଚଳିକ ଯୁଦ୍ଧ କାଳବିଳମ୍ବ ନକରି ଏକ ବିଶ୍ୱବ୍ୟାପୀ ମହାବିପର୍ଯ୍ୟୟରେ ପରିଣତ ହୋଇପାରେ।
Also read : https://purvapaksa.com/unwritten-pages-of-history-savarkar-nehru-and-the-truth-about-our-independence/


