କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ‘ଡିଜିଟାଲ୍ ଇଣ୍ଡିଆ’ (Digital India) ସଫଳତାର ସହ ୧୧ ବର୍ଷ ପୂରଣ କରିଛି। ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଏହି ଅଭିଯାନ ବିକଶିତ ଏବଂ ଆତ୍ମନିର୍ଭର ଭାରତ ଗଠନର ଏକ ଶକ୍ତ ମୂଳଦୁଆ ସାବ୍ୟସ୍ତ ହୋଇଛି। ଗତ ୧୧ ବର୍ଷ ମଧ୍ୟରେ ଏହି ଯୋଜନା ଦେଶର ଗରିବ, ବଞ୍ଚିତ ଓ ଅବହେଳିତ ଶ୍ରେଣୀର ଲୋକଙ୍କ ସଶକ୍ତୀକରଣରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ ସାଧାରଣ ଜନତାଙ୍କ ଜୀବନଧାରଣକୁ ଅତି ସହଜ କରିପାରିଛି।

ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (ପୂର୍ବରୁ ଟ୍ୱିଟର)ରେ ଏକାଧିକ ପୋଷ୍ଟ କରି ଏହି ଅଭିଯାନର ସଫଳତା ସମ୍ପର୍କରେ ଆଲୋକପାତ କରିଛନ୍ତି। ସେ ଲେଖିଛନ୍ତି, “ଆଜି ଡିଜିଟାଲ୍ ଇଣ୍ଡିଆ ଅଭିଯାନ ଆରମ୍ଭ ହେବାର ୧୧ ବର୍ଷ ପୂରିଛି। ଏହି ପଦକ୍ଷେପ ଦେଶର ଶାସନ ବ୍ୟବସ୍ଥା (ଗଭର୍ଣ୍ଣାନ୍ସ)କୁ ଏକ ନୂଆ ରୂପ ଦେଇଛି, ନାଗରିକମାନଙ୍କୁ ସଶକ୍ତ କରିଛି ଏବଂ ସର୍ବାଙ୍ଗୀନ ବିକାଶକୁ ଗତିଶୀଳ କରିଛି। ସହଜ ଡିଜିଟାଲ୍ ପେମେଣ୍ଟ ଠାରୁ ଆରମ୍ଭ କରି ହିତାଧିକାରୀଙ୍କ ପାଖକୁ ସ୍ୱଚ୍ଛତାର ସହ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବା (DBT) ଏବଂ ଡିଜିଟାଲ୍ ପବ୍ଲିକ ଇନଫ୍ରାଷ୍ଟ୍ରକ୍ଚରର ସମ୍ପ୍ରସାରଣ ପର୍ଯ୍ୟନ୍ତ, ଟେକ୍ନୋଲୋଜି ଆଜି ‘ଇଜ୍ ଅଫ୍ ଲିଭିଙ୍ଗ୍’ ବା ସହଜ ଜୀବନଶୈଳୀର ଏକ ଶକ୍ତିଶାଳୀ ମାଧ୍ୟମ ପାଲଟିଛି।”
ଗାଁ ଓ ସହରରେ ନୂତନ ଉଦ୍ଭାବନର ଲହର
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଡିଜିଟାଲ୍ ଇଣ୍ଡିଆ ଯୋଗୁଁ ନୂତନ ଉଦ୍ଭାବନ ବା ଇନୋଭେସନର ଲହର କେବଳ ବଡ଼ ସହରରେ ସୀମିତ ନରହି ଦେଶର ପ୍ରତିଟି କୋଣଅନୁକୋଣ, ବିଶେଷ କରି ଗ୍ରାମାଞ୍ଚଳ ଏବଂ ଛୋଟ ଛୋଟ ସହର (ଟିୟର-୨ ଓ ଟିୟର-୩) ପର୍ଯ୍ୟନ୍ତ ପହଞ୍ଚିପାରିଛି। ଆଜି ଦେଶର ବିଭିନ୍ନ ପ୍ରାନ୍ତରୁ ଯୁବ ଉଦ୍ୟୋଗୀ ଓ ଷ୍ଟାର୍ଟଅପ୍ ଗୁଡ଼ିକ ବିଶ୍ୱ ସମ୍ମୁଖରେ ଥିବା ଜଟିଳ ସମସ୍ୟାର ସମାଧାନ ବାହାର କରୁଛନ୍ତି। ଏହି ଅଭିଯାନ ଶିକ୍ଷା, ସ୍ୱାସ୍ଥ୍ୟ ସେବା, କୃଷି, ବ୍ୟବସାୟ ଏବଂ ସରକାରୀ ସେବା ପ୍ରଦାନ ପ୍ରକ୍ରିୟାକୁ ସୁଦୃଢ଼ କରିଛି, ଯାହା ଦ୍ୱାରା ପ୍ରଶାସନ ଅଧିକ ସ୍ୱଚ୍ଛ, ଦକ୍ଷ ଏବଂ ଲୋକାଭିମୁଖୀ ହୋଇପାରିଛି।
ସଂସ୍କୃତ ଶ୍ଳୋକ ମାଧ୍ୟମରେ ଦେଲେ ବାର୍ତ୍ତା
ପ୍ରଧାନମନ୍ତ୍ରୀ ଏହି ଅବସରରେ ଏକ ସଂସ୍କୃତ ଶ୍ଳୋକ ଉଦ୍ଧାର କରି ଲେଖିଛନ୍ତି:
“ବିଜ୍ଞାନସାରଥିର୍ୟସ୍ତୁ ମନଃପ୍ରଗ୍ରହବାନ୍ନରଃ। ସୋଽଧ୍ୱନଃ ପାରମାପ୍ନୋତି ତଦ୍ବିଷ୍ଣୋଃ ପରମଂ ପଦମ୍॥”
ଯାହାର ଅର୍ଥ ହେଉଛି :- ଯେଉଁ ମନୁଷ୍ୟର ବିବେକପୂର୍ଣ୍ଣ ବୁଦ୍ଧି ଏକ ବୈଜ୍ଞାନିକ ସାରଥି ସଦୃଶ ସଚେତନ ଥାଏ ଏବଂ ମନ ସଂଯମିତ ଥାଏ, ସେ ଜୀବନ ପଥର ସମସ୍ତ ଜଟିଳତାକୁ ପାର କରି ନିଜର ପରମ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଯାଏ।

ବିଶ୍ୱ ଦରବାରରେ ଭାରତର ସ୍ୱତନ୍ତ୍ର ପରିଚୟ
ମୋଦୀ କହିଛନ୍ତି ଯେ, ଡିଜିଟାଲ୍ କ୍ଷେତ୍ରରେ ଭାରତର ଏହି ଅଦ୍ଭୁତପୂର୍ବ ପ୍ରଗତି ଯୋଗୁଁ ଆଜି ସମଗ୍ର ବିଶ୍ୱରେ ଦେଶକୁ ଏକ ନୂଆ ପରିଚୟ ମିଳିଛି। ଅପ୍ଟିକାଲ୍ ଫାଇବର ନେଟୱର୍କର ସମ୍ପ୍ରସାରଣ ଠାରୁ ଆରମ୍ଭ କରି କୋଟି କୋଟି ଟଙ୍କାର ଡିଜିଟାଲ୍ କାରବାର ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ବର୍ତ୍ତମାନ ଭାରତ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI), ସେମିକଣ୍ଡକ୍ଟର ଏବଂ କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଭଳି ଆଧୁନିକ ଜ୍ଞାନକୌଶଳ କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଆମର ଲକ୍ଷ୍ୟ ଏଭଳି ଏକ ଭବିଷ୍ୟତ ଗଠନ କରିବା, ଯେଉଁଠାରେ ପ୍ରଯୁକ୍ତିବିଦ୍ୟା ମାନବତାର ସେବା କରିବ, ପ୍ରତିଟି ନାଗରିକଙ୍କୁ ସଶକ୍ତ କରିବ ଏବଂ ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
Also read : https://purvapaksa.com/kargil-war-hero-air-marshal-ashutosh-dixit-takes-charge-as-new-vice-chief/


